ଭାରତ-ଚୀନ ସୀମା ବିବାଦ: କଥାବାର୍ତ୍ତାରେ ବିଫଳ ହେଲେ ବିକଳ୍ପ ରହିଛି କହିଲେ ବିପିନ ରାୱତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଗତ କିଛି ମାସ ଧରି ପୂର୍ବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏଭଳି ସମୟରେ ଚିଫ୍ ଅଫ୍ ଡିଫେନନ୍ସ ଷ୍ଟାଫ୍ (ସିଡିଏସ୍‌) ଜେନେରାଲ୍ ବିପିନ୍ ରାୱତ ବଡ ବୟାନ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ନିଜ ବୟାନରେ ସେ କହିଛନ୍ତି ଯେ ଯଦି ଚୀନ୍ ସହ କଥାବାର୍ତ୍ତାରେ କୌଣସି ସୁଫଳ ନମିଳେ, ତାହେଲେ ଆମ ପାଖରେ ସୈନ୍ୟ ବିକଳ୍ପ ପ୍ରସ୍ତୁତ ରହିଛି । ତାଙ୍କ କହିବା ଅନୁଯାୟୀ ଚୀନ୍ ସହ କୁଟନୈତିକ ସ୍ତରରେ ଆଲୋଚନା କରାଯାଉଛି । ଏପରିକି ଦୁଇ ଦେଶର ସେନା ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କରିବା ଉପରେ ଲାଗି ପଡିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ଲଦାଖରେ ଚୀନର ପିପୁଲ୍ସ ଲିବେରସନ୍ ଆର୍ମି ପକ୍ଷରୁ କରାଯାଇଥିବା ପରିବର୍ତ୍ତନ ସହ ଲଢିବା ପାଇଁ ସୈନ୍ୟ ବିକଳ୍ପ ମହଜୁଦ ରହିଛି ।

ଭାରତ ଓ ଚୀନ୍ ମଧ୍ୟରେ ଏବେ ଯେମିତି ଗତିବିଧି ରହିଛି, ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି ସରକାରଙ୍କ ସମ୍ପୂର୍ଣ୍ଣ ଦୃଷ୍ଟିକୋଣକୁ ଆପଣାଇ ଯାଇଥାଏ ।

ଏହି ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ୍ ଏବଂ ଆହୁରି ଅନେକ ବ୍ୟକ୍ତି ଲାଗି ପଡିଥିବା ବେଳେ ସେମାନେ ସମସ୍ତ ପ୍ରକାରର ବିକଳ୍ପ ଉପରେ ମଧ୍ୟ ନଜର ରଖିଥିବା ନେଇ ଶ୍ରୀ ରାୱତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସିଡିଏସ୍ ବିପିନ ରାୱତଙ୍କ ଏହି ବୟାନ ପୂର୍ବରୁ ଭାରତର ସ୍ୱାଧୀନତା ଦିବସ ଅବସରରେ ତଥା ଗତ ଅଗଷ୍ଟ ୧୫ ତାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ତାଙ୍କ ଅଭିଭାଷଣରେ ସେନା କଥା ଉଠାଇଥିଲେ ।

ସେ କହିଥିଲେ ଯେ ଏଲଓସିରୁ ଆରମ୍ଭ କରି ଏଲଏସି ମଧ୍ୟରେ ଯିଏବି ଭାରତ ଆଡକୁ ଆଖି ଉଠାଇ ଦେଖିଛି ଦେଶର ସେନା ସେମାନଙ୍କୁ ଦୃଢ ଜବାବ ଦେଇଛି ।

 

Leave a Reply

Your email address will not be published.