ଅପରାଜିତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର: ’ଭିଡିଓ କନ୍‌ଫରେନ୍ସିଂରେ ଶାସନ ଚାଲେନି, ମନେ ରଖିବେ’

1
9292
advertisement

ନିକଟରେ ଆଇଏଏସ୍‌ ଚାକିରି ଛାଡ଼ିଥିବା ଭାରତ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟା ଅଧିକାରୀ ତଥା ଓଡ଼ିଶାରେ ମିଶନ ଶକ୍ତିର ପ୍ରଥମ ନିର୍ଦେଶକ, ବିଏମ୍‌ସିର କମିଶନର, ଓଡ଼ିଶା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଅପରାଜିତା ଷଡ଼ଙ୍ଗୀ ଗଲା କିଛିଦିନ ହେଲା ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ନୀତି ଆଦର୍ଶ ତାଙ୍କ ଭିତରେ ଥିବା ରାଜନୀତିକ ଇଚ୍ଛାଶକ୍ତିକୁ ଜାଗ୍ରତ କରିଛି। ତାଙ୍କ ଯୋଗଦାନକୁ ବିଜେପି ଶିବିରରେ ଗୁରୁତ୍ଵପୂଣ୍ଣ ବୋଲି ଗ୍ରହଣ କରାଯାଉଛି। କେହି କେହି କହୁଛନ୍ତି ସେ ହେବେ ଆସନ୍ତା ନିର୍ବାଚନରେ ବିଜେପିର ମୁହଁ। ଆଉ କେହି କହୁଛନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପସନ୍ଦ। ଆସନ୍ତା ୨୪ ତାରିଖରେ ମୋଦି ଖୋର୍ଦ୍ଧାରେ ଯେଉଁ ଅଭିଭାଷଣ ଦେବେ ସେ ସେଠାରେ ଅପରାଜିତାଙ୍କୁ ଜନସାଧାରଣଙ୍କ ଆଗରେ  ଉପସ୍ଥାପନ କରିବେ, ତାଙ୍କ ପ୍ରାର୍ଥୀ ଭାବେ। ଲୋକସଭା ପାଇଁ ସେ ହେଉଛନ୍ତି ପ୍ରମୁଖ ଦାବିଦାର। ଆଉ ସେଥିଲାଗି ଭୁବନେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀରେ ସେ ବିଭିନ୍ନ ଜନ ସମ୍ପର୍କ ଯାତ୍ରାରେ ଯୋଗ ଦେଇ ଲୋକଙ୍କ ସହ ନିଜର ଦ୍ଵିତୀୟ ଇନିଂସ ଆରମ୍ଭ କରିବାରେ ଲାଗିପଡ଼ିଛନ୍ତି। ପ୍ରସ୍ତୁତ କରୁଛୁ ତାଙ୍କ ସହ କଥାବାର୍ତ୍ତାର କିୟଦଂଶ।

ପ୍ରଥମ ପ୍ରଶ୍ନ, ଯାହା ଆପଣଙ୍କୁ ନେଇ ମନରେ ଆସିବା ସ୍ଵଭାବିକ, ଆଇଏଏସ୍‌ ଛାଡ଼ି ରାଜନୀତିକୁ କାହିଁକି?

ସର୍ବଭାରତୀୟ ସେବାରେ ଚାକିରି କରୁଥିବାବେଳେ ମୋତେ ଲାଗିଲା ଯେ, ଲୋକଙ୍କ ସଙ୍ଗେ କାମ କଲେ, ଲୋକଙ୍କ କଥା ବୁଝିଲେ ହିଁ ପ୍ରକୃତରେ ଆମକୁ ଏକ ଅଦ୍ଭୁତ ଶାନ୍ତି ଅନୁଭବ ହୁଏ। ଏହାକୁ ଆପଣ ଆତ୍ମ ସନ୍ତୋଷ ବୋଲି କହିପାରନ୍ତି। ଆଉ ଲୋକଙ୍କ ସହ କାମ କରିବା ପାଇଁ ସବୁଠାରୁ ଅଧିକ ସୁଯୋଗ ରାଜନୀତିରେ ହିଁ ମିଳିଥାଏ। ଲୋକସେବାର ସବୁଠାରୁ ବଡ଼ ମାଧ୍ୟମ ହେଉଛି ରାଜନୀତି । ମୁଁ ଜାଣିଛି ପ୍ରଶାସନିକ ସେବାରେ ମୁଁ ନିଜର ଆରାମଦାୟକ ଜୋନ୍‌ (ପରିସର)କୁ ଛାଡ଼ି ଚାଲି ଆସିଛି। ମୋ ଚାକିରି ସମୟରେ ମୁଁ ଅନେକ ଭଲ ପୋଷ୍ଟିଂ ପାଇଛି ଏବଂ ଆଗକୁ ମୋ ପାଇଁ ଅନେକ ସୁଯୋଗ ଥିଲା।  ମୋତେ ଅତୀତରେ ମିଳିଥିବା ସମସ୍ତ ସୁଯୋଗ ପାଇଁ ମୁଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ କୃତଜ୍ଞ। କିନ୍ତୁ ଏ ଚାକିରି ସମୟରେ ବି ମୋତେ ଲାଗୁଥିଲା ଯେ, ମୁଁ ଅନେକ କିଛି କରିବାର ଅଛି। ଆଉ ଚାକିରିରେ ରହି  ସେସବୁ ସମ୍ଭବ ନୁହେଁ। ସେଥିଲାଗି ମୁଁ ରାଜନୀତିକୁ ଆସିଲି।

ଆଇଏଏସ୍‌ରେ ସେ ସୁଯୋଗ ନାହିଁ?

ଆଇଏଏସ୍‌ରେ ଥିବାବେଳେ ଏହା ନିଃସନ୍ଦେହ ଯେ ଆପଣ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ଆପଣଙ୍କ ପାଖରେ ସେ ସୁଯୋଗ ନାହିଁ ଯେ ଆପଣଙ୍କ ଇଚ୍ଛା ଅନୁସାରେ ବା ଲୋକଙ୍କ ଆବଶ୍ୟକ ଅନୁସାରେ ଆପଣ ସେବା ପ୍ରଦାନ କରିପାରିବେ। ଆପଣ ମହିଳା ଶିଶୁ କଲ୍ୟାଣ ବିଭାଗ ସଚିବ ହୋଇ ସ୍ଵାସ୍ଥ୍ୟ, ସହରାଞ୍ଚଳ ବିଭାଗ ଆବଶ୍ୟକକୁ ପୂରଣ କିପାରିବେ ନାହିଁ। ଅର୍ଥାତ୍‌ ଆପଣଙ୍କୁ ସୀମିତ ପରିଧି ଭିତରେ କାମ କରିବାକୁ ହୋଇଥାଏ। ଅର୍ଥାତ୍‌ ମୁଁ ଏକ ନିଦ୍ଦିଷ୍ଟ ବର୍ଗର ଲୋକଙ୍କ ଉପରେ ହିଁ ପ୍ରଭାବ ପକାଇପାରିବି। କିନ୍ତୁ  ରାଜନୀତିରେ ଆପଣଙ୍କ ପାଖରେ କାମ କରିବାର ସୁଯୋଗ ଯଥେଷ୍ଟ ରହିଛି।

 

ବିଜେପି ପକ୍ଷରୁ ଆୟୋଜିତ ଲକ କାର୍ଯ୍ୟକ୍ରମ ଉଦ୍‌ଘାଟନୀ ଅବସରରେ

 

ରାଜନୀତି ଅସୀମ, ସୀମା ନାହିଁ?

ମୋତେ ଲାଗେ ରାଜନୀତିରେ ଲୋକଙ୍କ ପାଇଁ କାମ କରିବାର ବହୁତ ବଡ଼ ସୁଯୋଗ ରହିଛି। ଏହା ହେଉଛି ଲୋକସେବାର ସବୁଠୁ ବଡ଼ ମାଧ୍ୟମ। ଏହାକୁ ବାଛିବା ସବୁଠାରୁ କଷ୍ଟକର ନିଷ୍ପତ୍ତି ଥିଲା ଯାହାକୁ ମୁଁ ଗ୍ରହଣ କରିଛି।

ଯଦି ରାଜନୀତିରେ ଆଗକୁ ପ୍ରତିବନ୍ଧକ ଆସିଲା, ଆପଣଙ୍କୁ ଲାଗିବ ଯେ, ଆପଣ ପୁଣିସୀମାବଦ୍ଧ ହୋଇଗଲେ; ଆପଣ ଯାହା କରିବାକୁ ଚାହୁଁଛନ୍ତି ସୁଯୋଗ ମିଳିଲା ନାହିଁ,  ତେବେ ଆପଣ ରାଜନୀତି ଛାଡ଼ିଦେବେ?

ଦେଖନ୍ତୁ ଗୋଟିଏ ଜିନିଷ ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହିଁବି ଯେ, ମୁଁ ହେଉଛି ନୀତି ଓ ଆଦର୍ଶରେ ବିଶ୍ଵାସ କରୁଥିବା ଜଣେ ମଣିଷ। ମୋ ଜୀବନରେ ତାହା ବ୍ୟକ୍ତିଗତ ହେଉ ବା ପ୍ରଶାସନିକ, ମୁଁ କେବେ ନୀତି ବା ଆଦର୍ଶ ସହ ସାଲିସ କରି ନାହିଁ। ମୁଁ ବହୁତ ଆଶାବାଦୀ ଯେ, ମୁଁ ମୋ ନୀତି ଏବଂ ପ୍ରତିଶ୍ରୁତିକୁ ଲୋକଙ୍କ ସମ୍ମୁଖକୁ ଆଣିବାରେ ସମର୍ଥ ହେବି।

କିନ୍ତୁ ପରିସ୍ଥିତି ତ ସବୁବେଳେ ଏକାଭଳି ନଥାଏ?

ଦେଖନ୍ତୁ ମୁଁ ଗୋଟିଏ ଜିନିଷ ପୁଣିଥରେ ମୁଁ ଆପଣଙ୍କୁ କହୁଛି ଯେ, ମୁଁ ଜଣେ ଅତ୍ୟନ୍ତ ସକରାତ୍ମକ ବ୍ୟକ୍ତି। ବିଜେପି ପରିବାରକୁ ଆସି ମୁଁ ବହୁତ ଖୁସି। ବିଜେପି କର୍ମୀ ତଥା ନେତୃମଣ୍ଡଳୀ ସମସ୍ତେ ଏଠାରେ ଗୋଟିଏ ଟିମ୍‌ ଭଳି କାର୍ଯ୍ୟ କରୁଛନ୍ତି। ଏଭଳି ଏକ ପରିବାରରେ ମୋତେ ମୋ ନୀତି ଓ ଆଦର୍ଶ ସହ ସାଲିସ କରିବାକୁ ପଡ଼ିବ ନାହିଁ ବୋଲି ମୁଁ ନିଶ୍ଚିତ। ଆମେ ଏହା କେବେ ଆଶଙ୍କା କରିବା ଉଚିତ ନୁହେଁ ଯେ, ଆଗକୁ କିଛି ନକରାତ୍ମକ ବିଷୟ ହେବ। ମୁଁ କାହିଁକି ଆଶଙ୍କା କରିବି?

ମୁଁ ଏ ବିଷୟ କାହିଁକି ପଚାରୁଛି ତା’ ପଛର କାରଣ ହେଉଛି ଆପଣଙ୍କ ପୂର୍ବରୁ ଅନେକ ପ୍ରଶାସନିକ ଅଧିକାରୀ ରାଜନୀତିରେ ଯୋଗ ଦେଇଛନ୍ତି। ଏପରିକି ଚାକିରି ଛାଡ଼ି ଆପଣଙ୍କ ଭଳି ବିଜେପିରେ ଯୋଗ ଦେଇଥିଲେ ଆଉ କିଛିଦିନ ପରେ ସେମାନେ ନିରାଶ ହେଲେ, ସେମାନଙ୍କୁ କୋଣ ଠେସା କରାଗଲା ବା କାଢ଼ିଦିଆଗଲା ବା ସେମାନେ ପାର୍ଟିରୁ ଇସ୍ତଫା ଦେଇଦେଲେ। ଏବେ ସେହିଭଳି ନେତାଙ୍କ ଭିତରୁ କିଛିଅନ୍ୟପାର୍ଟିରେ ତ ଆଉ କିଛି ନିଜର ସ୍ଵାଭିମାନ ରକ୍ଷା ପାଇଁ ସ୍ଵତନ୍ତ୍ର ରାଜନୀତିକ ଦଳ ଗଠନ କରିଛନ୍ତି।  ଜଣେ ପୋଖତ ପ୍ରଶାସକ ଭାବେ ଆପଣ ତ ଏ ଦିଗଗୁଡ଼ିକୁ ନିଶ୍ଚିତ ଆଲୋଚନା କରିଥିବେ?

ଆମେ କାହିଁକି ନକରାତ୍ମକ କଥା ହେବା? ଆପଣ କହୁନାହାନ୍ତି- ଆଜ୍ଞା ଆପଣ ବହୁତ ବଢ଼ିଆ କାମ କରିବେ। ଆପଣଙ୍କ ପ୍ରଶାସନିକ ଲୋକପ୍ରିୟତା ଆପଣଙ୍କୁ ଆହୁରି ଆଗକୁ ନେବ। ଲୋକଙ୍କ ମନ ଜିତିବ। ଏଣୁ ଏଭଳି କିଛି ବିଷୟରେ କଥା ହେବାକୁ ମୁଁ ଚାହିଁବି ନାହିଁ ଯାହା ଆଶଙ୍କା ଉପରେ ପର୍ଯ୍ୟବସିତ। ମୁଁ ନକରାତ୍ମକ ବିଷୟ ଚିନ୍ତା କରେ ନାହିଁ କି କଥା ହୁଏ ନାହିଁ।

ବନ୍ଧୁଙ୍କ ସହ କୌଣସି ଏକ ବିଶେଷ ମୁହୂର୍ତ୍ତରେ ( ଫାଇଲ୍‌ ଫଟୋ )

କିନ୍ତୁ ଏହା ତ ପଚାରିପାରିବି, ଏତେ ଦଳ ଥାଉ ଥାଉ ଆପଣ ବିଜେପିକୁ କାହିଁକି ବାଛିଲେ? ପୁଣି ଯେଉଁ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ ଏତେ ଦିନ ହେଲା କାମ କରୁଛି ଆଉ ଆପଣ ଯାହାଙ୍କ ନେତୃତ୍ଵରେ ଅନେକ କିଛି ଲୋକହିତକର କାମ ରୂପାୟନ କରିଛନ୍ତି ତାଙ୍କ ଦ୍ଵାରା ପରିଚାଳିତ ଦଳରେ କାହିଁକି ଯୋଗ ଦେବାକୁ ଚାହିଁଲେ ନାହିଁ?

ଏହା ଏକ ଭଲ ପ୍ରଶ୍ନ। ଏ ବାବଦରେ ମୁଁ କହିବାକୁ ଚାହେଁ ଯେ, ଯେତେବେଳେ ଏତେବଡ଼ ନିଷ୍ପତ୍ତି ନିଆଯାଏ ସେଥିପାଇଁ ଅନେକ ଚିନ୍ତା କରି ନିଆଯାଏ। କେଉଁ ପାର୍ଟି ଯିବି  ସେ ବାବଦରେ ଅନେକ ଚିନ୍ତା ହୋଇଛି। ବିଜେପିରେ ଯୋଗ ଦେବା ପୂର୍ବରୁ ଦୁଇଟି ଜିନିଷ ମୋତେ ଆକର୍ଷିତ କରିଥିଲା। ତାହା ହେଲା ଏହାର ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରା ଏବଂ ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ। ଏହା ସହ ମୁଁ ତିନୋଟି ବହି ପଢ଼ିଥିଲି ତାହା ହେଲା: ବିଜେପି ଆଣ୍ଡ  ଦି ଇଭୋଲ୍ୟୁସନ୍‌ ଅଫ୍‌ ହିନ୍ଦୁ ନ୍ୟାସନାଲିଜିମ୍‌,  ବାୟୋଗ୍ରାଫି ଅଫ୍‌ ନରେନ୍ଦ୍ର ମୋଦି ଏବଂ ବାୟୋଗ୍ରାଫି ଅଫ୍‌ ଦୀନ ଦୟାଲ୍‌ ଉପାଧ୍ୟାୟ। ଏସବୁ ମୋ ଜୀବନରେ ପ୍ରଶମିତ ଥିବା ରାଜନୀତିକ ଇଚ୍ଛଶକ୍ତିକୁ ଶକ୍ତ କରାଇଥିଲା। ଭାରତୀୟ ଜନତା ପାର୍ଟିର ବିକାଶ କୈନ୍ଦ୍ରିକ ଚିନ୍ତାଧାରା, ଅନ୍ତର୍ନିହିତ ଶକ୍ତି, ସ୍ଵଚ୍ଛତା, ଗତିଶୀଳତା ମୋତେ ଅନେକ ଆକୃଷ୍ଟ କଲା। ଏହା ମୋର ଚିନ୍ତାଧାରା ସହ ମିଶିଗଲା। ଏଣୁ ମୁଁ ବିଜେପିକୁ ପସନ୍ଦ କଲି। ଦ୍ଵିତୀୟରେ ମୁଁ ଯେତେବେଳେ ଏମ୍‌ଏନ୍‌ଆର୍‌ଜିଏର ଯୁଗ୍ମ ସଚିବ ଥିଲି ସେତେବଳେ ସାରା ଦେଶ ପାଇଁ ଆବଶ୍ୟକ ୫୫ ହଜାର କୋଟି ଟଙ୍କା ଖର୍ଚ ଦାୟିତ୍ଵ ମୋ ଉପରେ ନ୍ୟସ୍ତ ଥିଲା। ଏହା ବିଶ୍ଵର ସବୁଠାରୁ ବଡ଼ ଗରିବ ଦୂରୀକରଣ କାର୍ଯ୍ୟକ୍ରମ। ମୁଁ ୫ ବର୍ଷ ଭିତରେ ଏ ବାବଦରେ କାମ କଲି ଆଉ ସେ ସମୟରେ ଯେଉଁ ବିଶ୍ଵାସ, ଆସ୍ଥା ମୁଁ ଦେଖିଛି ଆଉ ପ୍ରଧାନମନ୍ତ୍ରୀଙ୍କ ସହ ସିଧା ସଳଖ କାମ କରିବାର ଯେଉଁ ଅଭିଜ୍ଞତା ମୁଁ ହାସଲ କରିଛି ସେତେବଳେ ଅନୁଭବ କରିଛି ଯେ, ସେ ବହୁତ କର୍ମଠ, ସ୍ଵଚ୍ଛ, ଗତିଶୀଳ। ତାଙ୍କ ପାଖରେ କାମ କରିବା ସମୟରେ ମୁଁ ଅନେକ ଅନୁପ୍ରାଣୀତ ହୋଇଛି।

ତା ହେଲେ ‘ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ, ଚିନ୍ତାଧାରା, କାମ କରିବାର ଶୈଳୀ’ ହିଁ ଆପଣଙ୍କୁ ବିଜେପିରେ ଯୋଗ ଦେବାର ମୁଖ୍ୟ କାରଣ?

ହଁ। ପାର୍ଟିର ଉଦ୍ଦେଶ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାମ କରିବାର ଶୈଳୀ ମୋତେ ପାର୍ଟିକୁ ଆକର୍ଷିତ କରିଛି।

ଓଡ଼ିଶାରେ ୪ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ଵ କ’ଣ ଆପଣଙ୍କୁ ଆକର୍ଷିତ କରିପାରି ନଥିଲା?

ମୁଁ କେବେ ଏହି ନେତୃତ୍ଵରେ ପ୍ରଭାବିତ ହୋଇପାରି ନାହିଁ। ଏହା ଠିକ୍‌ କହିଛନ୍ତି ଯେ, ମୁଁ ଏଠାରେ ଅନେକ ବର୍ଷ ଧରି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛି। ମୁଁ କିନ୍ତୁ ୫ ବର୍ଷ କେନ୍ଦ୍ରରେ କାମ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଦ୍ଵାରା ପ୍ରଭାବିତ।

କ’ଣ ଏଠି ଅଭାବ ରହିଛି?

ଏ ସରକାର ସ୍ଥାଣୁ ଓ ଶିଥିଳ। ଏଠାରେ ଦୂର ଦୃଷ୍ଟି ନାହିଁ। ମୋର ଗୋଟିଏ ପ୍ରଶ୍ନ: ଏକ ଦୀର୍ଘମିଆଦି ବିକାଶ ପାଇଁ ଯୋଜନା କହିଁ? ଆମକୁ ଟଙ୍କିକିଆ ଚାଉଳ ଦେଲେ ହେବନାହିଁ। ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଇସା ପଠାଇଦେଲେ ହେବନି। ଆମକୁ ଏମିତି କାମ କରିବାକୁ ହେବ ଯାହାଦ୍ଵାରା ସେମାନେ ଅର୍ଥନୀତିକ ସିଡ଼ି ଚଢ଼ିପାରିବେ। ୨୦ ବର୍ଷର ଶାସନ ପରେ ମଧ୍ୟ  ଓଡ଼ିଶାର ୬୬ ପ୍ରତିଶତ ଗ୍ରମୀଣ ବାସିନ୍ଦା ଦରିଦ୍ର, କାହିଁକି? ଆମେ ୨୦୦୩ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ସମୟରେ ତାଙ୍କୁ ଆର୍ଥିକ ସହାୟତା ଦେଉଥିଲୁ ଏବେ ବି ତାହା ଜାରି ରହିଛି, କାହିଁକି? ସେମାନେ ସକ୍ଷମ ହେବା କଥା। ତାହା ହୋଇଥିଲେ ଗାଁ ଠୁ ସହର ଯାଏ ଅନେକ ମଧ୍‌ୟମ ଓ କ୍ଷୁଦ୍ର ଶିଳ୍ପ ସୃଷ୍ଟି ହୋଇପାରି ଥାଆନ୍ତା, ଯାହା ଆଗକୁ ଆମର ଅର୍ଥନୀତିକୁ ଆଗକୁ ବଢ଼ାଇପାରିଥାଆନ୍ତା!

ପରିବାର ସହ ଅପରାଜିତା

କିନ୍ତୁ ଓଡ଼ିଶାରେ ଏକ ବ୍ୟୁରୋକ୍ରାଟିକ୍‌ ସରକାର ଚାଲିଛି ବୋଲି ଅଭିଯୋଗ ହୁଏ। ଅର୍ଥାତ୍‌ ଆପଣଙ୍କ ଭଳି ଯେଉଁମାନେ ଆଇଏଏସ୍‌ ଅଧିକାରୀ ସେମାନଙ୍କ ଦ୍ଵାରା ସରକାର ଅଧିକ ପ୍ରଭାବିତ। ଏଣୁ ଆପଣମାନଙ୍କ ପାଖରେ ଅଧିକ କ୍ଷମତା ଥିଲା। ଆପଣମାନେ ତାହାକୁ ନିଶ୍ଚିତଭାବେ ପ୍ରୟୋଗ କରିଥିବେ। ଆପଣମାନେ ତ ଖୁସିହେବା କଥା, ଅଧିକ ପ୍ରଭାବିତ ହେବା କଥା?

ମୁଁ ଏ ବିଷୟରେ କୌଣସି ମତ ଦେବାକୁ ଚାହିଁବି ନାହିଁ। କିନ୍ତୁ ଏହା କହିବି ଯେ, ଏହା ହେଉଛି ନିର୍ବାଚିତ ସରକାର ଯିଏ ଲୋକଙ୍କ ପାଖରେ ଉତ୍ତରଦାୟୀ ରହେ। ମୁଁ କହିପାରିବିନାହିଁ ଯେ, ମୋ ତଳେ ଯିଏ ରହିଛି ସେକାମ କଲା ନାହିଁ ବୋଲି ଅସବୁବିଧା ହେଲା। ଯିଏ ମୁଖ୍ୟ ସିଏ ହିଁ ଉତ୍ତରଦାୟୀ। ଭିଡିଓ କନ୍‌ଫରେନ୍ସିଂରେ ଆଜ୍ଞା ଶାସନ ଚାଲେ ନି, ମନେ ରଖିବେ।  

ଆଏଏସ୍‌ରେ ଯୋଗ ଦେବା ପୂର୍ବରୁ ଆପଣ କେବେ ଚିନ୍ତା କରିଥିଲେ ଯେ, ଏମିତି ଏକ ଦିନ ଆସିବା ଆବଶ୍ୟକ ବା ଆସିବ ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେବି?

ନାଁ। କିନ୍ତୁ ମୁଁ ସ୍କୁଲ୍‌ ସମୟରୁ ହି ଜଣେ ଛାତ୍ରନେତା ଭାବେ ପରିଚିତ ଥିଲି। ମୁଁ ସ୍କୁଲ୍‌ କ୍ୟାବିନେଟ୍‌ର ମୁଖ୍ୟ ଥିଲି। କଲେଜରେ ବି ମୁଁ ନେତା ଥିଲି। ମୁଁ ମୋ କଲେଜର ଶ୍ରେଷ୍ଠ ଅଭିନେତା ବା କଳାକାର ଥିଲି। ଲଗାତାର ତିନିବର୍ଷ ଧରି ମୁଁ ଏ ଟାଇଟଲ୍‌ ଜିତୁଥିଲି। କଲେଜ ଛାତ୍ର ଭାବେ ଜାତୀୟ ସ୍ତରରେ ଜଣେ ଭଲ ବକ୍ତା ଭାବେ ସେତେବେଳ ପରିଚିତ ଥିଲି ଏବଂ ପୁରସ୍କାର ବି ଜିତିଥିଲି। ସ୍ନାତକ ପରେ ମୁଁ ପ୍ରଥମ ପରୀକ୍ଷାରେ ହିଁ ଆଇଏଏସ୍ ପାଇଥିଲି। କିନ୍ତୁ ମୁଁ କେବେ ଭାବି ନଥଲି ଯେ କେବେ ରାଜନୀତିକୁ ଆସିବି।

ପ୍ରାକ୍ତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

ଚାକିରି ଛାଡ଼ି ରାଜନୀତିକୁ ଆସିବା ଆପଣଙ୍କ ନିଜସ୍ଵ ନିଷ୍ପତ୍ତି ନା ଏଥିରେ ପରିବାର ଲୋକ ବି ଆପଣଙ୍କୁ ପ୍ରଭାବିତ କରିଛନ୍ତି।

ମୋ ପରିବାରର କେହି କେବେ ରାତଜନୀତିରେ ନଥିଲେ। କିନ୍ତୁ ମୋ ସ୍ଵାମୀ ହେଉଛନ୍ତି ମୋ ଗୁରୁ। ମୋ ଦୁଇ ପିଲା ଓ ସ୍ଵାମୀଙ୍କୁ ମୁଁ ମୋ ଜୀବନର ତିନୋଟି ଶକ୍ତିସ୍ତମ୍ଭ ଭାବେ ଅଭିହିତ କରେ। ମୁଁ ନିଷ୍ପତ୍ତି ନେବା ପଛରେ ସେମାନେ ମୋତେ ଅନେକ ପ୍ରୋତ୍ସାହିତ କରିଛନ୍ତି। ତାହା ହୋଇ ନଥିଲେ ମୁଁ  ଆଇଏଏସ୍‌ ଛାଡ଼ି ପରି ନଥାଆନ୍ତି। ଏଣୁ ଏହାକୁ କେବଳ ମୋର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିବା ଠିକ୍‌ ହେବନାହିଁ।

ଆପଣ ଯେତେବେଳେ ଓଡ଼ିଶା ଫେରିଲେ, ପ୍ରଥମ ଦିନରେ ହିଁ ଇସ୍ତଫା ଦେଇଥିଲେ। ସେତେବେଳଠୁ ଆପଣ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚା ଆରମ୍ଭ ହୋଇଥିଲେ ମଧ୍ୟ କିଛି ନିଶ୍ଚିତ ସୂଚନା ସାମ୍ନାକୁ ଆସୁ ନଥିଲା।  ଆପଣଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳୁଥିଲା ଯେ, ଆପଣ କୌଣସି ଆନ୍ତର୍ଜାତୀୟ ସଂସ୍ଥାରେ ଯୋଗ ଦେବା ପାଇଁ ଭିଆର୍‌ଏସ୍‌ ନେଉଛନ୍ତି। ବାସ୍ତବରେ ଇସ୍ତଫା ପୂର୍ବରୁ ରାଜନୀତିରେ ଯୋଗ ଦେବା ବାବଦରେ ନିଷ୍ପତ୍ତି ସ୍ଥିର ହୋଇ ସାରିଥିଲା କି?

ଅନେକ ଅଫର୍‌ ଥିଲା। ଆନ୍ତର୍ଜାତୀୟ ସଂସ୍ଥାରେ ଯୋଗ ଦେବାରେ ଅଫର ଥିଲା ଏବଂ ବିଜେପିରେ ଯୋଗ ଦେବାର ଅଫର ବି।  ସେ ଭିତରୁ ମୋତେ ବାଛିବାକୁ ପଡ଼ିଥିଲା। ମୁଁ ଭାବିଲି ମୋ ପାଇଁ ଧନସମ୍ପତ୍ତି ଆବଶ୍ୟକ ନଥିଲା। ମୁଁ ଏକ ବଡ଼ ପ୍ଲାଟ୍‌ଫର୍ମ ଚାହୁଁଥିଲି। ବାସ୍‌ ସେଥିପାଇଁ ରାଜନୀତିକୁ ଆସିଲି।

ବିଜେପି ପକ୍ଷରୁ କ’ଣ ସବୁ ଅଫର୍‌ ଥିଲା, ଯାହାକୁ ଆପଣ ଗ୍ରହଣ କଲେ?  ଚର୍ଚା ହେଉଛି ଆପଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। କେହି କେହି କହୁଛନ୍ତି ଆପଣ ସାଂସଦ ହେବେ। ପୁଣି ଆପଣ ବିଜେପିରେ ଯୋଗଦାନ ପୂର୍ବରୁ ଏକ ଭିଡିଓରେ କହିଲେ ଯେ, ଆପର ଯେଉଁ ଆସନରୁ ନିର୍ବାଚଳ ଲଢ଼ିବେ ସେହି ନିର୍ବାଚନ ମଣ୍ଡଳୀକୁ ଦେଶର ଏକ ନମ୍ବର କରିବେ। ବାସ୍ତବରେ ଆପଣ ବିଧାୟକ ପାଇଁ ଲଢ଼ୁଛନ୍ତି ନା ସାଂସଦ ହେବାକୁ?

ଏହା  କହିବା ଠିକ୍‌ ହେବ ନାହିଁ। ଦେଖନ୍ତୁ ପାର୍ଟି ହେଉଛି ସବୁଠୁ ଉପରେ। ଯାହା ସେ ନିଷ୍ପତ୍ତି ନେବ ମୁଁ ସେହି ଅନୁସାରେ ଚାଲିବି। ପାର୍ଟି ଯଦି ଚାହିଁବ ମୁଁ ନିର୍ବାଚନ ଲଢ଼େ ତେବେ ମୁଁ ଲଢ଼ିବି। ମୁଁ ସବୁବେଳେ ଜଣେ ଶୃଙ୍ଖଳିତ କର୍ମଚାରୀ। ଆଇଏଏସ୍‌ରେ ଥବାବେଳେ ମଧ୍ୟ ମୁଁ ଶୃଙ୍ଖଳା ପାଇଁ ବେଶୀ ପରିଚିତ ଥିଲି। ଏବେ ବି ତାହା ଜାରି ରହିଛି। ବିଜେପିରେ ମୋର ଯୋଗଦାନ ନିଃସର୍ତ୍ତ।

ଯଦି ବି ଆପଣଙ୍କୁ ନିର୍ବାଚନ ଲଢ଼ିବାକୁ କୁହାଯିବ ତେବେ କେଉଁ ନିର୍ବାଚନ ମଣ୍ଡଳୀକୁ ଆପଣ ପସନ୍ଦ କରିବେ?

ମୁଁ ଜାଣିନି। ବାସ୍ତବରେ ମୁଁ ଏ ବାବଦରେ କିଛି କହିପାରି ବି ନାହିଁ। ଯାହା ପାର୍ଟି କହିବ ତାହା କରିବି।

ଆପଣଙ୍କ ଭିଆର୍‌ଏସ୍‌ ଆବେଦନକୁ ଓଡ଼ିଶା ସରକାର ଜାଣିଶୁଣି ଅଧିକ ଦିନ ଚପାଇ ରଖିଲେ ବୋଲି ଅଭିଯୋଗ ହୋଇଥିଲା, ଏହା ସତ କି?

ଏତିକି କହିବି ଯେ, ଏହି ପ୍ରକ୍ରିୟାରେ ମୋତେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଲା। ଏହା ଏକ ମାନସିକ ନିର୍ଯାତନା ଥିଲା। କେନ୍ଦ୍ର ସରକାର ଏହି ସମ୍ବନ୍ଧରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

ବିଜେପିରେ ଯୋଗଦାନ ପରେ ଏକ ଜନସମ୍ପର୍କ ଯାତ୍ରାରେ

କୋରାପୁଟରେ ଥିବା ବେଳେ ଆପଣଙ୍କ ଜଣେ ରାଜନେତାଙ୍କ ସହ ଯୁକ୍ତି ତର୍କ ହୋଇଥିବା ମିଡିଆରେ ଚର୍ଚା ହୋଇଛି। ଯେଉଁଠାରେ ଆପଣ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଯେ, ଆପଣ ମୋ ଜାଗାକୁ କେବେ ଆସିପାରିବେ ନାହିଁ କିନ୍ତୁ ମୁଁ ଚାହିଁଲେ ଆପଣଙ୍କ ଆସନରେ ପହଞ୍ଚିପାରିବି। ଏ ବିଷୟରେ ଟିକେ ଅଧିକ ବଣ୍ଣନା କରିପାରିବେ?

ମୋର ମନେ ପଡ଼ୁ ନାହିଁ। କେବେତେବେଳେ କାହାକୁ କ’ଣ କହିଥିବି। କିନ୍ତୁ ଏସବୁ ଇନ୍‌ଫର୍ମାଲ୍‌ ଥିଲା। ମୋର କୋରାପୁଟର ଅନେକ ଲୋକ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଯଥେଷ୍ଟ ଭଲ ସମ୍ପର୍କ ରହି ଆସିଛି। ମୁଁ ଯେଉଁଠିବି କାମ କରିଛି ସେଠାରେ ସାଧାରଣ ଲୋକ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସହ ଭଲ ସମ୍ପର୍କ ରଖି କାର୍ଯ୍ୟ କରିଛି। ଯଦି ତାହା ହୋଇ ନଥାଆନ୍ତା ତେବେ କାମ ଭଲ ହୋଇ ନଥାଆନ୍ତା।

କିନ୍ତୁ ଅନେକ ସମୟରେ ଆପଣ କାମ କରୁଥିବା ବିଭାଗର ମନ୍ତ୍ରୀଙ୍କ ସହ ଆପଣଙ୍କ ଝଗଡ଼ା ହୋଇଛି, ସେ ଅଞ୍ଚଳର ବିଧାୟକ ଆପଣଙ୍କ ଉପରେ ଖପ୍ପା ହୋଇଛନ୍ତି ବା ଆପଣ ତାଙ୍କ କଥାକୁ ରଖି ନାହାନ୍ତି, ଏମିତି ଅଭିଯୋଗ ହୁଏ।

ଏହାକୁ ଝଗଡ଼ା ବୋଲି କହିପାରିବେ ନାହିଁ ବରଂ ଏହା ମତାନ୍ତର ହୋଇଥାଇପାରେ। ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ମୋର ଅନେକ ସମ୍ମାନ ରହିଛି। ଏଣୁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ଆଲୋଚନା ସମୟରେ ମତ ପାର୍ଥକ୍ୟ ହୋଇଥାଇପାରେ କିନ୍ତୁ ତାହାକୁ ଝଗଡ଼ାର ଆଖ୍ୟା ଦେବା ଅନୁଚିତ।

ଅପରାଜିତା ଓଡ଼ିଶା ବିଜେପିର ମୁହଁ ହେବେ ବୋଲି ଚର୍ଚା ହେଉଛି। ଆପଣଙ୍କଦ୍ଵାରା ବିଜେପିର ଭାବମୂର୍ତ୍ତି ରକ୍ଷା ପାଇଗଲା ବୋଲି କୁହାଯାଉଛି। ଆପଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି କି?

ଏହା କହିବା ଅପ୍ରାସଙ୍ଗିକ ହେବ। ମୁଁ ଏବେ ରାଜନୀତିରେ ଯୋଗ ଦେଉଛି। ରାଜନୀତିରେ ଜଣେ ପ୍ରଥମଶ୍ରେଣୀ ଛାତ୍ରୀ ଭାବେ ମୁଁ ଏ ବିଷୟରେ କହିବା ବା ଆଲୋଚନା କରିବା ଅପ୍ରାସଙ୍ଗିକ ହେବ।

ସେ ଭିଡିଓର ବିଷୟବସ୍ତୁକୁ ଟିକେ ଫେରାଇବାକୁ ଚାହିଁବି। ଆପଣ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର କରାଇବାର ଏକ ସ୍ଵପ୍ନ ଦେଖିଛନ୍ତି। କ’ଣସବୁ ହେବା ଦରକାର ଏକ ନିର୍ବଚେନ ମଣ୍ଡଳୀକୁ ସାରା ଭାରତରେ ଏକ ନମ୍ବର କରିବା ପାଇଁ?

କଠୋର ପରିଶ୍ରମ ଓ ଲୋକଙ୍କ ସହ ପରାମର୍ଶ ଆବଶ୍ୟକ। ଲୋକ ପ୍ରତିନିଧିମାନେ ହେଉଛନ୍ତି ପ୍ରଣୟନକାରୀ। ଯୋଜନା ଲୋକମାନଙ୍କ ଦ୍ଵାରା ହେବା ଦରକାର। ଏଣୁ ଅଧିକରୁ ଅଧିକ ଲୋକ କିପରି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଭାଗ ନେଇପାରିବେ ସେଥିଲାଗି ପଥ ଉନ୍ମୁକ୍ତ ହେବା ଦରକାର। ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କିସମର ଅଞ୍ଚଳ ରହିଛି। ସମୁ ଅଞ୍ଚଳରୁ ପ୍ରସ୍ତାବ ଆସିବ ଦରକାର। ତାହାକୁ ନେଇ ଏକ ଦୂରଦୃଷ୍ଟି ସମ୍ପନ୍ନ ‘ଭିଜନ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବା ଦରକାର। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ନବାକୁ ଅଛି।  ବିଭିନ୍ନ ଯୋଜନାରେ ଥିବା ପଇସାକୁ କିପରି ବିନିଯୋଗ ହେବ ସେଥିଲାଗି  ଯୋଜନା ହେବା ଦରକାର। ବିଭିନ୍ନ ସମୟରେ ଏହାର ସମୀକ୍ଷା ହେବା ଦରକାର। ଏବଂ ସେହି ଅନୁସାରେ ଅବାଶ୍ୟକ ସଂଶୋଧନ ହେବା ଉଚିତ। ଲୋକ ସେ ଭିଜନ ଡକ୍ୟୁମେଣ୍ଟକୁ ଲକ୍ଷ୍ୟ କରି ଯୋଜନାକୁ ବାସ୍ତବ କରିବା ଦରକାର। ଯଦି ମୋ ପାଖରେ ୧୦୦୦ କୋଟି ଟଙ୍କା ସମ୍ବଳ ରହିଛି କିନ୍ତୁ ମୁଁ ଯୋଜନା ୨ହଜାର କୋଟି ଟଙ୍କାର କରିବେ ତେବେ ତାହା ଅବାସ୍ତବ ହେବ। ମୁଁ କାର୍ଯ୍ୟକ୍ରମର ରୂପାୟନ ନେଇ ଚିନ୍ତିତ ଥାଏ। ଏଣୁ ସବୁବେଳେ ବିଭିନ୍ନ ଅଞ୍ଚଳ ବୁଲି ଦେଖିବାକୁ ଚାହେଁ। ଶେଷ ଲୋକଙ୍କ ପାଖରେ ଯୋଜନା ପହଞ୍ଚୁଛି କି ନାହିଁ ତାହା ଦେଖିବା ଦରକାର।

ଆପଣ ଯଦିଓ ଜଣେ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ବିବାହ ପରେ ଓଡ଼ିଆ ସଂସ୍କୃତି ସହ ଯୋଡ଼ି ହୋଇଛନ୍ତି ତଥାପି ଆପଣ ଜଣେ ଅଣ ଓଡ଼ିଆ। ଏହା ବାଧକ ହେବ କି?

ମୁଁ ଜଣେ ଭାରତୀୟ ଭାବେ ନିଜକୁ ପରିଚିତ କରିବାକୁ ଚାହେଁ। ମୁଁ ଓଡ଼ିଆ ବୋହୂ। ଜଣେ ଖଣ୍ଟି ଓଡ଼ିଆଣୀ। ଏଣୁ ଏହା ଲୋକଙ୍କ ଉପରେ ଛାଡ଼ି ଦିଆଯାଉ।

 

ଅଧିକ ସାକ୍ଷାତକାର ପାଇଁ କ୍ଲିକ୍‌ କରନ୍ତୁ:

ଆଇନ ପ୍ରତି ଭୟ ରହିବା ଜରୁରୀ: ପୁଲିସ କମିଶନର 

ଆଇନ ପ୍ରତି ଭୟ ରହିବା ଜରୁରୀ: ପୁଲିସ କମିଶନର

ଯେଉଁମାନେ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି, ସେସବୁ ଜାଣିଛି : ଡା. ଦାମୋଦର ରାଉତ 

ଯେଉଁମାନେ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି, ସେସବୁ ଜାଣିଛି : ଡା. ଦାମୋଦର ରାଉତ

ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଜଣେ ସାମ୍ବାଦିକର ପ୍ରବୃତ୍ତି ହେବା ଉଚିତ: ରବି ଦାସ 

ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଜଣେ ସାମ୍ବାଦିକର ପ୍ରବୃତ୍ତି ହେବା ଉଚିତ: ରବି ଦାସ