ଶନିବାର ବାଚସ୍ପତି ନିର୍ବାଚନ, କେମିତି ହୁଏ ବାଚସ୍ପତିଙ୍କ ନିର୍ବାଚନ ଜାଣନ୍ତୁ

ନବ ଗଠିତ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଶନିବାର ସକାଳେ ଅନୁଷ୍ଠିତ ହେବ। ଏଥିନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ସାମ୍ବିଧାନିକ ବିଧି ଅନୁସାରେ ବିଧାନସଭାରେ ଏଥିନେଇ ପ୍ରସ୍ତାବ ପାରିତ ହୁଏ। ଭୋଟ୍‌ ଗ୍ରହଣ ବି ହୁଏ। ତେବେ ଜାଣନ୍ତୁ କେମିତି ହୁଏ ଏ ନିର୍ବାଚନ।

ବିଧି ଅନୁସାରେ ବିଧାନସଭା ବା ଲୋକସଭାର ବାଚସ୍ପତି ସମ୍ପୃକ୍ତ ବ୍ୟବସ୍ଥାପିକାର ସଦସ୍ୟଙ୍କ ଦ୍ଵାରା ନିର୍ବାଚିତ ହୋଇଥାଆନ୍ତି। ଏଥିଲାଗି ମନୋନୟନ ପତ୍ର ଦାଖଲ କରିବାକୁ ପଡ଼େ। ପ୍ରସ୍ତାବକଙ୍କ ଦ୍ଵାରା ବିଧାନସଭାର ସଚିବାଳୟରେ ଏହି ମନୋନୟନ ପତ୍ର ଦାଖଲ କରାଯାଏ। ଏହାପରେ ପ୍ରୋଟର୍ମ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।

ସାଧାରଣତଃ ବାଚସ୍ପତି ଶାସକ ଦଳର ସଦସ୍ୟଙ୍କ ଭିତରୁ କେହି ନିର୍ବାଚିତ ହୋଇଥାଆନ୍ତି। ମାତ୍ର ଏହି ପଦବୀକୁ ଏକ ନିରପେକ୍ଷ ପଦବୀ ଭାବେ ଗ୍ରହଣ କରାଯାଏ। ବାସ୍ତବରେ ସେ ବିଧାନସଭାର ବିଧି ଅନୁଯାୟୀ ମାଲିକ। ତାଙ୍କରି ଆଦେଶରେ ବିଧାନସଭାର ସମସ୍ତ କାର୍ଯ୍ୟ ପରିାଚଳନା କରାଯାଇଥାଏ।

ବିଧାନସଭା ସଚିବାଳୟରେ ଦାଖଲ ହୋଇଥିବା ନାମାଙ୍କନକୁ ସାଧାରଣତଃ ଗୃହର ନେତା ବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରୋଟର୍ମ ବାଚସ୍ପତିଙ୍କ ପୂର୍ବ ଅନୁମୋଦନରେ ପାଠ କରିଥାଆନ୍ତି। ଏହାପରେ ଭୋଟ୍‌ ଗ୍ରହଣ ହୋଇଥାଏ। ଏହି ଭୋଟ୍‌ବେଳେ ଗୃହରେ ଉପସ୍ଥିତ ସଦସ୍ୟଙ୍କ ଭିତରୁ ଅଧାରୁ ଅଧିକ ଭୋଟ୍‌ ସଂଖ୍ୟା ଯାହାଙ୍କୁ ମିଳେ ତାହାଙ୍କୁ ବାଚସ୍ପତି ଭାବେ ଘୋଷଣା କରଯାଏ। ଯେଉଁଠାରେ ଅଧିକ ସଂଖ୍ୟାରେ ପ୍ରାର୍ଥୀ ଥାଆନ୍ତି ସେଠାରେ ସାମାନ୍ୟ ସଂଖ୍ୟା ଗରିଷ୍ଠ ପ୍ରାର୍ଥୀଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଥାଏ।

ନିର୍ବାଚନ ପରେ

ନିର୍ବାଚନ ପରେ ବିଜେତାଙ୍କ ନାମ ପ୍ରୋଟର୍ମ ବାଚସ୍ପତିି ଘୋଷଣା କରିଥାଆନ୍ତି। ଏହା ପରେ ବାଚସ୍ପତିଙ୍କୁ ତାଙ୍କ ସଦସ୍ୟ ଆସନରୁ ବିରୋଧୀଦଳ ନେତା ଓ ଗୃହର ନେତା ମର୍ଯ୍ୟାଦାର ସହ ପାଛୋଟି ଆଣି ନିର୍ଦ୍ଧାରିତ ଆସନରେ ବସାଇଥାଆନ୍ତି। ଏହାପରେ ବାଚସ୍ପତିଙ୍କୁ ଅନ୍ୟ ସଦସ୍ୟମାନେ ସମ୍ବର୍ଦ୍ଧିତ କରିଥାଆନ୍ତି । ଏହି ସମ୍ବର୍ଦ୍ଧନା ପରେ ବାଚସ୍ପତି ଏକ ଧନ୍ୟବାଦ ପ୍ରସ୍ତାବକୁ ଗୃହରେ ଆଗତ କରନ୍ତି। ଏଥିରେ ଯେଉଁମାନେ ତାଙ୍କୁ ସମ୍ବର୍ଦ୍ଧିତ କରନ୍ତି ସେମାନଙ୍କ ନାମ ପାଠ କରାଯାଇଥାଏ। ଏହାପରେ ବାଚସ୍ପତି ନିଜର ସମସ୍ତ କ୍ଷମତାକୁ ବିଧି ଅନୁସାରେ କାର୍ଯ୍ୟାୟନ କରିଥାଆନ୍ତି।

Leave a Reply

Your email address will not be published.