ଆଦିବାସୀ ଜିଲାରେ କମୁନି ଶିଶୁ ମୃତ୍ୟୁ

ବିଦେଶରେ ଓଡ଼ିଶାର ପରିଚୟ କ’ଣ? ନିକଟରେ ଫୋନି ବାତ୍ୟା ଉପରେ ଆମେରିକାର ନ୍ୟୁୟର୍କ ଟାଇମ୍ସରେ ଲିଖିତ ଏକ ରିପୋର୍ଟରେ ଓଡ଼ିଶାକୁ ଭାରତର ଦରିଦ୍ର ରାଜ୍ୟ ବୋଲି ଦର୍ଶାଯାଇଥିଲା। ଶିଶୁ ବିକାଶ ସଂକ୍ରାନ୍ତ ଅନେକ ରିପୋର୍ଟରେ ନଗଡ଼ାକୁ ଓଡ଼ିଶା (ଭାରତ)ର ପରିଚୟ ବୋଲି ଦର୍ଶାଯାଇଥିଲା।

ଏବେ ଯେଉଁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଉପଲବ୍ଧ ହୋଇଛି, ତାହା ଦର୍ଶାଉଛି ଯେ, ବିପୁଳ ଅର୍ଥ ବିନିଯୋଗ ସତ୍ତ୍ୱେ ଓଡ଼ିଶା କପାଳରୁ ଶିଶୁ ମୃତ୍ୟୁ କଳାଦାଗ ହଟିବାର ନାହିଁ। ସରକାର ଦମ୍ଭ ଦେଖାଇ ଆସୁଛନ୍ତି ଯେ, ଓଡ଼ିଶାରେ ଶିଶୁ ମୃତ୍ୟୁହାର ଦ୍ରୁତ କମିବାରେ ଲାଗିଛି। କିନ୍ତୁ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ସରକାରୀ ଭାବେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଆଦିବାସୀ ଜିଲାଗୁଡ଼ିକରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ବିପୁଳ ଅର୍ଥ ଖର୍ଚ୍ଚ ପରେ ମଧ୍ୟ ସୁଧୁରୁ ନାହିଁ ଅବସ୍ଥା।

୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଶିଶୁ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ମିଳିଛି, ତାହା ଉଦବେଗଜନକ। ୨୦୧୪-୧୫ରେ କୋରାପୁଟରେ ୧୨୪୬ ଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଶିଶୁମାନଙ୍କର ବୟସ ୫ବର୍ଷ ଭିତରେ। ୨୦୧୮-୧୯ରେ ଏହା ପହଞ୍ଚିଛି ୧୦୬୭ରେ। କିନ୍ତୁ ତା’ ପୂର୍ବବର୍ଷ ଏହି ଆଦିବାସୀ ବହୁଳ ଜିଲାରେ ୮୮୮ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

ନୂଆପଡ଼ାରେ ୨୦୧୪-୧୫ରେ ୭୨୦ ଜଣ ଶିଶୁ କୁପୋଷଣ ଏବଂ ଅନ୍ୟ କାରଣରୁ ମୃତ୍ୟୁମୁଖରେ ପଡ଼ିଥିଲେ। ୨୦୧୮-୧୯ରେ ଏହା ୩୧୦କୁ କମିଥିଲେ ସୁଦ୍ଧା ପୂର୍ବ ବର୍ଷଗୁଡ଼ିକରେ ମୃତ୍ୟୁହାର ଯଥେଷ୍ଟ ଅଧିକ ରହିଥିଲା।

ମୟୂରଭଞ୍ଜ ପରି ଏକ ବଡ଼ ଆଦିବାସୀ ଜିଲାରେ ୨୦୧୪-୧୫ରେ ୪୫୩ ଶିଶୁ ପ୍ରାଣ ହରାଇଥିଲେ। କିନ୍ତୁ ୨୦୧୮-୧୯ରେ ଏହା ଛୁଇଁଥିଲା ୧୦୪୦କୁ। ଏହା ପୂର୍ବବର୍ଷ ଥିଲା ୧୧୯୮ ଏବଂ ତା’ ପୂର୍ବବର୍ଷ ୧୨୬୧ ଶିଶୁ ପ୍ରାଣ ହରାଇଥିଲେ।

କଳାହାଣ୍ଡି ଅବସ୍ଥା ମଧ୍ୟ ଅତି ଖରାପ। ୨୦୧୪-୧୫ରେ ୧୩୩୩ ଜଣ ଶିଶୁ ପ୍ରାଣ ହରାଇଥିଲେ। ୨୦୧୮-୧୯ରେ ଏହି ସଂଖ୍ୟା ୮୯୮କୁ କମିଥିଲା। କିନ୍ତୁ ତା’ପୂର୍ବ ବର୍ଷ ଥିଲା ୧୦୯୦।

ଓଡ଼ିଶାରେ ଶିଶୁ ମୃତ୍ୟୁହାର କମାଇବା ପାଇଁ ଗୁଡ଼ାଏ କାର୍ଯ୍ୟକ୍ରମ ଓ ଯୋଜନା ଚାଲୁ ରହିଛି। ଏଥିପାଇଁ କେନ୍ଦ୍ର ସରକାର ବିପୁଳ ଅନୁଦାନ ଦେଇଆସୁଛନ୍ତି। ମାତ୍ର ସ୍ଥିତିରେ ସେମିତି ବଡ଼ ପରିବର୍ତ୍ତନର ସଗ୍ଧେତ ମିଳୁ ନାହିଁ। ୨୦୧୪-୧୫ରେ ପୌଷ୍ଟିକ ଥଇଥାନ କେନ୍ଦ୍ର ବା ଏନଆରସି ମାଧ୍ୟମରେ କୋରାପୁଟ ପାଇଁ ୧୨ଲକ୍ଷ ୩୧ହଜାର ୪୩୬ ଟଙ୍କା, ନୂଆପଡ଼ା ପାଇଁ ୭ଲକ୍ଷ ୬୫ହଜାର ୮୩ ଟଙ୍କା, ମୟୂରଭଞ୍ଜ ପାଇଁ ୧୦ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

ବିଭିନ୍ନ ଯୋଜନାରେ ଯେଉଁ ଟଙ୍କା ଜିଲାଗୁଡ଼ିକୁ ଯୋଗାଇ ଦିଆଯାଇଥିଲା, ସେଥିମଧ୍ୟରୁ ୨୦୧୪-୧୫ରେ କୋରାପୁଟ ଖର୍ଚ୍ଚ କରିଛି ୪୧ଲକ୍ଷ ୨୧ହଜାର ଟଙ୍କା। ନୂଆପଡ଼ା ୧୩ଲକ୍ଷ ୮୪ ହଜାର, ମୟୂରଭଞ୍ଜ ୩୫ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୮- ୧୯ରେ ନବରଙ୍ଗପୁରରେ ସର୍ବାଧିକ ୪କୋଟି ୪୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ଶିଶୁ ମୃତ୍ୟୁହାର ରୋକିବା ପାଇଁ।

କୋରାପୁଟରେ ଗତ ୪ ବର୍ଷ ଭିତରେ ୧କୋଟି ୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସାରିଛି। ତଥାପି ନିୟନ୍ତ୍ରଣକୁ ଆସୁ ନାହିଁ ଶିଶୁ ମୃତ୍ୟୁହାର। ସମାନ ଅବସ୍ଥା ମୟୂରଭଞ୍ଜ ଏବଂ ନବରଙ୍ଗପୁରରେ। ଏହାର ଦୁଇଟ କାରଣ ହୋଇପାରେ। ଅର୍ଥର ସଦଉପଯୋଗ ହେଉ ନାହିଁ।

ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ପାଇଁ ଯେଉଁସବୁ ଯୋଜନା ହେଉଛି, ତାହାର କାର୍ଯ୍ୟକାରିତାରେ ବ୍ୟାପକ ଦୋଷ ଦୁର୍ବଳତା ବା ତ୍ରୁଟି ବିଚ୍ୟୁତି ରହୁଛି। ସେଥିପାଇଁ ନଗଡ଼ା ପରି ଅନେକ କରୁଣ ଚିତ୍ର ଭରିରହିଛି ଓଡ଼ିଶାର ଆଦିବାସୀ ଅଞ୍ଚଳରେ। ତେବେ ଓଡ଼ିଶାର ପ୍ରକୃତ ପରିଚୟ କ’ଣ? ଶିଶୁ ମୃତ୍ୟୁହାର, ଦାଦନ ଶ୍ରମିକ ନା ବିପର୍ଯ୍ୟସ୍ତ ଶାସନ ତନ୍ତ୍ର?

Leave a Reply