ଅପୂର୍ବ ସଦ୍ଭାବନା: ସେବାବ୍ରତୀଙ୍କୁ ଶବ୍ଦାଞ୍ଜଳି
ଭୁବନେଶ୍ଵର, ନୂଆଦିଲ୍ଲୀ (ଓଟି): ମହାମାରୀ ବ୍ୟାପିଛି। ସାରା ବିଶ୍ଵରେ ଜୀବନ ପ୍ରତି ସଂକଟ ସୃଷ୍ଟି କରିଛି। ଏହିକ୍ରମରେ ଭାରତରେ ମଧ୍ୟ ଅଘୋଷିତ ଜରୁରିକାଳୀନ ପରିସ୍ଥିତିର ସାମ୍ନା କରୁଛନ୍ତି ସମସ୍ତ ଜନତା। ସୁରକ୍ଷା ଓ ସତର୍କତା ପାଇଁ ସରକାରୀ କଟକଣା ଭିତରେ ଆଜି ସର୍ବସାଧାରଣ ପାଳନ କରୁଛନ୍ତି ସ୍ଵତଃ କର୍ଫ୍ୟୁ। ଏହାରି ମଧ୍ୟରେ ଆସନ୍ନ ସନ୍ଧ୍ୟା ଉପନୀତବେଳରେ ଅପୂର୍ବ ଶବ୍ଦ ସମ୍ଭାର ସୃଷ୍ଟି ହୋଇଛି- ଦେଶର କୋଣ ପ୍ରତିକୋଣରୁ ସଞ୍ଚରି ଯାଇଛି ଭାଇଚାରା ଆଉ ଭାବାବେଗର ଭାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ ପରେ ଜନତା କର୍ଫ୍ୟୁକୁ ଲୋକେ ଯେଭଳି ସମର୍ଥନ କରିଛନ୍ତି; ସେହିପରି ଆସନ୍ନ ସନ୍ଧ୍ୟା ବେଳରେ ନିଜ ଜୀବନକୁ ବାଜି ଲଗାଇ ସମାଜସେବାରେ ବ୍ରତୀ ଥିବା ବ୍ୟକ୍ତିବିଶେଷଙ୍କୁ ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି।
ଶବ୍ଦାଞ୍ଜଳି ଫଳ ସ୍ଵରୂପ କିଛି ସମୟ ପାଇଁ ପ୍ରତି ଘରୁ , ଝରକା ପାଖରୁ, ଛାତ ଓ ବାଲକୋନିରୁ ଭାସି ଆସିଥିଲା ଘଣ୍ଟ-ଘଣ୍ଟି, ଶଙ୍ଖ-ମୃଦଙ୍ଗ ସମେତ ଥାଳି ଆଦି ସାମଗ୍ରୀର ମୃଦୁ ଗମ୍ଭୀର ଶବ୍ଦଗୁଞ୍ଜନ। ଫଳରେ ସଞ୍ଚରି ଯାଉଥିଲା ମନପ୍ରାଣରେ ଏକ ଅପୂର୍ବ ସଦ୍ଭାବନା। ଭାରତବାସୀ ଆମେ ଏକ୍- ବିପଦ ଟଳିବ- ଏକ ନୂଆ ସକାଳର ନୂଆ କିରଣ ପୁଣି ଉଇଁବ- ଏହାହିଁ ସବୁରି ଆଶା ଓ ଭରସାର ସଂକେତ ହୋଇ ଶବ୍ଦରେ ତରଙ୍ଗାୟିତ ହେଉଥିଲା।
ଗାଁରୁ ପଲ୍ଲୀ, ସହରରୁ ଦିଲ୍ଲୀ। ବାହଦଲପୁର-ଭୁବନେଶ୍ଵରରୁ ସୁଦୂର ମାଲକାନଗିରି… ସର୍ବୋପରି କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶବାସୀ ସୃଷ୍ଟି କରିଥିଲେ ଶବ୍ଦ ଗୁଞ୍ଜନ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିବେଦନକୁ ସବୁଠି ଦିଆଯାଇଥିଲା ସମର୍ଥନ। ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶବାସୀ । ଡାକ୍ତର, ନର୍ସ, ସଫେଇ କର୍ମୀ, ପୁଲିସ ଓ ମିଡିଆ କର୍ମୀଙ୍କୁ ଧନ୍ୟବାଦ ଜଣାଇଛି ଭାରତ।
ସୂଚନାଯୋଗ୍ୟ ଏଭଳି ଧନ୍ୟବାଦ ଜଣାଇବାକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ରବିବାର ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ଜାରି ରହିବାକୁ ଥିବାବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଅନ୍ୟ କଟକଣା ବଳବତ୍ତର ରହିବ।
– ଏସ୍ପି