ସୀମା ସେପାରିର ପ୍ରେମିକା: ପାକିସ୍ତାନୀ ପ୍ରେମିକା ଓ ଭାରତୀୟ ପ୍ରେମିକଙ୍କ ପ୍ରେମ କାହାଣୀ

0
28111
advertisement

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଲେଭ୍‌, ନୂଆଦିଲ୍ଲୀ
୯୯୧୦୭୪୦୮୩୯

advertisement

୧୫୭୯ ମସିହାରେ ପ୍ରଖ୍ୟାତ କବି ଜନ୍ ଲିଲ୍‌ଙ୍କ “ଇଉଫ୍ୟୁଜ୍ : ଦି ଆନାଟୋମି ଅଫ୍ ୱିଟ୍‘ ଉପନ୍ୟାସରେ ସେ ଲେଖିଥିଲେ ପ୍ରେମ ଓ ଯୁ୍ଦ୍ଧରେ ସବୁକିଛି ସମ୍ଭବ । ଏଥିରେ ନୀତି ନିୟମ କାମ କରେନି । ଭାରତ ପାକିସ୍ତାନର ଯୁଦ୍ଧର ଘନଘଟା ଭିତରେ ଏହା ଏକଦା ପୁଣି ଥରେ ସତ୍ୟ ପ୍ରମାଣିତ ହୋଇଛି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଘନଘଟା ଜୋରଦାର ଭାବରେ ଚାଲିଛି । ସୀମାରେଖାରେ ଗୁଳିଗୋଳା ବର୍ଷଣ ଓ କମାଣର ଗର୍ଜ୍ଜନ ମଧ୍ୟରେ ଉଭୟ ପକ୍ଷର ସୈନ୍ୟ ସାମାନ୍ତ ଓ ନିରୀହ ମଣିଷ ପ୍ରତିଦିନ ଆହତ ଓ ନିହତ ହେଉଥିବାର ଖବର ପ୍ରତିଟି ସମୟରେ ମଣିଷ ମନରେ ଭିତ୍ତି ସଞ୍ଚାର କରୁଛି । ଠିକ୍ ସେତିକିବେଳେ ପାକିସ୍ତାନୀ ପ୍ରେମିକା ଓ ଭାରତୀୟ ପ୍ରେମିକ ପ୍ରେମ ଭାରତ ପାକ୍ ସୀମାରେଖାର ଗୁଳିଗୋଳା ଓ କମାଣର ଗର୍ଜ୍ଜନକୁ କିମ୍ବା ଯୁଦ୍ଧର ବିଭୀଷିକାର ପରିଣାମକୁ ଖାତିର କରିନି । ଏଭଳି ଏକ ପ୍ରେମୀ ଯୁଗଳଙ୍କ ପ୍ରେମକାହାଣୀ ଆଜି ଭାରତ ପାକିସ୍ତାନର ପ୍ରତିଟି ମଣିଷକୁ ଆଚମ୍ବିତ କରିବା ସହିତ ଶାନ୍ତି ସଂହତିର ନୂଆ ସମ୍ପର୍କର ବାର୍ତ୍ତା ବାଣ୍ଟୁଛି । ପଞ୍ଜାବର ଅମ୍ବାଲା ସହରରେ ଭାରତୀୟ ପ୍ରେମିକ ପଲୱିନ୍ଦର(୩୧) ପାକିସ୍ତାନୀ ପ୍ରେମିକା କରିଣକୁ(୨୭) ପ୍ରେମକରି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା କାଳ୍ପନିକ ସୀମାରେଖାର ନୀତି ନିୟମକୁ ଭାଙ୍ଗିଦେଇଛନ୍ତି ।

ପଲୱିନ୍ଦର ଓ କିରଣ, ପ୍ରେମୀଯୁଗଳଙ୍କ ପ୍ରେମ ଆରମ୍ଭ ହୋଇଥିଲା ୨୦୧୬ମସିହାରେ । ପାକିସ୍ତାନସ୍ଥିତ ପଞ୍ଜାବ ପ୍ରଦେଶର ସିଆଲକୋର୍ଟରେ ବାସ କରୁଥିବା କିରଣ ଚିମା ଲାହୋର ଠାରୁ ସମ୍ଝୋତା ଏକ୍ସପ୍ରେସ୍ରେ ଭାରତର ପଞ୍ଜାବ ପ୍ରଦେଶର ପଟିଆଲାସ୍ଥିତ ସମନ୍ନା ସହରକୁ ଏକ ପାରିବାରିକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ । ଏହି ବିବାହ ଉତ୍ସବରେ କିରଣ ଅମ୍ବାଲାର ତେପଲ୍ଲା ଗ୍ରାମର ପଲୱିନ୍ଦରଙ୍କୁ ଭେଟିଥିଲେ । ପ୍ରଥମଥର ପଲୱିନ୍ଦର ଓ କିରଣଙ୍କ ଚାରିଚକ୍ଷୁର ମିଳନ ହୋଇଥିଲା ଏବଂ ଏହାପରେ ଇତିହାସର ପୁନରାବୃତ୍ତି ଘଟିଥିଲା – ୧୮୮୫ ମସିହାରେ ଜେମ୍ସ ବ୍ରାଣ୍ଡରଙ୍କ ସେହି ପ୍ରସିଦ୍ଧ ଉକ୍ତି “ଲଭ୍ ଆଟ୍ ଫାଷ୍ଟ୍ ସାଇଟ୍’ ପୁନଶ୍ଚ ସତ୍ୟ ପ୍ରମାଣିତ ହୋଇଥିଲା । କିରଣ ଓ ପଲୱିନ୍ଦର ପରସ୍ପରକୁ ପ୍ରଥମ ଦେଖାରେ ପ୍ରେମକରି ମନ ଦିଆନିଆ ହୋଇଗଲେ । ପରେ ପରେ ଏହି ମନ ଦିଆନିଆ ଉଭୟଙ୍କ ଆତ୍ମାର ମିଳନ ପାଇଁ ତଥା ଜନ୍ମ ଜନ୍ମାନ୍ତରର ସାଥୀ ହେବାକୁ କିରଣ ଓ ପଲୱନ୍ଦିର ଦୃଢ଼ ନିଷ୍ପତ୍ତି ନେଇଗଲେ । ଭାରତ -ପାକିସ୍ତାନର ତିକ୍ତ ସମ୍ପର୍କ, ଉତ୍ତେଜନା ପରିସ୍ଥିତି, ଘୃଣା ଓ ହିଂସା ଏବଂ ଭବିଷ୍ୟତର ଯୁଦ୍ଧ ବିଭୀଷିକାକୁ ଖାତିର ନଥିଲା କିମ୍ବା ଭୟ ନଥିଲା କିରଣ ଓ ପଲୱନ୍ଦିରଙ୍କର ।

ଯଦିଓ ଫେବୃୟାରୀ ମାସରେ କିରଣ ଓ ପଲୱନ୍ଦିରଙ୍କର ବିବାହ ହେବାର ଦିନ ଠିକଣା ହୋଇଥିଲା କିନ୍ତୁ ପୁଲୱାମାର ବର୍ବର ହିଂସା ଓ ଏହାର ପରବର୍ତ୍ତୀ ଭାରତ ପାକିସ୍ତାନ ଯୁଦ୍ଧର ଆତଙ୍କ ବିବାହାର ନିର୍ଦ୍ଦିଷ୍ଟ ଦିନକୁ ସ୍ଥଗିତ ରଖିଦେଇଥିଲା । କିରଣ ଓ ପଲୱନ୍ଦିରଙ୍କ ବିବାହ ପାଇଁ ସବୁଠାରୁ ବଡ଼ ସମସ୍ୟା ଥିଲା ପୁଲୱାମା ପରେ ଭାରତ ପାକିସ୍ତାନର ସମ୍ଝୋତା ଟ୍ରେନ୍ ସେବା ବାତିଲ ହୋଇଯିବା ଏବଂ ବିମାନସେବା ବାତିଲ କରିବା ତଥା ଟିକେଟ୍ ନମିଳିବା । ସମ୍ଝୋତା ଏକ୍ସପ୍ରେସ୍ ସେବା ଆରମ୍ଭ ହେବା କ୍ଷଣି ଯଥାଶୀଘ୍ର କିରଣ ଓ ପଲୱନ୍ଦିର ନିଜର ବିବାହ ପାଇଁ ସମସ୍ତ ପଦକ୍ଷେପ ଓ ପ୍ରସ୍ତୁତି ଶେଷ କଲେ । କିରଣ ଓ ପଲୱନ୍ଦିରଙ୍କ ପାଇଁ ବିଧିର ବିଧାର ନିର୍ଦ୍ଦିଷ୍ଟ ଥିଲା ।

“ବବାହା ବନ୍ଧନ ସ୍ୱର୍ଗରେ ସ୍ଥିର ହୋଇସାରିଥାଏ’ ଏହାର ବାସ୍ତବତା କିରଣ ଓ ପଲୱନ୍ଦିର ଜୀବନରେ ଦେଖାଦେଲା । ଗତ ଗୁରୁବାର ମାର୍ଚ୍ଚ ୭ତାରିଖରେ କିରଣ ଓ ପଲୱନ୍ଦିର ଅମ୍ବାଲାର ଗୁରୁଦ୍ୱାରରେ ବିବାହ ବନ୍ଧନରେ ଆବଦ୍ଧ ହେଲେ । ନିଜ ପାରିବାରିକ ଜୀବନ ଆରମ୍ଭ କରିବା ପ୍ରତିଜ୍ଞା ନେଲେ । ଏହି ବିବାହକୁ ସର୍ବସାଧାରଣରେ ଘୋଷଣା ମଧ୍ୟ କରାଗଲା। କିନ୍ତୁ ସୀମାରେଖାରେ ଗୁଳିଗୋଳା ବର୍ଷଣ ଓ ଯୁଦ୍ଧର ଘନଘଟା ତଥା ଭାରତ ପାକିସ୍ତାନରେ ଲାଗିରହିଥିବା ଉତ୍ତେଜନାମୂଳକ ପରିସ୍ଥିତି କାରଣରୁ କିରଣଙ୍କ ଅଧିକାଂଶ ପରିବାର ସଦସ୍ୟ ତାଙ୍କ ବିବାହା ଉତ୍ସବରେ ଯୋଗ ଦେଇପାରିନଥିଲେ ।

ପଲୱିନ୍ଦର ଭାରତୀୟ ଦୂରସଂଚାର ନିଗମର ଜଣେ ଜଣାଶୁଣା କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରନ୍ତି । ବିବାହା ପରେ ପଲୱିନ୍ଦର କହିଲେ ‘ମୁଁ କିରଣଙ୍କୁ ବିବାହ କରି ବହୁତ ଖୁସି । ଭାରତ ସରକାରଙ୍କୁ ମୁଁ ଅନୁରୋଧ କରୁଛି ସେ ମୋ ପତ୍ନୀ କିରଣଙ୍କୁ ଭିସା ପ୍ରଦାନ କରିବା ପାଇଁ । ଫଳରେ ଆମେ ଅମ୍ବାଲାରେ ଖୁସିରେ ରହିପାରିବୁ । ବର୍ତ୍ତମାନ କିରଣଙ୍କ ଭିସା କେବଳ ପଟିଆଲା ପାଇଁ ରହଛି । ପଟିଆଲାରେ ଆମେ ଏକ ଭଡ଼ାଘର ନେଇ ଏବେ ରହିବା ସ୍ଥିର ହୋଇଛି । ମୁଁ ଆଶା କରୁଛି ଆମ ସରକାର ମୋ ସମସ୍ୟାର ସମାଧାନ କରିବେ ।”

“”ଆମ ଉଭୟଙ୍କ ବିବାହ ଉଭୟ ଦେଶର ଦେଶବାସୀଙ୍କୁ ସ୍ନେହ-ସଦିଚ୍ଛା-ଶାନ୍ତିର ବାର୍ତ୍ତା ବାଣ୍ଟିବ । ଫଳରେ ଉଭୟ ଦେଶର ପ୍ରତିଟି ଜନସାଧାଣ ହସଖୁସିରେ ଜୀବନଯାପନ କରିବେ । ଏହା ଭାରତ ପାକିସ୍ତାନର ଉତ୍ତେଜନାକୁ ହ୍ରାସ କରି ଭବିଷ୍ୟତରେ ଏକ ନୂଆ ବନ୍ଧୁତ୍ୱର ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୋର ଆଶା,” ଏହା କୁହନ୍ତି କିରଣ ।
କିରଣଙ୍କ ବାପା ସୁରଜିିତ୍ ଚିମା କୁହନ୍ତି, “”ପ୍ରତିଟି ପାକିସ୍ତାନ ଓ ଭାରତୀୟଙ୍କୁ କିରଣ ଓ ପଲୱନ୍ଦିରଙ୍କ ବିବାହ ବନ୍ଧନ ଶାନ୍ତିର ସ୍ୱର ଶୁଣାଇବ । ରକ୍ତପାତ -ଆତଙ୍କବାଦ -ଉତ୍ତେଜନା ଓ ଯୁଦ୍ଧର ଆତଙ୍କ ଉଭୟ ଦେଶର ସୁଖ ଶାନ୍ତିକୁ ଧ୍ୱଂସ କରୁଛି । ଏହାକୁ ସମସ୍ତେ ବୁଝିବା ଦରକାର – ଅବଶ୍ୟ ସାଧାରଣ ମଣିଷ ଏହାକୁ ବୁଝିପାରିଛନ୍ତି । ଭାରତ ଓ ପାକିସ୍ତାନ ଏବଂ ଏହାର ପ୍ରତିଟି ଜନସାଧାରଣ ଗୋଟିଏ ମାଟିର ସୃଷ୍ଟି । ଆପୋଷ ବୁଝାମଣା ଏବଂ ଆଲୋଚନା ଦ୍ୱାରା ପୁଣି ଭାରତ ପାକିସ୍ତାନରେ ଶାନ୍ତି – ସଂହତି ଫେରିଆସିବ । କିରଣ ଓ ପଲୱନ୍ଦିର ଙ୍କ ବିବାହରେ ମୁଁ ବେଶ ଖୁସି । ମୋ ଝିଅ କିରଣ ପଲୱିନ୍ଦରଙ୍କୁ ପସନ୍ଦ କରି ବିବାହ କଲା ତା ଖୁସିରେ ମୁଁ ଖୁସି ” ।

ଭାରତ ଓ ପାକିସ୍ତାନ ଉଭୟ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କରି ସୀମାରେଖାରେ ଯୁଦ୍ଧ ପରିସ୍ଥିତି ଦୂର ହେଉ ଏବଂ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ସ୍ନେହ-ସଦିଚ୍ଛା ଓ ସଂହତି ସୃଷ୍ଟି ହୋଇ ଭ୍ରାତୃତ୍ୱଭାବ ବିକାଶ ହେବାକୁ, ବିବାହ ପରେ କିରଣ ଓ ପଲୱନ୍ଦିର ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ । କିରଣ ଓ ପଲୱିନ୍ଦର ଉଭୟ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଗମନାଗମନ ଓ ମିଳାମିଶା ସହଜରେ ଓ ସ୍ୱାଧୀନଭାବେ କିପରି ହୋଇପାରିବ ସେଥିପାଇଁ ଉଭୟ ଦେଶର ସରକାର ଓ ପ୍ରଶାସନକୁ ଧ୍ୟାନଦେବାକୁ ନିବେଦନ କରିଥିଲେ ।

କିରଣ ଓ ପଲୱିନ୍ଦରଙ୍କ ବିବାହ ଭାରତ ପାକିସ୍ତାନ ସମ୍ପର୍କରେ କପରି ସୁଧାର ଆଣିବ ତାହା ହୁଏତ ସମୟ କହିବ । ମାତ୍ର ଏପରି ବିବାହ ଭାରତ ପାକିସ୍ତାନର ଇତିହାସରେ ନୂଆ କଥା ନୁହେଁ । ତେଣୁ ଅତୀତର ଏଭଳି ବୈବାହିକ ସମ୍ପର୍କକୁ ଅନୁଧ୍ୟାନ କଲେ ଏହା ନିଶ୍ଚିତ ହୁଏ ଯେ, ଏଇସବୁ ସାମାଜିକ ରୀତିନୀତି, ଚଳଣି, ପର୍ବ ପର୍ବାଣି ପାଳନ ଓ ବିବାହ ଉତ୍ସବର ମିଳନ ଭାରତ ପାକିସ୍ତାନ ସମ୍ପର୍କରେ କୌଣସି ସୁଧାର ଆଣିପାରିବ ନାହିଁ । ଏହା କେବଳ ସାମୟିକ ହସଖୁସି, ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି କରି ପରବର୍ତ୍ତୀ ସମୟରେ ସ୍ମୃତି ପାଲଟିଯିବ । ଏଭଳି ବିବାହ ଭାରତ ପାକିସ୍ତାନର ସରକାର ଓ କୂଟନୈତିକ ସ୍ତରରେ କୌଣସି ମହତ୍ୱ ରଖିବାରେ ସଫଳ ହୋଇପାରିନାହିଁ ।

କିନ୍ତୁ ଏଭଳି ବିବାହ ଉତ୍ସବ ଓ ପର୍ବପର୍ବାଣିରେ ଭାବ ଓ ଆବେଗର ଆଦାନ ପ୍ରଦାନ ଗୋଟିଏ କଥାକୁ ସ୍ପଷ୍ଟ କରୁଛି, ଉଭୟ ଦେଶର ସାଧାରଣ ମଣିଷ ଆଉ ଭାରତ ପାକିସ୍ତାନର ଜଟିଳ ରାଜନୈତିକ ଚାଲ, କୂଟନୀତିର ଗୋଟିଚାଳନା ଓ ହିଂସା ତଥା ଉତ୍ତେଜନାକୁ ନେଇ ସନ୍ତୁଷ୍ଟ ନୁହେଁ । ଏପରିକି ଏସବୁ ଗୁଢ଼ ତତ୍ତ୍ୱର କପଟଚାରିତା ଆଚରଣକୁ ବୁଝିବାକୁ ଉଭୟ ଦେଶର ସାଧାରଣ ନାଗରିକ ସାମାନ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି ବରଂ ଏସବୁରୁ ଉଦ୍ଧ୍ୱର୍ରେ ସେମାନେ କେବଳ ଶାନ୍ତି ଚାହୁଁଛନ୍ତି । ସୀମାରେଖାର ସୂଚନା, ରାଜନୈତିକ ପଶାପାଲିର ହିଂସା ତଥା ଉଭୟ ଦେଶର ଉତ୍ତେଜନାକୁ ନେଇ ଏବଂ ଧର୍ମ ନାମରେ ଆତଙ୍କବାଦକୁ ସାଧାରଣ ମଣିଷ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କିରଣ ଓ ପଲୱିନ୍ଦର ଭଳି ବିବାହ ଏହାକୁ ନିଶ୍ଚିତ କରିଦେଉଛି ଏବଂ ଏହା ମଧ୍ୟ ସୂଚାଇ ଦେଉଛି ଉଭୟ ଦେଶର କେତେକ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଏଭଳି ତିକ୍ତ ସମ୍ପର୍କକୁ ସର୍ବଦା ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ।

କିରଣ ଓ ପଲୱିନ୍ଦରଙ୍କ ଭଳି ଏକ ବିବାହ ୨୦୦୫ ମସିହାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀସ୍ଥିତ ମହମ୍ମଦ ଜାଭେଦ୍ ନାମକ ଯୁବକ ଓ ପାକିସ୍ତାନୀ ଯୁବତୀ ନଜରିନ (ଛଦ୍ମନାମ)ଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମସମ୍ପର୍କ । ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ଦିଲ୍ଲୀରେ ନିଜର ଘର ସଂସାର ବସାଇଲେ । ୩୭ବର୍ଷ ବୟସ୍କା ନଜରିନ (ଛଦ୍ମନାମ)ଆଜି ଦୁଇଟି ପୁତ୍ର ସନ୍ତାନର (ଜଣକୁ ୧୧ ବର୍ଷ ଅନ୍ୟକୁ ୬ ବର୍ଷ) ଜନନୀ ।

ସେଦିନର ଜାଭେଦ ଓ ନଜରିନ (ଛଦ୍ମନାମ)ବିବାହ ଉତ୍ସବ, ଭାରତ ଓ ପାକିସ୍ତାନ ସମ୍ପର୍କରେ ଶାନ୍ତି ସଂହତି ଫେରିଆସିବ ଏବଂ ସେମାନଙ୍କ ହସଖୁସିର ଘରସଂସାର ଆନନ୍ଦ ଉଲ୍ଲାସରେ ମାତି ଉଠିବ ତଥା ହିଂସା ଦୂର ହୋଇ ଦୁଇଦେଶରେ ନୂଆ ସକାଳର ସୂର୍ଯ୍ୟ ଉଦୟ ହେବାର ସ୍ୱପ୍ନ ଦେଖିଥିଲା । ମାତ୍ର ଏଭଳି ଅନେକ ସ୍ୱପ୍ନ ସବୁ ଚୁରମାର ହୋଇଗଲା । ପାକିସ୍ତାନର ଆତଙ୍କବାଦୀଙ୍କ ହିଂସା ଓ ଅମାନବୀୟ ରକ୍ତପାତ ଜାଭେଦ ଓ ନଜରିନଙ୍କ ସ୍ୱପ୍ନସବୁକୁ ବାଲିଘର ପରି ଧ୍ୱଂସ କରିଦେଲା । ଜାତି, ଧମ. ବର୍ଣ୍ଣ, ଦେଶ ଓ ସୀମାରେଖାର ହିଂସାରେ ନିରୀହ ମଣିଷ ପ୍ରତିଟି ସମୟରେ ବଳି ପଡ଼ିଲା । ପାକିସ୍ତାନୀ ଆତଙ୍କବାଦୀ ପୁଲୱାମା ନରସଂହାର କରିବସିଲେ । ଯୁଦ୍ଧ ଦୁନ୍ଦୁଭୀ ବାଜିଉଠିଲା । ଜାଭେଦ – ନଜରିନ (ଛଦ୍ମନାମ) ଓ କିରଣ -ପଲୱିନ୍ଦର ଭଳି ମଣିଷର ମାନବିକତା ଓ ସ୍ନେହ ପ୍ରେମର ସମ୍ପର୍କ ସବୁ ହାଣ ମୁହଁର ବୋଦା ସାଜିଗଲେ ।

ଏହାରି ଭିତରେ ଜାଭେଦଙ୍କ ପତ୍ନୀ ନଜରିନ (ଛଦ୍ମନାମ)ଉପରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସୁରକ୍ଷା ଅନୁଧ୍ୟାନକାରୀ ସଂସ୍ଥା ପକ୍ଷରୁ ନଜରିନଙ୍କ (ଛଦ୍ମନାମ) କାର୍ଯ୍ୟକଳାପ ଓ ଗତିବିଧି ସନ୍ଦେହାତ୍ମକ ଦର୍ଶାଗଲା । ଏହା ଭାରତୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଇ ନଜରିନ (ଛଦ୍ମନାମ)ଙ୍କୁ ଦୁଇସପ୍ତାହ ମଧ୍ୟରେ ଦେଶ ଛାଡ଼ିବାକୁ (ଫେବୃୟାରୀ ୭) ନୋଟିସ ଜାରି କରାଗଲା ।

ଏହି ନୋଟିସକୁ ବିରୋଧ କରି ଜାଭେଦ ଦିଲ୍ଲୀ ହାଇକୋର୍ଟରେ କେଶ ଦାୟର କଲେ । ବିଚାରପତି ଭିବୁ ବର୍ଖୁ ଜଣିକିଆ ବେଞ୍ଚରେ ଫେବୃୟାରୀ ୨୮ ତାରିଖରେ ନଜରିନ (ଛଦ୍ମନାମ)ଭାରତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । ଦିଲ୍ଲୀ ହାଇକୋର୍ଟର ଜଣିକିଆ ବେଞ୍ଚର ରାୟକୁ ଜାଭେଦ ପୁନର୍ବାର ଶୁଣାଣି କରିବାକୁ ଆପିଲ କଲେ ।

ଗତ ମାର୍ଚ୍ଚ ୧୨ ତାରିଖ ଦିନ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଏବଂ ବିଚାରପତି ଏ.କେ. ଭମ୍ବାନୀଙ୍କ ଦୁଇଜଣିଆ ବେଞ୍ଚ ମାର୍ଚ୍ଚ ୨୫ତାରିଖକୁ ପରବର୍ତ୍ତୀ ଶୁଣାଣିର ତାରିଖ ଧାର୍ଯ୍ୟ କରିଛନ୍ତି ଏବଂ ନଜରିନ (ଛଦ୍ମନାମ) ବର୍ତ୍ତମାନ ଦିଲ୍ଲୀରେ ରହିପାରିବେ । ଏଥିସହିତ ନଜରିନ (ଛଦ୍ମନାମ)ଦିନେ ଛଡ଼ା ଦିନେ ସ୍ଥାନୀୟ ପୁଲିସ ଥାନାରେ ହାଜିରା ଦେବେ କିନ୍ତୁ ଥାନାରେ ନଜରିନ (ଛଦ୍ମନାମ)ଏକ ଘଣ୍ଟାରୁ ଅଧିକ ସମୟ ସେ ଅଟକ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନଜରିନ (ଛଦ୍ମନାମ)ଭିସା ଅବଧି ଜୁନ୍ ୨୦୨୦ ପର୍ଯ୍ୟନ୍ତ ରହିଛି ଏବଂ ଏହାକୁ ଖାରଜ କରାଯାଇନାହିଁ ।

ଏଠାରେ ପ୍ରଶ୍ନ ଉଠୁଛି ନଜରିନ (ଛଦ୍ମନାମ)ଙ୍କ କାର୍ଯ୍ୟକଳାପ ଓ ଗତିବିଧି ଆଜି ହଠାତ୍ କିପରି ସନ୍ଦେହାତ୍ମକ ହୋଇଗଲା । ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ତକ୍ରାଳୀନ କଂଗ୍ରେସ ସରକାର ଏବଂ ୨୦୧୪ରୁ ୨୦୧୯ ଫେବୃୟାରୀ ପର୍ଯ୍ୟନ୍ତ ମୋଦୀଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଗୁଇନ୍ଦା ବିଭାଗ କଣ କରୁଥିଲେ ? ଯଦି ନଜରିନ (ଛଦ୍ମନାମ) କାର୍ଯ୍ୟ କଳାପ ଓ ଗତିବିଧି ସନ୍ଦେହଜନକ ତେବେ ଏହା ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଇ ତାଙ୍କୁ ଆଇନ ଅନୁଯାୟୀ ଯଥାଶୀଘ୍ର ଗରିଫ କାହିଁକି କରାଗଲା ନାହିଁ ?

କିରଣ – ପଲୱିନ୍ଦର ଓ ଜାଭେଦ -ନଜରିନ (ଛଦ୍ମନାମ)ଙ୍କ ପ୍ରେମ ଖୋଜୁଥିବା ଶାନ୍ତିର ଆଶା କେବେ ସଫଳ ହେବ ଏବଂ ମଣିଷ ସୃଷ୍ଟି କାଳ୍ପନିକ ସରହଦର ବକ୍ରରେଖା କେବେ ଲିଭିଯିବ, ସାଧାରଣ ମଣିଷର ଏଭଳି ପ୍ରଶ୍ନ ଉତ୍ତର ଭାରତ ପାକିସ୍ତାନର ଶାସନ କ୍ଷମତାକୁ ଧରି ରାଜନୀତି କରୁଥିବା କେତେକ ଚକ୍ରାନ୍ତକାରୀ ଗୋଷ୍ଠୀ ଏ ଉତ୍ତର କେବେ ମଧ୍ୟ ଦେବାକ ଚେଷ୍ଟା କରିବେ ନାହିଁ । ନିରୀହ ମଣିଷର ସମ୍ପର୍କ, ଶାନ୍ତି, ସଂହତିର କରୁଣ କାତର ପ୍ରାର୍ଥନା ମଧ୍ୟରେ ସ୍ୱାର୍ଥ ସାଧନା ପାଇଁ ବ୍ୟଗ୍ର ଗୋଷ୍ଠୀ ନିଜର ଇଚ୍ଛାକୁ ଚରିତାର୍ଥ କରିବାକୁ ହିଂସା ଓ ରକ୍ତପାତକୁ ମାଧ୍ୟମ କରି ଉଭୟ ଦେଶର ଶହ ଶହ କିରଣ – ପଲୱିନ୍ଦର ଓ ଜାଭେଦ -ନଜରିନ (ଛଦ୍ମନାମ)ଙ୍କ ସ୍ନେହ ପ୍ରେମ ଓ ଶାନ୍ତି ସଦିଚ୍ଛାକୁ କେବଳ କବର ଦେଇ ସାଧାରଣ ମଣିଷର ଆଶାର ସମାଧି ଉପରେ ନିଜ ଶାସନ କ୍ଷମତାକୁ ଧରି ରଖିବାକୁ ଚେଷ୍ଟା କରିବେ ।