ଫିଲ୍ମ ନିର୍ମାତାଙ୍କୁ ସରକାରୀ ଅନୁକମ୍ପା: ୫୦ ସେକେଣ୍ଡକୁ ସାଢ଼େ ତିନି ଲକ୍ଷ

ଭୁବନେଶ୍ୱର, (ଧୂମକେତୁ): ପୁଣି ଏକ ସରକାରୀ କେଳେଙ୍କାରୀ ସାମ୍ନାକୁ ଆସିଛି। ତାହା ପୁଣି ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆଉ  କୋଭିଡ୍‌ ସଚେତନତାମୂଳକ ଭିଡିଓ ନିର୍ମାଣ ମାମଲାକୁ ଭିତ୍ତିକରି।   ବିଭାଗର ସ୍ଥାୟୀ ଉଚ୍ଚପଦସ୍ଥ ଅଧିକାରୀ ଏବଂ ନିର୍ମାଣ ଟିମ୍‌କୁ ଅଣଦେଖା କରି ଜଣେ ବେସରକାରୀ ପରାମର୍ଶଦାତାଙ୍କ ପରାମର୍ଶରେ ଏପରି କେଳଙ୍କାରୀ ହୋଇଥିବା ନଥିସବୁ ସ୍ପଷ୍ଟ କରୁଛି। ଏହି ନଥିଗୁଡ଼ିକରୁ ସ୍ପଷ୍ଟ ଯେ, ବିଭାଗର ସମସ୍ତ ପୂର୍ବ ଧାର୍ଯ୍ୟ ନିୟମାବଳୀକୁ ଏହି ନିର୍ଦିଷ୍ଟ ପ୍ରଯୋଜକଙ୍କ ପାଇଁ ସାଲିସ କରାଯାଇଛି। ଅବଶ୍ୟ ପୂର୍ବରୁ ଏମିତି ସାଲିସ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁତ୍ତୟନ କିଛି ବରିଷ୍ଠ ଅଧିକାରୀଙ୍କ ନାଁ କହି ସେତେବେଳେ ସମ୍ପୃକ୍ତ ପ୍ରଯୋଜକ କାର୍ଯ୍ୟାଦେଶ ପାଇବା ପୂର୍ବରୁ ବିଭାଗରୁ ପଇସା ଉଠାଇଥିବା ଅଭିଯୋଗ ହୋଇଥିଲା।  ଆସନ୍ତୁ ଏବେ ନଜର ପକାଇବା ଏହି ନୂଆ କାଣ୍ଡ ଉପରେ।

କରୋନା ବିପତ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରବାସୀ ଓଡିଆମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା କରିବା ଲାଗି ଅନୁରୋଧ କରୁଛନ୍ତି। ସରକାରଙ୍କ ପାଖରେ ପର୍ଯ୍ୟପ୍ତ ଅର୍ଥ ନଥିବା କାରଣରୁ ନୂତନ ନିଯୁକ୍ତିରେ ରୋକ୍‌ ଲଗାଯାଇଛି। କୌଣସି ନୂଆ ପ୍ରକଳ୍ପ ହାତକୁ ନିଆଯାଉ ନାହିଁ।  ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଦିଆଯାଉଥିବା ବିଜ୍ଞାପନ ସଙ୍କୁଚିତ କରିଦିଆଯାଇଛି। ଏଭଳି ପରିସ୍ଥିତିରେ ଜନସଚେତନତା ସୃଷ୍ଟି କରିବା ଆଳରେ ବିଜ୍ଞାପନ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବା ପାଇଁ ଦିଲ୍ଲୀରେ ରହୁଥିବା ଜଣେ ପ୍ରବାସୀ ଓଡିଆଙ୍କ ଆକାଉଣ୍ଟକୁ କୋଟିକୋଟି ଟଙ୍କା ଦିଆଯାଉଛି। ୧୮ ମନିଟ୍‌, ୨ ମିନିଟ୍‌ ଓ ଦେଢ ମିନିଟ ବିଶିଷ୍ଟ କିଛି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ ତିଆରି କରି ସମ୍ପୃକ୍ତ ବ୍ୟକ୍ତି କରୋନା କାଳରେ ମାଲାମାଲ ହୋଇଯାଇଛନ୍ତି। ସମ୍ପୃକ୍ତ ଫିଲ୍ମ ନିର୍ମାତାଙ୍କଠାରୁ ଆହୁରି ଅଭିଜ୍ଞ ଓ ଭଲ ମାନର ଫିଲ୍ମ ନିର୍ମାଣ କରୁଥିବା ଲୋକ ଓଡିଶାରେ ଥିଲେ ସୁଦ୍ଧା ସେମାନଙ୍କୁ କିନ୍ତୁ ନଜରଅନ୍ଦାଜ କରାଯାଉଥିବାର ଅଭିଯୋଗ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ ଦିଲ୍ଲୀର ଏକ ଘରୋଇ ପ୍ରଡକ୍ସନ ସଂସ୍ଥା ଏଲିଆନୋରା ଇମେଜେସ୍‌ ପ୍ରାଇଭେଟ୍‌ ଲିମିଟେଡ ଛୋଟଛୋଟ ୯ଟି ଡକ୍ୟୁମେଣ୍ଟାରୀ ଫିଲ୍ମ ତିଆରି କରି ରାଜ୍ୟ ସରକାରଙ୍କ ଠାରୁ ୫୩ ଲକ୍ଷ ୯୫ ହଜାର ୪୨୯ ଟଙ୍କାର ବିଲ୍‌ ଦାବି କରିଛି। ଶୀଘ୍ର କିଭଳି ଭାବରେ ଏହି ଟଙ୍କା ମିଳିବ ସେନେଇ ପାୱାର କରିଡରରେ ଲିବି ମଧ୍ୟ କରାଯାଉଛି। ସମ୍ପୃକ୍ତ ସଂସ୍ଥାର ଭୁବନେଶ୍ୱର ପୋଖରୀପୁଟ ଠାରେ ଏକ ପ୍ରଡକ୍ସନ ଅପିସ ଓ ଷ୍ଟୁଡିଓ ମଧ୍ୟ ରହିଛି। ତେବେ ଏହାର ମାଲିକ ହେଉଛନ୍ତି ପଦ୍ମଶ୍ରୀ ପୁରସ୍କାର ପାଇଥିବା ଫିଲ୍ମ ନିର୍ମାତା ନୀଳମାଧାବ ପଣ୍ଡା।

ସରକାରୀ ସ୍ତରରେ ୫ ଲକ୍ଷରୁ ଅଧିକ ଟଙ୍କାର ଯେକୌଣସି କାର୍ଯ୍ୟ କରାଗଲେ ଖୋଲା ଟେଣ୍ଡର କରାଯିବା ଆବଶ୍ୟକ ବୋଲି ନିୟମ ରହିଛି। ମାତ୍ର ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ନୀଳମାଧବ ପଣ୍ଡାଙ୍କ ଏହି ସଂସ୍ଥା ତଞ୍ଚକତା କରି ଛୋଟଛୋଟ ଫିଲ୍ମ ନାଁରେ ୯ଟି ଅଲଗା ଅଲଗା ବିଲ୍‌ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। ଲୋକେ ଘରେ ରହିବା ପାଇଁ ପୁଲିସ ଠାରୁ ଏକ ବାର୍ତ୍ତା ଦେବା ଲାଗି ୧ ମି. ୪୬ ସେକେଣ୍ଡ ସମୟର ଭିଡିଓ ବିଜ୍ଞାପନ ପାଇଁ ୬ ଲକ୍ଷ ୧୮ ହଜାର ୨୯୮ ଟଙ୍କା, ମାଉସୀର ଲକଡାଉନ ସଚେତନତା ଯେଉଁଥିରେ କି ପୁଲିସ ଓ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦିଆଯାଇଛି, ସେହି ୫୦ ସେକେଣ୍ଡ ସମୟର ଫିଲ୍ମ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଦାବି କରାଯାଇଛି। ୧୬ ମିନିଟ୍‌ ୪୫ ସେକେଣ୍ଡର ବାର୍ତ୍ତାଭୂମି ଯେଉଁଥିରେ କି ରାଜ୍ୟ ସରକାରଙ୍କ ମୁଖ୍ୟ କୋଭିଡ ପ୍ରବକ୍ତା ସୁବ୍ରତ ବାଗଚୀ ପୂର୍ବୋକ୍ତ ମାଉସୀଙ୍କ ସାକ୍ଷାତକାର ନେଉଛନ୍ତି ସେଥିଲାଗି ୫ ଲକ୍ଷ ୫୦ ହଜାର ଟଙ୍କାର ବିଲ୍‌ କରାଯାଇଛି।   କୋଭି ଡ୍‌ରୁ ସୁସ୍ଥ ହେଉଥିବା ଲୋକଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିକିତ୍ସା ଦକ୍ଷତା ପ୍ରଚାର କରିବା ଲାଗି ଯେଉଁ ଫିଲ୍ମ ହୋଇଛି ତାହାର ସମୟ ସମୀ ରହିଛି ୧ ମିନିଟ୍‌ ୪୭ ସେକେଣ୍ଡ। ଏଥିଲାଗି ବିଲ୍‌ ହୋଇଛଇ ୬ ଲକ୍ଷ ୨୪ ହଜାର ଟଙ୍କା  ଭଳି ସର୍ବମୋଟ୍‌ ୯ଟି ବିଜ୍ଞାପନ ତିଆରି କରାଯାଇ ଅଧକୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି। ଇତିମଧ୍ୟରେ ସମ୍ପୃକ୍ତ କମ୍ପାନୀକୁ ୪୦ ପ୍ରତିଶତ ଅର୍ଥ ଦିଆଯାଇ ସାରିଲାଣି ଜଣା ପଡିଛି।

ରାଜ୍ୟ ସରକାର ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ନିଜର ଭିଡିଓ ଫିଲ୍ମ ତିଆରି କରିବା ଲାଗି  ନିୟମକୁ ବଦଳାଇ ଏକ ମିନିଟ୍‌କୁ ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ। ଏଥିରେ ବିଜ୍ଞାପନ, ଡକ୍ୟୁମେଣ୍ଟାରୀ ସବୁ ବର୍ଗର ଫିଲ୍ମ ଅନ୍ତର୍ଭୁକ୍ତ। ହେଲେ ଏବେ ଯେଉଁ ବିଲ୍‌ ସମ୍ପୃକ୍ତ ସଂସ୍ଥା ପ୍ରଦାନ କରୁଛି ସେହି ନିୟମକୁ ଆଧାର କରି ହୋଇ ନାହିଁ। ତଥାପି ତାହାକୁ ପାରିତ କରାଯାଉଛି। ଏହା କିଛି ସରକାରୀ ବାବୁଙ୍କ ଦ୍ଵାରା ନିୟମର ଖୋଲା ଉଲ୍ଲଙ୍ଘନ ବୋଲି ସ୍ପଷ୍ଟ ହୋଇଛି।

ରାଜ୍ୟରେ ବହୁ ଖ୍ୟାତିସମ୍ପନ୍ନ ଫିଲ୍ମ୍‌ ନିର୍ମାତା ଓ ନିର୍ଦ୍ଦେଶକ ରହିଥିଲେ ସୁଦ୍ଧା ସରକାରୀ ଭାବରେ ଡକାଯାଉଥିବା ଅଧିକାଂଶ ଟେଣ୍ଡରକୁ ଏହି ବାବୁ ହାତାଉଥିବାର ଅଭିଯୋଗ ହୋଇଛି। ୨୦୧୪ ମସିହାରେ ନିର୍ମିତ ନବକଳେବର ଫିଲ୍ମ ମଧ୍ୟ ତାଙ୍କଦ୍ୱାରା କରାଯାଇଥିଲା। ୧ ଘଣ୍ଟା ୨୫ ମିନିଟ ଅବଧିର ଗଡସ୍‌ ଓନ ପିପୁଲ ନାମରେ କରାଯାଇଥିବା ଏହି ଫିଲ୍ମଟିରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ଗାଇଡଲାଇନ୍‌ ଅନୁସାରେ ଏହି ଫିଲ୍ମଟିକୁ ୫-k ରେଜୁଲେସନରେ ସୁଟ୍‌ କରାଯିବା କଥା। ଏହାଛଡ଼ା ଫିଲ୍ମଟି ଆନ୍ତର୍ଜାତିକ ମାନର କରିବା ପାଇଁ ଟେଣ୍ଡରେ ସିଧାସଳଖ ଉଲ୍ଲେଖ କରାଯାଇଥିଲା। ଏହାକୁ ହିନ୍ଦି, ଇଂରାଜୀ ଓ ଓଡିଆ ଭାଷାରେ ତିଆରି କରାଯିବା କଥା। ମାତ୍ର ତାହା କରାନଯାଇ ବହୁ ବିଳମ୍ବରେ କେବଳ ଫିଲ୍ମଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱରରେ ଇଂରାଜୀ ଭାଷାରେ ଏହାର ଡବିଂ କରାଯାଇଥିଲା। ପ୍ରାରମ୍ଭିକ ଭାବରେ ଏଥିପାଇଁ ୭୫ ଲକ୍ଷ ଆକଳନ କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ଫିଲ୍ମଟିର ନିର୍ମାତା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ପୈଠ କରାଯାଇଥିବାର ଜଣାପଡିଛି। ଯଦିଓ ଫିଲ୍ମଟି ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇନଥିଲା, ଏହାକୁ ଦେଖିବା ପରେ କିନ୍ତୁ ଅନେକ ସିନେ ତଥା ଜଗନ୍ନାଥ ପ୍ରେମୀ ନିରାଶ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା କାଳରେ ସରକାରୀ ସ୍ତରରେ ଖର୍ଚ୍ଚକାଟ କରାଯାଉଛି। ଏପରିକି ବରିଷ୍ଠ ମନ୍ତ୍ରୀ ଓ ସଚିବ ମାନେ ଅର୍ଥ ବିଭାଗର ବିନା ଅନୁମତିରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ବୋଲି କୁହାଯାଇଛି। ଏପରି ସ୍ଥଳେ ସାମାନ୍ୟ ବିଜ୍ଞାପନ ନିର୍ମାଣ ପାଇଁ ଗୋଟିଏ ସଂସ୍ଥାକୁ ଅଧକୋଟିରୁ ଅଧିକ ଟଙ୍କା ଅଜାଡି ଦେବା କେତେଦୂର ସମୀଚିନ ହୋଲି ଆଲୋଚନା ହେଉଛି।

Leave a Reply

Your email address will not be published.