ଡାକ୍ତର ସୌରଭ କୁମାର ମିଶ୍ରଙ୍କ ସହ ସକ୍ଷାତକାର: କେମୋଥେରାପି କ୍ୟାନ୍ସର ରୋଗୀଙ୍କ ରକ୍ଷା କବଚ

0
409
advertisement

ଆଇଏମଏମ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ଅଙ୍କଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର୍ ଭାବେ  ଅଧିଷ୍ଠିତ ଡାକ୍ତର ସୌରଭ କୁମାର ମିଶ୍ରଙ୍କ ମତରେ କ୍ୟାନ୍ସର ଚିକିତ୍ସା ପାଇଁ କେମୋଥେରାପି ଏକ ବହୁଳ ପ୍ରସାରୀ ଚିକିତ୍ସା ବ୍ୟବସ୍ଥା। ଏହାକୁ ନେଇ ଅନେକ ଦରନ୍ତି କିନ୍ତୁ ଏହାର ବିକଳ୍ପ ଆମ ପାଖରେ ଉପଲବ୍ଧ ହୋଇନି।ଏଣୁ କ୍ୟାନ୍ସର ରୋଗୀଙ୍କ ପାଇଁ କେମୋଥେରାପି ଚିକିତ୍ସାର ଆବଶ୍ୟକତା ରହିଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କେମୋଥେରାପି ଚିକିତ୍ସା ସଫଳ ହୋଇଛି ବୋଲି ସେ କହିଛନ୍ତି।

 

କେମୋଥେରାପି କ?

କ୍ୟାନ୍‌ସର (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିକାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ’କେମୋଥେରାପି’ କୁହାଯାଏ। ଏଗୁଡ଼ିକ ଇଞ୍ଜେକ୍ସନ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ।

ସମସ୍ତ ପ୍ରକାର କ୍ୟାନସର୍‌ରେ କେମୋଥେରାପିର ପ୍ରୟୋଗ ବାଧ୍ୟତାମୂଳକ ଅଟେ କି?

ପ୍ରାୟ ଅଧିକାଂଶ କ୍ୟାନସର ରୋଗୀଙ୍କ ପାଇଁ ସେମାନଙ୍କ କ୍ୟାନସର ଚିକିତ୍ସାର ଅଂଶବିଶେଷ ଭାବେ କେମୋଥେରାପିର ଆବଶ୍ୟକତା ରହିଥାଏ। କିନ୍ତୁ ଯେଉଁ କ୍ଷେତ୍ରରେ କ୍ୟାନସର ଆଡଭାନ୍ସଡ ଷ୍ଟେଜ୍ (ବହୁତ ଆଡ଼େ ମାଡ଼ିଯାଇଥିବ)ରେ ଥିବ, ସେ କ୍ଷେତ୍ରରେ ତ ନିଶ୍ଚିତ ଭାବେ କେମୋଥେରାପିର ପ୍ରୟୋଗ କରାଯାଇଥାଏ। ପ୍ରକୃତରେ ଚତୁର୍ଥ ପର୍ଯ୍ୟାୟ (ଷ୍ଟେଜ୍ ୪)ର କ୍ୟାନ୍‌ସରରେ କେମୋଥେରାପି ହିଁ ଚିକିତ୍ସାର ପ୍ରାଥମିକ ସାଧନ। କିଛି କ୍ୟାନସର୍‌ର ପ୍ରାରମ୍ଭିକ ଅବସ୍ଥା (ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ)ରେ କେମୋଥେରାପି ଆବଶ୍ୟକ ହୁଏ ନାହିଁ।

କେମୋଥେରାପିର ଇତିହାସ

୧୯୪୦ ମସିହା ପର୍ଯ୍ୟନ୍ତ କ୍ୟାନସର ଚିକିତ୍ସାର ମୂଳ ସାଧନ ଥିଲା ଶଲ୍ୟ ଚିକିତ୍ସା ଏବଂ ରେଡିଓ ଥେରାପି। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖାଯାଇଥିଲା ଯେ ମଷ୍ଟାର୍ଡ ଗ୍ୟାସ୍ ଦ୍ୱାରା ଅସ୍ଥିମଜ୍ଜା ଅବରୋଧ ହୋଇ ରକ୍ତକଣିକା କମିଯାଏ ଏବଂ ଏହା ଘାତକ ହୋଇଥାଏ। ପରବର୍ତ୍ତୀ ଅବସ୍ଥାରେ ଏହି ନିୟମ ରକ୍ତ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଲା। କିନ୍ତୁ ଯେତେବେଳେ ବୋଷ୍ଟନ୍‌ରେ କାର୍ଯ୍ୟରତ ଥିବା ଭାରତୀୟ ବୈଜ୍ଞାନିକ ଡକ୍ଟର ୟେଲ୍ଲାପ୍ରଗଦା ସୁବାରାଓ ‘ଆମିନୋ ପ୍ରୋଟିନ୍‌’ ଆବିଷ୍କାର କରିଥିଲେ, ସେତେବେଳେ ହିଁ କେମୋଥେରାପିର ପ୍ରକୃତ ପ୍ରଗତି ଆରମ୍ଭ ହୋଇଥିଲା। କ୍ୟାନ୍ସର ଆକ୍ରାନ୍ତ କୋଷର ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପୋଷକତତ୍ତ୍ୱ ଯଥା ଫଲିକ୍ ଏସିଡ୍ ଆଦିରୁ ବଞ୍ଚିତ କରି କ୍ୟାନସର୍ କୋଷକୁ ଏହି ଉପାଦାନ ମୂଳୋତ୍ପାଟନ କରିଦେଇଥାଏ। ଆଧୁନିକ କେମୋଥେରାପିର ଜନକ କୁହାଯାଉଥିବା ଡାକ୍ତର ସିଡ୍‌ନି ଫାର୍ବର ଏହି ଉପାଦାନକୁ ଶିଶୁମାନଙ୍କ ରକ୍ତକର୍କଟରେ ଉପଯୋଗ କରି ସଫଳତା ପାଇଥିଲେ।

ପରବର୍ତ୍ତୀ ସମୟରେ କେମୋଥେରାପିର ଉଚ୍ଚତ୍ତର ଗବେଷଣା ପାଇଁ ବହୁଳ ଅର୍ଥ ବିନିଯୋଗ କରାଯାଇଥିଲା। ୧୯୭୦ ମସିହାରେ ବ୍ରେଷ୍ଟ କ୍ୟାନସରର ଚିକିତ୍ସା ପାଇଁ ବୋନୋଡୋନ୍ନା କେମୋଥେରାପି ମିଶ୍ରଣ ବ୍ୟବହାର କରିଥିଲେ। ଡେଲିଟା ଲିମ୍ପୋମା ରୋଗରେ ଏମଓପିପି ରେଜିମେନ୍ ଭାବେ ବ୍ୟବହୃତ କରିଥିଲେ।

କେମୋଥେରାପି ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ଥାଆନ୍ତି କି?

ମେଡିସିନ୍‌ର ଏହି ବିଭାଗକୁ ‘ମେଡ଼ିକାଲ୍ ଅଙ୍କଲୋଜି’ କୁହାଯାଏ। ମେଡିସିନ୍ କିମ୍ବା ରେଡିଓଥେରାପିରେ ପୋଷ୍ଟ୍ ଗ୍ରାଜୁଏସନ ସରିବା ପରେ ଏହି ସୁପରସ୍ପେସାଲିଷ୍ଟ କୋର୍ସ କରିବାକୁ ପଡ଼ିଥାଏ। ଏହି କୋର୍ସର ଅବଧି ତିନି ବର୍ଷ।

ଏଥିରେ ସଲିଡ୍ କ୍ୟାନସର (ଯଥା- ପାକସ୍ଥଳୀ, ଫୁସ୍‌ଫୁସ ଓ ସ୍ତନରେ ହେଉଥିବା କ୍ୟାନ୍‌ସର) ଏବଂ ବ୍ଲଡ୍ କ୍ୟାନ୍‌ସରରେ ଉପଯୋଗ ହେଉଥିବା କେମୋଥେରାପି ତଥା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ୍ (ଅସ୍ଥିମଜ୍ଜା ପ୍ରତିରୋପଣ) ବିଷୟରେ ଶିକ୍ଷା ଦିଆଯାଇଥାଏ

 କେମୋଥେରାପି ରୋଗୀକୁ ସୁଫଳ ଅପେକ୍ଷା କ୍ଷତି ପହଞ୍ଚିଥାଏ, ଏହା ସତ୍ୟ କି?

ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ଉଭୟ ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ। କେମୋଥେରାପି ପଦ୍ଧତି ପାଇଁ ମଧ୍ୟ ଏହା ସତ୍ୟ।ଅନେକ କ୍ୟାନ୍ସର ଯଥା – ଲିମ୍ଫୋମା/ରକ୍ତ କର୍କଟ/ଜର୍ମ ସେଲ୍ ଟ୍ୟୁମର ଆଦିରୁ କେମୋଥେରାପି ଦ୍ୱାରା ଆରୋଗ୍ୟ ମିଳିଥାଏ। ଅଧିକାଂଶ କ୍ୟାନ୍‌ସରରେ କେମୋଥେରାପି ହିଁ ରୋଗୀଙ୍କ ଜୀବନ ରକ୍ଷା କରିଥାଏ। ତେବେ କେମୋଥେରାପି ଔଷଧର ଉପଯୁକ୍ତ ବ୍ୟବହାର ରୋଗମୁକ୍ତ କରିଥାଏଏବଂ ଏହାର ବିଷାକ୍ତତାକୁ କମ୍ କରିଥାଏ।

କେମୋଥେରାପି କେମିତି ଦିଆଯାଏ?

ବଟିକା ରୂପରେ ପାଟିରେ ଖାଇବାକୁ ଦିଆଯାଏ କିମ୍ବା ସାଲାଇନ୍ ସହ ମିଶାଇ ଇଣ୍ଟ୍ରାଭେନ୍ସ (ଶିରାରେ) ଇଞ୍ଜେକ୍ସନ ରୂପେ କେମୋଥେରାପିକୁ ଦିଆଯାଇଥାଏ। ହାଲୁକା ଜଳଖିଆ (ବ୍ଲାଣ୍ଡ ଫୁଡ୍) ଖାଇକରି ରୋଗୀଙ୍କୁ ଆସିବାକୁ କୁହାଯାଏ। ଇନ୍‌ଫ୍ୟୁଜନ୍‌ର ପ୍ରତିକ୍ରିୟା, ବାନ୍ତି ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦିକୁ ରୋକିବା ପାଇଁ କେମୋଥେରାପି ପ୍ରୟୋଗ ପୂର୍ବରୁ ରୋଗୀଙ୍କୁ ପ୍ରି-ମେଡିକେସନ୍ ଦିଆଯାଇଥାଏ। କେମୋଥେରାପି ଯତ୍ନ ସହକାରେ ଶିରା ମଧ୍ୟରେ ଦିଆଯାଇଥାଏ ଏବଂ ଶିରା ବାହାରକୁ ଯେମିତି ନ ଯିବ, ସେଥିପାଇଁ ବିଶେଷ ଧ୍ୟାନ ରଖାଯାଏ। ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ଷ୍ଟାଫ୍‌ମାନଙ୍କ ଦ୍ୱାରା ହିଁ ଇଣ୍ଟ୍ରାଭେନ୍ସ କେମୋଥେରାପି ଦିଆଯାଇଥାଏ। କେମୋଥେରାପି ଦେବା ଦ୍ୱାରା ୱାର୍ଡରେ ରୋଗୀକୁ ପର୍ଯ୍ୟବେକ୍ଷଣ କରାଯାଏ। ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଏ, ସଙ୍ଗେ ସଙ୍ଗେ ଚିକିତ୍ସା କରାଯାଏ।

କେମୋଥେରାପି ନେଇଥିବା ରୋଗୀ କେଉଁ ପ୍ରକାରର ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ?

କେମୋଥେରାପି ପରେ ବାନ୍ତି ଲାଗିବା ଏବଂ ବାନ୍ତି ହେବା ଆଦି ଲକ୍ଷଣକୁ ପ୍ରତିହତ କରିବା ପାଇଁ ରୋଗୀଙ୍କୁ ଆଣ୍ଟାସିଡ୍ ଏବଂ ଆଣ୍ଟିଏମିଟିକ୍ ଔଷଧ ଦିଆଯାଇଥାଏ।ହାତ ହେଉଛି ସଂକ୍ରମଣର ମୁଖ୍ୟ ଉତ୍ସ। ତେଣୁ ରୋଗୀମାନଙ୍କୁ ସାବୁନରେ ଭଲ ଭାବେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥାଏ। ଦୈନିକ ଦୁଇରୁ ତିନି ଲିଟର ପାଣିରେ ହାତ ଧୋଇବା ଉଚିତ। ଉଷୁମ ପାଣିରେ ପାଟି ଧୋଇବା ଉଚିତ। ଅତି ଅଳ୍ପ ଲୁଣ ଓ ମସଲା ମିଶିଥିବା ବ୍ଲାଣ୍ଡଫୁଡ୍ (କୋମଳ ଖାଦ୍ୟ) ଖାଇବା ଆବଶ୍ୟକ। ରନ୍ଧା ପରିବା ଓ କଅଁଳ ଭାତ ଖାଇବା ଉଚିତ। କଞ୍ଚା ପନିପରିବା ଓ ଫଳରେ ତିଆରି କରାଯାଇଥିବା ସାଲାଡ୍ ସେବନ କରନ୍ତୁ ନାହିଁ। ଯଦି ସାଲାଡ ଖାଇବାକୁ ଇଛା ହେଉଥାଏ, ତେବେ ପନିପରିବାକୁ ଛୋଟ ଛୋଟ କରି କାଟି ଭଲ ଭାବେ ଧୁଅନ୍ତୁ। ଫଳରେ ଚୋପା ଛଡ଼େଇ ଖାଆନ୍ତୁ। ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ ଏବଂ ବେଶି ଗହଳି ଅଞ୍ଚଳ ବା ଭିଡ଼ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ଯଦି ପୂର୍ବରୁ କୋଷ୍ଠକାଠିନ୍ୟ ଦୋଷଥାଏ,ତେବେ ବିରେଚକ(ଲାକ୍‌ଜେକ୍ଟିଭ୍) ଔଷଧ ରାତିରେ ଶୋଇଲାବେଳେ ଖାଆନ୍ତୁ।

ଯେଉଁ ରୋଗୀମାନେ ଡାଇୟୁରେଟିକ୍ସ (ମୂତ୍ରଳ) ଏବଂ ଆଣ୍ଟି ହାଇପଟେନ୍ସିଭ୍ (ଉଚ୍ଚ ରକ୍ତଚାପ ରୋଗୀ) ଔଷଧ ସେବନ କରୁଥିବେ, ସେମାନେ ମେଡିକାଲ୍ ଅଙ୍କଲୋଜିଷ୍ଟଙ୍କୁ ପରାମର୍ଶ କରି ତାକୁ ସେବନ କରିପାରିବେ।

କେମୋଥେରାପିର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ସବୁ କ?

କେମୋଥେରାପି ଚିକିତ୍ସା ପାଉଥିବା ଅଧିକାଂଶ ରୋଗୀ କେମୋଥେରାପି ଜନିତ ପାର୍ଶ୍ୱପ୍ରତିକ୍ରିୟା କିଛି ନା କିଛି ପରିମାଣରେ ଭୋଗିଥାନ୍ତି, କିନ୍ତୁ ଏହା ତାଙ୍କର ଦୈନନ୍ଦିନ ଦିନଚର୍ଯ୍ୟାରେ କିଛି ପ୍ରଭାବ ପକାଇନଥାଏ। ଏହି ରୋଗୀମାନେ ସାଧାରଣତଃ ତାଙ୍କର କେମୋଥେରାପିର ପୂରା ମାତ୍ରା ନେଇଥାନ୍ତି।୫-୧୦ ପ୍ରତିଶତ ରୋଗୀଙ୍କଠାରେ ମଧ୍ୟମରୁ ଅତିଶୟ ପାର୍ଶ୍ୱପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ ଏବଂ ଏମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ, ଅଧିକ ଯତ୍ନ ନେବାକୁ ପଡ଼ିଥାଏ, କେମୋଥେରାପିର ମାତ୍ରା ବଦଳେଇବାକୁ ପଡ଼ିଥାଏ କିମ୍ବା କେମୋଥେରାପିକୁ କିଛି ଦିନ ପାଇଁ ବିରତି ଦେବାକୁ ପଡ଼ିଥାଏ।

ସାଧାରଣତଃ କେମୋଥେରାପିର ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଇନ୍‌ଫ୍ୟୁଜନ୍ ରିଆକ୍ସନ, ବାନ୍ତି ବାନ୍ତି ଲାଗିବା ଓ ବାନ୍ତି ହେବା, ଚୁଟି ଝଡ଼ିଯିବା, ଥକ୍କା ଲାଗିବା, ତରଳ ଝାଡା ହେବା, କୋଷ୍ଠକାଠିନ୍ୟ ହେବା, କ୍ଷୁଧା ନ ଲାଗିବା, ପାଟି ଘା’, ଜ୍ୱର, ରକ୍ତସ୍ରାବ ତଥା ରକ୍ତକଣିକା କମିଯିବା ଆଦି ଦେଖାଯାଇଥାଏ।

ଯଦି ରୋଗୀଙ୍କ ନିମ୍ନଲିଖିତ ଲକ୍ଷଣମାନ ପ୍ରକାଶ ପାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏଗୁଡ଼ିକ ‘ରେଡ୍‌ ଫ୍ଲାଗ ସାଇନ୍’ ଅଟନ୍ତି।ଲକ୍ଷଣଗୁଡ଼ିକ ହେଉଛି – ଜ୍ୱର, ପାଟିଘା’, ମୁଣ୍ଡ ବୁଲାଇବା, ତରଳ ଝାଡା ହେବା, ବାନ୍ତି,ରକ୍ତ କଣିକା କମିଯିବା, ରକ୍ତସ୍ରାବ ଆଦି।କେମୋଥେରାପି ନେଉଥିବା ରୋଗୀ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ୍।

କେମୋଥେରାପି ଜନିତ ପାର୍ଶ୍ୱ ପ୍ରତିକ୍ରିୟାର ବିଳମ୍ବରେ ସୂଚନା ଏବଂ ବିଳମ୍ବରେ ଚିକିତ୍ସା ରୋଗୀ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ରୋଗୀମାନଙ୍କ ପାଇଁ ଆମେ ଏକ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବରର ବ୍ୟବସ୍ଥା କରିଛୁ, ଯେଉଁଥିରେ ରୋଗୀମାନେ ୨୪୭ ଯେତେବେଳେ ବି ଚାହିଁବେ ଫୋନ୍ କରି ସେମାନଙ୍କ ସମସ୍ୟା ଜଣେ ମେଡିକାଲ୍ ଅଙ୍କଲୋଜିଷ୍ଟଙ୍କୁ କହିପାରିବେ। ଏହାଦ୍ୱାରା ରୋଗୀମାନେ ତାଙ୍କର ସମସ୍ୟାକୁ ଆଶ୍ଚର୍ଯ୍ୟଜନକ ଭାବେ ସମାଧାନ କରିପାରୁଛନ୍ତି ଏବଂ କେମୋଥେରାପିଜନିତ ମୃତ୍ୟୁହାର ଯଥେଷ୍ଟ ପରିମାଣରେ କମିପାରିଛି।ଅଧିକାଂଶ ଟାର୍ଗେଟେଡ୍ ଥେରାପି ଓ ମନୋକ୍ଲୋନାଲ୍ ଆଣ୍ଟିବଡିର ପାର୍ଶ୍ୱପ୍ରତିକ୍ରିୟା କମ୍ ଥାଏ। ଫଳରେ ରୋଗୀମାନେ ଏହାକୁ ସହ୍ୟ କରିପାରନ୍ତି।

କେମୋଥେରାପି ଖର୍ଚ୍ଚବହୁଳ କି?

କେମୋଥେରାପି ଖର୍ଚ୍ଚବହୁଳ। ତେବେ ଏହାକୁ ସାଧାରଣ ରୋଗୀଙ୍କୁ ସୁଲଭ ମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ଯୋଗାଇ ଦେବା ପାଇଁ  ପଦକ୍ଷେପ ନେବା ଆବଶ୍ୟକ। ଆମ ରାଜ୍ୟ ତଥା ଦେଶରେ ଅନେକ ରୋଗୀ ଚିକିତ୍ସା ଅଧାରୁ କେମୋଥେରାପି ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। କାରଣ ଏଗୁଡ଼ିକୁ କିଣିବା ପାଇଁ ବେଳେ ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।ଏହି ବିଷୟକୁ ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସରକାରୀ ସହାୟତା ସରକାରୀ ମେଡିକାଲ୍ କଲେଜମାନଙ୍କରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଅଧିକାଂଶ କେମୋଥେରାପି ଔଷଧ ମାଗଣାରେ ମିଳିଥାଏ। ତେବେ ଏହି ଯୋଜନାରେ ବେସରକାରୀ ହସ୍ପିଟାଲମାନଙ୍କୁ ମଧ୍ୟ ସାମିଲ୍ କରାଗଲେ ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରନ୍ତେ।

ଇନସ୍ୟୁରାନ୍ସବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ), ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (ଆରଏସବିୱାଇ) ଆଦି ସରକାରୀ ଇନସ୍ୟୁରାନ୍ସ ତଥା ଓଡ଼ିଶା ଷ୍ଟେଟ୍ ଟ୍ରିଟମେଣ୍ଟ ଫଣ୍ଡ (ଓଏସଟିଏଫ୍) ଭଳି ସରକାରୀ ଯୋଜନା ମାଧ୍ୟମରେ ଉପଭୋକ୍ତାମାନେ ମାଗଣା ଚିକିତ୍ସା ସେବା ପାଇ ପାରୁଛନ୍ତି।

କିନ୍ତୁ ବେସରକାରୀ ଇନସ୍ୟୁରାନ୍ସ କମ୍ପାନି ଓ ଅନ୍ୟାନ୍ୟ କର୍ପୋରେଟ୍, ଇନସ୍ୟୁରାନ୍ସ ଭୂମିକା ଏ କ୍ଷେତ୍ରରେ ଖୁବ୍ କମ୍। ଏହି କମ୍ପାନିଗୁଡ଼ିକ ଯଦି ଅଧିକ ଲୋକାଭିମୁଖୀ ହୁଅନ୍ତି ତେବେ ସାଧାରଣ ଜନତା ନିଶ୍ଚିତ ଭାବରେ ଉପକୃତ ହେବେ।

ଜେନେରିକ୍ ଔଷଧ ଡାକ୍ତରମାନଙ୍କ ମଧ୍ୟରେ ଜେନେରିକ୍ ଔଷଧ ବ୍ୟବହାର ପାଇଁ ସଚେତନତା ତଥା ଉତ୍ସାହ ବୃଦ୍ଧି ହେବା ଆବଶ୍ୟକ। ହେଲେ ଏଥିପାଇଁ ଔଷଧର ଗୁଣବତ୍ତା ନିର୍ଦ୍ଧାରିତ ହେବା ନିହାତି ଜରୁରୀ।

ରୋଗୀ ସହାୟତା ଯୋଜନା ଔଷଧ ନିର୍ମାଣ କରୁଥିବା କମ୍ପାନିମାନେ ରୋଗୀଙ୍କ ସହାୟତା ପାଇଁ ମାଗଣା ଔଷଧ ତଥା ଇନଭେଷ୍ଟିଗେସନ୍ କିଟ୍ ଯୋଗାଇ ଦିଅନ୍ତି।

ଦାତବ୍ୟ ଅନୁଷ୍ଠାନ ଓଡ଼ିଶାରେ ଅନେକ ଦାତବ୍ୟ ଅନୁଷ୍ଠାନ ଅଛନ୍ତି, ଯେଉଁମାନେ କ୍ୟାନସର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି ଯଥା – ଜଗତଜନନୀ ସେବା ଟ୍ରଷ୍ଟ, କ୍ୟାନ କିଡସ, ଆଇସିଏସ୍ ଓ ଜୀବଦୟା ଆଦି।

ଓଡ଼ିଶାରେ କ୍ୟାନସର୍ କେମୋଥେରାପିର ସ୍ଥିତି କ?

ଖୁସିର ବିଷୟ ଯେ, କ୍ୟାନସର କେମୋଥେରାପିରେ ଆମ ରାଜ୍ୟ ଅନ୍ୟ ରାଜ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ। ସଠିକ୍ କ୍ୟାନସର୍ କେମୋଥେରାପି ପାଇଁ ଆମ ରାଜ୍ୟରେ ଛଅ ଜଣ ମେଡିକାଲ୍ ଅଙ୍କଲୋଜିଷ୍ଟ ଅଛନ୍ତି। ଅତ୍ୟାଧୁନିକ ଔଷଧ ଏଠି ମଧ୍ୟ ମିଳୁଛି। ତଥାପି ଅନେକ ରୋଗୀ ରାଜ୍ୟ ବାହାରକୁ କେମୋଥେରାପି ପାଇଁ ଯାଉଛନ୍ତି, ଯଦ୍ଵାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତେବେ ଭାରତର ଅନ୍ୟ ସ୍ଥାନ ଭଳି ଆମ ରାଜ୍ୟରେ ବି କେମୋଥେରାପି କୌଣସି ନୀତିନିୟମରେ ପରିଚାଳିତ ନ ହୋ‌ଇ ପ୍ରଦାନ କରାଯାଉଛି। କେମୋଥେରାପି ଦେବା ବେଳେ ନିୟମ କାନୁନର ଦାୟରା ଭିତରେ ରହି ହିଁ ଦେବା ନିହାତି ଆବଶ୍ୟକ। କେମୋଥେରାପିର ଅନୁଚିତ ଉପଯୋଗ ମାରାତ୍ମକ ହୋଇଥାଏ। ଯଦି ଏହା ଭୁଲ ଭାବେ ଦିଆଯାଏ, ତେବେ ଏହା ଭଲ ପରିବର୍ତ୍ତେ ଅଧିକ କ୍ଷତି ପହଞ୍ଚାଇଥାଏ। ଯଦି ସଠିକ୍‌ ସମୟରେ କ୍ୟାନ୍‌ସର ଜଣାପଡ଼ିଯାଏ, ତେବେ ଏହା ଚିକିତ୍ସାସାଧ୍ୟ।

ଓଡ଼ିଶାରେ କ୍ୟାନସର କେମୋଥେରାପିର ଉନ୍ନତି କେମିତି ହୋଇପାରିବ?

ଓଡ଼ିଶାରେ କେମୋଥେରାପିର ଉନ୍ନତି ସାଧନ ପାଇଁ ଅନେକ କିଛି କରିବାକୁ ପଡ଼ିବ।

ଜନସଚେତନତା ମେଡିକାଲ୍ ଅଙ୍କଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କେମୋଥେରାପି ପାଇଁ କ୍ୟାନସର ରୋଗୀଙ୍କୁ ବୁଝାଇବାକୁ ପଡ଼ିବ। ସେମାନଙ୍କୁ ସଚେତନ ହେବାକୁ ପଡ଼ିବ ଯେ ଓଡ଼ିଶାରେ ମଧ୍ୟ ସେମାନେ ଉତ୍ତମ ଚିକିତ୍ସା ପାଇ ଆରୋଗ୍ୟ ହୋଇପାରିବ ଏବଂ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ଯିବାର କୌଣସି ଆବଶ୍ୟକତା ହିଁ ନାହିଁ।

କେମୋଥେରାପି ପ୍ରଦାନର ଅଧିନିୟମ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)ର ମାର୍ଗଦର୍ଶିକା ଅନୁଯାୟୀ ଜଣେ ଯୋଗ୍ୟତାପ୍ରାପ୍ତ ମେଡିକାଲ ଅଙ୍କ ଲୋଜିଷ୍ଟ ହିଁ କେମୋଥେରାପି ଦେବା ଉଚିତ୍।

ସୁପରସ୍ପେଶାଲିଷ୍ଟ ଶିକ୍ଷା ଆମ ରାଜ୍ୟରେ କାର୍ଡିଓଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି, ଏଣ୍ଟ୍ରୋକ୍ରାଏନଲୋଜି ଓ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ଆଦି ବିଭାଗରେ ସୁପରସ୍ପେସାଲିଷ୍ଟ ପାଠ୍ୟକ୍ରମ ଉପଲବ୍ଧ ଅଛି। ହେଲେ ମେଡିକାଲ ଅଙ୍କଲୋଜି ବିଭାଗରେ ସୁପରସ୍ପେସାଲିଷ୍ଟ ପାଠ୍ୟକ୍ରମ ଏଯାଏଁ ଉପଲବ୍ଧ ହୋଇପାରି ନାହିଁ। ତେଣୁ ପ୍ରତ୍ୟେକ ମେଡିକାଲ୍ କଲେଜରେ ମେଡିକାଲ୍ ଅଙ୍କଲୋଜି ପାଠ୍ୟକ୍ରମ ଆରମ୍ଭ ହେଇପାରିଲେ ଆମ ରାଜ୍ୟରେ କ୍ୟାନସର ରୋଗ ଚିକିତ୍ସାରେ ଆହୁରି ଉନ୍ନତି ଘଟିବ ତଥା ଓଡ଼ିଶାବାସୀ ଏହାର ସୁଫଳ ପାଇପାରିବେ।