ଯେଉଁମାନେ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି, ସେସବୁ ଜାଣିଛି : ଡା. ଦାମୋଦର ରାଉତ

0
1408
Dr Damodar Rout's interview

ବିଜୁ ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ । କେତେବେଳେ ସେ କୋଣଠେସା ହୁଅନ୍ତି ତ କେତେବେଳେ କ୍ଷମତାଶାଳୀ- ଏହା ଆକଳନ କରିବା ମୁସ୍କିଲ୍‍ । ହେଲେ ଛୁରୀ ପରି ତାଙ୍କ ତୁଣ୍ଡ ଚାଲେ, କ୍ଷମତାରେ ଥିଲାବେଳେ ଆଉ କ୍ଷମତାରୁ ଗଲାପରେ ବି । ଟୋକାଠୁ ବୁଢ଼ାଯାଏ ତାଙ୍କୁ ସେଇଥିପାଇଁ ଡରନ୍ତି, ଶ୍ରଦ୍ଧା କରନ୍ତି, ଭୋଟ୍‍ ବି ଦିଅନ୍ତି । ଜଣେ ବିଜୁବାଦୀ, ୭ଥର ବିଧାୟକ ହୋଇଥିବା ଏହି ବିବାଦୀୟ ରାଜନୀତିକ ପଣ୍ଡିତ, ଏବେ ଗ୍ୟାଙ୍ଗଷ୍ଟର ସମ୍ପର୍କକୁ ନେଇ ଚର୍ଚ୍ଚିତ ହୋଇଛନ୍ତି। କେହି କେହି କହୁଛନ୍ତିଯ, ସେ ଜାଣିଶୁଣି ଏମିତି ଏକ ବିବାଦରେ ପ୍ରବେଶ କରିଛନ୍ତି । ଓଡ଼ିଶା ରାଜନୀତିକ ପରିସ୍ଥିତି ଓ ତାଙ୍କରି ଅବସ୍ଥିତି ବାବଦରେ କଥା ହେବା ପାଇଁ ଆମେ ଭେଟିଥିଲୁ ଏହି ବର୍ଷିୀୟାନ ରାଜନେତା ତଥା ରାଜନୀତିକ ଚିନ୍ତକଙ୍କୁ । ଉପସ୍ଥାପନ କରୁଛୁ ତାଙ୍କ ସହ କଥାବାର୍ତ୍ତାର କିୟଦଂଶ ।

 

କିଛିଦିନ ତଳେ ଦଳର କିଛି ଲୋକ ଆପଣଙ୍କ ପୁଅ ସମ୍ବିତଙ୍କୁ ବିଜେଡିର ଉଚ୍ଚ ସ୍ତରୀୟ ବୈଠକରେ ଆପଣଙ୍କ ପ୍ରତିନିଧି ସ୍ୱରୂପ ଡାକିଲେ । ବିବାଦ ଉପୁଜିଲା । ସେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ହେଲେ ପାରାଦୀପରେ ଆପଣଙ୍କ ବିପକ୍ଷରେ ଏକ ସମାନ୍ତରାଳ ଦଳ ଚାଲିଥିବା ଅଭିଯୋଗ ହେଉଛି, ଆପଣଙ୍କ ମତ?

କିଏ ସେ ପାରାଦୀପରେ ସମାନ୍ତରାଳ ସଂଗଠନ କରିବ? ହଁ, ଏହା ସତ ଯେ ସେମାନେ ଅନେକ ଚେଷ୍ଟା କରିଛନ୍ତି । ମୋ ସମର୍ଥକମାନଙ୍କୁ ରାତି ଅଧିଆ ଡାକି ମୋ ବିରୋଧରେ ଗପୁଛନ୍ତି । ସକାଳ ହେଲେ ସେମାନେ ଆସି ମୋତେ ସବୁ କଥା କହୁଛନ୍ତି । ଏହା କହିବା ଆତ୍ମବଡ଼ିମା ହେବ କିନ୍ତୁ ମୁଁ ବଞ୍ଚିଥିବା ଯାଏ ପାରାଦୀପର ବିଧାୟକ ହେଉଥିବି । ଏହି ଆତ୍ମବିଶ୍ୱାସ ମୁଁ ମୋ ଲୋକଙ୍କଠାରୁ ପାଇଛି । ସେମାନଙ୍କ ଆସ୍ଥା ମୋ ଉପରେ ରହିଛି । ତାହାକୁ ମୁଁ ସର୍ବସମ୍ମୁଖରେ ବୟାନ କରିପାରିବି ନାହିଁ ।

 

ଆପଣ କ’ଣ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ, ଏହା କ’ଣ ନିଶ୍ଚିତ?

ହଁ, କାହିଁକି ନୁହେଁ? ମୁଁ କାହିଁକି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବି ନି?

ନୂଆ ପିଢ଼ି, ନୂଆ ରକ୍ତଙ୍କ କ’ଣ ହେବ? ଯୁବା ପିଢ଼ିଙ୍କ ରାଜନୀତିରେ ପ୍ରବେଶ ସମ୍ପର୍କରେ ଆପଣଙ୍କ ମତ କ’ଣ?

ମୋରାର୍ଜୀ ଦେଶାଇ ୯୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଜିବି ଅନେକ ପୁରୁଖା ନେତା ଅଛନ୍ତି ଯାହାଙ୍କୁ ଦେଶ ସମ୍ମାନ କରେ ଏବଂ ସେମାନେ ସେହି ଗୁୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଯୋଗ୍ୟ । ଏହାର ଅର୍ଥ ନୁହେଁ ଯେ, ଯୁବାବର୍ଗ ରାଜନୀତିକୁ ନଆସନ୍ତୁ । ଆସିବା ଦରକାର । କିନ୍ତୁ ଯଦି ସେ ରକ୍ତ ଅପମିଶ୍ରିତ ହୁଏ ତେବେ କ’ଣ କରିବା? ସ୍ୱାଧୀନତାର ପରବର୍ତ୍ତୀ ସମୟରେ ରାଜନୀତିର ଅର୍ଥ ସେବା ଓ ଆତେ୍‍ମାତ୍ସର୍ଗ ଥିଲା । ୭୦ ଦଶକ ପରେ ଏହା କ୍ଷମତା ଓ ଅର୍ଥରେ ପରିଣତ ହେଲା । ମୁଁ କହୁନି କେବଳ ଓଡ଼ିଶାରେ ଏହା ଘଟୁଛି ଏହା ସାରା ଦେଶର ଏକ ପରିସ୍ଥିତି ।

BJD Leader Dr. Damodara Rout2

ଆଜିଯାଏ ଯିଏ ନବୀନଙ୍କ ବିରୋଧରେ ପଦଟିଏ କହିଛି ସେ ରାଜୀତିକ ବନ୍ଧ୍ୟାକରଣର ଶିକାର ହୋଇଛି । ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ପ୍ରଫଲ୍ଲ ଘଡ଼େଇ, ପଞ୍ଚାନନ କାନୁନଗୋ, ଏବେ ବୈଜୟନ୍ତ ପଣ୍ଡା ସଂଗ୍ରାମ ଚଳାଇଛନ୍ତି । ଆପଣ ବି ଅନେକ ଥର ମନ୍ତ୍ରିମଣ୍ଡଳରୁ ବହିଷ୍କାର ହୋଇଛନ୍ତି । ନବୀନଙ୍କ ସଙ୍ଗେ କାମ କରିବା କ’ଣ ସତରେ କଷ୍ଟକର?

ଏହା ମୋ ପାଇଁ ଆନନ୍ଦ ଦାୟକ ଯେ ମୁଁ ନବୀନବାବୁଙ୍କ ସହ କାମ କରିବାକର ସୁଯୋଗ ପାଇଛି । ତାଙ୍କ ସହ କାମ କରିବା କେବେ କଷ୍ଟକର ନୁହେଁ । କିନ୍ତୁ ଯେଉଁମାନେ ନବୀନ ବାବୁଙ୍କୁ ବେଢ଼ି ରହୁଛନ୍ତି ସେମାନେ କିଏ? ସେମାନଙ୍କ ରାଜନୀତିକ ମହତ୍ତ୍ୱ କ’ଣ? ଦଳ ବିଜୂୁବାବୁଙ୍କ ନାଁରେ ନାମିତ, କେତେ ଲୋକ ବିଜୁବାବୁଙ୍କୁ ଦେଖିଛନ୍ତି? କେହି ଜଣେ ଲୋକର ନାଁ ନେଇ ପାରିବେ ଯିଏ ବିଜେଡିର ମଙ୍ଗ ଧରିଛନ୍ତି ଆଉ ଅତୀତରେ ବିଜୁ ବାବଙ୍କୁ ସହ କାମ କରିଥିବେ? ମୁଁ ବୋଧହୁଏ ଏକମାତ୍ର ବ୍ୟକ୍ତି ହେବି ।

 

ଆପଣଙ୍କୁ ଆଉଥରେ ମନ୍ତ୍ରିମଣ୍ଡଳ ମିଳିବ? ଆପଣ ଆଉଥରେ ଥଇଥାନ ହେବେ?

ଜରୁରୀ କ’ଣ?

 

ନବୀନଙ୍କୁ ଲୋକ ଏତେ ଭଲ ପାଉଛନ୍ତି କାହିଁକି? କାହିଁକି ତାଙ୍କୁ ବାରମ୍ବାର ନିର୍ବାଚିତ କରିବାକୁ ଲୋକ ପସନ୍ଦ କରୁଛନ୍ତି? ଜଣେ ପୁରୁଖା ରାଜନେତା ତଥା ରାଜନୀତିକ ଚିନ୍ତକ ମାନେ ଏ ବାବଦରେ ମତ ରଖିପାରିବେ?

ଏହାର ମୂଳ କାରଣ ହୋଇପାରେ ଯେ ସେ ବିଜୁବାବୁଙ୍କ ପୁଅ । ଲୋକଙ୍କର ଏକ ସ୍ୱତନ୍ତ୍ର ଭାବପ୍ରବଣତା ବିଜୁବାବୁଙ୍କ ପ୍ରତି ରହି ଆସିଛି । ଓଡ଼ିଶାରେ ଲୋକେ ତାଙ୍କୁ ଯଥେଷ୍ଟ ଭଲ ପାଉଥିଲେ । ତାଙ୍କ ଦାୟାଦ ଭାବେ ନବୀନ ବାବୁଙ୍କୁ ମଧ୍ୟ । ଏହାବାଦ୍‍ ନବୀନଙ୍କବାବୁଙ୍କ ବିକାଶମୂଳକ କାର୍ଯ୍ୟକ୍ରମରୁ ଲୋକେ ସିଧାସଳଖ ଫାଇଦା ପାଉଛନ୍ତି । ଏସବୁ ଯୋଜନା ବିଜୁବାବୁଙ୍କ ମାନସପୁତ୍ର । ନବୀନ ତାହାକୁ କେବଳ ରୂପାୟନ କରୁଛନ୍ତି । ସେତେବେଳେ ସେ ଏସବୁ କରିପାରୁ ନଥିଲେ କାରଣ ତାଙ୍କ ପାଖରେ ବା ରାଜ୍ୟ ପାଖରେ ଅର୍ଥ ନଥିଲା । ଏବେ ରାଜ୍ୟର ରାଜସ୍ୱ ଯଥେଷ୍ଟ ବଢ଼ଛିି । ସେତେବେଳେ ସେ ବିଦେଶୀ ପୁଞ୍ଜି ନିବେଶ, ଅର୍ଥନୀତିକ ସ୍ୱତନ୍ତ୍ରତା, ଗ୍ରାମାଞ୍ଚଳର ବିକାଶ ପାଇଁ ଅଧିକ ଅନୁଦାନ, ମହିଳାଙ୍କ ରାଜନୀତିରେ ଅଂଶୀଦାରୀ ବଢ଼ାଇବା ବିଷୟରେ ଯୁକ୍ତି ବାଢ଼ୁଥିଲେ । ଆଜି ତାହା ବାସ୍ତବ ହୋଇପାରିଛି ।

 

BJD Leader Dr Damodar Rout facing an interview

ଆପଣ ବିଜୁ ବାବୁ, ନୀଳମଣି ରାଉତରାୟ, ଏବଂ ନବୀନ ବାବୁଙ୍କ ସହ କାର୍ଯ୍ୟ କରିଛନ୍ତି । ଏମାନଙ୍କ ଭିତରେ ପ୍ରଭେଦ କ’ଣ ଲକ୍ଷ୍ୟ କରିଛନ୍ତି?

ବିଜୁବାବୁ ଓ ନିଳମଣିବାବୁଙ୍କ ସମୟରେ ଦଳଟି ଗୋଟିଏ ଯୌଥ ପରିବାର ସଦୃଶ ଥିଲା । ସମସ୍ତେ ସମସ୍ତଙ୍କସହ ଅତ୍ୟନ୍ତ ନିବିଡ଼ ଥିଲେ । ଏବେ କେହି କାହା ସହ କଥା ହେଉ ନାହାନ୍ତି ।

 

ଅନାସ୍ଥା କି ଭୟ ରହିଛି?

ମୁଁ ଜାଣିନି ।

ଓଡ଼ିଶା ରାଜନୀତିକୁ ନେଇ ବିଜେପି ଏବେ ଅଙ୍କ କଷୁଛି । ଲୋକସଭା ଓ ବିଧାନସଭାରେ ଅଧିକ ଆସନ ଆଶା କରିଛି । ଯଦିଓ କିଛି ଘୋଷଣା ହୋଇ ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି । ଏହା କ’ଣ ଦଳର ରାଜନୀତିକ ବିକାଶ ହୋଇଥିବା ସୂଚନା ଦେଉଛି?

ମୁଁ କେମିତି କହିବି? ଯେଉଁଦିନ ବଡ଼ଦାଣ୍ଡ ଉପରେ ଠିଆ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ୨୦୧୯ରେ ମୋଦିଙ୍କ ନବକଳେବର ପୁରୀରୁ ହେବ ବୋଲି, ସେତେବେଳେ ମୁଁ କହିଥିଲି ବିଜେପି ତା’ର ବିନାଶକୁ ଆରମ୍ଭ କରିବାର ଦ୍ୱାର ଖୋଲିଲା ବୋଲି । କାରଣ ଏଠାରେ କେବଳ ଭଗବାନ ହିଁ ନବକଳେବର ନେଇପାରନ୍ତି । ବିଜେପିର ଏହି ଆଭିମୁଖ୍ୟକୁ କ’ଣ ଓଡ଼ିଶାର ଲୋକେ ପସନ୍ଦ କରିବେ?

 

ଆପଣଙ୍କ ନାଁରେ ଆଉ ଏକ ସଙ୍ଗୀନ ଅଭିଯୋଗ ଉଠୁଛି ଯେ, ଆପଣ ଦଳ ବିରୋଧୀ ବୟାନ ଦେଉଛନ୍ତି, କେମିତି ମତ ରଖିବେ?

ମୋତେ ଗୋଟେ ଉଦାହରଣ ଦେଖାନ୍ତୁ ଯେଉଁଠାରେ ମୁଁ ଦଳ ବିରୋଧୀ ବୟାନ ରଖିଛି ଏବଂ ଦଳର ଶୃଙ୍ଖଳା ଉଲ୍ଲଙ୍ଘନ କରିଛି । ମୁଁ ଦିନ ରାତି ୨୪ ଘଣ୍ଟା ଦଳ ପାଇଁ ଦଳର ସ୍ୱାର୍ଥରେ କାମ କରୁଛି । ବିଜୁବାବୁ ରାଜନୀତି ପାଇଁ ତାଙ୍କ ଘର ବିକ୍ରି କରିଥିଲେ, ଏଠାରେ ଲୋକେ ରାଜନୀତିରେ ପାଦ ଥାପୁଛନ୍ତି କୋଟିପତି ହେବା ପାଇଁ । ମୁଁ ଜାଣିଛି କେଉଁମାନେ କେତେବେଳେ ଦିଲ୍ଲୀ ଯାଉଛନ୍ତି ସେଠାରେ ଧର୍ମେନ୍ଦ୍ରଙ୍କୁ ଭେଟିବା ଲାଗି । ଗୁପ୍ତରେ କେଉଁଠି ବୈଠକ ବସୁଛି ସବୁ ଖବର ରହିଛି । କିନ୍ତୁ ଆପଣଙ୍କୁ କାହିଁକ କହିବି? ମୁଁ ବିଜୁବାବୁଙ୍କ ଜଣେ ଦୃଢ଼ ସମର୍ଥକ ଓ ତାଙ୍କରି ଆଦର୍ଶରେ ହିଁ ବଞ୍ଚିିବି ।

 

ଆପଣ ପାରାଦୀପରେ ଏକ କ୍ରାଇମ୍‍ ସିଣ୍ଡିକେଟ୍‍ ଚଳାଇଛନ୍ତି ଏବଂ ଏହା ଆପଣଙ୍କ ରାଜନୀତିକ ଉଦ୍ଦେଶ୍ୟ ସାଧନ ନିମିତ୍ତି ଉଦ୍ଦିଷ୍ଟ ବୋଲି ଅଭିଯୋଗ ହେଉଛି । ନିକଟରେ ବାପୁ ପରିଡ଼ାଙ୍କ ଅପରାଧିକ ଲିଙ୍କ୍‍କୁ ଆପଣ ମିଡିଆରେ ପ୍ରକାଶ କରିବା ପରେ ଏହି ଅଭିଯୋଗସବୁ ସକ୍ରିୟ ହୋଇଛି, ଆପଣ କେମିତି ଏହାକୁ ପ୍ରତିରୋଧ କରିବେ?

ଗଲା ୪୦ ବର୍ଷ ହେଲା ମୁଁ ପାରାଦୀପର ପ୍ରତିନିଧିତ୍ୱ କରୁଛି । ଏହି ସମୟ ଭିତରେ ମୁଁ କାହାଠୁ ଟଙ୍କାଟିଏ ନେଇଛି ବା ଖାଇଛି ବୋଲି କେହି କହିପାରିବେ ନାହିଁ । ଏପରିକି ମୋର ଶତ୍ରୁମାନେ ମଧ୍ୟ ମୋ ଉପରକୁ ଆଙ୍ଗୁଠି ଦେଖାଇବା ବେଳେ ମୋର ଚିନ୍ତନ, ମୋର ଦକ୍ଷତା ଏବଂ ସାଚ୍ଚୋଟପଣିଆକୁ ଦେଖି ହତ୍‍ବାକ୍‍ ହୁଅନ୍ତି । ଅପରାଧ କଥା କହୁଛନ୍ତି; ଏହି ୪୦ ବର୍ଷର ବିଧାୟକ କ୍ୟାରିୟର ଭିତରେ ମୋ ନାଁରେ କେହି ଗୋଟିଏ ଏତଲା ବି ଦାୟର କରି ନାହାନ୍ତି । ଯେଉଁ ବାପୁ ପରିଡ଼ା କଥା କୁହାଯାଉଛି, ତା’ ବିରୋଧରେ ପ୍ରଥମେ ମୁଁ ହିଁ ପୁଲିସକୁ ଅଭିଯୋଗ କରିଥିଲି ଆଉ ମୋରି ଅଭିଯୋଗ ବଳରେ ତାକୁ ଦିନେ ଗିରଫ କରାଯାଇଥିଲା । ଏହା ଅନେକ ଦିନ ତଳର କଥା । ଏହାଛଡ଼ା ମୁଁ ଯେତିକି ତାକୁ ଜାଣିଛି ସେ ଗୋଟେ ଛୋଟ କ୍ରିମିନାଲ୍‍ । ଟିଟୋ ଓ ତା’ର ଗ୍ୟାଙ୍ଗ୍‍ ସହତା’ର କୌଣସି ସମ୍ପର୍କ ନାହିଁ । ମିଡିଆ ଯେତେବେଳେ ମୋତେ ତାଙ୍କ ବିଷୟରେ ପଚାରିଲେ ମୁଁ ସେତେବେଳେ କହିଥିଲି ବାପୁ ପରିଡ଼ାର କାରବାର ଆଇଓସିଏଲ୍‍ରେ ପରିଧିରେ ସୀମିତ ।

 

ପୁଲିସ କହିଛି ତାଙ୍କ ବିରୋଧରେ ୨୮ଟି ମାମଲା ରହିଛି । ଆପଣ ବି କହୁଥିଲେ ଯେ, ଆପଣ ତାଙ୍କ ବିରୋଧରେ ଯେଉଁ ତଥ୍ୟ ପୁଲିସକୁ ଦେଇଥିଲେ ତାହା ମୁନା ପତି ହତ୍ୟା ମାମଲା ଥିଲା । ଯାହାକୁ କେନ୍ଦ୍ରକରି ତାଙ୍କୁ ଗିରଫ କରାଯାଇଥିଲା । ତଥାପି ଆପଣ କହିବେ ସେ ଜଣେ ଛୋଟିଆ ଅପରାଧି ବୋଲି?

ମୁଁ ଟିଟୋ ସାମ୍ରାଜ୍ୟ ସହ ତା’ର ଲିଙ୍କ୍‍ ପ୍ରସଙ୍ଗକୁ ନେଇ କହୁଛି । ଯଦି ୨୮ଟି ମାମଲା ତା ବିରୋଧରେ ରହିଛି ତେବେ ଏତେଦିନ ଯାଏ ପୁଲିସ ଶୋଇଥିଲା କେଉଁଠି? ଗଲା ୩ ବର୍ଷ ହେଲା ତା’ ବିରୋଧରେ ଗୋଟିଏ ବି ମାମଲା ଦାୟର ହୋଇ ନାହିଁ । ପୁଣି ଯେଉଁ ମାମଲାଗୁଡ଼ିକ ଅଭିଯୋଗ ହେଉଛି ସେସବୁ ୧୦/୧୫ ବର୍ଷ ପୁରୁଣା । ସେହିପରି ତାଙ୍କୁ ଏବେ ସାଧାରଣ ଥାନା ପୁଲିସ ଗିରଫ କରିନି । ଏକ ସ୍ୱତନ୍ତ୍ର ଏତଲାକୁ ଭିତ୍ତିକରି ସ୍ୱତନ୍ତ୍ର ଟାସ୍କ ଫୋର୍ସ ତାଙ୍କୁ ଗିରଫ କରିଛନ୍ତି । କେଉଁ ଆଇନ ବଳରେ ଆମେ ସିଧା ସିଧା ଟାସ୍କଫୋର୍ସ ପାଖରେ ଏତଲା ଦାୟର କରିବା?

BJD leader and former Minister Dr Damodar Rout

ଆପଣଙ୍କ ଅନେକ କାର୍ଯ୍ୟକ୍ରମରେ ସେ ଦେଖାଯାଇଛି । ଆପଣଙ୍କର ତା’ ସହ ଭଲ ସମ୍ପର୍କ ବୋଲି ଅଭିଯୋଗ ହେଉଛି । ପୁଣି ଆପଣଙ୍କ ମିଡିଆ ବୟାନ ଏହାକୁ ଆହୁରି ସ୍ପଷ୍ଟ କରୁଛି?

ଏଗୁଡ଼ିକ ସବୁ ତିଆରି କରାଯାଇଥିବା ଅଭିଯୋଗ । ମୁଁ କେବେ ବି କହୁନାହିଁ ସେ ଜଣେ ଅପରାଧୀ ନୁହେଁ ବୋଲି । ଏଣୁ ପୁଲିସ ତାଙ୍କୁ ଗିରଫ କରିବାରେ ଆପତ୍ତି ନାହିଁ । ହେଲେ ଟିଟୋ ଗ୍ୟାଙ୍ଗ୍‍ ସହ ସମ୍ପର୍କକୁ ମୁଁ ଏଠାରେ ବିରୋଧ କରୁଛି । ଗଲା କିଛିଦିନ ତଳେ ଟିଟୋର ଭାଇକୁ ନବୀନଙ୍କ ସମ୍ମୁଖରେ କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ଉତ୍ସବରେ ବିଜେଡିରେ ମିଶାଗଲା, ଏହା କ’ଣ ମିଛ? ପାରାଦୀପଠାରେ ମୁଁ ଯେତେବେଳେ ମହାନଦୀ ମହାସଂଗ୍ରାମ ଆୟୋଜନ କରୁଥିଲି ସେତେବେଳେ ଭୁତମୁଣ୍ଡାଇଠାରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମାନ୍ତରାଳ ସମାବେଶ ଆୟୋଜନ କରି ମୋ ଆୟୋଜନକୁ ଭଣ୍ଡୁର କରିବାକୁ ଚାହିଁଥିଲେ । ତାଙ୍କରି ସଭାକୁ ଲୋକ ଆଣିବାକୁ ଯେଉଁ ଗାଡ଼ି ବ୍ୟବହାର କରାଯାଉଥିଲା ତାହା ଟିଟୋ ସାନଭାଇର ଗାଡ଼ି ଥିଲା, ଏହାକ ‘ଣ ମିଛ? ମୁଁ ଆଜିଯାଏ କେବେ ଜଣେ ଠିକାଦାରକୁ ମୋ ସଭାର ଆଗରେ ବସିବାର ସୁଯୋଗ ଦେଇ ନାହିଁ ।

 

ତାହେଲେ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି? ଖାଲି ବାପି ସର୍ଖେଲଙ୍କ ହାତ ଏଥିରେ ରହିଛି ନା ଆଉ କେହି?

ମୁଁ ଏ ପ୍ରକାର ଷଡ଼ଯନ୍ତ୍ରକୁ ଖାତିର ହିଁ କରେନି । ଆପଣ ଇଣ୍ଟରପୋଲ୍‍କୁ ଡାକିପାରନ୍ତି ମୋ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରିବା ଲାଗି । କିଛି ବି ମିଳିବନି । ମୋ ବିରୋଧରେ କିଏ ଏସବୁ କରୁଛି ମୁଁ କାହିଁକି କହିବି? ଆପଣ ଖୋଜୁ ନାହାନ୍ତି ।

Loading...