ପୁଣି ହେଲମେଟ୍ ଚିନ୍ତା!

ଭୁବନେଶ୍ୱର(ଓଟି): କିଛିଦିନର ହୋହଲା ପରେ ସମସ୍ତେ ଗାଡ଼ିକୁ ନେଇ ଟେନସନ୍ ଛାଡ଼ିଥିଲେ । ତେବେ ପୁଣି ଗାଡ଼ି ଚାଳକ ସାବଧାନ ହେବାର ସମୟ ଆସିଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ସତର୍କ ସୂଚନା ଦେଇସାରିଛନ୍ତି । କଥା ହେଲା ଗାଡ଼ି ଚାଳକମାନେ ହେଲମେଟ୍ ଓ ସିଟ୍ ବେଲ୍‌ଟ ବ୍ୟବହାର କରିବା ନେଇ ଆଗରୁ ନିୟମ ରହିଆସିଛି । ତେବେ ସଂଶୋଧିତ ମୋଟର ଯାନ ଆଇନ ପରେ ନିୟମ କଡ଼ାକଡ଼ି ହୋଇଥିବାବେଳେ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟିକୋଣରୁ ୩ ମାସ ଲେଖାଏଁ ୨ଥର ନିୟମ କୋହଳ କରିଥିଲେ । ସେହିକ୍ରମରେ ଆସନ୍ତା ମାର୍ଚ୍ଚ ପହିଲାରୁ କୋହଳ ନିୟମ କଣ୍ଟ ସରିବ । ଆଉ ସବୁଦିଗରୁ ଗାଡ଼ି ଚାଳକଙ୍କ ପାଇଁ ନିୟମ କଡ଼ାକଡ଼ି ଲାଗୁହେବ । ନିୟମ ଉଲ୍ଲଂଘନ କଲେ ଦେବାକୁ ହେବ ନିର୍ଦ୍ଧାରିତ ଜୋରିମାନା ।

ସୂଚନା ଅନୁସାରେ ସଡ଼କ ସୁରକ୍ଷା ସପ୍ତାହ ଇତିମଧ୍ୟରେ ସରିଯାଇଥିବାବେଳେ ଦିଲ୍ଲୀରେ ଏ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ବୈଠକ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟ ସରକାରଙ୍କ  ପ୍ରତିନିଧି ବା ମନ୍ତ୍ରୀସ୍ତରୀୟ ଅଂଶଗ୍ରହଣ କରିଥିଲେ । ଆମ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସେଠାରୁ ଫେରିବା ପରେ ମନ୍ତ୍ରୀ କହିଛନ୍ତି ଯେ ଏଣିକି ବାଇକ୍ ପଛରେ ବସିଲେ ମଧ୍ୟ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ସେହିପରି କାର୍‌ରେ ବସିଲେ ମଧ୍ୟ ସିଟ୍ ବେଲ୍‌ଟ ପିନ୍ଧିବାକୁ ହେବ । ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ତେବେ ଆଉକେତେକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେମାନଙ୍କ ମତରେ ଛୋଟ ପିଲାକୁ ନେଇ ଯିବାବେଳେ ଦମ୍ପତି ହେଲମେଟ୍‌ ପିନ୍ଧିଲେ ପିଲାର ସୁରକ୍ଷା ଠିକ୍‌ରେ ନିଆଯାଇପାରିବ ତ? ପଛରେ ବସିଥିବା ମହିଳା ଜଣଙ୍କ ହେଲମେଟ୍‌ ପିନ୍ଧିଲେ ନିଜ ସନ୍ତାନକୁ ଧରିବା ଓ ଯତ୍ନ ନେବାରେ ଅଡୁଆ ହୋଇପାରେ ବୋଲି କୁହାଯାଉଛି। ସେହିପରି କଅଁଳ ମୁଣ୍ଡ ପାଇଁ ସୁରକ୍ଷା କାହିଁ ବୋଲି ମଧ୍ୟ ଅନେକ ଚିନ୍ତା ପ୍ରକଟ କରୁଛନ୍ତି।

Leave a Reply

Your email address will not be published.