କରୋନା ଭୁତାଣୁ ଲକ୍‌ଡାଉନ୍‌: ବିଶ୍ଵ ମୁକୁଳୁଛି ଚକ୍ରବ୍ୟୁହରୁ

ମନୋଜ କୁମାର ଦାଶ

ରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ଉଣା ଅଧିକେ ବିଶ୍ୱର ସବୁ ଦେଶ ତାଲାବନ୍ଦୀ ( ଲକ୍‌ଡାଉନ୍‍) ଆପଣାଇଛନ୍ତି । ଦେଶ ଓ ଶାସନ ଭିତ୍ତିରେ ଯଦିଓ ପ୍ରକ୍ରିୟା ଅଲଗା ଅଲଗା ରହିଛି କିନ୍ତୁ ଜନସାଧାରଣଙ୍କୁ ଏହି ତାଲାବନ୍ଦୀର କଟକଣା ଅନେକ ମାତ୍ରାରେ ପ୍ରଭାବିତ କରିଛି । ଏ ମଧ୍ୟରେ ଲକ୍‌ଡାଉନ ଅନୁଭୂତିକୁ ପ୍ରାୟ ୨ମାସ ବିତିଗଲାଣି । ଆମ ଦେଶ ଏହି କଟକଣାର ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିଛି । ପର୍ଯ୍ୟାୟ ଅନୁସାରେ କଟକଣା କୋହଳ ହେଉଛି । ଜୀବନ, ଜୀବୀକାକୁ ସ୍ୱଭାବିକ କରିବା ପାଇଁ ଚେଷ୍ଟା କରାଯାଉଛି । ଆଶା କରାଯାଉଛି କିଛିଦିନ ପରେ ଏ କଟକଣା ଅପସାରିତ ହୋଇଯିବ । କାରଣ ବିଶ୍ୱସ୍ତରରେ ଏପରି କୋହଳ ବ୍ୟବସ୍ଥାକୁ ଆପଣା ଯାଉଛି । ଏହାଦ୍ୱାରା କେଉଁ ଦେଶରେ କିଭଳି ତାଲାବନ୍ଦୀ କଟକଣାସବୁ ଅପସାରିତ ହେବ ତାହାର କୌଶଳ ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।

ଏବେ ବି ଭାରତ ସମେତ ଅନେକ ଦେଶରେ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ଏହି ଅଭିବୃଦ୍ଧିକୁ କ୍ରମ ବିକାଶ ନୁହେଁ ବରଂ ବିସ୍ଫୋରଣ ସଦୃଶ ବୃଦ୍ଧି ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲକ୍ଷ ଲକ୍ଷ ବ୍ୟବସାୟ ବନ୍ଦ ହୋଇସାରିଲାଣି ଏବଂ ଲୋକମାନଙ୍କର ରୋଜଗାର କ୍ଷମତା ରସାତଳଗାମୀ ହେଲାଣି ।

ପରିସ୍ଥିତିକୁ ଅନୁଧ୍ୟାନ କରି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏ ମଧ୍ୟରେ କହିଛି ଯେ, ଲକ୍‌ଡାଉନର ପ୍ରଭାବ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଯେଉଁ ଭୂକମ୍ପ ଅନୁଭୂତ ହୋଇଛି ତାହା ୧୯୩୦ ଦଶକର ବିଶାଳ ଅର୍ଥନୀତିକ ବିପର୍ଯ୍ୟୟ “ଦି ଗ୍ରେଟ ଡିପ୍ରେସନ’ଠାରୁ ମଧ୍ୟ ଅଧିକ ଖରାପ ହେବ ।

ଯେତେବେଳେ ଜୀବନ ଅଛି ତ ଦୁନିଆ ଅଛି’ ମନ୍ତ୍ରରେ ଭାରତ ଅନ୍ୟ ଦେଶକୁ ଅନୁପ୍ରାଣୀତ କରୁଛି ସେଠାରେ କଟକଣା କୋହଳ କରାଯିବା ଯୋଗୁଁ ଭୂତାଣୁର ଅଧିକ ଉଗ୍ରରୂପ ଦେଖିବାକୁ ନ ମିଳୁ! ଅର୍ଥନୀତିର ଅଭିବୃଦ୍ଧି ପାଇଁ ଜୀବନ ବଳି ନଚଢ଼ୁ । କାରଣ ଅର୍ଥନୀତିର ପୁନର୍ଜନ୍ମ ହୋଇପାରିବ କିନ୍ତୁ ମୃତ ବ୍ୟକ୍ତି ଆଉଥରେ ଫେରିପାରିବ ନାହିଁ । ଆମ ଦେଶରେ ଏବେ ବି ଲକ୍‌ଡାଉନ କଟକଣା ଜାରି ରହିଛି । ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ ଆମେ ଏବେ ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ମାନିବାକୁ ସ୍ଥିର ହୋଇଛି । ଏହି ପର୍ଯ୍ୟାୟରେ ଯଦିଓ ଅନେକ ଅର୍ଥନୀତିକ କାରବାର ପାଇଁ ଆଇନକୁ କୋହଳ କରାଯାଇଛି କିନ୍ତୁ ସରକାର ସରକାର କଟକଣାରୁ ମୁକୁଳିବାର କୌଣସି କୌଶଳ ଏ ପର୍ଯ୍ୟନ୍ତ ଜନସମ୍ମୁଖରେ ରଖିନାହାଁନ୍ତି ।

ଭାରତ ଭଳି ବିଶ୍ୱ ବି ଏହି ଦିଗକୁ ଗୁରୁତ୍ୱ ଦେଉଛି । ସେଥିଲାଗି କଟକଣା ଲାଗୁବେଳେ ଯେମିତି କଠୋର ବ୍ୟବସ୍ଥାକୁ ଆପଣା ଯାଉଥିଲା ସେହିପରି କୋହଳ କରାଯିବା ସମୟରେ କଠୋର ସତର୍କତାକୁ ପାଳନ କରୁଛନ୍ତି ବିଶ୍ୱର ବିଭିନ୍ନ ଦେଶ । ଆସନ୍ତୁ ଜାଣିବା କେଉଁ ଦେଶରେ କଟକଣା କୋହଳ କରାଯିବା ପାଇଁ କେଉଁ ପରି କୌଶଳ ଆପଣାଇଛନ୍ତି ।

ଆମେରିକା:

ଆମେରିକା ଏହି ଭୂତାଣୁ ଦ୍ୱାରା ସବୁଠାରୁ ଅଧିକା ପ୍ରଭାବିତ ହୋଇଛି । ସେଠାରେ ଦେଶବ୍ୟାପୀ କୌଣସି ଏକକ କୌଶଳ ଅବଲମ୍ବନ କରାଯାଇନାହିଁ । ଏଠାରେ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରାଯାଇଛି । କିନ୍ତୁ ବର୍ତମାନ ପରିସ୍ଥିତିରେ ଅର୍ଥନୀତିକୁ ପୁଣି ଥରେ ପୂର୍ବାବସ୍ଥାକୁ ଆଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଦେଶରେ ଏବେବି ଭୁତାଣୁକୁ କିଭଳି ବ୍ୟାପିବାରୁ ରୋକାଯିବ ଏବଂ ଲୋକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ରାସ୍ତା ଉନ୍ମୁକ୍ତ ରଖାଯିବ, ସେ ବିଷୟରେ ଅଧିକରୁ ଅଧିକା ଯତ୍ନ ନିଆଯାଉଛି ।

ଇଣ୍ଡୋନେସିଆ:

ଏହି ଦେଶରେ ଦେଶବ୍ୟାପୀ କଟକଣା ମୂଳରୁ ଲାଗୁ କରାଯାଇନଥିଲା । ରାଜଧାନୀ ଜାକର୍ତ୍ତା ଏବଂ ଅନ୍ୟାନ୍ୟ କେତେକ ପ୍ରମୁଖ ସହରରେ ଆଂଶିକ ଲକ୍‌ଡାଉନ ଅବଲମ୍ବନ କରାଯାଇଥିଲା । ଆଂଶିକ ଲକ୍‍ଡାଉନ୍‍ କଟକଣା ସତ୍ୱେ ଏହି ଦେଶର ଅର୍ଥନୀତି ଯଥେଷ୍ଟ ପ୍ରଭାବିତ ହୋଇଛି । ଇଣ୍ଡୋନେସିଆ ମୁଦ୍ରାର ମୂଲ୍ୟ ଶତକଡ଼ା ୮ ପ୍ରତିଶତ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ଆଂଶିକ କଟକଣା ଜୁଲାଇ ମାସ ବେଳକୁ ହଟାଇ ଦିଆଯିବ ବୋଲି ଏଠାରୁ ଖବର ଆସୁଛି ।

ଥାଇଲ୍ୟାଣ୍ଡ:

କରୋନା ଭୁତାଣୁ ଶୃଙ୍ଖଳକୁ ଅବରୋଧ କରିବା ଲାଗି ଥାଇଲ୍ୟାଣ୍ଡ ସରକାର ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କିନ୍ତୁ ଏକାଥରକେ ସବୁ କଟକଣା କାଢ଼ି ନିଆଯିବ ନାହିଁ । ୪ଟି ପର୍ଯ୍ୟାୟରେ କଟକଣା କୋହଳ ହେବ । ଯେଉଁ କାର୍ଯ୍ୟକଳାପ ଗୁଡ଼ିକର କୁପ୍ରଭାବ କମ୍ ହେବାର ଆକଳନ କରାଯାଉଛି ସେଗୁଡ଼ିକ ଆଗ ଆରମ୍ଭ କରାଯିବ । ଧୀରେ ଧୀରେ ଅଧିକ ବ୍ୟବସାୟ ଓ ସେବା କାରବାର ଚାଲୁ ହେବ ।

ଫିଲିପାଇନ୍ସ:

ଏହି ଦେଶରେ କଟକଣା କଡ଼ାକଡ଼ି ଲାଗୁ ହୋଇଥିଲା । ନିକଟରେ କଳକାରଖାନା ଏବଂ ନିର୍ମାଣ ଆଦି ଆରମ୍ଭ ହୋଇଛି । ବୀମା କାର୍ଯ୍ୟକଳାପ ମଧ୍ୟ ଚାଲୁ କରାଯାଇଛି । ମେ ୧ତାରିଖରୁ ଲାଗୁଥିବା କଟକଣାକୁ ଆଂଶିକ କୋହଳ କରାଯାଇଥିଲା ।

ଦକ୍ଷିଣ ଆଫ୍ରିକା:

କଠୋର କଟକଣା ପାଳନ କରିଥିବା ଯୋଗୁଁ ଏହି ଦେଶରେ ମୁଦ୍ରା ମୂଲ୍ୟ ଶତକଡ଼ା ୨୪ ଭାଗ ହ୍ରାସ ପାଇଥିଲା । ମେ ୧ ତାରିଖରୁ ବିଭିନ୍ନ କାର୍ଯ୍ୟକଳାପ ଯଥା- ଖଣି ଏବଂ ମୋଟରଯାନ ଉତ୍ପାଦନ କରାଯିବା ଆରମ୍ଭ ହୋଇଛି । ମାଲବାହୀ ଟ୍ରେନ ଚଳାଚଳ ମଧ୍ୟ ପୁଣି ଆରମ୍ଭ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତୁର୍କୀ:

ଏଠାରେ ୩୧ଟି ସହରକୁ ସପ୍ତାହରେ ଶେଷ ଦୁଇଦିନ ଏବଂ ଅନ୍ୟାନ୍ୟ ଛୁଟିଦିନ ମାନଙ୍କରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଥିଲା । ଏହା ମଧ୍ୟରେ ଅନ୍ତର୍ଦ୍ଦେଶୀୟ ବିମାନ ଚଳାଚଳ ଏବଂ ରେଳସେବା ଆରମ୍ଭ କରାଯାଇଛି । ସ୍କୁଲଗୁଡ଼ିକୁ ଖୋଲା କରାଯାଇଛି । ଦେଶର ମୁଦ୍ରାର ମୂଲ୍ୟରେ ଶତକଡ଼ା ୨୦ ଭାଗ ହ୍ରାସ ହୋଇଛି ।

କାନାଡ଼ା:

ଏଠାରେ ସମସ୍ତ ଅଣଆବଶ୍ୟକୀୟ ବ୍ୟବସାୟ କଟକଣା ସମୟରେ ବନ୍ଦ ରହିଥିଲା । ଫଳରେ ଲୋକେ କର୍ମ ସଂସ୍ଥାନ ହରାଇଛନ୍ତି । ଏକ ଆକଳନ କହୁଛି ଯେ, ଏକ୍‍ଡାଉନ୍‍ କଟକଣା ହେତୁ ଦେଶରେ ବେକାରୀ ହାର ଶତତକଡ଼ା ୨୫ ଭାଗକୁ ବୃଦ୍ଧି ପାଇଛି । ସେଠାକାର ସରକାର କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଚାଲୁ କରିବା ପାଇଁ ସରକାର ଯୋଜନା କରିଛନ୍ତି ।

ଜର୍ମାନୀ:

ଏଠାରେ ଛୋଟ ଛୋଟ ଦୋକାନମାନ କାର୍ଯ୍ୟକଳାପ ପୁଣି ଆରମ୍ଭ କରିଛନ୍ତି । କିନ୍ତୁ ବଡ଼ ଅର୍ଥନୈତିକ ଗତିବିଧି ଚାଲୁ ହୋଇନାହିଁ । ଦେଶର ନାଗରିକମାନଙ୍କୁ ପରସ୍ପର ଠାରୁ ୫ ମିଟର ଦୂରତ୍ୱ ରଖିବାପାଇଁ କୁହାଯାଇଛି ।

ସ୍ପେନ:

ଏଠାରେ କରୋନାର କୁପ୍ରଭାବ ସର୍ବାଧିକ ଅନୁଭୂତ ହୋଇଥିଲା । ଏହା ସତ୍ୱେ, ବର୍ତମାନ କଳ କାରଖାନା ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ସାଇକେଲ ଯୋଗେ କିମ୍ବା ଚାଲି କରି ଯିବା ପାଇଁ କୁହାଯାଇଛି ।

ଅଷ୍ଟ୍ରିଆ:

ଏଠାରେ ମୂଳରୁ କଟକଣା କୋହଳ ରୂପରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଛୋଟ ଛୋଟ ଦେଦାକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ସାମାଜିକ ଦୂରତ୍ୱ ରଖିବା ପାଇଁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଇଟାଲି:

ଏଠାରେ ଲକ୍‌ଡାଉନ କଟକଣା ବଳବତ୍ତର ଅଛି । କିନ୍ତୁ ପୁସ୍ତକ ଦୋକାନ, ପିଲାମାନଙ୍କର ପୋଷାକ ଦୋକାନ ଏବଂ ଜଙ୍ଗଲ ସମ୍ବନ୍ଧିୟ ବ୍ୟବସାୟମାନ ଖୋଲିବା ପାଇଁ ଆଦେଶ ଦିଆଯାଇଛି ।

ସିଙ୍ଗାପୁର:

ସିଙ୍ଗାପୁରରେ ମୂଳରୁ ଲକ୍‌ଡାଉନ କଟକଣା ଲାଗୁ କରାଯାଇନଥିଲା । କିନ୍ତୁ ଭୂତାଣୁର ପ୍ରଭାବ ପରିଲକ୍ଷିତ ହେବା ପରେ ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ପ୍ରକାରର ଧାର୍ମିକ ଓ ସାମାଜିକ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ ହୋଇଥିଲା । ଅନ୍ୟସବୁ କାର୍ଯ୍ୟକଳାପ ସେଠାରେ ବିଭିନ୍ନ ସାମାଜିକ ଦୂରତ୍ୱ ଭିତିକ ଶୈଳୀରେ ଚାଲୁ ରହିଛି ।

ଇରାନ:

ଏହି ଦେଶ କରୋନା ଭୂତାଣୁ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିଲା । ସବୁପ୍ରକାରର କଟକଣା ଏଠାରେ ଲାଗୁ କରାଯାଇଥିଲା ଏବଂ ବଳବତ୍ତର ରହିଛି । ଆନ୍ତଃ ରାଜ୍ୟ ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ କାର୍ଯ୍ୟକଳାପ କେବେ ଚାଲୁ ହେବ ସେ ବିଷୟରେ ସ୍ପଷ୍ଟ ହୋଇନାହିଁ ।

ସ୍ୱିଡେନ:

ଏହି ଦେଶରେ ସରକାର ଆଶା କରନ୍ତି ଯେ, ଲୋକମାନେ ନିଜ ଦାୟିତ୍ୱ ନିଜେ ପାଳନ କରିବେ ଏବଂ ରୋଗକୁ ବ୍ୟାପିବାରୁ ନିଜକୁ ତଥା ସମାଜକୁ ବଞ୍ଚାଇବେ । ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏଠାରେ ସ୍କୁଲ ଆଦୌ ବନ୍ଦ କରାଯାଇନଥିଲା । ପଚାଶରୁ ଅଧିକ ଲୋକଙ୍କୁ ଏକାଠି ହେବାରୁ ବାରଣ କରାଯାଇଥିଲା । ଏଠି ରେସ୍ତୋରାଁ ଓ ପବ୍ ମାନ ଠିକ୍‌ରେ ଚାଲୁ ରହିଛି । ପ୍ରାୟତଃ କଟକଣା ମୁକ୍ତ ରହିଛି ଏ ଦେଶର ସମସ୍ତ କାରବାର । ସମୟ କହିବ ସେଠାରେ ଏହିଭଳି ମୁକ୍ତ ବାତାବରଣର କଣ ପ୍ରଭାବ ଆଗାମୀ ସମୟରେ ପରିଲକ୍ଷିତ ହେବ ।

ଅଷ୍ଟ୍ରେଲିଆ:

ଅଷ୍ଟ୍ରେଲିଆ କରୋନାଭୂତାଣୁ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲା । ଏଠାରେ କଟକଣାମାନ କଡ଼ାକଡ଼ି ଲାଗୁ କରାଯାଇଥିଲା। ସରକାର ଧୀରେ ଧୀରେ କୋହଳ ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରିଛନ୍ତି । ମିଳାମିଶା ଉପରେ କଟକଣା ବଳବତର ରହିବ ଏବଂ କୌଣସି ଟୀକା ବା ଔଷଧ ବଜାରକୁ ନଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ତଥା ଅନ୍ୟାନ୍ୟ ନିୟମ ମାନିବା ପାଇଁ ଦେଶବାସୀଙ୍କୁ ସତର୍କ କରିଦିଆଯଯାଇଛି । ଅର୍ଥନୀତିକ କୁପ୍ରଭାବ ପଡ଼ିଥିଲେ ମଧ୍ୟ ଲୋକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏଠାରେ ମନେରଖିବା ଉଚିତ ଯେ, ଏହି ଭୁତାଣୁ ମଣିଷ ସମାଜ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ରହିବ କିମ୍ବା ସବୁଦିନ ପାଇଁ ରହିପାରେ ବୋଲି ଅନେକ ବିଶେଷଜ୍ଞ ମତ ଦେଇ ସାରିଛନ୍ତି । କିନ୍ତୁ ସମାଜ ସବୁଦିନ ପାଇଁ ଘରେ ବନ୍ଦ ହୋଇ ରହିପାରିବ ନାହିଁ । ତେଣୁ ପ୍ରତ୍ୟେକ ଦେଶ ତଥା ସେ ଦେଶର ନାଗରିକମାନେ କିଭଳି ସୁରକ୍ଷିତ ଭାବେ ଏବଂ ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଦୀର୍ଘକାଳିନ ବ୍ୟବସ୍ଥା ଏବଂ ବ୍ୟବହାର ପରିବର୍ତ୍ତନ କରିବା ଆବଶ୍ୟକ । କାରଣ କୌଣସି ଦେଶରେ ସମସ୍ତ ଜନସାଧାରଣଙ୍କ ପାଖରେ ଘରେ ରହି କାମ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ । ସେଥିପାଇଁ ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ଆବଶ୍ୟକ ଅର୍ଥ ମଧ୍ୟ ନାହିଁ । ତେଣୁ, ଅଧିକାଂଶ ଲୋକ ଧୀରେ ଧୀରେ ବାହାରକୁ ଯାଇ କାର୍ଯ୍ୟକ୍ଷମ ଓ ରୋଜଗାରକ୍ଷମ ହେବା ପାଇଁ ବାଧ୍ୟ । କିନ୍ତୁ କାମ କରିବାକୁ ବାହାରକୁ ବାହାରିଲେ ଭୁତାଣୁ ସଂକ୍ରମଣର ଭୟ । ଏ ପରିପ୍ରେକ୍ଷୀରେ ସରକାର ଯେତିକି ଯତ୍ନବାନ ହେବା ଦରକାର ନାଗରିକଟିଏ ମଧ୍ୟ ଅନ୍ୟ ଉପରେ ନିର୍ଭର ନରହି ଆବଶ୍ୟକ ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତା ଅବଲମ୍ବନ କରିବା ନିହାତି ଜରୁରୀ ।

 

ବିଦ୍ର: ସ୍ତମ୍ଭକାର ଜଣେ ସାମାଜିକ କର୍ମୀ, ଲେଖକ ତଥା ଗବେଷକ। ଉପରୋକ୍ତ ସନ୍ଦର୍ଭରେ ଲିଖିତ ମତାମତ ତାଙ୍କ ନିଜସ୍ଵ ଗବେଷଣା ଉପରେ ଆଧାରିତ। ତାଙ୍କୁ ଯୋଗାଯୋଗ ଫୋନ୍‌ ନମ୍ବର: ୯୯୩୭୧୦୦୫୪୯

Leave a Reply

Your email address will not be published.