ସୁରଜଙ୍କୁ ନେଇ ଜଟଣୀ ରାଜନୀତି ସରଗରମ
ଜଟଣୀ ନିର୍ବାଚନରେ ମଣ୍ଡଳୀରେ ଇଞ୍ଜିନିୟର ସୁରଜ ପାଇକରାୟ ବିଜେଡି ବ୍ୟାନରରେ ପ୍ରଚାର ଚଳାଇଥିବାରୁ ଏହା ଏବେ ଅନ୍ୟମାନଙ୍କ ବିଶେଷକରି ବିଜେଡି ଟିକଟ ପାଇଁ ଆଶାୟୀ ଥିବା ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସୁରଜ ଏବେ ନବୀନ ଓ ବିଜୁ ପଟ୍ଟନାୟକ ଫଟୋଥିବା ବ୍ୟାନର ଲଗାଇ ଗାଁକୁ ଗାଁ ବୁଲି ପ୍ରଚାରରେ ମାତିଛନ୍ତି।
ସୁରଜ ହେଉଛନ୍ତି ଜଟଣୀର ପୂର୍ବତନ ବିଧାୟକ ସ୍ୱର୍ଗତ ଶରତ ପାଇକରାୟଙ୍କ ପୁଅ। ଶରତ ଉଭୟ ଜନତାଦଳ ଓ ବିଜେଡିର ବିଧାୟକ ଥିଲେ। ତାଙ୍କ ମୃତ୍ୟୁପରେ ଦୀର୍ଘଦିନ ଧରି ତାଙ୍କ ପରିବାର ରାଜନୀତି ଠାରୁ ଦୂରେଇ ଥିବାବେଳେ ଏବେ ବିଟେକ୍ ଡିଗ୍ରୀ ହାସଲ କରିଥିବା ୨୫ ବର୍ଷିୟ ସୁରଜ ବିଜେଡି ବ୍ୟାନରରେ ନିଜ ରାଜନୈତିକ କ୍ୟାରିଅରକୁ ଆଗକୁ ବଢାଉଛନ୍ତି। ସୁରଜ ଏବେ ଜଟଣୀର ଗାଁକୁ ଗାଁ ବୁଲିବା ସହିତ ଯୁବକ ଓ ମହିଳାମାନଙ୍କୁ ନିୟମିତ ଭାବେ ଭେଟୁଛନ୍ତି। ବିଭିନ୍ନ କ୍ଲବ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସୁରଜଙ୍କୁ ଏବେ ଦେଖିବାକୁ ମିଳୁଛି।
ବର୍ତ୍ତମାନ ମିଟୁ ବଡଜେନା ଜଟଣୀର ବିଜେଡି ବିଧାୟକ ଥିବାବେଳେ ପୂର୍ବତନ ବିଜେଡି ବିଧାୟକ ବିଭୂତି ବଳବନ୍ତରାୟ ମଧ୍ୟ ଆଶାୟୀ ଅଛନ୍ତି। ହେଲେ ସୁରଜ ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କୁ ଭେଟିବାପରେ ଏବେ ଜଟଣୀରେ ବିଜେଡିର ମଙ୍ଗ ଧରିଛନ୍ତି। ଆସନ୍ତା ର୍ନିବାଚନରେ ସୁରଜ ଜଟଣୀରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ବିଶେଷକରି ମହିଳା, ଯୁବକମାନଙ୍କ ସମର୍ଥନ ଏବେ ସୁରଜଙ୍କୁ ଅଧିକ ସକ୍ରିୟ କରିଛି।