ଏ ମାସରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ଗତ ମାର୍ଚ୍ଚ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ କରାଯାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଯକୃତ ପ୍ରତ୍ୟାରୋପଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ହାଇଦ୍ରାବାଦ ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସହଭାଗିତାରେ ସମ୍ ହସ୍ପିଟାଲ୍ ପକ୍ଷରୁ ଚଳିତ ମାସ ଦ୍ୱିତୀୟ ଲିଭିଙ୍ଗ ଡୋନର ଯକୃତ ପ୍ରତ୍ୟାରୋପଣ ନିମନ୍ତେ ଯୋଜନା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

ଗତ ମାର୍ଚ୍ଚ ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଶ୍ରୀ ଜୟନ୍ତ ବିଶ୍ୱାଳଙ୍କର ଯକୃତ ପ୍ରତ୍ୟାରୋପଣ ସମ୍ ହସ୍ପିଟାଲ୍‌ରେ କରାଯାଇଥିଲା । ଦୀର୍ଘ ୯ ଘଂଟା ଧରି କରାଯାଇଥିବା ଏହି ସର୍ଜରୀରେ ଯକୃତ ରୋଗରେ ପୀଡ଼ିତ ବାପାଙ୍କ ଶରୀରରେ ତାଙ୍କ ପୁଅ ସୋମ୍ୟ ରଞ୍ଜନ ବିଶ୍ୱାଳଙ୍କର ଯକୃତର କିଛି ଅଂଶ ଯୋଡା ଯାଇଥିଲା । ପୀଡ଼ିତ ଜୟନ୍ତ ବିଶ୍ୱାଳ ଯକୃତ ରୋଗର ଶେଷ ପର୍ଯ୍ୟାୟ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ ।

ତେବେ ପ୍ରତ୍ୟାରୋପଣ ପରେ ଉଭୟ ବାପା ଓ ପୁଅ ସୁସ୍ଥ ଅଛନ୍ତି ।
ଏହି ଲିଭର ପ୍ରତ୍ୟାରୋପଣ ନିମନ୍ତେ ହସ୍ପିଟାଲ୍ ପକ୍ଷରୁ ଗ୍ୟାଷ୍ଟ୍ରୋ-ଇନ୍‌ଟେଷ୍ଟାଇନାଲ୍ ସର୍ଜରୀ, କାର୍ଡିଓଲୋଜି, କ୍ରିଟିକାଲ୍ କେୟାର, ଆନେସ୍‌ଥେସିଆ, ନେଫ୍ରୋଲୋଜି, ୟୁରୋଲୋଜି, କାର୍ଡିଓ ଥୋରାସିକ୍ ଓ ଭାସ୍କୁଲାର୍ ସର୍ଜରୀ, ହେମାଟୋଲୋଜି ଲାବ୍‌, ପାଥ ଲାବ୍‌, ବ୍ଲଡ୍ ବ୍ୟାଙ୍କ ଓ ନର୍ସିଂ ଭଳି ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ବଡ ଟିମ୍ ଗଠନ କରାଯାଇଛି । ସେହିପରି ବାୟୋ ମେଡିକାଲ୍‌, ଡାଏଟିକ୍ସ, ସେଂଟ୍ରାଲ୍ ଷ୍ଟେରାଇଲ୍ ଓ ସପ୍ଲାଏ ଡିପାର୍ଟମେଂଟର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି ।

ଗତ ଶୁକ୍ରବାର ଦିନ ମାର୍ଚ୍ଚ ୫ ତାରିଖରେ ସମ୍ ହସ୍ପିଟାଲ୍‌ରେ କରାଯାଇଥିବା ଯକୃତ ପ୍ରତ୍ୟାରୋପଣରେ ସାମିଲ ଥିବା ସମସ୍ତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଦ୍ୱିତୀୟ ପ୍ରତ୍ୟାରୋପଣ ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଏଭଳି ପ୍ରୟୋଗାତ୍ମକ ଏବଂ ଅତ୍ୟାଧୁନିକ ସର୍ଜରୀ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ।

ସେହିପରି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏଭଳି ସଫଳତା ଯୋଗୁଁ ହିଁ ଲୋକମାନେ ସମ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଧିକ ଭରସା କରୁଛନ୍ତି । ଏଭଳି ସର୍ଜରୀ ପରିଚାଳନା କରିବା ନିମନ୍ତେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗରେ ଖୁବ୍ ଉଚ୍ଚକୋଟୀର ଅଭିଜ୍ଞତାପୂର୍ଣ୍ଣ ଟିମ୍ ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ରାଜେଶ ଲେଙ୍କା, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡଃ ପ୍ରେମାନନ୍ଦ ପଟ୍ଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, ଜିଆଇ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଦେବକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.