ଚେନ୍ନାଇ ସୁପର କିଙ୍ଗସର ୧୨ ସଦସ୍ୟ କରୋନା ସଂକ୍ରମିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଆଉ କିଛି ଦିନ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (ସିଏସକେ)ର ୧୨ ସଦସ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ଯେଉଁମାନଙ୍କ ମଧ୍ୟରେ ଖେଳାଳି ଓ ସ୍ପୋର୍ଟ୍ସ ଷ୍ଟାଫ୍ ସାମିଲ ରହିଛନ୍ତି ।

ସୂଚନାନୁଯାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ସୁପର କିଙ୍ଗସର ଟିମକୁ ପୁଣି ଥରେ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।

ଚେନ୍ନାଇ ସୁପର କିଙ୍ଗସ ଟିମ୍ ଅଗଷ୍ଟ ୨୧ ତାରିଖରେ ଦୁବାଇରେ ପହଞ୍ଚିଥିଲା । ସେଠାରେ ୬ ଦିନର କ୍ୱାରେଣ୍ଟାଇନ୍ ପିରିୟଡ ପୂରା କରିବା ପରେ ଟିମ୍ ପକ୍ଷରୁ ଟ୍ରେନିଂ ଆରମ୍ଭ କରାଯାଇଥାନ୍ତା।

ଚେନ୍ନାଇ ସୁପର କିଙ୍ଗସ ପୁଣି କ୍ୱାରେଣ୍ଟାଇନରେ ରହିବାକୁ ଥିବା ବେଳେ ଅନ୍ୟ ଟିମ୍ ମାନେ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି- ରୟାଲ୍ ଚେଲେଞ୍ଜର ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ ଇଲେଭେନ୍ ପଞ୍ଜାବ ।

ତେବେ ବିସିସିଆଇ ପକ୍ଷରୁ ଜାରି ଏସଓପି ଅନୁସାରେ କୋଭିଡ-୧୯ ଟେଷ୍ଟ ବେଳେ ଯିଏବି କରୋନା ଆକ୍ରାନ୍ତ ଚିହ୍ନଟ ହେବେ ତାଙ୍କୁ ଅତିରିକ୍ତ ୭ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ପରବର୍ତ୍ତୀ ସମୟରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲା ପରେ ଯାଇ ତାଙ୍କୁ ବାହାରକୁ ଆସିବାକୁ ଅନୁମତି ଦିଆଯିବ ।

ଆଇପିଏଲର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ନିକଟରେ ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପରୁ ହଟିବା ପରେ ଏହି ସ୍ଥାନ ହାତେଇଛି ଡ୍ରିମ୍‌-୧୧ ।

ଡ୍ରିମ୍‌-୧୧ ଫାଣ୍ଟେସି ଲିଗ୍ କ୍ରିକେଟ୍ ବ୍ୟତିତ ହକି, ଫୁଟବଲ୍‌, କବାଡି ଓ ବାସ୍କେଟବଲ୍‌ରେ ମଧ୍ୟ ସାମିଲ ରହିଛି ।

 

Leave a Reply

Your email address will not be published.