ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯
ଇଣ୍ଡିଆଟିଭି-ସିଏନଏକ୍ସ ପକ୍ଷରୁ ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ଶାସକ ବିଜୁ ଜନତା ଦଳ ୧୦୦ ବିଧାନସଭା ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିବ। କ୍ଷମତା ହାସଲ ପାଇଁ ବିଜେପିର ପ୍ରୟାସ ବହୁ ଆଡମ୍ୱରରେ ଲଘୁକ୍ରିୟା ଭଳି ହେବ। ପ୍ରଧାନମନ୍ତ୍ରୀ ଓ ଅମିତ୍ ଶାହଙ୍କ ସମେତ ବହୁ କେନ୍ଦ୍ରୀୟ ନେତାମାନଙ୍କର ଘନ ଘନ ଗସ୍ତ ସତ୍ତ୍ୱେ ବି ବିଜେପି ମାତ୍ର ୩୧ଟି ଆସନରେ ବିଜୟୀ ହେବ। କଂଗ୍ରେସର ମନଲୋଭା ପ୍ରତିଶ୍ରୁତି ମତଦାତାଙ୍କ ଉପରେ ପ୍ରଭାବ ପକାଇ ପାରୁନଥିବାରୁ ମାତ୍ର ୦୯ଟି ଆସନରେ ସନ୍ତୁଷ୍ଟ ହେବ। ବାକି ୦୭ଟି ଆସନରେ ଅନ୍ୟଦଳର ପ୍ରତିଦ୍ୱନ୍ଦ୍ୱୀମାନେ ବିଜୟ ହାସଲ କରିବେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।


ସେହିଭଳି ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ୧୪ଟି ଆସନରେ ଜିତି ଆଗରେ ରହିବ। ଓଡ଼ିଶାରୁ ଅଧିକ ଆସନ ଜିତିବା ପାଇଁ ସ୍ୱପ୍ନ ଦେଖୁଥିବା ବିଜେପି ୬ଟି ଓ କଂଗ୍ରେସ ୧ଟି ଆସନରେ ବିଜୟୀ ହେବେ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ଇଣ୍ଡିଆଟିଭି-ସିଏନଏକ୍ସ ପକ୍ଷରୁ ଏହି ସର୍ଭେ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ କରାଯାଇଛି। ସର୍ଭେରେ ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ୬୫ହଜାର ୧୧୬୦ଜଣ ମତଦାତା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୩ହଜାର ୨୭୨ଜଣ ପୁରୁଷ ଥିବାବେଳେ ୩୦ହଜାର ୮୮୮ଜଣ ମହିଳା ଥିଲେ।
ସର୍ବଭାରତୀୟ ସ୍ତରରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ୨୭୫ରୁ ସାମାନ୍ୟ ଅଧିକ ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିବ। ବିଜେପି ଗତ ନିର୍ବାଚନରେ ୨୮ଟି ଆସନରେ ବିଜୟୀ ହୋଇଥିବାବେଳେ ଚଳିତ ନିର୍ବାଚନରେ ୨୩୦ ଆସନକୁ ଖସିଆସିବ। ଫଳରେ ବିଜେପିର ୫୨ଟି ଆସନ କ୍ଷତି ହେବ। ବିଜେପି ବହୁମତଠାରୁ ୪୨ଟି ଆସନ ଦୂରେରେ ରହିବ ବୋଲି ଇଣ୍ଡିଆଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।
କଂଗ୍ରେସ ନେତୃତ୍ୱାଧିନ ୟୁପିଏ ୧୪୭ଟି ଆସନରେ ବିଜୟୀ ହେବ। କଂଗ୍ରେସର ଆସନ ସଂଖ୍ୟାରେ ୫୩ଟି ଆସନ ବୃଦ୍ଧି ପାଇ ୯୭ରେ ପହଞ୍ଚିବ। କିନ୍ତୁ ତିନି ଅଙ୍କରେ ପହଞ୍ଚିପାରିବ ନାହିଁ।
ଏହାଛଡ଼ା ଏସପି,ବିଏସପି, ଟିଏମସି ଓ ଟିଆରଏସ ଭଳି ଆଞ୍ଚଳିକ ଦଳ ଏବଂ ସ୍ୱାଧିନ ପ୍ରାର୍ଥୀମାନେ ୧୨୧ଟି ଆସନରେ ବିଜୟୀ ହେବେ।
ଏନଡ଼ିଏର ୨୭୫ଟି ଆସନ ମଧ୍ୟରୁ ବିଜେପିର ୨୩୦, ଶିବସେନା ୧୩, ଏଆଇଏଡ଼ିଏମକେ ୧୦, ଜେଡିୟୁ ୯, ଅକାଳୀ ଦଳ ୨, ପିଏମକେ ୨, ଏଲଜେପି ୩, ଅନ୍ୟାନ୍ୟ ଆଞ୍ଚଳିକଦଳମାନେ ବାକି ୬ଟି ଆସନରେ ବିଜୟୀ ହେବେ ବୋଲି ସର୍ଭେ ରିପୋର୍ଟରେ ଅନୁମାନ କରାଯାଇଛି।
ୟୁପିଏରେ ୧୪୭ ଆସନ ମଧ୍ୟରୁ କଂଗ୍ରେସ ୯୭, ଡ଼ିଏମକେ ୧୬, ଆରଜେଡି ୮, ଟିଡ଼ିପି ୭, ଏନସିପି ୬ ଓ ଅନ୍ୟ ଛୋଟ ଛୋଟ ଦଳ ୧୯ଟି ଆସନରେ ବିଜୟୀ ହେବେ।
ତୃତୀୟ ଫ୍ରଣ୍ଟର ଟିଏମସି ୨୮, ଏସପି ୧୮, ବିଏସପି ୧୬, ୱାଇଏସଆର କଂଗ୍ରେସ ୧୮, ଟିଆରଏସ ୧୨, ବିଜେଡି ୧୪, ବାକି ଆସନରେ ବାମପନ୍ଥୀ ଓ ସ୍ୱାଧିନପ୍ରାର୍ଥୀ ବିଜୟୀ ହେବେ ବୋଲି ସର୍ଭେ ରିପୋର୍ଟରେ ଅନୁମାନ କରାଯାଇଛି।
ଏବେ ସ୍ଥିତି ବଦଳି ଯାଇଛି, ଏ ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ଓଲଟା ହେବ ଭଳି ଜଣାପଡୁଛି ।