ମନମୋହନଙ୍କ ୫୧ପ୍ରତିଶତ ଭୋଟ ହାସଲ ଦାବି କେତେ ଯୁକ୍ତିଯୁକ୍ତ!

ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୫୧ ପ୍ରତିଶତ ଭୋଟ ହାସଲ କରି କ୍ଷମତାକୁ ଆସିବ ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ଯେଉଁ ଦାବି କରିଛନ୍ତି ତାହା କେତେ ଯୁକ୍ତିଯୁକ୍ତ ? କାରଣ ୧୯୯୫ରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ୬ଟି ନିର୍ବାଚନକୁ ଲକ୍ଷ୍ୟ କଲେ ଓଡ଼ିଶାରେ ବିଜେପି ଭୋଟ ପ୍ରତିଶତ ୭.୮୮ରୁ ୩୨.୪୯ରେ ପହଞ୍ଚିଛି । ଗତ ୨୭ ବର୍ଷ ମଧ୍ୟରେ ୨୬.୬୧ ପ୍ରତିଶତ ଭୋଟ ବଢ଼ି ୨୩ଟି ଆସନ ସହିତ ମୁଖ୍ୟ ବିରୋଧି ଦଳର ମାନ୍ୟତା ହାସଲ କରିଛି । ରାଜ୍ୟରେ ବିଜେପି ସଂଗଠନ ଶାସକ ବିଜେଡି ତୁଳନାରେ ସମ୍ପୂର୍ଣ୍ଣ ଦୁର୍ବଳ ଥିବାବେଳେ କାହାକୁ ଭରସା କରି ରାଜ୍ୟ ସମାପତି ମନମୋହନ ସାମଲ ୫୧ ପ୍ରତିଶତ ଭୋଟ ସହିତ କ୍ଷମତା ହାସଲ କରିବେ ତାହାହିଁ ଆଲୋଚନାର ବିଷୟ ।

ବର୍ତ୍ତମାନ ରାଜ୍ୟରେ ବିଜେପିର ସଂଗଠନ ଅସଜଡ଼ା ଅବସ୍ଥାରେ ରହିଛି । ଜାତୀୟ ଦଳ ହୋଇଥିଲେ ହେଁ ରାଜ୍ୟ ସଂଗଠନ ବହୁ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ହୋଇ ନିଜର ସମଗ୍ର ରାଜ୍ୟରେ ନିଜର ପ୍ରଭାବ ବିସ୍ତାର କରିଛି । ଏହି ଗୋଷ୍ଠୀରେ ବିଜେପିର ପୁରୁଣା ନେତାମାନେ ନ ଥିବାବେଳେ ୨୦୧୯ ନିବାଚନ ପରେ ବିଜେଡି ଓ କଂଗ୍ରେସର କିଛି ଅଲୋଡ଼ା ନେତା ରହି ଅନ୍ୟମାନଙ୍କୁ ରାଜ୍ୟ କାର୍ଯ୍ୟାଳୟକୁ କବ୍‍ଜା କରିନେଇଛନ୍ତି ବୋଲି ପୁରୁଖା ନେତାମାନେ ଅଭିଯୋଗ କରୁଛନ୍ତି । ତେଣୁ ପୁରୁଖା ନେତାମାନେ ରାଜ୍ୟ କାର୍ଯ୍ୟାଳୟଠାରୁ ଦୂରେଇ ଯାଇ ସଂଗଠନାତ୍ମକ କାର୍ଯ୍ୟକ୍ରମରେ ଦେଖାଯାଉ ନାହାନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସଂଗଠନରେ ଅଛୁଆଁ ନେତ୍ରୀ ଭାବରେ ଜଣାଶୁଣା । ରାଜ୍ୟ ନେତାମାନଙ୍କର ତାଙ୍କ ପ୍ରତି ସମ୍ମାନ ନ ଥିବାରୁ ସେ ମଧ୍ୟ ରାଜ୍ୟ ନେତୃତ୍ୱ ସହିତ ନାହାନ୍ତି । ତେଣୁ ସେ ସାରା ରାଜ୍ୟରେ ସମାନ୍ତରାଳ ସଂଗଠନ କରି ନିଜର ଲୋକପ୍ରିୟତା ବୃଦ୍ଦି କରିବାରେ ଲାଗିଛନ୍ତି । ଯାହାକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସାଂସଦ ଷଡ଼ଙ୍ଗୀ ହରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେପି କର୍ମୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳେ । କେବଳ ଅପରାଜିତା ନୁହଁନ୍ତି, ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଗତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଯେପରି ଭାବରେ ଷଡ଼ଯନ୍ତ୍ର କରି ପରାଜିତ କଲେ ତାହା କାହାରିକୁ ଅବିଦିତ ନୁହେଁ । ଏପରିକି ଦଳର ପୁରୁଖା ନେତା ମହାମେଘବାହନ ଖାରବେଳ ସ୍ୱାଇଁ, ବସ୍ତାର ରଘୁ ମହାନ୍ତିଙ୍କୁ ମଧ୍ୟ ଅଲୋଡ଼ା କରିଦେଇଚନ୍ତି ।

ବିଜେପି ଲୋକମାନଙ୍କ ସମର୍ଥନରେ କଂଗ୍ରେସକୁ ହଟାଇ ବିରୋଧି ଦଳର ଯେଉଁ ମାନ୍ୟତା ପାଇଥିଲା ତାହାକୁ ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବହାର କରିଛନ୍ତି । ଦଳର ଟାଣୁଆ ତଥା ପ୍ରଭାବୀ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପ୍ରଥମରୁ ବିରୋଧୀଦଳର ନେତା ନ କରି ଭବାନୀପାଟଣା ବିଧାୟକ ପ୍ରଦୀପ ନାୟକଙ୍କୁ କରିଥିଲେ । ଶ୍ରୀ ନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରାରେ କାମ କରି ବିରୋଧୀଦଳର ମର୍ଯ୍ୟାଦାକୁ ମାଟିରେ ମିଶାଇବା ସହିତ ଦଳର ଗୁରୁଦାୟିତ୍ୱକୁ ଲୋକହସା କଲେ । ଏହାପରେ ଗତ କିଛିମାସ ହେଲା ଜୟନାରାୟଣ ବିରୋଧୀଦଳ ନେତା ହେବାପରେ ରାଜ୍ୟରେ ବିରୋଧୀଦଳ ଥିବା ଅନୁଭୂତ ହୋଇଥଲା । ଏପରି ଶାସକ ଦଳ ବିଜେଡି ମଧ୍ୟ ଏଥିପାଇଁ ଚନ୍ତାରେ ପଡ଼ିଯାଇଛି । କାରଣ ଜୟନାରାୟଣ ପ୍ରତିଟି କ୍ଷେତ୍ରରେ ସରକାରଙ୍କୁ ଅପଦସ୍ତ କରି ନିଜ ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି ।

ଏଭଳି ସ୍ଥିତିରେ ରାଜ୍ୟ ସଭାପତି ମନମୋହନ କିପରି ୫୧ ପ୍ରତିଶତ ଭୋଟ ସହିତ କରି କ୍ଷମତା ହାସଲ କରିବେ । କାରଣ ୧୯୯୫ରେ ବିଜେପି ଏକାକୀ ଲଢ଼ି ୭.୮୮ ପ୍ରତିଶତ ଭୋଟ ପାଇ ୯ଟି ଆସନ ପାଇଥିଲା । ୨୦୦୦ରେ ବିଜେଡ଼ି ସହିତ ମେଣ୍ଟ କରି ୧୮.୧୯ ପ୍ରତିାତ ଭୋଟ ସହିତ ୩୮ଟି ଆସନରେ ବିଜୟୀ ହୋଇ ମେଣ୍ଟ ସରକାରରେ ସାମିଲ ହୋଇଥିଲା । ୨୦୦୪ରେ ମେଣ୍ଟରେ ଲଢ଼ି ବିଜେପି ୧୭.୧୧ ପ୍ରତିଶତ ଭୋଟକୁ ହାସ ପାଇ ୬ଟି ଆସନ ହରାଇ ୩୨ରେ ପହଞ୍ଚିଥିଲା । ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଏକାକୀ ଲଢ଼ି ୧୫.୦୫ ପ୍ରତିଶତ ଭୋଟ ସହିତ ମାତ୍ର ୬ ଆସନ ଜିତିବାରେ ସକ୍ଷମ ହୋଇଥିଲା । ୨୦୧୪ରେ ୧୮ ପ୍ରତିଶତ ଭୋଟ ସହିତ ୧୦ଟି ଆସନରେ ଜିତି ଥିଲା । ୨୦୧୯ରେ ବିଜେପିର ଭୋଟ ପ୍ରତିଶତ ୩୨.୪୯କୁ ବୃଦ୍ଧି ପାଇ ଆସନ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିଲା ।

ବର୍ତ୍ତମାନର ଅସଜଡ଼ା ସଂଗଠନକୁ ନେଇ କିପରି ୫୧ ପ୍ରତିଶତ ଭୋଟ ପାଇବେ ବୋଲି ମନମୋହନ ଯେଉଁ ଦାବି କରିଛନ୍ତି ତାହାହିଁ ଦଳୀୟ ନେତା ଓ ସଂଗଠକମାନଙ୍କର ଚିନ୍ତାର କାରଣ ହୋଇଛି ।

Leave a Reply

Your email address will not be published.