ଓଡ଼ିଶୀ ମର୍ଦ୍ଦଳ ଗୁରୁ ବନମାଳି ମହାରଣାଙ୍କ ସହ ପୂର୍ବ ରେକର୍ଡ଼ କଥାବାର୍ତ୍ତା: ’ମର୍ଦ୍ଦଳ ମୋର ଜୀବନ, ଏଥିପାଇଁ ପୁନର୍ଜନ୍ମ ନେବାକୁ ଇଚ୍ଛା’

0
16
advt
< a href= "#">

ମନେ ପଡ଼ୁଛି ତାହା ଜୁନ୍‌ ମାସ ଥିଲା। ଖରାଦିନିଆ ସକାଳୁ ଫୋନ୍‌ରେ ଯୋଗାଯୋଗ ହୋଇଥାଏ ଏକ ସ୍ଵତନ୍ତ୍ର କଥାବାର୍ତ୍ତା ପାଇଁ। ଯାହାକୁ ଖବରକାଗଜ ବା ମିଡିଆ ଭାଷାରେ ସାକ୍ଷାତକାର ବୋଲି କହୁ। ପୁରୁଣା ଭୁବନେଶ୍ଵରର କପିଳ ପ୍ରସାଦ ଶାସନ ପଡ଼ିଆରେ ଥିବା ତାଙ୍କ ଘର ତଥା ତାଲିମ କେନ୍ଦ୍ରରେ ପହଞ୍ଚିଲାବେଳକୁ ସେ କିଛି ପିଲାଙ୍କୁ ମର୍ଦ୍ଦଳ ଶିଖାଉଥାଆନ୍ତି। ୭୭ ବର୍ଷ ବୟସରେ ଏକା ସଙ୍ଗେ ଘଣ୍ଟା ଘଣ୍ଟା ତଳେ ବସି ମର୍ଦ୍ଦଳ ବଜାଇବା ବା ଶିକ୍ଷାଦେବା ଏକ କଷ୍ଟକର ବ୍ୟାପାର ହେଲେ ମଧ୍ୟ ସେ ତାହାକୁ କଷ୍ଟ ବୋଲି କେବେ ଉଚ୍ଚାରଣ କରନ୍ତି ନାହିଁ। କହିଲାବେଳେ କହିଲେ ମର୍ଦ୍ଦଳ ମୋ ଜୀବନ। ମୁଁ ଏଥିରୁ ଖୁସି ପାଏ। ଏହାର ଶବ୍ଦ ମୋତେ ଆନନ୍ଦିତ କରାଏ। ଭଗବାନ ଯଦି ମୋତେ କେବେ ପୁନର୍ଜନ୍ମ ଦିଅନ୍ତି ତେବେ ମର୍ଦ୍ଦଳ ବଜାଇବାର ସୁଯୋଗ ଦିଅନ୍ତୁ ବୋଲି କହିଥିଲେ। ଆଜି ତାଙ୍କର ଅବର୍ତ୍ତମାନରେ ସେଇ କିଛି ଧାଡ଼ି ମନେ ପଡ଼ିଯାଉଛି। ଉପସ୍ଥାପନ କରୁଛୁ ଏହି ପ୍ରକୃତିଦତ୍ତ ପ୍ରତିଭା ସହ ପୂର୍ବ-ସାକ୍ଷାତକାରର କିୟଦଂଶ। ଏହା ‘ନିତିଦିନ’ ଖବରକାଗଜରେ ଏକଦା ପ୍ରକାଶ ପାଇଥିଲା। 

‘ମର୍ଦ୍ଦଳ’ ଦୁନିଆରେ ପ୍ରବେଶ କେମିତି ହେଲା?

ଆମ ଗାଁରେ ମୋହନ ସୁନ୍ଦର ଗୋସ୍ୱାମୀଙ୍କ ରାଧାକୃଷ୍ଣ ମନ୍ଦିର ରହିଛି। ସେହି ମନ୍ଦିରକୁ ଆସିବାବେଳେ ସେ ଆମ ଗାଁର ଅନେକ ପିଲାଙ୍କୁ ତାଙ୍କ ‘ରାସ ପାର୍ଟି’ରେ ନେଇ ସାମିଲ କରନ୍ତି। କାଳକ୍ରମେ ମୁଁ ମଧ୍ୟ ତାଙ୍କ ରାସ ପାର୍ଟିରେ ସାମିଲ୍ ହେଲି। ସେଠାରେ ନିରାମିଷ ଭୋଜନରେ ରହିବା ଆଉ କୀର୍ତ୍ତନ କରିବାକୁ ପଡ଼ୁଥିଲା । ରାସପାର୍ଟିରେ ରହିଥିବାବେଳେ ମୁଁ କେବଳ ‘ଖୋଳ’ ବଜାଇବା ଶିଖିଥିଲି। ତାଙ୍କ ଦେହାନ୍ତ ପରେ ଗୌରସୁନ୍ଦର ଗୋସ୍ୱାମୀଙ୍କ ସଂସ୍ପର୍ଶରେ ଆସିଲି । ସେ ତାଙ୍କ ପୁଅ ଥିଲେ। ସେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରରେ ରୁଚି ରଖୁଥିଲେ  ଏବଂ ଅନ୍ନପୂର୍ଣ୍ଣ ‘ଏ’ ଗ୍ରୁପ୍ର ସଦସ୍ୟ ଥିଲେ। ତାଙ୍କ ସଙ୍ଗେ ରହିବା ଫଳରେ ମୁଁ ପଖୌଜ, ଢୋଲକ, ତବଲା, ଟିକିରା, ଖୋଳ ସବୁ ଦେଖିଲି। ଏହିସବୁ ବାଦ୍ୟଯନ୍ତ୍ରରେ ମୁଁ ପୂର୍ଣ୍ଣ ମୁଗ୍ଧ ହୋଇଯାଇଥିଲି। କିନ୍ତୁ କିଛି ବଜାଇବା ପାଇଁ ମୋତେ ଅନୁମତି ନଥିଲା। ସେତେବେଳେ ଅନ୍ନପୂର୍ଣ୍ଣା ଥିଏଟର ମ୍ୟାନେଜର ଥିଲେ ବାଉରୀବନ୍ଧୁ ମହାନ୍ତି। ମୁଁ ଗୀତ ଗାଉଥିବାରୁ ସେ ମୋତେ ଗୀତ ଗାଇବାରେ ରହିବା ଲାଗି କହୁଥିଲେ। କାରଣ ତାଙ୍କ ବିଶ୍ୱାସ ଥିଲା ବାଦ୍ୟ ବଜାଇଲେ ଗଳା ଫାଟିଯିବ ଆଉ ଗୀତ ଗାଇପାରିବ ନାହିଁ। ହେଲେ ମୋର ଚିନ୍ତାଧାରା ଅଲଗା ଥିଲା। ପୁରୀରେ ରାମଚଣ୍ଡୀ ମନ୍ଦିରରେ ସକାଳୁ ମୁଁ ସବୁବେଳେ ମୁଣ୍ଡିଆ ମାରେ ଆଉ ନିବେଦନ କରେ ପ୍ରଭୁ ମୋର ଗଳାଟା ଫଟାଇଦିଅ, ମୁଁ ବାଜା ବଜାଇବି। ତାହା ହିଁ ହେଲା। ଏହାକୁ ମୁଁ ମା’ ରାମଚଣ୍ଡୀଙ୍କ ଆଶୀର୍ବାଦ ବୋଲି ଗ୍ରହଣ କଲି।

 ତା’ମାନେ ଆପଣଙ୍କର କେହି ଗୁରୁ ନାହାନ୍ତି?

advt

ଗଳା ଖରାପ ହେବାଟା ମୋ ପାଇଁ ସୁଯୋଗ ଥିଲା। ଏହାଦ୍ୱାରା ମୋର ଆଗ୍ରହ ବା ରୁଚିକୁ ଆଉ କେହି ରୋକ୍ ଲଗାଇପାରିଲେ ନାହିଁ। ଥିଏଟରରେ ଥିବା ସବୁ ବାଦ୍ୟ ମୁଁ ବଜାଇଲି। ପୂର୍ବରୁ ବାଜା ବଜାଉଥିବା ବୃନ୍ଦାବନ ପାତ୍ର କହିଲେ ତୁ’ ତ ଭଲ ବଜାଉଛୁ, ବଜା- ମୁଁ କମେଡି ରୋଲ୍ କରିବି। ସବୁ ହେଲା ସିନା ମୋର ଦୁଃଖ ଥିଲା ଯେ, ମୁଁ ବାଜା ସିନା ବଜାଉଥିଲି ହେଲେ ତା’ ବିଷୟରେ କିଛି ଧାରଣା ନଥିଲା। ଏମିତି କଥା ଭିତରେ ବୃନ୍ଦାବନ ପାତ୍ର ଥରେ କହିଲେ ମୁଁ ତୋତେ ଏଥିରେ ସାହାଯ୍ୟ କରିବି କିନ୍ତୁ ସେଥିପାଇଁ ସୁଯୋଗ ଦରକାର। ଦିନକର କଥା- ନାଟକ ଚାଲିଥାଏ। ଗୁରୁ କ୍ଷେତ୍ରମୋହନ କର ଆସିଥାଆନ୍ତି।  ନାଟକର ସବୁ ବାଜା ମୁଁ ବଜାଉଥାଏ। ନାଟକ ଶେଷରେ ସେ ଚାହିଁଲେ ମୋତେ ଭେଟ କରିବାକୁ। ମୁଁ ତାଙ୍କୁ କହିଲି- ମୁଁ ବଜାଉଛି ଯେ, କିନ୍ତୁ କିଛି ଜାଣି ନାହିଁ।  ବାସ୍ ସେ କହିଲେ ମୁଁ ତୋତେ ଶିଖାଇବି। କିନ୍ତୁ ସର୍ତ୍ତ- ମୁଁ ଗୋଟିଏ ବୋଲ୍ ଦେବି ତାହାକୁ ଦୁଇଦିନ ଭିତରେ ପରିବେଷଣ କରିବାକୁ ହେବ। ମୁଁ ତାହାକୁ ବେଶ୍ ଚମତ୍କାର ଭାବେ ପରିବେଷଣ କଲି। ବାସ୍ ସେଇଠୁ ଆରମ୍ଭ ହେଲା ବାଦ୍ୟ ବିଷୟରେ ଶିକ୍ଷା।

ପତ୍ନୀଙ୍କ ସହ ଗୁରୁ ବନମାଳି ମହାରଣା ( ଫାଇଲ ଫଟୋ)

 

କେବଳ ପଖୌଜ ପ୍ରତି ନିଷ୍ଠା କେବେଠୁ ଆସିଲା ଏବଂ କାହିଁକି?

ଅନ୍ନପୂର୍ଣ୍ଣାକୁ ସିଂହାରୀ ଶ୍ୟାମସୁନ୍ଦର ଅନେକ ସମୟରେ ଆସନ୍ତି। ତାଙ୍କଠୁ ମୁଁ ପଖୌଜ କିଛି ପରିମାଣରେ ଶିଖିଲି। କିନ୍ତୁ ସେତେବେଳେ କେବଳ ପଖୌଜରେ ମୁଁ ସୀମିତ ନଥିଲି। ମୋତେ ବାଦ୍ୟ ଭଲ ଲାଗେ ଏଣୁ ମୁଁ କଟକ ବାଙ୍କା ବଜାରରେ ରହୁଥିବା କେଳୁ ଭାଇଙ୍କ ପାଖକୁ ଚାଲିଗଲି। ସେ ମୋ ବଡ଼ ଭାଇ। ସେଇଠୁ ମୁଁ ଅନେକ କିଛି ଶିଖିଛି। ତାଙ୍କ ସଂଗ୍ରାମର ସମୟକୁ ମୁଁ ଅନୁଭବ କରିଛି, ସେଥିରେ ସାମିଲ୍ ହୋଇଛି।

ସଙ୍ଗୀତ ମହାବିଦ୍ୟାଳୟରେ ଆପଣଙ୍କ ନେତୃତ୍ୱରେ ମର୍ଦ୍ଦଳ ବିଭାଗ ଖୋଲାଯାଇଥିଲା। ବହୁ ପ୍ରତିଷ୍ଠିତ କଳାକାର ସେତେବେଳେ ସେଠାରେ ଥିଲେ। କେମିତି ଥିଲା ଆପଣଙ୍କ ସମ୍ପର୍କ?

ମନେ ଅଛି- ୧୩ ଡିସେମ୍ବର ୧୯୬୫ରେ ମୁଁ ସଙ୍ଗୀତ କଲେଜରେ ଯୋଗ ଦେଲି। କିନ୍ତୁ ତା’ ଭିତରେ ମୋର ବାହାରେ କାର୍ଯ୍ୟକ୍ରମ ପରିବେଷଣ କରିବା ବନ୍ଦ ହୋଇ ନଥାଏ। ମୋତେ ସେଥିରେ ଆନନ୍ଦ ମିଳୁଥିବାରୁ କେଳୁଭାଇଙ୍କ ଯେତେ କାର୍ଯ୍ୟକ୍ରମ ହେଉଥିଲା ସବୁଥିରେ ମୁଁ ବଜାଉଥିଲି। ସେତେବେଳେ ଓଡ଼ିଶୀ ବହୁତ ନାଁ କରିଥିଲା। ଏଣୁ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆମେ ଯାଉଥିଲୁ। ଯେହେତୁ ସେତେବେଳେ ଆକମ୍ପାନିଷ୍ଟ (ବାଦ୍ୟ ସହଯୋଗୀ)କେହି ନଥିଲେ, ମୁଁ ନଗଲେ ଦଳଟି ଅସମ୍ପୂର୍ଣ୍ଣ ରହୁଥିଲା। ଏଥିଲାଗି ବିଭିନ୍ନ ବାହାନାରେ ମୁଁ କଲେଜରୁ ଛୁଟି ନେଉଥିଲି। ଦିନକର ଘଟଣା- ସେଥିରୁ ଆପଣ ବୁଝିବେ କେତେ ଉଦାର ଥିଲେ ସେତେବେଳର ପରିଚାଳନାରେ ଥିବା କର୍ତ୍ତୃପକ୍ଷ। ସ୍ତ୍ରୀର ଦେହ ଖରାପ କହି ମୁଁ ବମ୍ବେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ। କଥକ ଓ ଓଡ଼ିଶୀ ପରିବେଷଣର ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଥାଏ। ମୋର ଏକ ତାଳରେ ଜାକୀର ହୁସେନ୍ ତାଳ ଦେଇପାରିଲେ ନାହିଁ। ଦର୍ଶକ ମୁଗ୍ଧ ହୋଇଗଲେ। ଏହାକୁ ନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଚର୍ଚ୍ଚା ହେଲା। ସେ ରିପୋର୍ଟକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଲା। ହରେକୃଷ୍ଣ ମହତାବ ଥାଆନ୍ତି ମୁଖ୍ୟମନ୍ତ୍ରୀ । ସେ ଯେତେବେଳେ ଖବର କାଗଜର ରିପୋର୍ଟକୁ ଦେଖିଲେ ବେଶ୍ ଖୁସି ଅନୁଭବ କଲେ। ରାଜ୍ୟର ନାଁ ରଖିଛି ବୋଲି କହିଲେ। ମୁଁ ଏକଥା ଜାଣି ନଥାଏ। ଯେତେବେଳେ ଟ୍ରେନରୁ ଓହ୍ଲାଇ କଲେଜ୍ ଗଲି- କେତେକ ମୋତେ କହିଲେ ମୋ ନାଁରେ ଅନେକ ଚର୍ଚ୍ଚା ହୋଇଛି, ବିଧାନସଭାରେ ଆଲୋଚନା ହୋଇଛି- ମୁଁ ମିଛ କହି ଛୁଟି ନେଇଥିବା ଜଣାପଡ଼ିଯାଇଛି। ସେଇଠୁ ମୁଁ କଲେଜ ଭିତରକୁ ନଯାଇ ଫେରି ଆସିଲି- ଘରକୁ। ଯାହା ବମ୍ବେରୁ ଆଣିଥିଲି ତାହାକୁ କାଢ଼ୁଥାଏ। କଲେଜ ପ୍ରିନ୍ସିପାଲ୍ ମିନତୀ ମିଶ୍ର ଆସି ପହଞ୍ଚିଲେ। ପଚାରିଲେ- କୋଉଠି ତୁମ ପତ୍ନୀଙ୍କ ଦେହ ଖରାପ ଥିଲା? ତମେ ମିଛ କହିଛ? ମୁଁ ଆଉ କିଛି କହିଲିନି। ପୁଣି ପଚାରିଲେ କଲେଜ ତ ଯାଇଥିଲ ଭିତରକୁ ନଯାଇ ଫେରି ଆସିଲ କାହିଁକି? ମୋ ହାତ ଧରି କହିଲେ କଲେଜକୁ କାଲି ଆସି ଯୋଗ ଦିଅ… ।

 ଏମିତି କିଛି କାର୍ଯ୍ୟକ୍ରମର ସ୍ମରଣୀୟ ମୁହୂର୍ତ୍ତ ଆପଣଙ୍କ ମନେ ପଡ଼ୁଛି ଯାହା ଆପଣଙ୍କୁ ଏବେବି ତାଜା କରିଦିଏ?

ଋଷ ରାଷ୍ଟ୍ରପତି ଭାରତ ଆସିଥାଆନ୍ତି। ତାଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆମକୁ କଳା ପ୍ରଦର୍ଶନ କରିବାର ଥିଲା। ପ୍ରିୟମ୍ବଦା ନୃତ୍ୟ ପ୍ରଦର୍ଶନ କରିବେ ଆଉ ସେଥିରେ ପଖୌଜ ମୁଁ ବଜାଇବା ପାଇଁ ପ୍ରସ୍ତୁତ ହେଲା। ସବୁ ଶେଷ ବେଳେକୁ ମୁଁ ଦେଖିଲି ମୋ ପଖୌଜ ତଳେ ଦିଆଯିବାକୁ ଥିବା ମଳାକୁ କିଏ ଚୋରି କରି ନେଇଛି। କାର୍ଯ୍ୟକ୍ରମକୁ ସୁରୁଖୁର କରିବା ପାଇଁ ମୁଁ କଷ୍ଟେମଷ୍ଟେ ବଜାଇବା ଆରମ୍ଭ କଲି। କିନ୍ତୁ ଶେଷ ବେଳକୁ ପଖୌଜ ଖସିଗଲା। ଯେଉଁଠି ପ୍ରୟମ୍ବଦା ନାଚୁଥିଲେ ସେଇଠିକୁ ପଖୌଜ ଗଡ଼ିଗଡ଼ି ଗଲା। ସେ ଏହା ଦେଖି ଡରିଗଲେ ନାହିଁ କି ନାଚ ବନ୍ଦ କଲେ ନାହିଁ, ବରଂ ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ତଳୁ ପଖୌଜକୁ ଉଠାଇ ତାହାକୁ ଧରି ନାଚିବା ଆରମ୍ଭ କଲେ। ବାସ୍ ତାହା ଏକ ମନେ ପଡ଼ିଲା ପରି ଘଟଣା ମୋ ସ୍ମୃତିପଟ୍ଟରେ ରହିଛି। ଆଉ ଏକ ଘଟଣା- ନେପାଳ ରାଜା ମହୀନ୍ଦ୍ର ଓଡ଼ିଶା ଆସିଥିଲେ। ତାଙ୍କ ଆଗରେ ପ୍ରଦର୍ଶନ କରିବା ପାଇଁ ନାଟକ ନୀଳମାଧବ ରଚନା କଲେ ଧୀରେନ୍ଦ୍ର ପଟ୍ଟନାୟକ। ଏହାର ସଙ୍ଗୀତ ଦେଇଥିଲେ ଭୁବନେଶ୍ୱର ମିଶ୍ର। ଏହାକୁ ବଜାଇବା ପାଇଁ ମୋତେ ବାଛିଲେ ଧୀରେନ୍ଦ୍ର ପଟ୍ଟନାୟକ। ତାଙ୍କ ମୋ ଉପରେ ଗଭୀର ବିଶ୍ୱାସ ଥିଲା। ଆଉ ତାହାକୁ ମୁଁ କାର୍ଯ୍ୟରେ ପରିଣତ କରିପାରିଥିଲି।

 

 

ବାଳକୃଷ୍ଣ ସାର୍ ମୋତେ ଡାକିଲେ- ଜାପାନୀ…। ମୁଁ ଗେଡ଼ା ହେତୁ ମୋତେ ସେ ଜାପାନୀ ବୋଲି ଡାକନ୍ତି । ମନପଡ଼ୁଛି ସେଦିନର କଥା । ‘ଜୟଦେବ’ ଫିଲ୍ମ ପାଇଁ ମାଡ୍ରାସରେ ଗୀତ ରେକର୍ଡିଂ ହେଉଥାଏ । ୟେସୁଦାସ ଓ ସାରଙ୍କ ବେଶ୍ ପ୍ରଶଂସା ବେଶ୍ ଆନନ୍ଦିତ କରିଥିଲା ।

 

ଆପଣ କେବେ କାହିଁକି ସୋଲୋ ବଜାଇ ନାହାନ୍ତି?

ଏଥିପାଇଁ ମୋତେ ସମୟ ମିଳି ନାହିଁ। ମୋ ବାଦ୍ୟ ଅନ୍ୟକୁ ଆନନ୍ଦ ଦେଉଥାଇପାରେ କିନ୍ତୁ ମୋତେ ଆତ୍ମସନ୍ତୋଷ ଦେଇ ପାରୁନଥିଲା। ଏଣୁ ନିଜେ ୭ଟି ତାଳ ସୃଷ୍ଟି କରିଛି। ତାହାକୁ ଅନ୍ୟମାନେ ବଜାଉଛନ୍ତି କିନ୍ତୁ ମୁଁ ଶିଖାଇଛି ହେଲେ ନିଜେ ବଜାଇ ଖୁସି ହୋଇନାହିଁ। ଏବେ ମୋ ଛାତ୍ରମାନେ ମୋତେ ସୋଲୋ ବଜାଇବା ପାଇଁ ଅନେକ ଅନୁରୋଧ କଲେ। ଏଣୁ ସେଥିରୁ ଦୁଇଟି ମୁଁ ରେକର୍ଡ କରିଛି। ଆଉ କିଛିଦିନ ପରେ ଆପଣ ତାହାକୁ ଶୁଣିପାରିବେ।

ଅନେକ ଶିଳ୍ପୀଙ୍କ ଗାୟନରେ ଆପଣ ବଜାଇଛନ୍ତି ଆଉ ଅନେକଙ୍କୁ ତାଳ ଦେଇଛନ୍ତି ନାଚିବାକୁ। କାହାର ଗାୟନରେ ଆପଣଙ୍କୁ ବଜାଇବା ଅତ୍ୟନ୍ତ ଖୁସି ଓ ଆନନ୍ଦ ଦିଏ?

ବାଳକୃଷ୍ଣ ବାବୁ ବହୁତ ଧିମାରେ ଗାଆନ୍ତି। ତାଙ୍କ ଗାୟନରେ ଆଉ କେହି ବଜାଇପାରନ୍ତିନି। ସେ ମୋତେ ହିଁ ବାଛନ୍ତି ତାଙ୍କ ଗାୟନ ପାଇଁ। ରଘୁନାଥ ପାଣିଗ୍ରାହୀ ତ ମୋର ବନ୍ଧୁ। ତାଙ୍କ ସାଙ୍ଗେ ମୁଁ ଅନେକ ବଜାଇଛି। ନାଚ କଥା କହିଲେ- ମୋର ମନେ ପଡ଼ୁଛି ମିନତୀ ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ ଯେମିତି ନାଚନ୍ତି ଆଉ ସେଥିରେ ମୁଗ୍ଧ ହୋଇ ମୁଁ ଯେମିତି ବଜାଏ ସେମାନେ ବି ସେମିତି ମୁଗ୍ଧ ହୋଇ ନାଚନ୍ତି। ସେମିତି ମୁଗ୍ଧପଣ ଆଉ ମୁଁ କାହା ପାଖରେ ପାଏ ନାହିଁ। ସେମାନେ ବାଜା କ’ଣ, ତାହାର ତାଳକ’ଣ ସେସବୁକୁ ବୁଝନ୍ତି। ଗୋଟିଏ ଠେକାଟେ ମୁଁ ବଜାଇ ଦେଇଥିବି- ସଂଯୁକ୍ତା ପାଣିଗ୍ରାହୀ ଓ ମିନତୀ ମିଶ୍ର ଅନାଇ ଦେଲେ ମୋତେ ବେଶ୍ ଆନନ୍ଦ ଲାଗେ। ତା’ପରେ ସେମାନେ ଖୁସି ହୋଇଯାଆନ୍ତି ଆଉ ତାଳ ଚାଲେ, ତାହାର ତାଳରେ ନୃତ୍ୟ ।

 

 

ମୋର ଗୋଟିଏ ନାତୁଣୀ ମୁସ୍କିଲ୍ ବଜାଉଛି । ତା’ର ଷ୍ଟ୍ରୋକ୍ ସବୁ ଚମତ୍କାର । ତାକୁ ଏ ବିଦ୍ୟାରେ ରଖିଲେ ମୋର ନାଁ ରଖିବ ତାହା ସତ; କିନ୍ତୁ ତା’ ଭବିଷ୍ୟତ କ’ଣ? ସମସ୍ତେ ଏବେ ଚାକିରି ଖୋଜୁଛନ୍ତି । ଖାଲି ବାଜା ବଜାଇଲେ ଓଡ଼ିଶାରେ ବଞ୍ଚିବା ସହଜ ନୁହେଁ ।

 

 

ଓଡ଼ିଶୀ ସଙ୍ଗୀତ ପରିବେଷଣରେ ଏବେ ଅନେକ ବାହାର ବାଦ୍ୟ ମଧ୍ୟ ବାଜୁଛି। ତାହାକୁ ଫ୍ୟୁଜନ୍ ବୋଲି କେହି କେହି କହୁଛନ୍ତି । ଆପଣଙ୍କ ମତ କ’ଣ ରହିବ ଏଥିପ୍ରତି?

ସତକଥା କହିବାକୁ ଗଲେ ମୁଁ ଆଉ ଦେଖିବାକୁ ଯାଉନାହିଁ। ମୋତେ ଭଲ ଲାଗୁନାହିଁ। ଏବେ ସୁଜାତା ନାଚୁଛି। ମୁଁ କାହାକୁ ବଦନାମୀ କରୁନାହିଁ କିନ୍ତୁ ତାକୁ ଦେଖିଲେ ଏବେ ଓଡ଼ିଶୀର ଏକ ପୂର୍ଣ୍ଣରୂପ ମିଳୁଛି। ଆଉ ଅନେକଙ୍କ ଭିତରେ ମୁଁ ତାହା ପାଉନାହିଁ। କେହି କେହି ଏହାକୁ ସମୟର ଆହ୍ୱାନ ବୋଲି କହୁଛନ୍ତି, ତାହା ସତ; କିନ୍ତୁ ମୂଳକୁ ଛାଡ଼ିବା ଉଚିତ ନୁହେଁ। ଓଡ଼ିଶୀ ସଙ୍ଗୀତରେ ଫ୍ୟୁଜନକୁ ମୁଁ କାହିଁକି ଗ୍ରହଣ କରିପାରେ ନାହିଁ। ମୋତେ ସେଗୁଡ଼ିକ ଭଲ ଲାଗେନାହିଁ। ସେଇଥିପାଇଁ ମୁଁ ଏବେ ଆଉ କାର୍ଯ୍ୟକ୍ରମ ଦେଖିବାକୁ ଯାଉନାହିଁ।

ଜୀବନର ସବୁଠାରୁ ଆନନ୍ଦଦାୟକ ମୁହୂର୍ତ୍ତ କେଉଁଟା ?

ରାସର ଯେଉଁ ମଧୁରତା ତାହା ମୁଁ କେଉଁଠି ପାଏ ନାହିଁ। ମୋ ପାଖରେ ଧନ ନାହିଁ କିନ୍ତୁ ମୁଁ ବହୁତ ସୁଖୀ। ହଁ, ମୋ ମନରେ ଅବଶୋସ ରହିଛି ତାହା ହେଲା- ମୁଁ ପାଠଶାଠ ପଢ଼ିଥିଲେ ଏହି କଳାକୁ ଆହୁରି ଉଠେଇ ପାରିଥାଆନ୍ତି। ମୁଁ ସବୁବେଳେ ଭଗବାନଙ୍କୁ ଡାକୁଛି ପ୍ରଭୁ ଏ ଜନ୍ମରେ ମୁଁ ପାଠ ପଢ଼ିପାରିଲିନି ବୋଲି ଯାହା କରିପାରିଲିନି ତାହା ଆର ଜନ୍ମରେ ପୂରଣ କରିବା ପାଇଁ ମୋତେ ସୁଯୋଗ ଦିଅନ୍ତୁ। ଯେଉଁଠି ବି ମୁଁ ଜନ୍ମ ହୁଏ କଳାରେ ବଞ୍ଚିବାକୁ ଚାହେଁ।

ଅନେକ ପୁରସ୍କାର ଆପଣ ପାଇଛନ୍ତି । ଏହି ପୁରସ୍କାର କେବେ ଆପଣଙ୍କୁ ପ୍ରୋତ୍ସାହନ ଦେଇଛି, ଭଲ ବଜାଇବା ପାଇଁ ବା କେବେ ପ୍ରେରଣା ଦେଇଛି?

ମୋତେ ପୁରସ୍କାର ଦେଲେ ଭଲ ଲାଗେ ନାହିଁ। ବାଜା ବଜାଇବା ହିଁ ମୋତେ ଆନନ୍ଦ ଦିଏ। ନିକଟରେ ପଦ୍ମଶ୍ରୀ ପାଇଁ ମୋ ଘର ଖୋଜି କିଛି ଅଧିକାରୀ ଆସିଥିଲେ। ମୋ ନାଁ କୁଆଡ଼େ ଭାରତ ସରକାରଙ୍କୁ ଅନୁମୋଦିତ ହୋଇଥିବା ମୋର କିଛି ବନ୍ଧୁ କହିଥିଲେ। କିନ୍ତୁ ପାଇଲା ବେଳକୁ ଆଉ କିଏ ସେହି ପୁରସ୍କାର ନେଇଗଲେ। ଏଥିପାଇଁ ମୋର ଦୁଃଖ ନାହିଁ।

କ’ଣ ଉପଦେଶ ରହିବ ନୂଆ ପିଢ଼ି ପାଇଁ?

କଲେଜ୍ କ୍ଲାସ୍ ରୁମରେ ଯାହା ଶିଖୁଛନ୍ତି ତାହାକୁ ମନ ଦେଇ ଶିଖନ୍ତୁ। କିନ୍ତୁ ଏହା ସବୁକିଛି ନୁହେଁ। ନିଜ ପାଇଁ ବାଦ୍ୟ ଯନ୍ତ୍ର କିଣନ୍ତୁ। ଆଉ ଘରେ ତାହାକୁ ଅଭ୍ୟାସ କରନ୍ତୁ। ଯେତେ ଅଭ୍ୟାସ କରିବେ ସେତେ ଉତୁରିବେ ।

 

ଗୁରୁ ବନମାଳୀ ମହାରଣାଙ୍କ ସମ୍ପର୍କରେ 

ବାପା: ସୁମନ ମହାରଣା
ମା’: ରାଧାମଣି ମହାରଣା
ଜନ୍ମସ୍ଥାନ: ରଘୁରାଜପୁର, ପୁରୀ
ଜନ୍ମ: ମେ’ ୧୬, ୧୯୪୧
ପତ୍ନୀ: ସୁନ୍ଦରମଣି ମହାରଣା
ପୁଅଝିଅ: ୨ପୁଅ, ୧ ଝିଅ
ପେସା: ମର୍ଦ୍ଦଳ ବାଦକ, ପୂର୍ବତନ ଅଧ୍ୟାପକ- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ସମ୍ମାନ ଓ ପୁରସ୍କାର: ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୪), ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୪), ବାଦ୍ୟ ସରସ୍ୱତୀ ( ୧୯୯୭), ବାଦ୍ୟ ବିଦ୍ୟାଧର (୧୯୯୮), କଳିଙ୍ଗ କଳାସମ୍ମାନ ( ୧୯୯୮), ଭାରତ ସରକାରଙ୍କ ପକ୍ଷରୁ ବରିଷ୍ଠ ଜାତୀୟ ଫେଲୋଶିପ୍ (୨୦୦୪), ସଞ୍ଜୁକ୍ତା ପାଣିଗ୍ରାହୀ ପୁରସ୍କାର (୨୦୦୫). କେଳୁଚରଣ ମହାପାତ୍ର ପୁରସ୍କାର (୨୦୦୬), ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍ (୨୦୧୨)

ସାକ୍ଷାତ: ହରିହର ପଣ୍ଡା

advt
< a href= "#">