କରୋନା କଟକଣା ଠୁ ବଡ଼ ସଚେତନ ରହିବା

ସୌମ୍ୟରଞ୍ଜନ ବିଶ୍ୱାଳ

କ୍ ଡାଉନ୍ ସମୟରେ ମୋର ଅଫିସ ଯିବା ବନ୍ଦ ନ ଥିଲା। ଯେହେତୁ ଏକ ଘରୋଇ ସଂସ୍ଥା ଅଧୀନରେ ଏକ ପ୍ରକଳ୍ପ ପାଇଁ କାମ କରୁଛୁ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଅଫିସ ଯିବା ଜରୁରୀ  ରହି ଆସିଛି। ଏହିକ୍ରମରେ ହଠାତ ଦିନେ ଅଫିସରେ ମୋର ଜଣେ ଉପରିସ୍ଥ ବରିଷ୍ଠ ଅଧିକାରୀ କହିଲେ ଆମ ବିଭାଗର ପ୍ରମୁଖ, କରୋନା ସତର୍କତାକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି । ଘରୁ ବାହାରୁ ନାହାନ୍ତି। ସମସ୍ତ ଗାଇଡ୍ ଲାଇନ୍ ମାନି ଚଳୁଛନ୍ତି। ସାମାଜିକ ଦୂରତା, ହ୍ୟାଣ୍ଡ ୱାଶ୍‌ରେ ହାତ ଧୋଇବାଠାରୁ ଆରମ୍ଭ କରି ସବୁ କିଛି ଠିକ୍ ଠାକ୍ ଚାଲିଛି ସାରଙ୍କର।  ଏହା ଶୁଣିବା ପରେ ମୁଁ ତାଙ୍କୁ (ବରିଷ୍ଠ ଅଧିକାରୀ) କହିଲି, ସାର୍ ଏଇଟାରେ ବଡ଼ କଥା କଣ ଅଛି ? ତାଙ୍କ ପକ୍ଷରେ ଏସବୁ ସମ୍ଭବ ହେବ । କାହିଁକି ନାଁ ସେ ହେଲେ ବଡ଼ ଅଫିସର। ତାଙ୍କ ପାଇଁ ସବୁ ସୁବିଧା ରହିଛି। ଘରେ ରୋଷେଇ କରିବାଠାରୁ ଆରମ୍ଭ କରି କ୍ଷୀର ପରିବା ଆଣିବା ଆଦି ଘର ତଥା ବାହାର କାମ କରିବା ପାଇଁ ତାଙ୍କ ପାଖେ 3-4 କର୍ମଚାରୀ ନିୟୋଜିତ ଅଛନ୍ତି । ତେଣୁ ଏସବୁ ସୁବିଧା ଥିଲେ କରୋନା ସତର୍କତାମୂଳକ ନିୟମ ମାନିବା ନିଶ୍ଚୟ ସହଜ ହେବ। ହେଲେ ଆମ ଭଳିଆ ସାଧାରଣ ଲୋକଙ୍କ ପକ୍ଷେ ଏସବୁ ସମ୍ଭବ ହେବ ନି । ଏତକ ଶୁଣିବା ପରେ ସାର୍ ଚୁପ ରହିଲେ, ଆଉ ନିରବରେ ମୁଣ୍ଡ ଟୁଙ୍ଗାରୁ ଥିଲେ।

ଏଠାରେ ଏହା ଲେଖିବାର ତାତ୍ପର୍ଯ୍ୟ ଏହା ଯେ, କରୋନା ମୁକାବିଲାରେ ଜଣେ ସାଧାରଣ ନାଗରିକ, ସତର୍କତାମୂଳକ ନିୟମ ମାନି ଚଳିବା ଯେତେ କଷ୍ଟକର ହେଲେ ବି ତାକୁ ସଚେତନ ରହିବାକୁ ପଡ଼ିବ। କାରଣ ଆମ ସମସ୍ତଙ୍କ ପାଖେ ବଡ଼ ବଡ଼ ଅଧିକାରୀ ବା ନେତା ମନ୍ତ୍ରୀଙ୍କ ଭଳି ସୁବିଧା ସୁଯୋଗ ନାହିଁ । ଖାସ୍ କରି ସହରର ବସ୍ତି ଆଉ ଗାଁ ଗଣ୍ଡାରେ ବସବାସ କରୁଥିବା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ କ୍ଷେତ୍ରରେ ଏହା କାଠିକର ପାଠ । କାରଣ ସମସ୍ତ ଅତ୍ୟାବଶ୍ୟକ କାମ ପାଇଁ ବାହାରକୁ ଯିବା ବେଳ ସତର୍କତା ଅବଲମ୍ବନ ସହ ନିଜ ପରିବାର ଏବଂ ଅନ୍ୟମାନଙ୍କ ସୁରକ୍ଷା କଥା ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ। ଏଥିସହ ଏ କ୍ଷେତ୍ରରେ ପୂର୍ବରୁ ଥିବା ଆମର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ କରିବାକୁ ପଡୁଛି।  ଯାହା କି ହଠାତ ଆପଣେଇ ଅଭ୍ୟାସରେ ପରିଣତ କରିବା ଏବଂ ସମାଜକୁ ସୁରକ୍ଷା ଦେବା ସମୟ ସାପେକ୍ଷ।

ଏଭଳି କ୍ଷେତ୍ରରେ ଆମକୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ।  ସେସବୁର ଆଲୋଚନା ପୂର୍ବରୁ ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରିବାକୁ ପଡ଼ିବ ଯେ, କରୋନା ର ବର୍ତ୍ତମାନ ସଂକ୍ରଣମ ସ୍ଥିତି ଅପେକ୍ଷା ସଂକ୍ରମଣର ପରବର୍ତ୍ତୀ ଅବସ୍ଥା, କରୋନାରେ ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରହି ସୁସ୍ଥ ହୋଇ ଫେରିବା ବ୍ୟକ୍ତି ଏବଂ ଭବିଷ୍ୟତରେ କରୋନା ସଂକ୍ରମଣ ରୋକିବା ଦିଗରେ ସରକାରୀସ୍ତରରେ କେତେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଯାହା କି ପ୍ରତ୍ୟେକ ଲୋକଙ୍କ ସାମାଜିକ ବ୍ୟବହାର, ଚାଲିଚଳନରେ ପ୍ରତିଫଳିତ ହେବା ଆବଶ୍ୟକ ହେଉଛି। ଏଥିପାଇଁ ଦୈନନ୍ଦିନ ବ୍ୟବହାରରେ ଆବଶ୍ୟକ ବଡ଼ ଧରଣର ପରିବର୍ତ୍ତନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ତୃଣମୂଳ ସ୍ତରରୁ ଉଚିତ ପଦକ୍ଷେପ ନେବା ଆବଶ୍ୟକ। ଖାଲି ପଞ୍ଚାୟତସ୍ତରରେ ମୁଖିଆ ବା ସରପଞ୍ଚମାନଙ୍କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶପଥପାଠ କରାଇ ଦେଲେ ହେବ ନାହିଁ । ଏହି କରୋନା ମୁକାବିଲାର ପ୍ରତ୍ୟେକଟି ତଥ୍ୟ ଏବଂ ଏହାର ଠିକଣା କାର୍ଯ୍ୟକାରୀତା ଉପରେ ସେମାନେ କେତେ ଦୂର ଜାଣିଛନ୍ତି ତାକୁ ତର୍ଜମା କରିବାକୁ ପଡିବ। ଏପରି କି ଲକ୍ଷଣ ନ ଥାଇ ଶରୀରରେ କରୋନା ଭୂତାଣୁ ଥିବା ପ୍ରସଙ୍ଗଟି ବର୍ତ୍ତମାନ ସୁଦ୍ଧା ଆମ ଭିତରୁ 50 ପ୍ରତିଶତ ଲୋକ ଠିକ୍ ଭାବେ ଜାଣି ନ ଥିବେ।  

କୋରାନା ମୁକାବିଲା ପାଇଁ ସରକାରଙ୍କ 30 ଦିନିଆ କଟକଣା କେବଳ କଣ ଘରେ ରହିବା ପାଇଁ ନା ଆଉ କିଛି? ଏ କଟକଣା ବି କାହା ପାଇଁ ଆଉ କାହିଁକି କରାଯାଇଛି?

କହିବାକୁ ଗଲେ ଏସବୁର ମୂଳ ଲକ୍ଷ୍ୟ ଆମ ସମସ୍ତଙ୍କ ପାଇଁ। ଯଦି ଆମେ କଟକଣା ମାନି ସତର୍କତା ଅବଲମ୍ବନ କରିବା କଟକଣା ବା ଲକ୍ ଡାଉନର ଆବଶ୍ୟକତା ହିଁ ପଡ଼ିବନି। ହେଲେ କେତେକ ବେପରୁଆ, ଦାୟିତ୍ୱହୀନ ଲୋକଙ୍କ ପାଇଁ ସମସ୍ତେ କଷ୍ଟ ଭୋଗୁଛନ୍ତି। ତେଣୁ କରୋନା ମୁକାବିଲାର ଲକ୍ ଡାଉନ କଟକଣା ଆଉ ଅଧିକ ଦିନ ଲାଗି ରହିବାର ହଁ-ନାଁ ଭିତରେ ଲୁଚି ରହିଥିବା ପ୍ରକୃତ କଥା ବା ସାର ମର୍ମକୁ ଯଦି ଆମେ ଠିକରେ ବୁଝି ପାରିବା ତେବେ, କରୋନା ମୁକାବିଲା କରିବାରେ ଆମକୁ ସେତେଟା କଷ୍ଟ ହେବନି।

ସରକାରୀ କଳ ବି ଏହି କଥାକୁ ବୁଝିଛି। ସେଥିଲାଗି ଏସବୁର ମୁକାବିଲା ପାଇଁ ତୃଣମୂଳ ସ୍ତରରେ ସରକାରଙ୍କ ମୁଖ୍ୟ ମେରୁଦଣ୍ଡ ବୋଲାଉଥିବା ଆଶା ଦିଦି ଏବଂ ଅଙ୍ଗନବାଡ଼ି ଦିଦିଙ୍କୁ ସଚେତନତା ପାଇଁ ନିୟୋଜିତ କରାଯାଇଛି।  କାରଣ କେବଳ, ସାଧାରଣ ଲୋକ, ବୟସ୍କ, ଶିଶୁ କିମ୍ବା ଅସୁସ୍ଥ ବ୍ୟକ୍ତି ନୁହନ୍ତି ଏପରିକି ଗର୍ଭବତୀଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବାର ଜରୁରୀ ହୋଇ ପଡ଼ିଛି । ଗାଁ ଗଣ୍ଡାରେ ସରକାରଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରାଇପାରିଥିବା ଆଶା ଓ ଅଙ୍ଗନବାଡ଼ି ଦିଦି ହିଁ ଏବେ କରୋନା ମୁକାବିଲାରେ ସାଜୁଛନ୍ତି ମୁଖ୍ୟ କର୍ଣ୍ଣଧାର । ସେଥିପାଇଁ ସେମାନଙ୍କ ଦ୍ଵାରା ସାଚତନତା ବାର୍ତ୍ତା ବାଣ୍ଟିବା ସବୁଠାରୁ ଉପଯୋଗୀ ହେବ ବୋଲି ଆଶା କରାଯାଇଛି।   ମାଆ ଠୁ ଛୁଆ, ପିଲାଠୁ ବୁୟସ୍କ ସମସ୍ତଙ୍କୁ ବାଣ୍ଟିବେ ସଚେତନତାର ବାର୍ତ୍ତା, କେବଳ ନିୟମିତ ହାତ ଧୁଆ ନୁହଁ, ସକାଳର ଶେଯ ଛାଡ଼ିବାଠାରୁ ରାତି ଶୋଇବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆମର ପରିବର୍ତ୍ତନ ଜରୁରୀ। ଯାହା ପାଇଁ ପରାମର୍ଶ ଦେଉଛନ୍ତି କରୋନା ଦିଦି। ଏହା ସହ ସେମାନେ ମଧ୍ୟ ନମୁନା ସଂଗ୍ରହ ତଥା ଆକ୍ଟିଭ୍‌ ସର୍ଭିଲାନ୍ସରେ ସହାୟକ ହେଉଛନ୍ତି।

ଖାଲି ସେତିକି ନୁହେଁ, ସଚେତନତା ବାର୍ତ୍ତା କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ତୃଣମୂଳସ୍ତରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଆଦିଙ୍କୁ ନେଇ ଏହି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ହେବ। କାରଣ ସରକାରଙ୍କ ସୂଚନା ମୁତାବକ କମ୍ୟୁନିଟି ସ୍ପ୍ରେଡର ମାନେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଗୋଷ୍ଠୀ ସଚେତନତା ଜରୁରୀ। ଟିଭି ରେଡିଓ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି ସତ ହେଲେ, ଏହାର ବ୍ୟାପକତା ନିର୍ଭର କରୁଛି ପ୍ରକୃତ କାର୍ଯ୍ୟକାରିତା ଉପରେ । ଯାହାକୁ ସ୍ଥାନୀୟ ଜନପ୍ରତିନିଧି କିମ୍ବା ସରକାରୀ ଅଧିକାରୀ କିମ୍ବା ସରପଞ୍ଚଙ୍କ ସ୍ତରରେ ନିୟମିତ ତଦାରଖ କରିବାର ବ୍ୟବସ୍ଥା ରଖାଯିବା ଜରୁରୀ। କରୋନା କଡ଼ା କଟକଣା, ଯଥା ନିୟମିତ ହାତ ଧୁଆ, କାମ ନ ଥିଲେ ଘରୁ ନ ବାହାରିବା, ପଦାକୁ ବାହାରିଲେ ମୁହଁରେ ତୁଣ୍ଡି ବା ମାସ୍କ ପିନ୍ଧିବା ଆଦି କାର୍ଯ୍ୟ ଆମେ ପୂର୍ବରୁ ଜାଣିଛୁ। ଅଳ୍ପେ ବହୁତ ଏଥିରେ ଅଭ୍ୟସ୍ତ ମଧ୍ୟ। ହେଲେ ଏହାକୁ ଅଭ୍ୟାସରେ ପରିଣତ କରିବାକୁ ସମୟ ଲାଗିପାରେ କିନ୍ତୁ ଅସମ୍ଭବ ନୁହେଁ।

ଏଠାରେ ଆଉ ଗୋଟେ ପ୍ରଶ୍ନ ଉଠୁଛି, କରୋନା ରୋଗୀ ଚିହ୍ନଟ ହେଲେ, ଡାକ୍ତରଖାନା ବା କ୍ୱାରେଣ୍ଟାଇନ ହୋମ୍ ଗଲେ  ସେଠାରେ 15-20 ଦିନ ରହି ସୁସ୍ଥ ହୋଇ ଫେରିଲେ। ଏଥିରେ କଣ କରୋନା ମୁକାବିଲା ଆଉ ସଂକ୍ରମଣ ରୋକିବାରେ ଆମ ସମସ୍ତଙ୍କ ଦାୟିତ୍ୱ ସରିଗଲା କି ?  କଦାପି ନୁହେଁ, ଏଭଳି ଭାବିବା ଠିକ୍ ନୁହେଁ। ବଂର ଆମେ କରୋନା ଭୂତାଣୁ ଠାରୁ କିଭଳି ନିଜକୁ ଦୂରେଇ ରଖିବା, ସେ କଥା ଉପରେ ସଚେତନତା ହେବା, କିମ୍ବା ଯଦି ବା ଆମ ମଧ୍ୟରୁ କେହି ବି କୌଣସି ପରିସ୍ଥିତିରେ କରୋନାରେ ସଂକ୍ରମିତ  ହୋଇ, କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଲେ ଏବଂ ସୁସ୍ଥ ହୋଇ ଘରକୁ ଫେରିଲେ, ତାଙ୍କ ପାଇଁ ଏହାର ପରବର୍ତ୍ତୀ କଟକଣା କାର୍ଯ୍ୟକ୍ରମ କଣ ହେବ, ସେ ଦିଗ ଉପରେ ମଧ୍ୟ ନଜର ଦେବାକୁ ପଡ଼ିବ। କାରଣ କରୋନା ଭୂତାଣୁ ଜଣକୁ ସଂକ୍ରମଣ ହେଲା ପରେ ଯେ, ତାଙ୍କୁ ଆଉ ଥରେ ଗ୍ରାସ ନ କରିବ ସେ ଥିରେ କୌଣସି ଗ୍ୟାରେଣ୍ଟି ନାହିଁ।

ତେଣୁ ଏସବୁ ଦିଗକୁ ବିଚାର କରିବା ବେଳକୁ ଆମ ମନରେ ଅନେକ ପ୍ରଶ୍ନ ଆସୁଛି ଏଥିରେ କିଏ ମଙ୍ଗୁଆଳ ସାଜିବ ? କହିବାକୁ ଗଲେ ଆମେ ସମସ୍ତେ ହିଁ ହେଉଛୁ ଏହାର ମଙ୍ଗୁଆଳ ଏବଂ ଜଣେ ଜଣେ କର୍ଣ୍ଣଧାର । କିନ୍ତୁ ବିଶେଷଜ୍ଞ ଭାବେ ଏ ଦିଗରେ ସରକାରଙ୍କ ବଛା ବଛା ଅଧିକାରୀ, ବିଶ୍ୱସ୍ତରୀୟ ସଂଗଠନ ଯଥା ୟୁନିସେଫ୍, ୟୁ.ଏନ.ଡି.ପି, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟକରୁଥିବା ବଡ଼ ବଡ଼ ଘରୋଇ ସଂଗଠନ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଯୋଗାଯୋଗ ବିଶେଷଜ୍ଞ, ମନସ୍ତତ୍ତ୍ୱବିତ, ସମାଜସେବୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ସାମିଲ କରିବାକୁ ପଡ଼ିବ। କାରଣ ଦୈନନ୍ଦିନ ଜୀବନରେ ପ୍ରବଚନ ବା ବାଣୀ ଶୁଣିବା ସହ ଏସବୁର ସଠିକ କାର୍ଯ୍ୟକାରିତା ଉପରେ ମଧ୍ୟ ସରକାରଙ୍କୁ ଗୁରୁତ୍ୱ ଦେବାକୁ ପଡିବ, ତା ନ ହେଲେ କରୋନା ପଜିଟିଭ ଚିହ୍ନଟ ପରେ କ୍ୱାରେଣ୍ଟାଇନ ରହିବା, 14 ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିବା ଆଦି ବ୍ୟବସ୍ଥାରେ କରୋନା ମୁକାବିଲା ସୀମିତ ହୋଇ ରହିଯିବ। ଆଉ ୟାରି ଭିତରେ କଦମ୍ବ ଫୁଲ ଭଳିଆ ଗୋଲାକାର ବସ୍ତୁଟି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଟୋଲ୍ ଗେଟ୍ ଅତିକ୍ରମ କରି ଗାଁ ଦାଣ୍ଡରେ ବୁଲି ବୁଲି ତାର କାୟା ବିସ୍ତାର କରି ସାରିଥିବ। ତେଣୁ ସମୟ ଅଛି ଏ ଦିଗରେ ତୁରନ୍ତ ଆଗେଇ ବାକୁ ପଡିବ, ସଜାଗ ହୋଇ କାମ ନ କଲେ, ସବୁ କିଛି ବିଗିଡ଼ି ଯିବ।

ଲେଖକ  ସୌମ୍ୟରଞ୍ଜନ ବିଶ୍ୱାଳ ଜଣେ ବିକାଶମୂଳକ ଯୋଗାଯୋଗ ପ୍ରଫେସନାଲ୍‌। ଏହି ସନ୍ଦର୍ଭରେ ପ୍ରତିଫଳିତ ଚିନ୍ତନ ତାଙ୍କର ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ। 

Advertisements

One thought on “କରୋନା କଟକଣା ଠୁ ବଡ଼ ସଚେତନ ରହିବା

Leave a Reply