ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଆର୍ନ୍ତଜାତୀୟ ପ୍ରତିନିଧିଦଳ

ଭୁବନେଶ୍ୱର, (ଓଟି):ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍‍ ଓ ୟୁନିସେଫ୍‍ ପ୍ରତିନିଧିଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହିତ ଆଲୋଚନା କରିଛନ୍ତି । ବାତ୍ୟାରେ ସ୍ୱାସ୍ଥ୍ୟ ବିଭାଗର ହୋଇଥିବା କ୍ଷୟକ୍ଷତି ସହିତ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧିଦଳ ୬ଟି ଭାଗରେ ବିଭକ୍ତ ହୋଇ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିବା ସହିତ ଆସନ୍ତା ୩ ତାରିଖରେ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ରୀତୁ ସିଂହ ଚୌହାନ ଓ ଡାକ୍ତର ଅବନୀନ୍ଦ୍ରନାଥ ସାହୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକ ଗସ୍ତରେ ଯିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ଗୌରବ ଗୁପ୍ତା ଓ ଡାକ୍ତର ସନ୍ତୋହ ସାହୁଙ୍କ ନେଇ ଗଠିତ ଅନ୍ୟ ଟିମ୍‍ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କ୍ୟାପିଟାଲ ହସ୍ପିଟାଲ, କଟକ ସ୍ଥିତ ସିଟି ହସ୍ପିଟାଲ ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବେ ।

ସେହିଭଳି ୟୁନିସେଫ୍‍ର ଡାକ୍ତର ବ୍ରଜେଶ ରାଜ ମିତ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକତର ଦୀପକ କୁମାର କର ଓ ଡାକ୍ତର ଜ୍ଞାନ ଚାନ୍ଦଙ୍କୁ ନେଇ ଗଠିତ ଟିମ୍‍ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବାକୁ ଥିବାବେଳେ ବିଶ୍ୱବ୍ୟାଙ୍କ୍‍ର ଡାକ୍ତର ସୁରେଶ କୁମାର ମହମ୍ମଦ ଓ ୟୁନିସେଫ୍‍ର ଦୀପକ କୁମାର ବିଶ୍ୱାଳଙ୍କୁ ନେଇ ଗଠିତ ଟିମ୍‍ ଜଗତ୍‍ସିଂହପୁର, କେନ୍ଦ୍ରାପଡାର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ପରିଦର୍ଶନ ସହିତ କ୍ଷୟକ୍ଷତିର ଆକଳନ କରିବେ । ଆଲୋଚନା ସମୟରେ ବିଭାଗ ପକ୍ଷରୁ କ୍ଷୟକ୍ଷତି ସଂକ୍ରାନ୍ତରେ କରାଯାଇଥିବା ଆକଳନ ସଂକ୍ରାନ୍ତରେ ସୂଚନା ପ୍ରଦାନ କରରାଯାଇଥିଲା । ଏଥି ସହିତ ବାତ୍ୟା ପୂର୍ବରୁ ଓ ପରେ ବିଭାଗ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଆର୍ନ୍ତଜାତୀୟ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା । ପ୍ରଦାନ କରାଯାଇଥିବା ସୂଚନା ମଧ୍ୟରେ ବାତ୍ୟା ପୂର୍ବରୁ ସର୍ତକତା ପଦକ୍ଷେପ ସ୍ୱରୂପ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହିତ ନିରବଚ୍ଛିନ୍ନ ବିଜୁଳି ବ୍ୟବସ୍ଥା ପାଇଁ ସ୍ୱସ୍ଥ୍ୟକେନ୍ଦ୍ର ଗୁଡିକୁ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ସେଟ୍‍ ଯୋଗାଇ ଦିଆଯାଇଥିଲା । ଡାକ୍ତରମାନଙ୍କ ଛୁଟି ବାତିଲ କରି ସେମାନଙ୍କୁ ବାତ୍ୟାଞ୍ଚଳରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାପାଇଁ କୁହାଯାଇଥିଲା ।

ବାତ୍ୟା ପରବର୍ତ୍ତୀ ସ୍ଥିତିରେ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଡାକ୍ତର ଓ ପାରାମେଡିକ୍‍ ଟିମ୍‍ ପଠାଇବା ସହିତ ପର୍ଯ୍ୟାପ୍ତ ପରିମାଣର ଔଷଧ, ଜଳ ବିଶୋଧନ ଲାଗି ହାଲୋଜେନ ଓ କ୍ଲୋରିନ ବଟିକା ଯୋଗାଯାଇଥିଲା । ସଚିବଙ୍କ ଠାରୁ ଆରମ୍ଭକରି ବିଭାଗର ଅନ୍ୟ ଅଧିକାରୀମାନେ ବାତ୍ୟାଞ୍ଚଳକୁ ଯାଇ ସ୍ୱାସ୍ଥ୍ୟସେବ ପରିଚାଳନା କରିଥିଲେ । କୌଣସି ଅଞ୍ଚଳରେ ଯେଭଳି ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ କଲ୍ୟାଣ ସମିତିମାନଙ୍କ ସହାୟତାରେ ବ୍ୟାପକ ସଫେଇ ଓ ଜଳ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଇଥିଲା । ବାତ୍ୟାଞ୍ଚଳରେ କିଶୋରୀ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱଆରୋପ କରାଯିବା ସହିତ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଆସନ୍ତା ଦୁଇମାସ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ୨୪ଲକ୍ଷ ସାନିଟାରୀ ନାପ୍‍କିନ୍‍ ଯୋଗାଇ ଦିଆଯାଉଛି । ବିଭାଗର କମିଶନର ଡାକ୍ତର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଓ ଡାକ୍ତର ଲିଙ୍ଗରାଜ ମିଶ୍ର ଏବଂ ସମସ୍ତ ବିଭାଗୀଙ୍କ ନିର୍ଦ୍ଦେଶକଙ୍କ ସହିତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.