ମାନ୍ଦାବସ୍ଥା ମାଡ଼: କମିବ ପ୍ରତ୍ୟକ୍ଷ ଟିକସ ଆଦାୟ

0
146
advertisement

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିର ବିଭିନ୍ନ ଦିଗ ପ୍ରଭାବିତ ହୋଇଥିଲା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ବିଭିନ୍ନ ଦିଗର ଲକ୍ଷ୍ୟପୂରଣ କେନ୍ଦ୍ର ସରକାରଙ୍କ ପାଇଁ ଚାଲେଞ୍ଜ ହୋଇଛି । ଗୋଟିଏ ପକ୍ଷରେ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିଲଗାଣ ପ୍ରକ୍ରିୟାକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରିଥିଲେ। ଏହି ଲକ୍ଷ୍ୟରେ ଗତ ବଜେଟରେ କେନ୍ଦ୍ର ସରକାର କମ୍ପାନୀ ଟିକସରେ ହ୍ରାସ ଘୋଷଣା କରିଥିଲେ। କିନ୍ତୁ ଏହାକୁ ନେଇ ସରକାରଙ୍କ ଉପରେ ଅତିରିକ୍ତ ବୋଝ ସୃଷ୍ଟି ହୋଇଥିଲା ବେଳେ କମ୍ପାନୀ ଟିକସ ଏବଂ ଆୟକର ଆଦାୟରେ ହ୍ରାସ ଘଟିଛି। ଯାହାକି ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଟିକସ ବୋର୍ଡର ବହୁ ବରିଷ୍ଠ ଅଧିକାରୀ ରଏଟରକୁ ସୂଚନା ଦେଇ କହିଛନ୍ତି। ପ୍ରକାଶଯୋଗ୍ୟ ଯେ, ୨୦୧୮-୧୯ ତୁଳନାରେ ୧୭ ପ୍ରତିଶତ ଅଭିବୃଦ୍ଧିରେ ୨୦୧୯-୨୦ ବର୍ଷରେ ମୋଟ ୧୩.୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ  ଭାବେ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଚଳିତ ମାସ ୨୩ ତାରିଖ ସୁଦ୍ଧା ଟିକସ ବିଭାଗ ପକ୍ଷରୁ ମାତ୍ର ୭.୩ ଳକ୍ଷ କୋଟି ଟଙ୍କା ଆଦାୟ କରାଯାଇଛି। ଯାହାକି ବିଗତ ଆର୍ଥିକ ବର୍ଷର ଏହି ଅବଧିରେ ଆଦାୟ ପରିମାଣ ତୁଳନାରେ ୫.୫ ପ୍ରତିଶତ କମ୍ ରହିଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ରହିଥିଲା ବେଳେ ଟିକସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ଅସମ୍ଭବ ବୋଲି କୁହାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସିକ ପାଇଁ କମ୍ପାନୀମାନଙ୍କ ଠାରୁ ଆଗୁଆ ଟିକସ ଆଦାୟ କରାଯାଇସାରିଥିଲେ ହେଁ ଏହା ବାର୍ଷିକ  ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟର ୩୦ ରୁ ୩୫ ପ୍ରତିଶତ ବୋଲି କୁହାଯାଇଛି। ଟିକସ ସଂଗ୍ରହ ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀମାନେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୨୦୧୮-୧୯ ବର୍ଷରେ ଆଦାୟ ହୋଇଥିବା ମୋଟ ୧୧.୫ ଲକ୍ଷ କୋଟି ଟଙ୍କା ତୁଳନାରେ ହ୍ରାସ ପାଇବ ବୋଲି  ବିଭାଗୀୟ ଅଧିକାରୀମାନେ ରଏଟରକୁ କହିଛନ୍ତି। ତେଣୁ ହାରାହାରି ଭାବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ମୋଟ ରାଜସ୍ୱ ମଧ୍ୟରୁ ୮୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଟିକସ ସୂତ୍ରରୁ ଆସିଥାଏ । କିନ୍ତୁ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ପାଇବା ଯୋଗୁଁ ବ୍ୟବସାୟ ବାଣିଜ୍ୟରେ ହ୍ରାସ ଘଟିବା ସହିତ ନିଯୁକ୍ତିରେ ମଧ୍ୟ ହ୍ରାସ ଘଟିଥିବାରୁ ଚଳିତ ବର୍ଷ ଟିକସ ଆଦାୟ ହ୍ରାସ ପାଇଥିବା କୁହାଯାଇଛି। ଏହାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ବିଶେଷକରି ସରକାରୀ ବ୍ୟୟ ଯୋଜନାକୁ ନେଇ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥିଲାବେଳେ ସରକାର ପୁଣି ଋଣ କରିବାକୁ ବାଧ୍ୟ ହେବେ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।