ଓଡ଼ିଶା ହେବ ଦେଶର ଆଲୁମିନିୟମ୍ ରାଜଧାନୀ

0
22

ଭୁବନେଶ୍ୱର, (ଓଟି): ପ୍ରଥମଥର ପାଇଁ ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ଵରରେ ଆୟୋଜନ ହେବାକୁ ଯାଉଛି
ଇଣ୍ଟରନ୍ୟାସନାଲ୍ କନ୍ଫରେନ୍ସ ଅନ୍ ଆଲୁମିନିୟମ୍ (ଇନ୍‌କାଲ୍‌-୨୦୧୯)। ଜାନୁୟାରୀ ୩୧ ତାରିଖରୁ ଫେବୃୟାରୀ ୩ ତାରିଖ ଯାଏ ହେବାକୁଥିବା ଏହି ବିଶ୍ଵସ୍ତରୀୟ ସମ୍ମେଳନ ଆନ୍ତର୍ଜାତୀୟ ଆଲୁମିନିୟମ୍ ଉଦ୍ୟୋଗଗୁଡ଼ିକୁ ଚିନ୍ତାଧାରାର ଆଦାନପ୍ରଦାନ, ଆଲୋଚନା ସହ ଆଲୁମିନିୟମ୍ ରୋଡମ୍ୟାପ୍‌-୨୦୩୦ ପ୍ରସ୍ତୁତି ତଥା ଅପ୍‌ଷ୍ଟ୍ରୀମ୍‌ ଓ ଡାଉନଷ୍ଟ୍ରିମ୍‌ ଇଣ୍ଟିଗ୍ରେସନ୍ ଆଦି ସମ୍ପର୍କିତ ଆଲୋଚନା ଏବଂ ବିଭିନ୍ନ ସମସ୍ୟା ସମାଧାନର ସୂତ୍ର ସନ୍ଧାନ ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ ବୋଲି ନାଲ୍‌କୋ ମୁଖ୍ୟ ପରିଚାଳନା ନିର୍ଦେଶକ ତଥା ଏଏଆଇ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନରେ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଆଇ) ଦ୍ୱାରା ଆୟୋଜନ ହେବ। ଏଥିରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରଦର୍ଶନକୁ ଏଏଆଇ ସହ ମିଳିତ ଭାବେ ଜର୍ମାନୀର ରିଡ୍ ଏକ୍‌ଜିବିସନ୍ସ ଆୟୋଜନ କରୁଛି । ଦେଶର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍କୋ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସମବେତ ହୋଇଛନ୍ତି ।

ନାଲ୍‌କୋ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଇନ୍‌କାଲ୍‌-୨୦୧୯ ପ୍ରସ୍ତୁତି ବୈଠକ

ଇନ୍‌କାଲ-୨୦୧୯ ବିଷୟରେ ସୂଚନା ଦେଇ, ଏଏଆଇର ଅଧ୍ୟକ୍ଷ ଡଃ ଚାନ୍ଦ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମଟି ଆଲୁମିନିୟମ୍ ଉତ୍ପାଦନକାରୀ ତଥା ବିଶେଷଜ୍ଞମାନଙ୍କୁ ଆଲୋଚନା, ନୂତନ ସୁଯୋଗ ଓ ସମ୍ଭାବନାର ଅନୁସନ୍ଧାନ, ନେଟ୍ୱର୍କିଂ, ସାକ୍ଷାତକାର ଆଦି ପାଇଁ ଅବସର ପ୍ରଦାନ କରିବା ସହ ବିଭିନ୍ନ ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିବ । ଓଡ଼ିଶାକୁ ଆଲୁମିନିୟମ୍ ଉଦ୍ୟୋଗ ପାଇଁ ଉପଯୁକ୍ତ ଗନ୍ତବ୍ୟ ଭାବେ ପ୍ରଚାରପ୍ରସାର ପାଇଁ ‘ଥିଙ୍କ୍ ଓଡ଼ିଶା – ଥିଙ୍କ୍ ଆଲୁମିନିୟମ୍’ ଶୀର୍ଷକରେ ଏହା ଆୟୋଜିତ ହେଉଛି ।

ଏହି ସମ୍ମେଳନଟି ବିଶ୍ୱସ୍ତରୀୟ ଭାବେ ଆୟୋଜିତ ହେବ । ଆଲୁମିନିୟମ୍‌କୁ ଅଭିବୃଦ୍ଧିର ଏକ ପ୍ରମୁଖ ଉତ୍ସ ଭାବେ ଏହି ସମ୍ମେଳନଟି ପରିବେଷଣ କରିବ । ଏହି କାର୍ଯ୍ୟକ୍ରମରେ, ବିଶ୍ୱର ଅଗ୍ରଣୀ ଆଲୁମିନିୟମ୍ ଉଦ୍ୟୋଗ କାନାଡ଼ାର ଆଲ୍କାନ୍, ଯୁକ୍ତରାଷ୍ଟ୍ର ଆମେରିକାର ଆଲ୍ଆ‌କୋଆ, ଚୀନର ଚାଲିଏକୋ ଏବଂ ଚାଇନାଲ୍କୋ, ଏମିରେଟ୍ସର ଏମାଲ୍, ଦୁବାଇର ଦୁବାଲ, ଲଣ୍ଡନ୍ର ରିଓ ଟିଣ୍ଟୋ, ରୁଷିଆର ରୁସାଲ୍, ନର୍ୱେର ନର୍ସ୍କ୍ ହିଡ୍ରୋ ତଥା ଯନ୍ତ୍ରପାତି ଯୋଗାଣକାରୀ ଡେନ୍‌ମାର୍କର ଏଫ୍ଏଲ୍ ସ୍ମିଥ୍, ଜର୍ମାନୀର ଏସ୍ଏମ୍ଏସ୍, ଇଟାଲୀର ଡାନିଏଲି, ଆଲ୍ମେକ୍ସ ଓ ପ୍ରୋପର୍ଜୀ ଏବଂ ଫ୍ରାନ୍ସର କାର୍ବନ୍ ସେଭୟ ଆଦି ଅଂଶଗ୍ରହଣ କରିବେ ।

କାର୍ଯ୍ୟକ୍ରମ ମୁଖ୍ୟାଂଶ :
• ଦେଶର ପ୍ରମୁଖ ଆଲୁମିନିୟମ୍ ଉତ୍ପାଦନକାରୀ ନାଲ୍କୋ, ହିଣ୍ଡାଲ୍କୋ ଓ ବେଦାନ୍ତ ମିଳିତ ଭାବେ ଏହି ସମ୍ମେଳନର ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଏବଂ ଏହି ସମ୍ମେଳନ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକର ବିକାଶରେ ସହାୟକ ହେବ ।
• ଏଥି ସହିତ, ଏହି ସମ୍ମେଳନର ଆୟୋଜନରେ ଏଏଆଇକୁ ଆନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ସହଯୋଗ ମଧ୍ୟ ମିଳୁଛି । ଏଥି ପାଇଁ ଏଭୟ ଭାରତ ଏବଂ ବିଦେଶର ବଡ ବଡ ଅନୁଷ୍ଠାନଗୁଡ଼ିକରୁ ଆର୍ଥିକ ସହାୟତା ମଧ୍ୟ ମିଳୁଛି ।
• ଚଳିତ ବର୍ଷ ଏହି ସମ୍ମେଳନର ଶୀର୍ଷକ ହେଉଛି – ‘ଆଲୁମିନିୟମ୍ ଶିଳ୍ପ – ପ୍ରଗତି ଓ ବିକାଶର ସୂତ୍ରଧାର’ ।
• ଏହି ସମ୍ମେଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଆନୁଷଙ୍ଗିକ ଉଦ୍ୟୋଗର ବିକାଶ ଏବଂ ଆଲୁମିନିୟମର ନୂତନ ଉପାଦେୟତା ସମ୍ପର୍କରେ ଅବତାରଣା କରିବା ।
• ଏହି ଅବସରରେ, ଏକ ଆନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ଯେଉଁଥିରେ କି ସମଗ୍ର ବିଶ୍ୱରୁ ୧୦୦ରୁ ଉଦ୍ଧ୍ୱର୍ ପ୍ରଦର୍ଶନକାରୀ ଅଂଶଗ୍ରହଣ କରିବେ ।
• ଏହି ସମ୍ମେଳନରେ ବିଭିନ୍ନ ଶିଳ୍ପ ଓ ବୈଷୟିକ ବିଶେଷଜ୍ଞ ବକ୍ତା ଏବଂ ପେପର୍ ଉପସ୍ଥାପନକାରୀ ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିରେ ୧୨୦ଟି ପେପର୍ ଏବଂ ୩୦ରୁ ଉଦ୍ଧ୍ୱର୍ ପୋଷ୍ଟର୍ ଉପସ୍ଥାପିତ ହେବାକୁ ଯାଉଛି ।
• ୩୦୦ରୁ ଉଦ୍ଧ୍ୱର୍ ଆନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ଏହି ସମ୍ମେଳନରେ ୭୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । କେତେକ ୟୁରୋପୀୟ ଏବଂ ଏସୀୟ ଦେଶର ଆମ୍ବାସାଡର୍ ଏବଂ କନ୍ସୁଲ୍ ଜେନେରାଲ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ଅଛି ।
• ଓଡ଼ିଶାରେ ଆଲୁମିନିୟମ୍ ଉଦ୍ୟୋଗ ଏବଂ ବିଶେଷ କରି ଆନୁଷଙ୍ଗିକ ଓ ନୂତନ ଉପାଦେୟତା ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଇଚ୍ଛୁକ ପୁଞ୍ଜିନିବେଶକାରୀ ଏବଂ ବୈଷୟିକ ଅନୁଷ୍ଠାନଗୁଡ଼ିକ ସହ ବିଶେଷ ବୈଠକର ଆୟୋଜନ କରାଯିବ ।
• ରାଜ୍ୟର ନୂତନ ଶିଳ୍ପ ନୀତି ଅନୁସାରେ ଆନୁଷଙ୍ଗିକ ଉଦ୍ୟୋଗ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଆଧାରରେ ଏହି ଆନ୍ତର୍ଜାତୀୟ ସମ୍ମେଳନ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି ।
• ଓଡ଼ିଶାରେ ନୂତନ ବ୍ୟବସାୟ ପାଇଁ ଇଚ୍ଛୁକ ତଥା ସମ୍ଭାବିତ ପୁଞ୍ଜିନିବେଶକାରୀ, ବୈଷୟିକ ଅନୁଷ୍ଠାନ, ଗବେଷଣା ଓ ବିକାଶ ବିଶେଷଜ୍ଞ ଏବଂ ଫାଇନାନ୍ସର୍ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବି୨ବି ବୈଠକ ଆୟୋଜନର ବ୍ୟବସ୍ଥା କରାଯିବ ।
• ଅନୁଗୁଳ ଠାରେ ନାଲ୍କୋର ଆଲୁମିନିୟମ୍ ପାର୍କ୍ ଏବଂ ଝାରସୁଗୁଡାଠାରେ ବେଦାନ୍ତର ଆଲୁମିନିୟମ୍ ପାର୍କ୍ ନିର୍ମାଣ ପାଇଁ ଗୁରୁତ୍ୱ ପ୍ରଦାନ କରାଯିବ ।
• ଏହି ତନିଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ, କେନ୍ଦ୍ର ସଚିବ, ବିଭିନ୍ନ ଦେଶର ହାଇ କମିଶନର୍ ଓ କନ୍ସୁଲେଟ୍ ଜେନେରାଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
• ଇନ୍କାଲ୍-୨୦୧୯ରେ ନୂତନ ଭାବେ ସ୍ଥାନିତ :
 ହବ୍ ଆଣ୍ଡ୍ ସ୍ପୋକ୍ ମଡେଲ୍ : ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଗବେଷଣା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷାକଙ୍କ ସହ ଶିଳ୍ପ ତଥା ବୈଷୟିକ ବିଶେଷଜ୍ଞଙ୍କ ବିଶେଷ ଆଲୋଚନା ପାଇଁ ବୈଠକ ଆୟୋଜନର ବ୍ୟବସ୍ଥା କରାଯିବ ।
 ଇନ୍କାଲ୍ ମାସ୍କଟ୍ : ପ୍ରଥମ ଥର ପାଇଁ, ଏହି ଆନ୍ତର୍ଜାତୀୟ ସମ୍ମେଳନରେ ଏକ ମାସ୍କଟ୍ ରହିବ, ଯାହା କି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ।