ଶୋଳଶହ ବର୍ଷ ପୁରୁଣା ଗଙ୍ଗାସାଗର ମେଳା, ୪ ଥର ସମୁଦ୍ରରେ ମିଶିଛି କପିଳମୁନି ମନ୍ଦିର

0
456
advertisement

ଇତିହାସ ଅନୁସାରେ ୪୩୭ ମସିହାରେ ସାଗରଦ୍ୱୀପରେ କପିଳମୁନି ମନ୍ଦିର ନିର୍ମାଣ ହୋଇଥିଲା । ରାଜସ୍ଥାନ-ଜୟପୁରର ‘ଗୁରୁ ସମ୍ପ୍ରଦାୟ’ ପକ୍ଷରୁ ମନ୍ଦିର ନିର୍ମାଣ ହୋଇଥିଲା । ପରେ ‘ରାମାନନ୍ଦୀ ସମ୍ପ୍ରଦାୟ’ର ସନ୍ଥମାନେ ଏହାକୁ ସେମାନଙ୍କ ଆରାଧ୍ୟସ୍ଥଳ ଭାବେ ଆପଣେଇ ନେଇଥିଲେ । ଆଉ ଏକ ତଥ୍ୟ ଅନୁସାରେ ଗଙ୍ଗାସାଗର ବା ସାଗରଦ୍ୱୀପ ଯଶୋର (ସମ୍ପ୍ରତି ବାଂଲାଦେଶ ଅନ୍ତର୍ଗତ)ର ରାଜ୍ୟ ପ୍ରତାପାଦିତ୍ୟଙ୍କ ଅଧୀନରେ ଥିଲା ଏବଂ ସେ ଏହାକୁ ନୈସର୍ଗିକ ନୌଶକ୍ତି କେନ୍ଦ୍ରରେ ପରିଣତ କରିବାକୁ ଇଚ୍ଛା କରିଥିଲେ । ପ୍ରଥମେ ଏହି ତୀର୍ଥ ପାଇଁ ୧୮୨୨ରେ ସାଗରଦ୍ୱୀପକୁ ରାସ୍ତା ନିର୍ମାଣ ଆରମ୍ଭ କରାଯାଇଥିଲା । ସଡ଼କପଥ ନିର୍ମାଣ ପରେ ତୀର୍ଥଯାତ୍ରୀମାନେ ମେଳାରେ ଯୋଗଦେବାକୁ ଲାଗିଲେ ।

୧୯୫୨ରେ ପଶ୍ଚିମବଙ୍ଗଳାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନଚନ୍ଦ୍ର ରାୟ ପ୍ରଥମଥର ଗଙ୍ଗାସାଗର ଗସ୍ତ କରି କପିଳମୁନି ମନ୍ଦିର ନିର୍ମାଣ ପାଇଁ ଏଗାର ହଜାର ଟଙ୍କା ଅନୁଦାନ ବ୍ୟବସ୍ଥା କରିଥିଲେ । ୧୯୫୪ରେ ଆଚାର୍ଯ୍ୟ ବିନୋବା ଭାବେ ସେଠାରେ ପଦାର୍ପଣ କରିଥିଲେ । ୧୯୭୯ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଗସ୍ତ କାଳରେ ଏହାର ରୂପରେଖରେ ପରିବର୍ତ୍ତନ ଘଟିଲା । ସେହିପରି ୧୯୮୪ରେ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଆବାସ ନିର୍ମାଣ ବ୍ୟବସ୍ଥା କରିଥିଲେ । ପରେ ଭାରତ ସେବା ସଂଘ ପକ୍ଷରୁ ଏକ ବିଶାଳ ଧର୍ମଶାଳା ନିର୍ମାଣ କରାଯାଇଥିଲା। ପୌରାଣିକ କପିଳମୁନି ଆଶ୍ରମ ବା ମନ୍ଦିର ୪ଥର ସମୁଦ୍ର ଗର୍ଭରେ ଲୀନ ହୋଇଥିବା ମଧ୍ୟ କୁହାଯାଏ ।


ପ୍ରତିବର୍ଷ ଭାରତ, ନେପାଳ, ମରିଶସ୍ ଓ ଶ୍ରୀଲଙ୍କାର ସାଧୁସନ୍ଥଙ୍କ ସହ ନାଗା ସନ୍ନ୍ୟାସୀମାନେ ଗଙ୍ଗାସାଗର ମେଳାରେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ଇତିହାସ କହେ ୧୮୩୭ ପର୍ଯ୍ୟନ୍ତ ସାଗରଦ୍ୱୀପରେ କେହି ବସବାସ କରୁନଥିଲେ । ଅଳ୍ପ ସଂଖ୍ୟକ ସାଧୁସନ୍ଥ କେବଳ ତପସ୍ୟା ପାଇଁ ରହୁଥିଲେ । ବିପଦସଙ୍କୁଳ ଯାତ୍ରାପଥ ସାଙ୍ଗକୁ ଜଳଦସ୍ୟୁଙ୍କ ଦୌରାତ୍ମ୍ୟ ମଧ୍ୟ ରହିଥିଲା । ସେତେବେଳେ ତୀର୍ଥଯାତ୍ରୀ କେବଳ ଜଳଯାତ୍ରାକୁ ଭରସା କରୁଥିଲେ । କିମ୍ବଦନ୍ତୀ ଅନୁସାରେ ପାଶ୍ୱର୍ବର୍ତ୍ତୀ ମେଦିନୀପୁର ରାଜ୍ୟର ରାଜା ଯଦୁ ରାୟ ଖୁବ୍ ଧର୍ମପରାୟଣ ଥିଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ ସାଧୁସନ୍ଥ ଜଳଯାତ୍ରାରେ ସାଗରଦ୍ୱୀପକୁ ଆସୁଥିଲେ । ରାଜା ଆଶ୍ରମ ପ୍ରତିଷ୍ଠା କରିବା ସହ ସେମାନଙ୍କ ଖାଦ୍ୟ ବନ୍ଦୋବସ୍ତ ମଧ୍ୟ କରୁଥିଲେ । ଏପରିକି ଜଳଦସ୍ୟୁଙ୍କ କବଳରୁ ସୁରକ୍ଷା ପାଇଁ ବିଶାଳ ସେନା ମଧ୍ୟ ମୁତୟନ କରୁଥିଲେ । ଅନ୍ୟପକ୍ଷରେ ରାଜା ଯଦୁ ରାୟଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ମେଳା ଅଦ୍ୟାବଧି ଚଳିଆସୁଛି ବୋଲି ମଧ୍ୟ ସ୍ୱୀକାର କରାଯାଏ ।