ଅନେକ ’ପିପିଲି’ ଅପେକ୍ଷାରତ

0
347
advertisement
ଲେଖକ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

ଶୀର୍ଷକ ଏକ ନିରାଶବାଦୀ ମନୋଭାବକୁ ବଖାଣୁଛି। କିନ୍ତୁ ଯେତେବେଳେ ଆଶା ବୋଲି କିଛି ରହିବ ନାହିଁ, ମୋ ଝିଅ ବି ଆଗକୁ ଏମିତି କିଛି ପିଶାଚଙ୍କୁ ସାମ୍ନା କରିବା ଅବଶ୍ୟମ୍ଭାବୀ ହୋଇପଡ଼ିବ, ଆଉ ମୁଁ କହିଲେ ମଧ୍ୟ ତାହାକୁ କେହି ଶୁଣିବେ ନାହିଁ ବରଂ କହିବେ ‘ଯାହା ହୋଇଛି, ଭଲ ହୋଇଛି’, ତା ହେଲେ ମୋ ମନରେ ଭରସା ଆସିବ କେଉଁଠୁ ? ମୁଁ ଏ ବ୍ୟବସ୍ଥା ଉପରେ ଆସ୍ଥାବାଦୀ ହେବି କେମିତି ?

ପ୍ରସଙ୍ଗ ଏକ କବର ଦିଆଯାଇଥିବା ଲଜ୍ଜାର ଅଲାଜୁକ ସମାଲୋଚନାକୁ ଭିତ୍ତିକରି ଜନ୍ମ। ଏହାକୁ ଆହୁରି ସ୍ପଷ୍ଟ କଲେ ’ପିପିଲି’ ଗଣ ଦୁଷ୍କର୍ମ ବାବଦ ରାୟ ଏବଂ ଏ ବାବଦରେ ସେ ଅଞ୍ଚଳର ପ୍ରଭାବଶାଳୀ ଲୋକପ୍ରତିନିଧି ତଥା ରାଜ୍ୟ ସରକାରଙ୍କ କୃଷିମନ୍ତ୍ରୀଙ୍କ ବୟାନକୁ ଭିତ୍ତିକରି ଉଇଁଛି। ରାଜନୀତିକ କମ୍ବଳ ଘୋଡ଼ାଇବାର ପ୍ରକ୍ରିୟାରେ ଏକ ନିରୀହ ଚରିତ୍ର ଏବଂ ତାହାଙ୍କ ପରିବାର ଓ ଜ୍ଞାତିଙ୍କ ଜନ୍ମଗତ ଅଧିକାର କ୍ଷୁର୍ଣ୍ଣ ହୋଇଛି। ପୁଣି ଆମମାନଙ୍କ ଜାଣିବାର ଅଧିକାର ଯାହାକୁ ମାନବାଧିକାରର ଶ୍ରେଷ୍ଠ ଉପାଦାନ ଭାବେ ଗ୍ରହଣ କରାଯାଏ ତାହାକୁ ବି ଛୁପାଇ ଦିଆଯାଇଛି।

କିଏ ଏଇ ଝିଅଟି ସହ ଦୁଷ୍କର୍ମ କରିଥିଲା ? ତାକୁ ମାରିଲା କିଏ ? ଆମେସବୁ ଭାବିଥିଲୁ ବିଚାରବିଭାଗୀୟ ତଦନ୍ତ ଦ୍ଵାରା ଏହା ଉପରେ ବସିଥିବା ଅଳନ୍ଧୁ ସଫା ହେବ। କିନ୍ତୁ ସେ ରିପୋର୍ଟ ଏଯାଏ ପର୍ଦାଫାଶ ହେଲା ନାହିଁ। ଅପରପକ୍ଷେ କୋର୍ଟଙ୍କ ପାଖରେ ରାଜ୍ୟ ପକ୍ଷରୁ ଯେଉଁ ତଦନ୍ତ ରିପୋର୍ଟ ସବୁ ଉପସ୍ଥାପନ କରାଗଲା ସେଥିରେ ମଧ୍ୟ କାରଣ ସ୍ପଷ୍ଟ ଦର୍ଶାଗଲା ନାହିଁ। ଅର୍ଥାତ୍‌ କୋର୍ଟଙ୍କ ଆଗରେ ଅଭିଯୁକ୍ତର ଦୋଷ ପ୍ରମାଣିତ କରିବାରେ ରାଜ୍ୟ ବିଫଳ ହେଲା। ଜଣେ ବହିଷ୍କୃତ ପୁଲିସ ଅଧିକାରୀ ପୁଣିଥରେ ଚାକିରିକୁ ଫେରିଲେ। ମାନସିକ ନିର୍ଯାତନା ଭିତରେ ସଢ଼ି ବିନା କୌଣସି କାମରେ ଘରେ ବସିଥିବା ଏ ଅଧିକାରୀଙ୍କୁ ସର୍ବସାଧାରଣଙ୍କ ତହବିଲରୁ ସମସ୍ତ ଅର୍ଥ ଦିଆଯିବ। ତାଙ୍କୁ ବହିଷ୍କାର କରିବାବେଳେ ଆଇନର ଶାସନ ପ୍ରକ୍ରିୟାକୁ ଅବଲମ୍ବନ କରାଯାଇ ନଥିଲା। ସେଥିଲାଗି ସେ ସର୍ବୋଚ୍ଚ ଅଦାଲତରେ ଜିତିଲେ। ଯଦିଓ  ଏଥିରେ ପ୍ରକ୍ରିୟାଗତ ଭୁଲ୍‌ ଥିଲା କିନ୍ତୁ ସାଧାରଣରେ ସେ ଭାବନା ସୃଷ୍ଟି କରିଲେ ଯେ, ସେ କିଛି ଭୁଲ୍‌ କରି ନଥିଲେ। ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରି ନଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ନୁହେଁକି ?  

ତେସବୁ ଭିତରେ ମନ୍ତ୍ରୀ କହିଲେ ସମ୍ପୃକ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ! ଏ କି ନ୍ୟାୟ ? କିଏ ଦେଲା ? ଏ ପ୍ରଶ୍ନ ଭିତରେ ପୁଣି ସେ ପୁରୁଣା ପ୍ରଶ୍ନଯେ, ‘ପିପିଲି’କୁ ମାରିଲା କିଏ ? କାହିଁକି ସେ ମଲା ?

ଏହା ପୂର୍ବରୁ ‘କୁନ୍ଦୁଲି’ ମଧ୍ୟ ସମାନ କାହାଣୀ ବୟାନ କରୁଥିଲା। ତା କଥାକୁ କେହି ଶୁଣିଲେ ନାହିଁ। ଶେଷରେ ସେ ଆତ୍ମହତ୍ୟା କଲା। ହେଲେ ତା’ ଆତ୍ମହତ୍ୟାର କାରଣ କ’ଣ ? କିଏ ସେଥିପାଇଁ ଦାୟୀ ? ବିଚାର ବିଭାଗୀୟ କମିଶନ ଏହାର ତଦନ୍ତ କରୁଛି। ରିପୋର୍ଟକୁ ଅପେକ୍ଷା। 

ଠିକ୍‌ ସେହି ପ୍ରଶ୍ନ ରାୟଗଡ଼ା ଟିକିରିରୁ ଦିନେ ଶୁଣିବାକୁ ମିଳିଥିଲା। ଜଳିପୋଡ଼ି ତା’ ଜୀବନ ଗଲା? ସେଠି ବି ରାଜ୍ୟ ଦର୍ଶାଇପାରିଲା ନାହିଁ ଯେ, ସେଠାରେ ପ୍ରକୃତରେ ଆସାମୀ କିଏ ? କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ  ( ସିବିଆଇ) ସୁପ୍ରିମ୍‌କୋର୍ଟଙ୍କ ଅଧୀନରେ ତଦନ୍ତ କରି ମଧ୍ୟ ଦୋଷୀକୁ ଠାବ କରିପାରିଲା ନାହିଁ। 

ପ୍ରତି ମଣିଷର ସମ୍ମାନ ସୂଚକ ଜୀବନ ଜୀଇଁବାର ଅଧିକାର ହେଉଛି ଆମ ଜନ୍ମଗତ। ସମ୍ବିଧାନ ଅନୁସାରେ ଏହା ମୌଳିକ ଅଧିକାର ପରିସରଭୁକ୍ତ।ରାଜ୍ୟ ଏହାକୁ ସୁରକ୍ଷିତ କରିବ। ଆମ ଉପରେ ଯଦି କେହି ଜବରଦସ୍ତି କରି ଅଧିକାର କ୍ଷୁର୍ଣ୍ଣ କରିବ ତେବେ ତାହାକୁ ରାଜ୍ୟ ଖୋଜିବ, ପ୍ରମାଣିତ କରିବ, ଦଣ୍ଡିତ କରିବ। କିନ୍ତୁ ପିପିଲି, କୁନ୍ଦୁଲି, ଟିକିରି ସବୁଆଡ଼େ ତ ରାଜ୍ୟ ବିଫଳ ହେଲା ? ତେବେ ମୁଁ ରାଜ୍ୟ ଉପରେ କାହିକି ଭରସା କରିବି ? କିପରି ରାଜ୍ୟର ଆଇନ ଶୃଙ୍ଖଳାକୁ ସମ୍ମାନ ଦେବାର ଆଗ୍ରହ ଅନ୍ୟ ଆଗରେ ସୃଷ୍ଟି କରିବି ?  କିପରି ଭାବିବି ଯେ ମୋ ଝିଅ କାଲି ସୁରକ୍ଷିତ ଘରକୁ ଫେରିବ ? ଯେଉଁଠି ଝିଅ ମୋର ସୁରକ୍ଷିତ ନୁହେଁ, ସେଠାରେ ମୋ ଭଳି ବାପା, ମା’, ଭାଇ, ଭଉଣିମାନେ ଭରସା କରିବେ ଯେ ଆଇନର ଶାସନ ସୁରକ୍ଷିତ ?  ଆଇନର ଶାସନ ସୁରକ୍ଷିତ ବୋଲି ରାଜ୍ୟ କିଭଳି ଦାବି କରିବ ? 

ରାଷ୍ଟ୍ରସତ୍ତାରେ ଥାଇ ଜାତୀୟ ପତାକା, ନାଲିବତୀ ଧରି ଗାଡ଼ି ଚଢ଼ୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆସିବ କେଉଁଠୁ ? ସର୍ବୋପରି ଦେଶ ଗଠନରେ ମୋ ଭଳି ଭୟଭୀତ ଲୋକମାନେ କେତେ  ନାଗରିକର ଦାୟିତ୍ଵ ସମ୍ପାଦନ କରିପାରିବେ !

ଏମିତି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବା ସ୍ଵଭାବିକ। ଏବେ ଆପଣଙ୍କ ବିଚାର କରିବା ପାଳି। 

 

ଏହି ଲେଖକଙ୍କ ଅନ୍ୟ ପ୍ରବନ୍ଧ ପଢ଼ିବା ଲାଗି କ୍ଲିକ୍‌ କରନ୍ତୁ 

୬୯ ବର୍ଷରେ ଆମ ସମ୍ବିଧାନ: ଏକ ଅନୁଚିନ୍ତା

ରାଜନୀତିରେ ବାବୁ ବାବୁଆଣୀ: ଏମାନେ ସ୍କାଉଣ୍ଡ୍ରାଲ୍‌ ନା ବ୍ୟବସାୟୀ

’ରାଜଦ୍ରୋହ’ରେ ଗଣମାଧ୍ୟମ