ପରିବାର ଅଦାଲତ କାଉନ୍‌ସେଲରଙ୍କୁ ମାସିକ ୩୨ ହଜାର

ଭୁବନେଶ୍ଵର, (ଓଟି): ଆଉ ୧୫ ହଜାର ଟଙ୍କା ନୁହେଁ, ଏଣିକି ୩୨ହଜାର ୫୦୦ ଟଙ୍କା ପାଇବେ ପ୍ରମୁଖ ପରିବାର ଅଦାଲତର ପ୍ରମୁଖ କାଉନ୍ସେଲର। ସେହିପରି କାଉନ୍ସେଲରଙ୍କୁ ମାସିକ ୨୩ହଜାର ୨୪୦ ଟଙ୍କା ମିଳିବ। ପୂର୍ବରୁ ତାହା ୧୦ ହଜାର ଟଙ୍କା ମିଳୁଥିଲା। ୨୦ ଦିନର କାର୍ଯ୍ୟ ବାଧ୍ୟତାମୂଳକ ଥିଲା। ହେଲେ ସେମାନଙ୍କ ପାଇଁ କୌଣସି ଚାକିରି ସର୍ତ୍ତାବଳୀ ନଥିଲା। ଏଣୁ ତୁରନ୍ତ ଚାକିରି ସର୍ତ୍ତାବଳୀ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ନୂଆ ଚାକିରି ସର୍ତ୍ତାବଳୀ ହୋଇ ନାହିଁ ସେ ଯାଏ ଏହି ଦରମା ହାରକୁ ଲାଗୁ କରିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପରିବାର କୋର୍ଟରେ କାମ କରୁଥିବା ପରାମର୍ଶ ଦାତା ତଥା ମଧ୍ୟସ୍ଥିମାନଙ୍କ ଗୁରୁତ୍ଵକୁ ଲକ୍ଷ୍ୟ କରି ହାଇକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। 

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାଜପୁର ଜିଲ୍ଲା ପରିବାର ଅଦାଲତ କାଉନସେଲର ଆଶୋକ ଦାସଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମହାରାଷ୍ଟ୍ର, ଆସାମ ଓ କେରଳ ରାଜ୍ୟରେ ପରିବାର ଅଦାଲତ କାଉନ‌େସଲରଙ୍କୁ ୩୦ରୁ ୩୬ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯିବା ସହିତ ସେମାନଙ୍କୁ ସରକାରଙ୍କ ବରିଷ୍ଠ ଅଧିକାରୀ ପାହ୍ୟା ପ୍ରଦାନ କରାଯାଉଛି। ତେଣୁ ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ କାର୍ଯ୍ୟ କରୁଥିବା କାଉନସେଲରଙ୍କ ପ୍ରାପ୍ୟ ବୃଦ୍ଧି କରାଯାଉ ଓ ଚାକିରି ସର୍ତ୍ତାବଳୀ ପ୍ରଣୟନ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। 

ପରିବାର ଅଦାଲତରେ ରୁଜୁ ମାମଲା ଗୁଡିକର ପକ୍ଷଙ୍କ ମଧ୍ୟରେ ଥିବା ବିବାଦକୁ ପ୍ରାଥମିକ ପର୍ଯ୍ୟାୟରେ କାଉନସେଲର ଆପୋସରେ ସମାଧାନ କରିବା ପାଇଁ ଉଦ୍ୟମ କରିଥାନ୍ତି। ଏଥିରେ ବିଫଳ ହେଲେ ମାମଲାର କୋର୍ଟରେ ବିଚାର ଚାଲିଥାଏ। କାଉନସେଲରଙ୍କ ରିପୋର୍ଟର ମାମଲାରେ ଯଥେଷ୍ଟ ଗୁରୁତ୍ବ ରହିଥାଏ ଓ ଅନେକ ସମୟରେ ବିବାଦର ସମାଧାନ ମଧ୍ୟ କାଉନସେଲିଂ ବେଳେ ଆପୋସରେ ହୋଇଥାଏ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

 

Leave a Reply

Your email address will not be published.