କୋଣାର୍କର ସୌନ୍ଦର୍ଯ୍ୟରେ ଅଭିଭୂତ ପଞ୍ଜାବୀ କବି ମୋହନଜିତ୍‌ ସିଂହଙ୍କ ସହ ସାକ୍ଷାତକାର: ‘ଓଡ଼ିଶାର ପାଣି-ପବନ-ପଥରରେ ଭରି ରହିଛି କାବ୍ୟ-କବିତା -କଳାର ରୂପ’

0
9516
advertisement

ଓଡ଼ିଶାର ପ୍ରତିଟି ପାଣି, ପବନ ଓ ପଥରରେ ଭରି ରହିଛି କାବ୍ୟ-କବିତା-କଳାର ରମ୍ୟ ରୂପ । ଓଡ଼ିଶାର ପ୍ରତି ମଣିଷର ପ୍ରାଣ ପୁଲ୍ଲକିତ ହୁଏ ସାହିତ୍ୟର ସମ୍ଭାରରେ । ଅତୀତ କଳିଙ୍ଗର କାରୁକାର୍ଯ୍ୟ ଓ କଳା ମାଧୁର୍ଯ୍ୟ ଭାରତର ସାହିତ୍ୟ ସମ୍ଭାରକୁ ସମୃଦ୍ଧ କରିଛି । ଓଡ଼ିଶାର ସାହିତ୍ୟ ଆମ ଦେଶର ସାହିତ୍ୟିକମାନଙ୍କୁ ପ୍ରେରଣା ଯୋଗାଇ ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟ ସମାଜରେ ଏକ ନୂତନ ଅଭ୍ୟୁଦୟ ସୃଷ୍ଟି କରି ନିଜର ସ୍ୱତନ୍ତ୍ରତା ଛାଡ଼ି ଯାଇଛି । ଉକ୍ରଳର କାରୁକିର୍ତ୍ତୀକୁ ବାଦ୍ ଦେଇ ଭାରତର କଳା-ସଂସ୍କୃତି-ସାହିତ୍ୟର ଇତିହାସ ଲେଖିବା ଅସମ୍ଭବ । ଗୋଟିଏ ସ୍ୱରରେ ଏକ ଲୟ ହୋଇ ଅତି ଆଗ୍ରହରେ ଏକଥା ବର୍ଣ୍ଣନା କରିଥିଲେ ୨୦୧୮ ବର୍ଷ ପାଇଁ “”ସାହିତ୍ୟ ଏକାଡ଼େମୀ” ପୁରସ୍କାର ବିଜୟୀ ସାହିତ୍ୟିକ ତଥା ପଞ୍ଜାବି ଲେଖକ ଓ କବି ମୋହନଜିତ୍ ସିଂ । ତାଙ୍କର ପ୍ରସିଦ୍ଧ କାବ୍ୟ ଓ କବିତା ପୁସ୍ତକ “”କୋଣେ ଦା ଅର୍କ୍” ପୁସ୍ତକକୁ ୨୦୧୮ ବର୍ଷ ପାଇଁ ଜାତିୟ ସ୍ତରରେ ମର୍ଯ୍ୟଦାଜନକ ସାହିତ୍ୟ ଏକାଡ଼େମି ପୁରସ୍କାର ପାଇଁ ମନୋନୟନ କରାଯାଇଛି । ମୋହନଜିତଙ୍କ ଏହି ପୁସ୍ତକର ନାମ ପଞ୍ଜାବୀ ଭାଷାରେ “”କୋଣେ ଦା ଅର୍କ୍” (କୋଣରେ ସୂର୍ଯ୍ୟ) କିନ୍ତୁ କବି, ଲେଖକ, ସାହିତ୍ୟିକ ଓ ପାଠକଙ୍କ ମହଲରେ ଏହା କୋଣାର୍କ ପୁସ୍ତକ ଭାବରେ ଆଦୃତ ହୋଇଛି । ପୁସ୍ତକଟିର ସମସ୍ତ କାବ୍ୟ କବିତା କୋଣାର୍କ ଉପରେ ଲିଖିତ । “”କୋଣାର୍କ” ପୁସ୍ତକ ଓ ମୋହନଜିତ୍ ସିଂ ଉଭୟ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଗର୍ବ ଓ ଗୌରବ ଆଣିଦେଇ ଆମ ରାଜ୍ୟର ସଂସ୍କୃତି ଓ ସାହିତ୍ୟକୁ ଜାତୀୟସ୍ତରରେ ସୁନାମ ଭରିଦେଇଛନ୍ତି ।
ଜାନୁୟାରୀ ୨୯.୨୦୧୯ ସନ୍ଧ୍ୟାରେ ନୂଆଦିଲ୍ଲୀ ଠାରେ ମୋହନଜିତ୍ ସିଂ ଏହି ମର୍ଯ୍ୟଦାଜନକ ପୁରସ୍କାର ଗ୍ରହଣ କରିବେ। ଏହାର ଅବ୍ୟବହିତ ପୂର୍ବରୁ ସାମ୍ବାଦିକ ତଥା ସ୍ତମ୍ଭକାର ବିଭୁତି ପତି ତାଙ୍କୁ ଭେଟି ଓଡ଼ିଶା ଅନୁଭୂତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଉପସ୍ଥାପନ କରୁଛୁ ସେହି ସାକ୍ଷାତକାରର କିୟଦଂଶ।


କୋଣାର୍କ କାବ୍ୟ-କବିତା ଲେଖିବାକୁ କାହିଁକି ମନ ବଳାଇଲେ ?
ମୋହନଜିତ୍ – ୧୯୮୩ ମସିହାର କଥା । ମୁଁ ଭାରତ ଭ୍ରମଣରେ ବାହାରିଥିଲି । ଭାରତ ଭ୍ରମଣ ଅବସରରେ ଓଡ଼ିଶାର ପୁରୀ ଓ କୋଣାର୍କ ଦେଖିବାକୁ ସୁଯୋଗ ପାଇଲି । ପୁରୀ ଓ କୋଣାର୍କ ଦର୍ଶନ ବେଳେ ହଠାତ୍ କୋଣାର୍କ ନିକଟରେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲି । କୋଣାର୍କର ଘୋଡ଼ା ଓ ରଥ ମୋ’ ମନକୁ ବାନ୍ଧିଦେଲେ । ସେଠାରୁ ଫେରି ଏଲୋରା, ଅଜନ୍ତା, ନଟରାଜ ସମେତ ଭାରତର ପ୍ରତିଟି ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କଲୁ । କିନ୍ତୁ ମୋ ମନ ରହିଯାଇଥିଲା କୋଣାର୍କରେ । ମୁଁ ହୋଇଯାଇଥିଲି ଆନମନା । ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ ସମୟରେ ମୋର ମନ ଲାଗିନଥିଲା । ମୁଁ ବ୍ୟଗ୍ର ହୋଇଉଠୁଥିଲି । ଯେତେ ଶୀଘ୍ର ଏହି ଭାରତ ଦର୍ଶନ ପର୍ଯ୍ୟଟନ ଶେଷ ହେବ ମୁଁ କିପରି ଆଉଥରେ କୋଣାର୍କ ଦର୍ଶନରେ ଯିବି ।


ତେବେ କୋଣାର୍କକୁ ନେଇ ଆପଣ ହଠାତ୍ ଏତେ ଭାବପ୍ରବଣ ହେବାର କ’ଣ କିଛି ନିର୍ଦ୍ଦିଷ୍ଟ କାରଣ ରହିଥିଲା ?
ମୋହନଜିତ୍ – ଏକଥା ହୁଏତ କହିଲେ କେହି ବିଶ୍ୱାସ ନକରିପାରନ୍ତି ! କିଛି ଅନୁଭବି ଲେଖକ ଓ କବି ନିଜ ଜୀବନର ବହୁତ କମ ସମୟରେ ଏଭଳି ଅନୁଭୂତିକୁ ଅଙ୍ଗେ ନିଭାଇବାର ଅଭିଜ୍ଞତା ହାସଲ କରିଥାନ୍ତି । ତେଣୁ ସହଜରେ ଏହି ବାସ୍ତବତାକୁ ସାଧାରଣ ମଣିଷ ଗ୍ରହଣ କରିବା ସମ୍ଭବ ନୁହେଁ । ଏହ ଶୁଣିଲେ ହୁଏତ ଏହାକୁ କବି ବା ଲେଖକର ଖିଆଲି ମନର କଳ୍ପନା କହି ହସରେ ଏଡ଼ାଇଦେବେ କିନ୍ତୁ ଏହା ମୋ’ ଜୀବନରେ ଏକ ବାସ୍ତବତା । ଏହି ବାସ୍ତବତା ହିଁ କୋଣାର୍କ ସୃଷ୍ଟି କରି ତାକୁ ଭାରତୀୟ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସମ୍ମାନ ଆଣିଦେଲା । ତେଣୁ ସେହି ବାସ୍ତବତାକୁ ସମସ୍ତେ ବୁଝିବା ଅସମ୍ଭବ ।


ଦୟାକରି କିଛି କୁହନ୍ତୁ କ’ଣ ସେହି ବାସ୍ତବତା, ଯାହାପାଇଁ କୋଣାର୍କ କାବ୍ୟ କବିତା ସୃଷ୍ଟି ହୋଇ ତାକୁ ଏହି ସମ୍ମାନ ଦେଇଛି ?
ମୋହନଜିତ୍- ଏହକୁ ମୁଁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଏଡ଼ାଇ ଯାଇଥିଲି । ଆପଣଙ୍କୁ ବାଧ୍ୟ ବାଧ୍ୟକତାରେ କହୁଛି । ମୁଁ ଭାରତ ଦର୍ଶନରୁ ଯେତେବେଳେ କୋଣାର୍କ ଦର୍ଶନ ସାରି ଫେରିଥିଲି । ମୋତେ ଲାଗିଥିଲା କୋଣାର୍କର ସେଇ କାଳଜୟୀ ରଥ ଓ ଘୋଡ଼ା ଯାହା ବିଶ୍ୱକୁ ଆଚମ୍ବିତ କରିଛି, ସତେଯେପରି ମୋ’ ପଛେ ପଛେ ଗୋଡ଼ାଉଛନ୍ତି । ସେଇ ଘୋଡ଼ା ମୋ’ ନିଦର ଶାନ୍ତି ଭଙ୍ଗ କଲା । ସବୁବେଳେ ମୋ’ପଛରେ ଗୋଡ଼ାଇଲା ଏବଂ ମୋ’ ଆଖିରେ ପ୍ରତିଟି ସମୟରେ ନାଚିଲା । ମୁଁ ଏକ ଛୋଟ କବିତା ଲେଖିଲି । ତଥାପି କିଛି ପରିବର୍ତ୍ତନ ହେଲାନି । ଏକଥା ମୁଁ ମୋର ପତ୍ନୀ କୁଲଦିପ୍ କୌର ଓ ମୋର ଅନ୍ତରଙ୍ଗ ବନ୍ଧୁ ସ୍ୱର୍ଗତଃ ପ୍ରଫେସର ଶାନ୍ତିଦେଭ୍ଙ୍କୁ କହିଲି । କୁଲଦିପ୍ କହିଲେ ଆଉଥରେ କୋଣାର୍କ ବୁଲି ଆସ । ଶାନ୍ତିଦେଭ୍ କହିଲେ ତମେ କୋଣାର୍କ ଯାଅ ଏବଂ ଏକ ବଡ଼ ସାହିତ୍ୟ କୃତି ସୃଷ୍ଟି କରିବାରେ ମନୋନିବେଶ କର । ଏହା ନହେଲେ କୋଣାର୍କର ରଥ ଓ ଘୋଡ଼ାର କାରୁକାର୍ଯ୍ୟ ତୁମର ପିଛା ଛାଡ଼ିବନି । ଶାନ୍ତିଦେଭ୍ ଓଡ଼ିଶାର ଜନଜାତିର ଲୋକକଥା ଉପରେ ଆଧାରିତ କିମ୍ବଦନ୍ତୀକୁ ନେଇ ଅନେକ ଲେଖା ଲେଖିଛନ୍ତି ଏବଂ କାହାଣୀର ସାହିତ୍ୟ ସୃଷ୍ଟି କରଛନ୍ତି । ଏହା ହୁଏତ କମ ଓଡ଼ିଆ ଲୋକ ଜାଣିଥିବେ । ତାଙ୍କଠାରୁ କୋଣାର୍କର କିମ୍ବଦନ୍ତି ଉପରେ ଅନେକ କଥା ଜାଣିପାରିଲି । ହଠାତ୍ ମୋର ଅଜାଣତରେ ଅନେକବାର ମୁଁ କୋଣାର୍କ ଚାଲିଯାଇଛି । ଏପରିକି ଘରେ ନଜଣାଇ ଭୁଲିଯାଇ ଚାଲିଯାଏ ପରେ ଜଣାଇଦିଏ । ଏହାରିଭିତରେ ମୋର କୋଣାର୍କ କାବ୍ୟ କବିତା ରଚନା ଆରମ୍ଭ ହୋଇଯାଇଥିଳା । ମୁଁ କୋଣାର୍କକୁ ନେଇ ବିଭିିନ୍ନ ସାହିତ୍ୟ, ଓ ଇତିହାସ ପଢ଼ିବା ଆରମ୍ଭ କରିସାରିଥିଲି ।


କୋଣାର୍କର ସଫଳତା ଓ ସମ୍ମାନାକୁ ନେଇ କ’ଣ କହିବେ ?
ମୋହନଜିତ୍ – ଦୀର୍ଘ ଆଠ ବର୍ଷରୁ କିଛି ଅଧିକ ସମୟ ଲାଗିଥିଲା କୋଣାର୍କ ପୁସ୍ତକ ପାଇଁ । ଏହି ପୁସ୍ତକର କାବ୍ୟ କବିତାରେ ଭରିରହିଛି ଅନେକ ଲୋକକଥାର ବିଶ୍ୱାସ, ଆବେଗ ଓ ଭାବନା । କବି ମନର କଳ୍ପନା, ସ୍ଥାନୀୟ କିମ୍ବଦନ୍ତୀ ଓ ଇତିହାସକୁ ନେଇ କୋଣାର୍କର କାବ୍ୟ କବିତା ରଚନା ହୋଇଛି । ଯେତେବେଳେ ଧରମା ମା’ ଗର୍ଭରେ ରହିଛି ଏବଂ ଧରମାର ବାପା ବାଦଶାହଙ୍କ (ରାଜାଙ୍କ) ଡ଼ାକରାରେ କୋଣାର୍କ ଗଢ଼ିବାକୁ ଯାଇଛନ୍ତି ଏବଂ ଠିକ୍ ସେହିପରି ଜଣେ ଶିଳ୍ପୀର ବାହାଘରର ତିନିଦିନ ପୂର୍ବରୁ ସେହି ଶିଳ୍ପୀ ନିଜର ବାହାଘର ବନ୍ଦ କରି କୋଣାର୍କ ଗଢ଼ିବାକୁ ଯାଇଛନ୍ତି – ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କିପରି ଚ୍ଛିନ୍ନ ହୋଇଛି, ପ୍ରେମିକ ପ୍ରେମିକାର ପ୍ରେମ ଭଟ୍ଟା ପଡ଼ିଛି, ଏହାକୁ ନେଇ ମୋ ପ୍ରାଣ କାନ୍ଦି ଉଠିଛି । ଏପରିକି ନର୍ତ୍ତକୀମାନଙ୍କର ନୃତ୍ୟର ଉନ୍ମାଦନା, ପୁରୁଷ ନାରୀର ସମ୍ପର୍କରେ ପ୍ରକୃତିର ସୃଷ୍ଟି ଦୃଶ୍ୟକୁ ଯେତେବେଳେ ଶିଳ୍ପୀ ନିଜର କାରୁକାର୍ଯ୍ୟରେ ପ୍ରସ୍ଫୁଟିତ କରିବାକୁ ଗଭୀର ଭାବରେ ଅନୁଧ୍ୟାନ କରି ଅନୁଭବ କରୁଥିବେ ଏବଂ ନିଜେ ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇ ନିଜ ପିଲାଛୁଆ, ସ୍ତ୍ରୀ, ପ୍ରେମିକାଠାରୁ ଦୂରରେ ରହି ନିଜର ପ୍ରାଣକୁ ପଥର କରି ଅଥଚ ପାଷାଣ ପଥରକୁ ଜୀବନ୍ତ କରିଥିବେ ସେଇ ଦୃଶ୍ୟ ମୋ ମନକୁ ଆନ୍ଦୋଳିତ କରିଥିଲା ।

ପତ୍ନୀ ଗୁରୁପ୍ରୀତ କୌରଙ୍କ ସହ ମୋହନଜିତ ସିଂହ


କୋଣାର୍କ କାବ୍ୟ କୃତ୍ତିର ସବୁଠାରୁ “”କ୍ଲାଇମାକ୍ସ ଓ କ୍ଲାରିଅନ” (ରଚନାର ଚରମ ମୂହୁର୍ତ୍ତ ଏବଂ ଉକ୍ରଣ୍ଠାର ତୁର୍ଯ୍ୟନାଦ) କୁ ନେଇ କ’ଣ କହିବେ ?
ମୋହନଜିତ୍ – ମୁଁ ଆପଣଙ୍କୁ କହିଛି ଯେଉଁଦିନୁ ମୁଁ କୋଣାର୍କକୁ ଦେଖିଥିଲି ସେଇ କ୍ଷଣଠାରୁ ମୋ’ ପଛରେ କୋଣାର୍କର ରଥ ଓ ଘୋଡ଼ା ମୋତେ ଗୋଡ଼ାଇବାର ଅନୁଭବ ହୋଇଥିଲା । ଲେଖାକୁ କିପରି ସାରିବି ଭାବୁଛି, ଯେତେ ଚେଷ୍ଟା କଲେବି ସାରିବା ସମ୍ଭବ ହେଉନି । ହଠାତ୍ ମୋ ଆଖି ଆଗରେ ନାଚି ଉଠିଲା ଏକ ଅଦ୍ଭୁତ ଦୃଶ୍ୟ । ସକାଳର ସୂର୍ଯ୍ୟ କୋଣାର୍କର ସମୁଦ୍ରରୁ ଉଦୟ ହେଉଛନ୍ତି । ଜଣେ ସାଧାସିଧା ଲୋକ ସମୁଦ୍ରରେ ସ୍ନାନସାରି ଉଠିଲେ । ମୁଁ ସମୁଦ୍ର କୂଳରେ ବସିଥିଲି । ତାଙ୍କୁ ମୁଁ ପଚାରିଲି, “”ଆପଣ ମୋତେ କୋଣାର୍କ ଦେଖିବାକୁ କିପରି ଯିବି ରାସ୍ତା ଦେଖାଇଦେବେ । ସେ ମୋତେ ତାଙ୍କ ସହିତ ଆସିବାକୁ କହିଥିଲେ । ମୁଁ ତାଙ୍କ ସହିତ ଆସିଲି । ତାଙ୍କ କୁଡ଼ିଆ ଘରେ ପଶିଲା ପରେ ସେ ମୋତେ ଗୋଟଏ ପଥର ଉପରେ ବସିବାକୁ କହିଲେ । ଅନେକ ପଥର ବିକ୍ଷିପ୍ତ ଅବସ୍ଥାରେ ଅଧା ଗଢ଼ା ମୂର୍ତ୍ତୀ ଏବଂ ଅନେକ ପଥରର ମୂର୍ତ୍ତୀମାନ ପଡ଼ିରହିଥିଲା । ଧୂପକାଠିର ସୁଗନ୍ଧ ମହକି ଉଠୁଥିଲା । ହଠାତ୍ ସେ ମୋତେ ପଚାରିଲେ, “”ତମେ କୋଣାର୍କ ଦେଖିବାକୁ ଯିବ ? ଯାଇ ପାରିବତ ?? କୋଣାର୍କ ଦେଖିବାକୁ ହେଲେ ଏକ ରକ୍ତନଈ ତମକୁ ପାରି କରିବାକୁ ପଡ଼ିବ ??? ମୋ’ର ଧ୍ୟାନ ଭଗ୍ନ ହୋଇଥିଲା । ଏହାକୁ ନେଇ ଯେଉଁ କବିତା ମୁଁ ଲେଖିଥିଲି ତାହା ଥିଲା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ମୋ କୋଣାର୍କର ଯବନିକା – “”କ୍ଲାଇମାକ୍ସ ଓ କ୍ଲାରିଅନ” ।


କିଛି ଶିଳ୍ପୀ କୋଣାର୍କକୁ ନେଇ ଦ୍ୱିତୀୟ କୋଣାର୍କ ଗଢ଼ିବାର କଥା କହିଛନ୍ତି । ଏହାକୁ ନେଇ କ’ଣ କହିବେ ?
ମୋହନଜିତ୍ – ଦେଖନ୍ତୁ, ନକଲି କେବେ ଅସଲି ହୋଇପାରିବନି । ନକଲ ସବୁବେଳେ ନକଲ, ଏହା ଅସଲ ନୁହେଁ । ଏହା ସବୁ ସମୟ ପାଇଁ ନକଲ ହୋଇ ରହିଯିବ । କେବଳ କୋଣାର୍କ ନୁହେଁ ତାଜମହଲ ସମେତ ଭାରତର ବିଭିନ୍ନ ପ୍ରାଚୀନ କିର୍ତ୍ତୀକୁ ନେଇ ଏପରି ନକଲ କରି ଗଢ଼ିବାର ଚର୍ଚ୍ଚ ହେଉଛି । ବର୍ତ୍ତମାନର ଆଧୁନିକ ବିଜ୍ଞାନ ଓ ମେସିନ୍ର ଯୁଗରେ ଏପରି ନକଲ କରିବା କିଛି ଅସମ୍ଭବ ନୁହେଁ । କିନ୍ତୁ ପ୍ରାଚୀନ କିର୍ତ୍ତୀର ଆଶ୍ଚର୍ଯ୍ୟ କେବଳ ଅସଲିରେ ହିଁ ରହିବ । ହାତକଳାର ମନଲୋଭା ଦୃଶ୍ୟ ମେସିନ୍ର ଯୁଗରେ ମନକୁ କିଣିବା ସମ୍ଭବ ନୁହେଁ ।

କୋଣାର୍କ ପୁସ୍ତକ ସମ୍ମାନର ଶ୍ରେୟ ଓ ସମର୍ପଣ ଆପଣ କାହାକୁ କରିବେ ?
ମୋହନଜିତ୍ – ମୋ’ ସୃଷ୍ଟିର ସାହିତ୍ୟ କୋଣାର୍କ ସମର୍ପଣ କେବଳ ଭଗବାନ ସୂର୍ଯ୍ୟଦେବଙ୍କ ସେହି ରଥ ଓ ଘୋଡ଼ାଙ୍କ ପ୍ରତି। ଭାରତର କୋଣ ଅନୁକୋଣ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଥିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଏହି ସମ୍ମାନ ସମର୍ପିତ । ତେବେ ଏହାର ଶ୍ରେୟର ଅଧିକାରିଣୀ ମୋର ପତ୍ନୀ କୁଲଦୀପ୍ କୌର ଏବଂ ବନ୍ଧୁ ପ୍ରଫେସର ଶାନ୍ତିଦେବଙ୍କ ପ୍ରତି ସମସ୍ତ ଶୁଭେଚ୍ଛା ।