ସୂଚନା ଓ ସଚେତନତା କେତେ ସାର୍ବଜନୀନ

ଚିତ୍ତ ମହାପାତ୍ର

ସର୍ବଜନଙ୍କ ମଙ୍ଗଳ ବା ସର୍ବାଧିକ ଲୋକେ ପଢିବେ, ଶୁଣିବେ ବା ସଚେତନ ହେବେ – ତାହା ହିଁ ଗଣମାଧ୍ୟମର ଲକ୍ଷ୍ୟ । ସମାଜକୁ ସଚେତନ କରି ସୁନ୍ଦରଭାବେ ଗଢ଼ିତୋଳିବା ପାଇଁ ଯେଉଁ ଉଦ୍ଦେଶ୍ୟ ରହିଛି ତାହାକୁ କେନ୍ଦ୍ର କରି ଅନେକ ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥସ୍ତମ୍ବ ଭାବେ ବି ଗଣନ୍ତି । ହେଲେ ଗଣମାଧ୍ୟମ ସେସବୁ ସୁଚାରୁ ରୂପେ ତୁଲାଉଛନ୍ତି କି ? ସୂୂଚନା ଓ ସଚେତନତା କେତେ ସାର୍ବଜନୀନ ହେଉଛି ? ଏ ପ୍ରଶ୍ନ ଏବେ ସାଧାରଣରେ ଆନ୍ଦୋଳିତ ବା ବହୁ ଚର୍ଚ୍ଚିତ ।

ବିଶେଷକରି ଇଲୋକ୍ଟ୍ରେନୀକ୍‍ ଏବଂ ପରେ ଡିଜିଟାଲ ମିଡିଆ ର ପ୍ରବେଶ ପରବର୍ତ୍ତୀ ସମ୍ପୃକ୍ତ ଉଦ୍ଦେଶ୍ୟରେ ଅନେକ ଅସଙ୍ଗତି ପରିଲକ୍ଷିତ ହୁଏ । ପୂର୍ବରୁ ଛାପା ଗଣମାଧ୍ୟମରେ ଯେ ସେ ବ୍ୟତିକ୍ରମ ନଥିଲା ସେକଥା ଆମେ କହୁ ନାହୁଁ କିନ୍ତୁ ସେତେବେଳର ବ୍ୟତିକ୍ରମ ଏବେ ସୀମାହୀନ ତଥା ଅନିୟନ୍ତ୍ରିତ ହୋଇପଡ଼ୁଥିବା ବିଷୟ ଆମେ ଲକ୍ଷ୍ୟ କରୁଛୁ । ସଂସ୍କୃତରେ ଗୋଟିଏ କଥା ଥିଲା, ଅତି ସର୍ବତ୍ର ଗହିର୍ତଂ- ଅର୍ଥାତ୍ କୌଣସି ଜିନିଷର ମାତ୍ରାଧିକ ବ୍ୟବହାର ବା ଅଣ ବ୍ୟବହାର ସବୁବେଳେ ଗର୍ହିତକର ହୋଇଥାଏ । ପୁଣି ସାମ୍ପ୍ରତିକ ସମୟରେ ଯାହା ଅନୁଭବ ହେଉଛି ତାହା ହେଲା- ସୂଚନା ଓ ସଚେତନତା ଆଳରେ କେତେକ ଡିଜିଟାଲ୍ ମିଡ଼ିଆ, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମର ପାଠକ ସମାଜକୁ ଭଣ୍ଡେଇ ଚାଲିଛନ୍ତି । ଏସବୁରେ ଏକ ପ୍ରକାର ଅତି ଚାଲାକି ପ୍ରୟୋଗ କରାଯାଉଛି, ଯାହା ‘ବାଟରେ ମଳ ତ୍ୟାଗ ପରି’ ସଦୃଶ । ଏବେ ସୂଚନା ବା ଖବର ଭିତରକୁ ପଶିବା ପାଇଁ ଯେଉଁ ଶିରୋନାମା ବା ହେଡ଼ିଂ କରାଯାଏ ସେଥିରେ ଅତିଚଲାକିଆ ଗୁଣ ହିଁ ପ୍ରୟୋଗ କରାଯାଉଛି । ଉଦାହରଣ ସ୍ୱରପ ଯେପରି ‘କେଉଁ ତିନୋଟି ରାଶିର ମଣିଷ ଏହି ମାସରେ ହେବେ କୋଟିପତି’, “କ’ଣ ନକହିଲେ ପ୍ରଧାନମନ୍ତ୍ରୀ”, “ଗର୍ଜିଲେ ମୁଖ୍ୟମନ୍ତ୍ରୀ”, “କହୁ କହୁ କହିଦେଲେ କଙ୍ଗନା”, “ଯଦି ଶୋଇ ନଥାନ୍ତେ ଶିକ୍ଷାମନ୍ତ୍ରୀ…”, “ପ୍ରେମ ସମ୍ପର୍କରେ ବଚ୍ଚନ ଏମିତି ଶୁଣାଇଲେ ନବ ବଧୂଙ୍କୁ”… ଏପରି ଅନେକ ପ୍ରକାରର ଶିରୋନାମା ମଣ୍ଡନ କରିଚାଲିଛି । ଖାଲି ସେତିକି ନୁହେଁ ଅନେକ ଦ୍ୱିଅର୍ଥ ବୋଧକ ଶବ୍ଦ ବି ଶିରୋନାମାରେ ଯୋଡ଼ା ଯାଉଛି । ଏହା କେତେ ଦୂର ପାଠକଙ୍କୁ ଆକୃଷ୍ଟ କରୁଛି ତାହା ଦୂରକଥା କିନ୍ତୁ ସମ୍ପୃକ୍ତ ଲେଖକ ଓ ସମ୍ପାଦକଙ୍କୁ ଏକ କ୍ଷଣିକ ଆନନ୍ଦ ନିଶ୍ଚିତ ଦେଉଛି । ଖବରର ଏପରି ଶିରୋନାମାଗୁଡ଼ିକୁ ଆମେ ଆପେକ୍ଷିକ ଶିରୋନାମା ବୋଲି ଜାଣିଛନ୍ତି । ପ୍ରଶ୍ନ ଉଠୁଛି ଏପରି ଶିରୋନାମା କଣ ସାର୍ବଜନୀନ କିମ୍ବା ଏହା ସମସ୍ତ ଶ୍ରେଣୀର ପାଠକ ପଢିବା ଆବଶ୍ୟକ କି ? ଯଦି ଆବଶ୍ୟକ ପଡ଼ୁଥାନ୍ତା ତାହେଲେ ଏପରି ଖବରକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି କାହିଁକି? ଶିକ୍ଷାମନ୍ତ୍ରୀ ନଶୋଇଲେ ଜଣେ ଚାଷୀର କ’ଣ ବା ଅସୁବିଧା ହେବ! ପରେ ପରେ ପାଠକଟିଏ ସୂଚନାଦାତାର ଏପରି ଚାଲାକିକୁ ନବୁଝିପାରି ବା ମନକୁ ସମ୍ଭାଳି ନପାରି ଖବର ଭିତରକୁ ପଶେ ତ ଦେଖେ ଯେ, ହେଡିଂ ସହ ଖବର ବିଶ୍ଳେଷଣର କୈାଣସି ସମ୍ପର୍କ ବା ସାମଞ୍ଜସ୍ୟ ହିଁ ନାହିଁ । ଯେଉଁଥିରେ ଶିରୋନାମା ଅପେକ୍ଷା ନିରୁତା କାଳ୍ପନିକ କାହାଣୀ ଯୋଡ଼ି ଦିଆଯାଉଛି । ସେହି ଖବରଟି ପଢ଼ି ସାରିବା ପରେ ପାଠକ ପାଟିରୁ ବାହାରି ଆସେ, ସେବେକାର କଥା!

ସେପରି ଖବର, ସାମାଜିକ ହିତସାଧନରେ ଏକ ନେତୃତ୍ୱ ଆଣିପାରିବ କି? ମତାମତ ବା ଖବରଟି ସାର୍ବଜନୀନ କରିବା ପୂର୍ବରୁ ତାହା ତାହା ଅଧିକାଂଶ ପାଠକଙ୍କ ପାଇଁ ଯୋଗ୍ୟ କି ନାହିଁ ତା’ର ବିଚାର କରା ନଯିବା ବିଷୟ ମାନବ ସମାଜ ପାଇଁ ଗଭୀର ଚିନ୍ତାଜନକ ହେଇଉଠିଛି । ଏହା କଠୋର ହେଲେ ବି ସତ ଯେ, ବ୍ୟବସାୟିକ ଫାଇଦା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି, କିଏ କେତେ ଭେଳିକି ଦେଖାଇ ନିଜ ଦେହ ଦେଖାଇ ପାରିବ ଓ ସେଥିରୁ ଆର୍ଥିକ ଲାଭ ଉଠାଇବ! ଏପରି ଧାରା ଯଦି ଜାଣିବା ଶୁଣିବା ଲୋକଙ୍କ ଦ୍ୱାରା ଜାରି ରହିବ କୁହନ୍ତୁ ତ ସମାଜ ସୁଧୁିରିବ କିପରି?

ସେହିପରି ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ଅନେକ ପ୍ରକାର ଅସଙ୍ଗତି ବୃଦ୍ଧି ପାଇବାରେ ଲାଗିଛି । ବାଇଟ୍ ବା ସଂକ୍ଷିପ୍ତ ମତାମତ ସମ୍ପନ୍ନ ସାକ୍ଷାତକାରଟିଏ ନେବା ପାଇଁ ଯେ କୌଣସି ପରିସ୍ଥିତି ଓ ସ୍ତରରେ ଖବରଦାତା ପହଞ୍ଚିପାରୁଛି । ଶତକଡ଼ା ୧ଭାଗ ଲୋକ ଆକ୍ରାନ୍ତ ହୋଇ ନଥିବା ଆମ ଦେଶ ବା ରାଜ୍ୟରେ କରୋନାର ଖବର ମାସ ମାସ ଧରି ମୁଖ୍ୟାଂଶ ମଣ୍ଡନ କରିବ, ଏପରି କିଛି ଲିଖିତ ନୀତି ରହିଛି କି? ଯଦି କେବଳ କରୋନା ଖବର ଆମର ଶ୍ରେଷ୍ଠରେ ରହିବ ତାହେଲେ ତଦ୍‌ଜନିତ ଯେଉଁ ସାମାଜିକ ବାସନ୍ଦ ଓ ଦୂରତା ପ୍ରକ୍ରିୟା ବୃଦ୍ଧି ପାଇ ଜୀବନ ଜୀବିକା ଦୁର୍ବିସହ ହେଲାଣି ତାକୁ ପୁଣି ରୋକାଯିବ କିପରି! ଜଣେ ଡ଼୍ରାମାବାଜି କରି ଲୋକଙ୍କୁ ଭଣ୍ଡାଇ ଚାଲିଥିବ ବା ନିଜ ଅର୍ଜିତ କୁଗଣ କାରଣରୁ ସାଧାରଣରେ ମାଡ଼ ଖାଇ ମୃତ୍ୟୁ ମୁଖରେ ପଡ଼ିଥିବେ କିମ୍ବା ଆତ୍ମହତ୍ୟା କରିଥିବେ, ଅଥଚ ସେ ବ୍ୟକ୍ତିଙ୍କର ମୃତ୍ୟୁକୁ ଅସାଧାରଣ ଭାବେ ବର୍ଣ୍ଣନା କରି ଦିନ ଦିନ ଧରି ଖବର ପ୍ରସାରଣ କରାଯାଉଛି । ଖବରଦାତା ନିଜ ହୀନ ସ୍ୱାର୍ଥ ସାଧନ ପାଇଁ ବା ଖବରକୁ ଲୋକପ୍ର୍ରିୟ କରିବା ପାଇଁ, କିଛି ନିରିହ ମଣିଷଙ୍କୁ ବା କୋମଳମତି ବାଳକଙ୍କୁ ନିଜ ନିଜ ଚ୍ୟାନେଲରେ ମୁହଁ ଦେଖା ଲୋଭର ବିଷ ବୋଳି ଚାଲିଥିବା ବିଷୟ ଏବେ ଘଟି ଚାଲିଛି । କଳେ ବଳେ କୌଶଳେ ବ୍ୟକ୍ତି ଓ ପରିବାରବାଦକୁ ସାର୍ବଜନୀନ ଖବର ଭାବେ ଗଢ଼ିତୋଳିବାର କୁ-ପରମ୍ପରା ଗଣମାଧ୍ୟମର ନିଜତ୍ୱକୁ ନେଇ ରସାତଳକୁ ଗଲାଣି ପଛକେ ଟିଆରପି କିମ୍ବା ଦରମା ପାଇବା ଆଶାରେ କେତେକ ଏପରି ଅସଭ୍ୟତାକୁ ନିଜର ସଭ୍ୟ ଧର୍ମ ଭାବେ ଗ୍ରହଣ କଲେଣି!

କଳିକଜିଆ, ବାକ୍ ବିତଣ୍ଡା, ପ୍ରଶ୍ନ ଅଧିକ ଉତ୍ତର ଆଶା କମ୍‌କୁ ପ୍ରସାରଣ କରାଇବା ଏବେ ଆମ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ପାଇଁ ଏକ ଧାରା ପାଲଟିଯାଇଛି । ମୃତ୍ୟୁ ଶଯ୍ୟା, ଚିକିତ୍ସା ଶଯ୍ୟା, ବାସର ଶଯ୍ୟା ଯେଉଁଠି ଯେଉଁ ପରିସ୍ଥିତିରେ ଥାଉ ନା କାହିଁକି ବାଇଟ୍ ଚକରରେ ଖବରଦା ତାର ମାନବିକତାକୁ ଜଳାଞ୍ଜଳି ଦେବାକୁ ପଛାଉନାହିଁ ! ସାଧାରଣ ଜନତାଙ୍କୁ ପ୍ରାଥମିକ ଶିକ୍ଷକ ତାର ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିବା ପରି ପ୍ରଶ୍ନ ପଚରାଯିବା, ନିମନ୍ତ୍ରିତ ଅତିଥିଙ୍କୁ କମ୍ ସୁଯୋଗ ଦେଇ ସେମାନଙ୍କୁ ନିଜ ମତରେ ସାବ୍ୟସ୍ତ କରାଇନେବା ପରି ଯେପରି ହୀନ ଉଦ୍ୟମ କରାଯାଉଛି ଏହା କଣ ସାର୍ବଜନୀନ କି? ବିଭତ୍ସ ଚିତ୍ର , ରକ୍ତ ବା ମାରଣାସ୍ତ୍ର ଇତ୍ୟାଦିର ଚିତ୍ର ବା କାହାର ଅଜାଣତରେ ତାଙ୍କର ଚିତ୍ର ପ୍ରଦର୍ଶନ କରିବା ଏକ ନୀତି ବିରୋଧି କାର୍ଯ୍ୟ ବୋଲି ଜାଣି ରଖିବାର ଧୈର୍ଯ୍ୟ ସତେ ଯେପରି ହରାଇ ବସିଛନ୍ତି ତଥାକଥିତ କତେକ ଗଣମାଧ୍ୟମ । ଅବଶ୍ୟ ଅଳ୍ପ ଖର୍ଚ୍ଚରେ କିପରି ଅଧିକ ଲାଭ ଆସି ପାରିବ ବା ବିନା ଲାଭ ବିନା କ୍ଷତିରେ ଗଣମାଧ୍ୟମ ସଂସ୍ଥା କରି ଜଣେ କିପରି ରାତାରାତି ରାଜନେତା ବା ସବ୍ ଜାନତା ଭାବେ ସର୍ବଜନ ବିଦିତ ହୋଇପାରିବ,ଏପରି ଏକ ଘୃଣ୍ୟ ମାନସିକତା କେତେକ ବ୍ୟକ୍ତି ବିଶେଷଙ୍କ ଠାରୁ ସଂକ୍ରମିତ ହେଉଥିବା ବିଷୟ ପରିଲକ୍ଷିତ । ସେମାନେ ନିଜର ହୀନ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀଙ୍କୁ ବି ନିଜ ସ୍ୱାର୍ଥ ପାଇଁ ପ୍ରୟୋଗ କରିବା ସହିତ ତାର ସୁଯୋଗ ସୃଷ୍ଟି କରିଚାଲିଛନ୍ତି । କିନ୍ତୁ ପ୍ରସଙ୍ଗ ହେଉଛି ବାଟରେ ମଳତ୍ୟାଗ କରିବା ନା ବାଟିଏ ଚାଷ କରି ନାଁ ରଖିବା ? କେଉଁଟା ସର୍ବଜନୀନ ଗ୍ରହଣୀୟ ତାହା ବିଚାର ଅବଶ୍ୟ ଆଗାମୀ ଦିନରେ ଅତି ଶିକ୍ଷିତ ସମାଜ କରିବ ବୋଲି ବିଶ୍ୱାସ ରଖୁଛି ।

(ଲେଖକ ଚିତ୍ତ ମହାପାତ୍ର ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ। ଏହି ଆଲେଖ୍ୟରେ ପ୍ରତିଫଳିତ ଦୃଷ୍ଟିକୋଣ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଓ ଅନୁଶୀଳନ ଉପରେ ଆଧାରିତ। ତାଙ୍କୁ ସମ୍ପର୍କ କରିବା ପାଇଁ ମୋବାଇଲ୍‌ ନମ୍ବର: ୯୩୩୮୨୩୩୬୩୫)

Leave a Reply