ଜେଏନୟୁ: କିଏ ହାରିଲା କିଏ ଜିତିଲା?

0
410
advertisement

 ଜେଏନୟୁ ରାଜନୀତିକୁ ଦେଖିଲେ ଯେ କେହି ଅନୁମାନ କରିପାରିବ ଏ ଦେଶର ଗତି କୁଆଡେ । କଣ ରହିଛି ଦେଶର ଅବସ୍ଥା , କେମିତି ଚାଲିଛି ଦେଶର ରାଜନୀତି । ଯେତେବେଳେ ଜେଏନୟୁରେ ଆକ୍ରମଣ ଘଟଣା ସାମନାକୁ ଆସିଲା , ପ୍ରଥମେ ପ୍ରଶ୍ନ ଉଠିଲା କାହିଁକି ହେଲା ଆକ୍ରମଣ, କିଏ କଲା ଆକ୍ରମଣ ଏବଂ ଆକ୍ରମଣ ପଛର ଉଦ୍ଦେଶ୍ୟ କଣ ଥିଲା ।
କିନ୍ତୁ ଉତର ଖୋଜୁ ଖୋଜୁ ଆରମ୍ଭ ହୋଇଗଲା ରାଜନୈତିକ ବୟାନ ବାଜି । ବାମ ପନ୍ଥି ଏବଂ ଦକ୍ଷିଣ ପନ୍ଥି ବିବାଦ ବି ସାମନାକୁ ଆସିଲା ।

ବଲିଉଡ ବି ମୁଣ୍ଡ ଖେଳାଇଲା । ଦୀପିକା ପାଦୁକୋନ ଆସି ସେଠାରେ ଉପସ୍ଥିତ ରହିବା ତିଆରି କଲା ନୂଆ ବିବାଦ । ଆଉ ଏସବୁ ଭିତରେ ମୂଳ ପ୍ରସଙ୍ଗ କୁଆଡେ ହଜିଗଲା । ମୂଳ ପ୍ରସଙ୍ଗଟି ହେଉଛି, ହଷ୍ଟେଲ ଫି ଛାଡ । ଯେତେବେଳେ ହଷ୍ଟେଲ ଫି ଛାଡକୁ ନେଇ ବିବାଦ ଆରମ୍ଭ ହେଲା, ଆନ୍ଦୋଳନ ଚାଲିଲା ସେତେବେଳେ ଜେଏନୟୁ କର୍ତୃପକ୍ଷ ଅନଲାଇନରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ଆରମ୍ଭ କରିଦେଲେ । ଅର୍ଥାତ ଯେଉଁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଯାଇ ରେଜିଷ୍ଟ୍ରେସନ କରିପାରିଲେ ନାହିଁ ସେମାନେ ଅନଲାଇନର ସାହାରା ନେଲେ । କାମ ଦେଲା ଭିସିଙ୍କ ଫର୍ମୁଲା । ବାସ ଏତିକି ଯଥେଷ୍ଟ ଥିଲା ବିଦ୍ରୋହ ସୃଷ୍ଟି କରିବା ପାଇଁ । ମୁଖାପିନ୍ଧା ଦୁବୃର୍ତଙ୍କ ଟାର୍ଗେଟରେ ଥିଲା ଅଫିସ ରୁମ, କମ୍ପୁଟର ରୁମ ଏବଂ ଅପଟିକ ଫାଇବର କେବୁଲ । ଏସବୁକୁ ମୁଖାପିନ୍ଧା ଦୁବୃର୍ତମାନେ ଭଙ୍ଗାରୁଜା କରିବା ସହିତ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିଲେ । ଏହି ଘଟଣାରୁ ବିବାଦ ଜୋର ଧରିଲା । ପ୍ରଶ୍ନ ଉଠୁଛି ଯେଉଁ ହଷ୍ଟେଲ ଫିକୁ ନେଇ ଏତେ ବିବାଦ ଅଳ୍ପ ସମୟ ମଧ୍ୟରେ ଏତେ ବଡ ରୂପ ନେଲା, ତାର ସମାଧାନ କଣ ହୋଇପାରିନଥାନ୍ତା । ଛାତ୍ରଛାତ୍ରୀମାନେ ରକ୍ତାକ୍ତ ହେବା ଯାଏଁ କଥା ଗଲା କାହିଁକି । ବାମ ପନ୍ଥିଙ୍କ କଥା ଆସିଲା କାହିଁକି ଦକ୍ଷିଣ ପନ୍ଥିଙ୍କ କଥା ଆସିଲା କାହିଁକି । କାହିଁକି ଦୁଇ ଗୋଷ୍ଠୀ ବିବାଦୀୟ ପରିସ୍ଥିତି ସୃଷ୍ଟି କଲେ । ଏହାର ଉତର ଖୋଜୁ ଖୋଜୁ ଗୋଟିଏ କଥା ମନକୁ ଆସୁଛି, ଯେଉଁ ବିଶ୍ୱବିଦ୍ୟାଳୟରେ ପାଖାପାଖି ୪୦ ପ୍ରତିଶତ ଗରିବ ଘରର ପିଲା ପାଠ ପଢୁଛନ୍ତି, ଯେଉଁ ବିଶ୍ୱବିଦ୍ୟାଳୟରୁ ବଡ ବଡ ଆଇଏଏସ ମାନେ ବାହାରୁଛନ୍ତି, ସେହି ବିଶ୍ୱବିଦ୍ୟାଳୟର ଆତ୍ମଗରିମାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଫି ବୃଦ୍ଧି ଘଟଣାକୁ ଅଧିକ ଗୁରୁତ୍ୱ ଦିଆଗଲା ନାହିଁ କାହିଁକି । ୧୦ ଟଙ୍କା ହେଉ କିମ୍ବା ୩୦୦ ଟଙ୍କା, ଫି ଦେବାକୁ ଛାତ୍ରଛାତ୍ରୀମାନଙ୍କୁ କାହିଁକି ବୁଝାଇ ପାରିଲେନି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଆମେ ଏଠି କହିରଖୁଛୁ, ସାମ୍ପ୍ରତିକ ବିଶ୍ୱର ପରିସ୍ଥିତି ଯାହା ରହିଛି, ଦେଶର ପରିସ୍ଥିତି ଯାହା ରହିଛି, ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଆମେ କଣ ଆଶା କରିବା । ଦେଶର ଆର୍ଥିକ ସ୍ଥିତିରେ କେମିତି ସୁଧାର ଆସିବ, ପାକିସ୍ତାନ ସହିତ ଚାଲିଥିବା ତିକ୍ତତାରେ କେମିତି ପଡିବ ପୂର୍ଣ୍ଣଚ୍ଛେଦ, ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଶାନ୍ତି କେମିତି ଫେରିବ ଇତ୍ୟାଦି ଇତ୍ୟାଦି । କିଛି ଏପରି ଜାତୀୟ ପ୍ରସଙ୍ଗକୁ ଯଦି ମୁଦ୍ଦା କରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବାହାରିଥାନ୍ତେ , ଏ ଦେଶ ସେମାନଙ୍କୁ ସଲାମ କରିଥାନ୍ତା । କିନ୍ତୁ ଏଠି ରକ୍ତପାତ ହେଉଛି ସାମାନ୍ୟ କିଛି ଫି ବୃଦ୍ଧିକୁ ନେଇ । ଯେଉଁ ପିଲାମାନେ ଆନ୍ଦୋଳନକୁ ଓହ୍ଲାଇ ସେମାନେ କିପରି ଲାଇଫ ଷ୍ଟାଇଲରେ ଚଳୁଛନ୍ତି ତା ହୁଏତ ଆପଣଙ୍କୁ ଅଛପା ନଥିବ । ଥରେ ସେମାନଙ୍କୁ ଦେଖନ୍ତୁ, ତାଙ୍କ ପୋଷାକ ପରିଧାନର ଦାମ ପଚାରନ୍ତୁ । ତାପରେ ସହଜରେ ବୁଝିହେବ, ଟଙ୍କା ପାଇଁ ନୁହେଁ ବରଂ ଗୋଟିଏ ପ୍ରସଙ୍ଗ ପାଇଁ ଚାଲିଛି ଏ ଆନ୍ଦୋଳନ । ନେତାଗିରି କରିବାର ମାନେ ନୁହେଁ, ଲୋକଙ୍କ ପଇସାରେ ତିଆରି ହୋଇଥିବା ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିବା । ଗୋଟିଏ ଶିକ୍ଷାନୁଷ୍ଟାନର ମାନ ମର୍ଯ୍ୟାଦା ସେତେବେଳେ ବଢେ ଯେତେବେଳେ ଜାତୀୟ ପ୍ରସଙ୍ଗକୁ ଆପଣେଇ ନିଅନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । କିନ୍ତୁ କିଛି ଟଙ୍କାର ବୃଦ୍ଧିକୁ ନେଇ ଏପରି ଆକ୍ରମଣ, ମାରପିଟ, ରାଜନୀତି ଆଉ ଭାଷଣ ବାଜି ଦେଶର ରାଜନୈତିକ ବାତାବରଣକୁ ଅଯଥାରେ ସରଗରମ କରିଛି । ଯାହାର କିଛି ମାନେ ନାହିଁ କିଛି ମୁଲ୍ୟ ନାହିଁ । କେବଳ ଏତିକି କୁହାଯାଇପାରିବ ଏହି ଛାତ୍ରନେତା ମାନେ ଦେଶର ହିତରେ ଚିନ୍ତା କରନ୍ତୁ, ମୁଲ୍ୟବୋଧକୁ ବଢାନ୍ତୁ, ମୁଲ୍ୟବୃଦ୍ଧିକୁ ହେୟଜ୍ଞାନ କରନ୍ତୁ ।