ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ଜଣେ ସାମ୍ବାଦିକର ପ୍ରବୃତ୍ତି ହେବା ଉଚିତ: ରବି ଦାସ

0
2247
advertisement

ସେ କେବେ ଭାବିନଥିଲେ ସାମ୍ବାଦିକ ହେବେ । ହେଲେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବାର ପ୍ରବୃତ୍ତି ତାଙ୍କୁ ଘଟଣାଚକ୍ରରେ ସାମ୍ବାଦିକ ଭାବେ ଜନ୍ମ ଦେଲା, ଯୁବ ବୟସରେ । ନିଜର ଜାଣିବାର ଆଗ୍ରହ, ସାଲିସ୍ବିହୀନ ରିପୋର୍ଟ ଲେଖିବାର ପ୍ରବୃତ୍ତି ତାଙ୍କୁ ଏ କ୍ଷେତ୍ରରେ ଆଗକୁ ବଢ଼ାଇନେଲା । ୧୯୭୩ରୁ ଆରମ୍ଭ ହୋଇଥିବା ଏ ଯାତ୍ରା ତାଙ୍କର ଆଜି ଯାଏ ଚାଲିଛି । ମଝିରେ ଅନେକ ଝଡ଼ଝଞ୍ଜା ଆସିଛି । ସରକାରୀ ବାବୁ ଓ ନେତାମାନେ ଚକ୍ରାନ୍ତର ଜାଲ ବିଛାଇଛନ୍ତି । ହେଲେ ଏହାକୁ ସେ କେବେ ଡରି ନାହାନ୍ତି । ୬୮ ବର୍ଷ ବୟସରେ ମଧ୍ୟ ସେ ଲଢ଼ିଚାଲିଛନ୍ତି ଲୋକଙ୍କ ଅଧିକାର ପାଇଁ । ଜଣେ ସାମ୍ବାଦିକ ଆଉ ସାମାଜିକ କର୍ମୀ ଭାବେ । ଆଜି ସେଇ ଓଡ଼ିଆ ସାମ୍ବାଦିକତା ଜଗତର ମହାଦ୍ରୁମ ରବି ଦାସଙ୍କ ସହ ଏକ ସାକ୍ଷାତକାର ।

 

[toggle title=”ରବି ଦାସ” state=”open”]ଜନ୍ମ: ୨୪ ଜୁନ୍ ୧୯୪୭ ଗାଁ: ଖମାର-ଆଠଗଡ଼, କଟକ ବାପା: ଇନ୍ଦ୍ରମଣି ଦାସ ମା’: ରମାଦେବୀ ପେସା: ସାମ୍ବାଦିକତା ନିଶା: ସମାଜିକ କାର୍ଯ୍ୟ ସଂଗଠନ  ଓଡ଼ିଶା ଜନ ସମ୍ମିଳନୀ ସ୍ୱର ଉତ୍ତୋଳନ କରିଥିବା ପ୍ରମୁଖ ପ୍ରସଙ୍ଗ: ଇଭିଏମ୍ ଟାମ୍ପରିଂ, ବେଆଇନ୍ ଖଣିଜ ଚାଲାଣ, ପନ୍ଜି ସ୍କାମ୍ ଇତ୍ୟାଦି ।[/toggle]

ଆପଣ ଜଣେ ପଦାର୍ଥ ବିଜ୍ଞାନର ଛାତ୍ର । ପୁଣି ସେତେବେଳେ ବିଜ୍ଞାନ ଛାତ୍ରଙ୍କ ପାଇଁ ବେଶ୍ ଭଲ ସୁଯୋଗ ରହିଥିଲା । ହେଲେ ଆପଣ କାହିଁକି ରାଜନୀତି ଆଡ଼କୁ ଆକର୍ଷିତ ହେଲେ?

କଲେଜ୍ରେ ପଢ଼ୁଥିବା ସମୟରେ ମୁଁ ଛାତ୍ର ସଂସଦ ନିର୍ବାଚନରେ ସକ୍ରିୟ ରହୁଥିଲି । କାହାକୁ ପ୍ରାର୍ଥୀ କରାଯିବ କେମିତି କ୍ୟାମ୍ପେନ୍ ପରିଚାଳନା କରାଯିବ ସବୁ ବୁଝୁଥିଲି । ହେଲେ କେବେ ନିର୍ବାଚନରେ ଠିଆ ହୋଇନି । ୧୯୬୭ ମସିହାରେ ମୁଁ ରେଭେନ୍ସା କଲେଜ୍ରୁ ବିଜ୍ଞାନ ଅନର୍ସରେ ପାସ୍ କଲି । ଏହାପରେ ମୋତେ ଉଚ୍ଚ ଶିକ୍ଷା ପାଇଁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସୁଯୋଗ ମିଳିଥିଲା । ହେଲେ ସେ ସମୟରେ ବାପାଙ୍କ ନିଧନ ହୋଇଗଲା । ପରିବାରର ଆର୍ଥିକ ପରିସ୍ଥିତି ଖରାପ ହୋଇଗଲା । ଏଣୁ ବାହାରକୁ ପାଠ ପଢ଼ିଯିବା ସମ୍ଭବ ହେଲାନାହିଁ । କଟକ ମଧୁସୂଦନ ଆଇନ କଲେଜରେ ଆଡମିଶନ୍ ନେଲି । ସେଇଠୁ ରାଜନୀତିକ ଦଳର ଛାତ୍ର ରାଜନୀତିରେ ସମ୍ପୃକ୍ତି ଆରମ୍ଭ ହେଲା । ୧୯୬୯ରେ ମୋତେ ଜିଲ୍ଲା କଂଗ୍ରେସ ଆବାହକ ପଦ ମିଳିଲା । ଆଉ ପରେ ମୁଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲି ।

 

ପୂର୍ବରୁ ପରିବାରର କିଏ ରାଜନୀତି ସହ ସମ୍ପର୍କ ରଖିଥିଲେ?

ବାପା ଇନ୍ଦ୍ରମଣି ଦାସ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ନେତା ଥିଲେ । ପରେ ସେ ସରପଞ୍ଚ ଓ ବ୍ଳକ୍ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ନେତୃତ୍ୱର ପ୍ରଭାବ ମୋ ଉପରେ ପଡ଼ିଥିଲା ।

ରାଜ୍ୟର ପ୍ରଥମ ଯୁବ କଂଗ୍ରେସ ସଭାପତି ଭାବେ ଆପଣଙ୍କୁ ଦାୟିତ୍ୱ ମିଳିଥିଲା । ହେଲେ ଆପଣ ରାଜନୀତିରେ ନିଜକୁ ସାମିଲ୍ କରିବା ପରିବର୍ତ୍ତେ ମାତ୍ର ୨ ବର୍ଷରେ ରାଜନୀତିରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ କାହିଁକି ନେଲେ?

ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେବା ପରେ ଦଳରେ ଅସନ୍ତୋଷ ବଢ଼ିଲା । ମୁଁ ବ୍ୟକ୍ତିଗତ ଭାବେ ନନ୍ଦିନୀଙ୍କୁ ସମର୍ଥନ କରିପାରିଲିନି । ତାଙ୍କ ଅନୁଗତ ଭାବେ କାର୍ଯ୍ୟ କରିପାରିଲିନି । ଏଣୁ ପଦବୀ ଛାଡ଼ି ଦେଲି । ମୋ ପରେ ଜଗନ୍ନାଥ ପଟ୍ଟନାୟକଙ୍କୁ ଯୁବ କଂଗ୍ରେସ ଦାୟିତ୍ୱ ମିଳିଥିଲା । ଏହି ସମୟରେ ପ୍ରଦ୍ୟୁମ୍ନ ବଳ (ମୋ ବଡ଼ ଭାଇ) ‘ପ୍ରଗତିବାଦୀ’ କଥା ଚିନ୍ତା କଲେ । ଆଉ ମୁଁ ସେଥିରେ ଯୋଗ ଦେଲି । ତା’ ପରଠୁ ସାମ୍ବାଦିକତାକୁ ମୁଁ ନିଶା ଓ ପେସା ଭାବେ ଗ୍ରହଣ କରିଛି । କେବେ ହେଲେ ପଛକୁ ହଟି ନାହିଁ । କାର୍ଯ୍ୟକାରୀ ସମ୍ପାଦକ ତଥା ପାର୍ଟନର ଭାବେ ମୁଁ ସେଠାରେ ୧୯୯୮ ଯାଏଁ କାମ କରିଛି।

 

 ସାମ୍ବାଦିକତାରେ ପ୍ରବେଶକୁ ନେଇ ଆପଣ କ’ଣ କହିବେ? ସ୍ୱାଭାବିକ ନା ଘଟଣା ଚକ୍ରର ପ୍ରଭାବ?

ମୁଁ କେବେବି ସାମ୍ବାଦିକତା ଜଗତକୁ ନିଜ ଇଚ୍ଛାରେ ଆସି ନାହିଁ । ସମ୍ଭବତଃ ଏହା ଏକ ସେତେବେଳ ଘଟଣାକ୍ରମର ପ୍ରଭାବ । ହେଲେ ଏହି ଜଗତରୁ ମୁଁ ମାନସିକ ଓ ବୃତ୍ତିଗତ ସନ୍ତୋଷ ଲାଭ କରିଛି । ମୋ ମତରେ ଦୁନିଆରେ ଯେତିକି ବୃତ୍ତି ଅଛି ସେ ଭିତରେ ମେଡିସିନକୁ ମୁଁ ସବୁଠାରୁ ଗୁରୁତ୍ୱ ଦେଉଥିବା ବେଳେ ସାମ୍ବାଦିକତାକୁ ଦ୍ୱିତୀୟ ଶ୍ରେଷ୍ଠ ବୃତ୍ତି ଭାବେ ଗଣେ । ଏଥିରେ ପ୍ରତି ଦିନ ନୂଆ ସମ୍ଭାବନା, ନୂଆ ବିଷୟବସ୍ତୁକୁ ନେଇ ଆଲୋଚନା କରିବାକୁ ହୁଏ । ଲେଖା ପ୍ରକାଶ କରିବାକୁ ପଡ଼େ । ଏହାଠୁ ଭଲ ବୃତ୍ତି ଆଉ କ’ଣ ହୋଇପାରେ?

ପରେ କେବେ ପୁଣି ରାଜନୀତିକୁ ଫେରିବାକୁ ଇଚ୍ଛା ହୋଇନି?

ହଁ, କଂଗ୍ରେସ ପକ୍ଷରୁ ପୁଣିଥରେ ଯୁବ କଂଗ୍ରେସ ଦାୟିତ୍ୱ ମିଳିବାର ଥିଲା । ମୋତେ ଦିଲ୍ଲୀ ଡାକରା ହୋଇଥିଲା । ମୁଁ ସଞ୍ଜୟ ଗାନ୍ଧିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲି । ହେଲେ ସେଠାରେ କୃଷ୍ଣକାନ୍ତଙ୍କ ଉପଦେଶ ମାନି ମୁଁ ସଞ୍ଜୟଙ୍କୁ ଭେଟିବା ବଦଳରେ ରାତା ରାତି ଓଡ଼ିଶା ଚାଲି ଆସିଲି । ତା’ପରେ ଆଉ କେବେ ରାଜନୀତି ପ୍ରତି ଆସକ୍ତି ଆସି ନାହିଁ ।

 

ସାମ୍ବାଦିକତାରେ ଆପଣ କେବେ ଆକ୍ରୋଶର ଶିକାର ହୋଇ ନାହାନ୍ତି ?

‘ପ୍ରଗତିବାଦୀ’ ସାପ୍ତାହିକ ଥିବା ବେଳେ ଆମେ ଲୋକଙ୍କ ସମସ୍ୟାକୁ ନେଇ ଅନେକ ସମ୍ବାଦ ପ୍ରକାଶ କରୁଥିଲୁ । ଯାହା ପରବର୍ତ୍ତୀ ସମୟରେ ବେଶ୍ ଚର୍ଚ୍ଚିତ ହେଉଥିଲା ଆଉ ସରକାରଙ୍କ ବିରୋଧୀ ମଧ୍ୟ ହେଉଥିଲା । ସେତେବେଳେ ପ୍ରେସ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଏକ ସାମ୍ବାଦିକତା ସମ୍ବନ୍ଧୀୟ ପାଠ୍ୟକ୍ରମରେ ଯୋଗ ଦେବା ଦ୍ୱାରା ମୁଁ ଖବର ପରିବେଷଣର ଅନେକ ଦିଗକୁ ଶିଖିଲି । ଗାନ୍ଧି ପିସ୍ ଫାଉଣ୍ଡେସନରେ ଏହି ପାଠ୍ୟକ୍ରମ ଚାଲୁଥିବା ବେଳେ ମୋତେ ଜୟପ୍ରକାଶ ନାରାୟଣଙ୍କ ସହ କଥା ହେବା ପାଇଁ ସୁଯୋଗ ମିଳିଥିଲା । ତାଙ୍କ ଚିନ୍ତାଧାରା ମୋତେ ଅନୁପ୍ରାଣିତ କରିଥିଲା । ପରେ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି ଲାଗୁ କଲେ । ମୋତେ ଏହା ଆଦୌ ପସନ୍ଦ ନଥିଲା । ମୁଁ ‘ପ୍ରଗତିବାଦୀ’ରେ ଏନେଇ ଅନେକ ଖବର ପ୍ରକାଶ କରି ସରକାରଙ୍କୁ ସମାଲୋଚନା କଲି । ଏହା ସେତେବେଳେ ଓଡ଼ିଶା ସରକାରଙ୍କ ମୁଣ୍ଡ ବିନ୍ଧା କାରଣ ହେଲା । ସେମାନେ ପ୍ରେସରେ ତାଲା ପକାଇ ଦେଲେ । ତା’ପରେ ସେଲ୍ଫ ସେନ୍ସରଶିପ୍ ଲାଗୁ କରାଗଲା । ଏହା ଏକ ଦୁଃଖଦ ଘଟଣା ।

ବର୍ତ୍ତମାନ ସରକାରରେ ନେତା ବା ମନ୍ତ୍ରୀଙ୍କ କଥାକୁ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଉନାହାନ୍ତି, ବରଂ ଧ୍ୟାନ ଦେଉଛନ୍ତି ଖବରକାଗଜରେ ହେଉଥିବା ଚର୍ଚ୍ଚାକୁ । ଏତେ ବର୍ଷ କ୍ଷମତାରେ ରହି ସେ ଦିନେ ସାମ୍ବାଦିକ ସମ୍ମିଳନୀର ସମ୍ମୁଖୀନ ହୋଇନାହାନ୍ତି କିନ୍ତୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏ ରାଜ୍ୟରେ ଗଣମାଧ୍ୟମକୁ କେମିତି ପରିଚାଳନା କରାଯାଏ । ଏହାହିଁ ତାଙ୍କ ରହସ୍ୟମୟ ଭାବମୂର୍ତ୍ତିର ମୁଖ୍ୟ ସୂତ୍ର ।

ଏହା ଆପଣଙ୍କ ଉପରେ ନନ୍ଦିନୀଙ୍କ ରାଗର ପ୍ରତିଶୋଧ ବୋଲି କୁହାଯାଇପାରେ?

ହଁ, ସେଇଆ ହୋଇପାରେ । ବ୍ୟକ୍ତିଗତ ରାଗ ସୁଝାଇବା ଲାଗି ସେମାନେ ଏହା କରୁଥିଲେ । ଅନ୍ୟ ପକ୍ଷରେ ସେତେବେଳେ ଅନ୍ୟ ସବୁ ବଡ଼ ବଡ଼ ନେତାଙ୍କୁ ଜେଲ୍ ପଠାଯାଇଥିବାରୁ ଜରୁରୀକାଳୀନ ପରିସ୍ଥିତି ବିଷୟରେ କିଛି ଛପା ହେଉନଥିଲା । କେବଳ ପ୍ରଗତିବାଦୀହିଁ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରୁଥିଲା ।

 

ରାଜନୀତି ସହ ପ୍ରତ୍ୟକ୍ଷ ସମ୍ପର୍କ ଆପଣଙ୍କୁ ସାମ୍ବାଦିକତାରେ ସହାଯ୍ୟ କରିଛି?

 

ନିହାତି ଭାବେ । ମୋର ରାଜନୀତି ଓ ନେତାଙ୍କ ସହ ସମ୍ପର୍କଯୋଗୁ ମୁଁ ଭିତିରି କଥାଗୁଡ଼ିକୁ ବୁଝିବା ସମର୍ଥ ହୋଇଥାଏ । କୌଣସି ସାମ୍ବାଦିକ ରାଜନୀତିକ ଦଳଗୁଡ଼ିକର ଭିତିରି କଥାକୁ ନଜାଣିଲେ ରାଜନୀତିକ ରିପୋର୍ଟିଂ କରିପାରିବ ନାହିଁ । ଏବେ ଯେଉଁଭଳି ଭାବେ ଜୁନିୟର୍ମାନଙ୍କୁ ରିପୋର୍ଟିଂ ପାଇଁ ଖବର ସଂସ୍ଥାଗୁଡ଼ିକ ଦାୟିତ୍ୱ ଦେଉଛନ୍ତି ତାଦ୍ୱାରା ଦଳୀୟ ଖବରକୁ ପଦାକୁ ଆଣିବା କଷ୍ଟକର ହେଉଛି । ଏଣୁ ସକ୍ରିୟ ସାମ୍ବାଦିକତାରେ ଅଭିଜ୍ଞତା ପାଇଲାପରେ ଯାଇ ଜଣେ ରିପୋର୍ଟରକୁ ରାଜନୀତିକ ରିପୋର୍ଟିଂ ଦାୟିତ୍ୱ ଦିଆଯିବା ଉଚିତ । ସେମାନଙ୍କୁ ରାଜ୍ୟର ରାଜନୈତିକ ଇତିହାସ ଏବଂ ସମୀକରଣ ବାବଦରେ ଟ୍ରେନିଂ ଦିଆଯିବା ଦରକାର ।

ଅନୁସନ୍ଧାନ ମୂଳକ ରିପୋର୍ଟିଂରେ ଆପଣ ଅନେକ ରୁଚି ରଖନ୍ତି । ଏନେଇ କେବେ ଅସୁବିଧାରେ ପଡ଼ି ନାହାନ୍ତି?

ଛବିରାଣୀ ହତ୍ୟାକାଣ୍ଡ ରିପୋର୍ଟିଂ ଏବେ ବି ମୋର ମନେ ପଡ଼େ । ଗାଁ ଗାଁ ବୁଲି ମୁଁ ନିଜେ ଏହାର ରିପୋର୍ଟିଂ କରିଛି । ସରକାରଙ୍କ ଆଭିମୁଖ୍ୟକୁ ସାମନାକୁ ଆଣିଛି । ଖାଲି ଏହି ଘଟଣା ନୁହେଁ ସେତେବେଳେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ଜଣେ ସପ୍ଲାଇ ଏଜେଣ୍ଟଙ୍କ ଭିତରେ ଥିବା ସଲାସୁତୁରାକୁ ମୁଁ ପଦାରେ ପକାଇଥିଲି । ଏଥିନେଇ ଅନେକ ଚାପ ମୋ ଉପରେ ପଡ଼ିଛି । ମୁଁ କିନ୍ତୁ କାହାର ବଶବର୍ତ୍ତୀ ହୋଇନି । ପ୍ରକୃତ ଲେଖା ଲେଖିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରିଛି ।

 

ମୋ ରାଜନୀତିକ ଜୀବନର ଆଦର୍ଶ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ସାମ୍ବାଦିକତା ଜଗତରେ ମୁଁ ପି. ସାଇନାଥ, ଅରୁଣ ସୌରୀଙ୍କୁ ଖୁବ୍ ମାନେ । ଅନୁସରଣ କରେ ।

 

ଆପଣଙ୍କୁ ‘ପ୍ରଗତିବାଦୀ’ ଖବରକାଗଜ ଆତ୍ମ ସନ୍ତୋଷ ଦେଇଛି । ହେଲେ ପ୍ରଗତିବାଦୀରୁ ଆପଣ ଇସ୍ତଫା ଦେଲେ କାହିଁକି?

ସେ ଖବରକାଗଜରେ ମୁଁ କର୍ମଚାରୀ ନଥିଲି, ପାର୍ଟନର ଥିଲି । ଅନ୍ୟ ଜଣେ ପାର୍ଟନର ପ୍ରଦ୍ୟୁମ୍ନ ବଳ ଥିଲେ । ତାଙ୍କୁ ମୁଁ ବଡ଼ ଭାଇ ବୋଲି ମାନେ । ୧୯୯୮ ମସିହାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ସେ ମୋତେ ଡାକିଲେ । ଆଉ କହିଲେ ‘ ମୁଁ ଆଉ ଅଧିକ ଦିନ ବଞ୍ଚିବିନି । ପରିବାରର ଲୋକେ ଚାହୁଁଛନ୍ତି ତୁମେ ଅଲଗା ହୋଇଯାଅ ।’ ଏ କଥା ମୋତେ ବେଶ୍ ବାଧିଥିଲା । ହେଲେ ଦୀର୍ଘ ଦିନର ସମ୍ପର୍କକୁ ମୁଁ ଖରାପ କରିବାକୁ ଚାହୁଁ ନଥିଲି । ସେତେବେଳେ ମୋ ପତ୍ନୀଙ୍କ ଦେହ ଖରାପ ଥାଏ । ସେ ମନା କରୁଥିଲେ ମଧ୍ୟ ମୁଁ ପାର୍ଟନର ପଦବୀ ଛାଡ଼ିଦେଲି । ତା’ପରେ ‘ପର୍ଯ୍ୟବେକ୍ଷକ’ ତିଆରି କଲି । ହେଲେ ସେଥିରେ ପ୍ରଭୂତ କ୍ଷତି ହେଲା । ଶେଷରେ ତାକୁ ବିକ୍ରି କରିବାକୁ ବାଧ୍ୟ ହେଲି । ଏବେ ଆମ ରାଜଧାନୀ ବୋଲି ଏକ ମଧ୍ୟାହ୍ନ ଖବର କାଗଜ ପ୍ରକାଶ କରୁଛି ।

 

ଏବେ ଆପଣ ସାମ୍ବାଦିକ ଅପେକ୍ଷା ଜଣେ ସାମାଜିକ କର୍ମୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ସାମାଜିକ କର୍ମୀ ଓ ସାମ୍ବାଦିକତା ଭିତରେ କି ସମ୍ପର୍କ ରହିଛି?

ସବୁ ସାମ୍ବାଦିକ ଜଣେ ସକ୍ରିୟ ସାମାଜିକ କର୍ମୀ ହେବାର ଆବଶ୍ୟକତା ରହିଛି । ନହେଲେ ସେ ଭଲ ସାମ୍ବାଦିକ ହୋଇପାରିବନି । ମୁଁ କହୁନି ସେ ରାଜନୀତିକ କର୍ମୀ ହେଉ । କିନ୍ତୁ ସାମାଜିକ କାର୍ଯ୍ୟକର୍ତ୍ତା ହେବାର ମନୋଭାବ ଗୋଟିଏ ସାମ୍ବାଦିକର ରହିବା ଦରକାର । ମୁଁ ଏକ୍ଷେତ୍ରରେ ଖାତନାମା ସାମ୍ବାଦିକ ପି. ସାଇନାଥ ଏବଂ ଅରୁଣ ସୌରୀଙ୍କୁ ଖୁବ୍ ମାନେ ।

ବର୍ତ୍ତମାନର ଖବର ଦୁନିଆରେ ଟେଲିଭିନ୍ ଏବଂ ପ୍ରିଣ୍ଟ୍ ଭିତରେ କି ସମ୍ପର୍କ ଦେଖୁଛନ୍ତି?

ଟେଲିଭିଜନ୍ ନ୍ୟୁଜ୍ ଦୁନିଆରେ ପରିବର୍ତ୍ତନ ଆଣିଛି । ନେତାମାନେ ସେମାନଙ୍କ ମୁହଁ ଦେଖାଇବାକୁ ବେଶୀ ଆଗ୍ରହ ପ୍ରକାଶ କରୁଥିବାରୁ ଟେଲିଭିନ୍ ଚ୍ୟାନେଲରେ ବେଶୀ ଖବର ପ୍ରକାଶ ପାଇଁ ସେମାନେ ଚାହୁଛନ୍ତି । ଦିନକୁ ଦିନ ଟେଲିଭିଜନ୍ ସଂଖ୍ୟା ମଧ୍ୟ ବଢ଼ୁଛି । କିନ୍ତୁ ଟେଲିଭିନରେ କୌଣସି ନେତାଙ୍କ ପ୍ରତିଛବି ତିଆରି ହୁଏ ନାହିଁ । ପ୍ରିଣ୍ଟମିଡିଆରେ ହିଁ ପ୍ରକୃତି ପ୍ରତିଛବି ତିଆରି ହୁଏ । ଯେତେ ପ୍ରଚାର ହେଲେ ମଧ୍ୟ ଖବରକାଗଜକୁ କେହି ଛାଡ଼ିପାରିବେ ନାହିଁ ।

 

ଟେଲିଭିଜନ୍ ହେଉ ବା ଖବର କାଗଜ, ସାମ୍ବାଦିକମାନେ ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହୁଛନ୍ତି । ଏ ପ୍ରସଙ୍ଗରେ ଆପଣଙ୍କ ମତ କ’ଣ ରହିବ?

ନିକଟରେ ବାବା ପ୍ରସଙ୍ଗ କଥା କହନ୍ତୁ, ଯାହାକୁ ନେଇ ଏତେ ଚର୍ଚ୍ଚା ହେଲା ସେଥିରେ କାହାର ସ୍ୱାର୍ଥ ଥିଲା । ସାମ୍ବାଦିକତାର ସବୁ ନୀତି ନିୟମକୁ ଏଥିରେ ଜଳାଞ୍ଜଳି ଦିଆଯାଇଛି । ତାହାର କାରଣ ହେଉଛି ଅଧିକ ଦର୍ଶକ ବା ପାଠକ ସୃଷ୍ଟି କରିବା । ଟିଭି ସଂସ୍ଥାମାନେ ସେଠାରେ ଲୋକଙ୍କୁ ଏକାଠି କରି ମତାଇଲେ । ଆନ୍ଦୋଳନକୁ ଉତ୍ସାହିତ କଲେ । ଏହା ଫଳରେ ଉତ୍ତେଜନା ସୃଷ୍ଟି ହେଲା । ଏହା ଆଦୌ ଗ୍ରହଣୀୟ ନୁହେଁ । ଆଇନ ଅନୁସାରେ ଥାନାରେ ଦଫା ହେଲେ କେହି ଗିରଫ ହେଉଥିଲେ । ଏଠାରେ ଗିରଫ କଲାପରେ ପୁଲିସ ଦଫା କରୁଛି । ଦୁର୍ଭାଗ୍ୟଜନକ ।

 

ଓଡ଼ିଆ ସାମ୍ବାଦିକତାର ଗତି, ପ୍ରଗତିକୁ ଆପଣ କେମିତି ଅନୁଭବ କରୁଛନ୍ତିି?

ଯାହାର ଯେତିକି ଶକ୍ତି ତା’ର ସେଇ ଅନୁସାରେ ରାଜନୀତିକ ଏଜେଣ୍ଡା ରହୁଛି । ଏଥିରେ ପରିବର୍ତ୍ତନ ହେବା ଦରକାର । ବଢ଼ୁଥିବା ଖବରକାଗଜ ଓ ଟିଭି ସଂଖ୍ୟାକୁ ନେଇ ଅନେକ ସମାଲୋଚନା ହେଉଥିଲେ ମଧ୍ୟ ମୁଁ କହିବି ଏହା ଏକ ଭଲ ସଙ୍କେତ, ଯଦ୍ୱାରା ଅଳ୍ପ ହେଲେ ବି ଦୁର୍ବଳ ଶ୍ରେଣୀଙ୍କ କଥା ପ୍ରକାଶ ପାଇପାରୁଛି ।