ପୁରୁଷଙ୍କ ଦେହରେ ନାରୀ ପରି ବକ୍ଷୋଜ :ଗାଇନକୋମେଷ୍ଟିଆର କାରଣ ଓ ଚିକିତ୍ସା

0
229
advertisement

ଜୀବନରେ ସଫଳତା ପାଇଁ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସୌନ୍ଦର୍ଯ୍ୟର ବିଶେଷ ମହତ୍ତ୍ୱ ରହିଛି । ମାତ୍ର ବେଳେ ବେଳେ ବ୍ୟକ୍ତି ପାଇଁ ତା’ର ବିକୃତ ସୌନ୍ଦର୍ଯ୍ୟ ଅଭିଶାପର କାରଣ ହୋଇଥାଏ, ଯେମିତିକି ପୁରୁଷର ନାରୀ ପରି ଉନ୍ନତ ବକ୍ଷୋଜ ବିକଶିତ ହୁଏ, ଯାହାକୁ ଚିକିତ୍ସା ବିଜ୍ଞାନରେ ଗାଇନକୋମେଷ୍ଟିଆ ବୋଲି କୁହାଯାଏ । ଏହାଦ୍ୱାରା ବ୍ୟକ୍ତି ସମସ୍ତଙ୍କ ଆଗରେ ହାସ୍ୟାସ୍ପଦ ହେବା ସହିତ ହୀନଭାବନାର ଶିକାର ମଧ୍ୟ ହୋଇଥାଏ । ତେବେ ଏଭଳି କାହିଁକି ହୁଏ ଓ କ’ଣ ଏହାର ଉପଚାର ଆସନ୍ତୁ ଜାଣିବା:

ଗାଇନକୋମେଷ୍ଟିଆ ହେଉଛି ଗ୍ରୀକ୍ଭାଷାର ଏକ ଚିକିତ୍ସୀୟ ଶବ୍ଦ । ଏହାର ଅର୍ଥ ହେଉଛି ନାରୀ ପରି ଉନ୍ନତ ବକ୍ଷ । ବେଳେବେଳେ ଦେଖାଯାଏ ଯେ, ପୁରୁଷଟିଏ ତା’ର କିଶୋରାବସ୍ଥାରେ ପଦାର୍ପଣ କାଳରେ ତା’ର ବକ୍ଷର ପଟ୍ଟ କିଛି ସମୟ ପାଇଁ ପରିବର୍ତ୍ତିତ ହୋଇଥାଏ । ମାତ୍ର ସେ ଯେତେବେଳେ ୨୭-୨୮ବର୍ଷରେ ପଦାର୍ପଣ କରେ ପୁନଃ ଛାତି ସ୍ୱାଭାବିକ ସ୍ତରକୁ ଆସିଯାଏ । ଏହି ପରିବର୍ତ୍ତନ ଉପରେ ଚିକିତ୍ସକମାନଙ୍କ ମତହେଉଛି ଯେ, ପୁରୁଷମାନଙ୍କର ତାଙ୍କ କିଶୋରାବସ୍ଥା ପଦାର୍ପଣ କାଳରେ ଇଷ୍ଟ୍ରୋଜେନ ହର୍ମୋନ ସ୍ରାବ କାରଣରୁ ବକ୍ଷର ବିକାଶ ହୋଇଥାଏ, ମାତ୍ର ପୁରୁଷ ଅବସ୍ଥା ଆସିଲେ ଏହି ହର୍ମୋନ କମିଯିବା କାରଣରୁ ସେମାନଙ୍କ ବକ୍ଷ ବକାଶ ହୁଏ ନାହିଁ । ଏହି କାରଣରୁ ସେମାନଙ୍କ ବକ୍ଷ ଛାତିସହ ସମାନ୍ତର ରହିଥାଏ । ଇଷ୍ର୍ଟ୍ରୋଜେନ ବ୍ୟତୀତ ପ୍ରୋଜେଷ୍ଟେରାନ, ପ୍ରୋଲେକ୍ଟିନ, ଗ୍ରୋଥ ହର୍ମୋନ, ଇନ୍ସ୍ୟୁଲିନ ତଥା ଥାଇରଏଡ୍ ହର୍ମୋନର ମଧ୍ୟ ବକ୍ଷବିକାଶ କ୍ଷେତ୍ରରେ ଯଥେଷ୍ଟ ଭୂମିକା ରହିଛି । ମାତ୍ର କିଛି ପୁରୁଷଙ୍କର ମଧ୍ୟ ଅନ୍ୟାନ୍ୟ କାରଣ ଯୋଗୁ ବକ୍ଷ ମହିଳାଙ୍କ ଭଳି ହୋଇଥାଏ । ଯାହା ଫଳରେ କି ସେମାନଙ୍କୁ ଲଜ୍ଜାଜନକ ସ୍ଥିତି ସମ୍ମୁଖୀନ ହେବାକୁ ହୋଇଥାଏ । ଚିକିତ୍ସକୀୟ ଭାଷାରେ ଏହାକୁ ଗାଇନକୋମେଷ୍ଟିଆ ବୋଲି କୁହାଯାଏ ।

ପୁରୁଷ ବକ୍ଷ ବିକାଶର କାରଣ:

ଏନ୍ଲାର୍ଜମେଣ୍ଟ ଗାଇନକୋମେଷ୍ଟିଆ ମନୁଷ୍ୟର ମସ୍ତିଷ୍କ ଉପରେ ହୀନଭାବନା ତଥା ଦୁଷ୍ପ୍ରଭାବ ପକାଇଥାଏ । ତେବେ ଅଧିକ ଭାବେ ଗାଇନକୋମେଷ୍ଟିଆ ହେବାର କାରଣ ହେଲା ଅତ୍ୟଧିକ ମୋଟାପଣ, ହର୍ମୋନ ଅସନ୍ତୁଳନ, ପେଟ ଗଡ଼ବଡ଼ ତଥା କିଛି କିଛି କାଳ ଧରି ଅଧିକ ପରିମାଣରେ ଔଷଧ ସେବନ କରିବା ।

ପୁରୁଷଙ୍କଠାରେ ବକ୍ଷ ବୃଦ୍ଧିର ସବୁଠୁ ସାଧାରଣ କାରଣ ହେଲା ମୋଟାପଣ । ମୋଟା ବ୍ୟକ୍ତିମାନଙ୍କର ଶରୀରରେ ଅନ୍ୟ ଅଙ୍ଗ ଭଳି ସ୍ତନରେ ବି ଚର୍ବି ଜମା ହୋଇଥାଏ, ଯେଉଁ କାରଣରୁ କି ସ୍ତନ ମହିଳାଙ୍କ ଭଳି ପ୍ରତୀତ ହୁଏ । ଏହାଛଡ଼ା ଶୁକ୍ରାଶୟର ରୋଗ, ଟେଷ୍ଟେଷ୍ଟେରାନ ହର୍ମୋନ ସ୍ରାବ ନ ହେବା, ଇଷ୍ଟ୍ରୋଜେନ ହର୍ମୋନ ଅଧିକ ସ୍ରାବ ହେବା, ପିଟ୍ୟୁଟାରୀ ଗ୍ରନ୍ଥି ବା ଆଡ୍ରିନଲ ଗ୍ରନ୍ଥିରେ ଟ୍ୟୁମର ଦେଖାଦେବା, ଲିଭର ସିରୋସିସ ଆଦି କାରଣ ଯୋଗୁ ମଧ୍ୟ ପୁରୁଷଙ୍କଠାରେ ବକ୍ଷର ବିକାଶ ହୋଇଥାଏ । କିଛି ବିଶେଷ ଔଷଧ ସେବନ ଦ୍ୱାରା ମଧ୍ୟ ପୁରୁଷଙ୍କଠାରେ ସ୍ତନର ବିକାଶ ହୋଇଥାଏ ।

ଚିକିତ୍ସା

ପୁରୁଷଙ୍କ ବକ୍ଷ ବୃଦ୍ଧି (ଗାଇନି କୋମେଷ୍ଟିଆ)କୁ କସ୍ମେଟିକ୍ ସର୍ଜରୀ ଦ୍ୱାରା ଠିକ୍ କରାଯାଇଥାଏ । କିନ୍ତୁ ସର୍ଜରୀ ପୂର୍ବରୁ ଏହାର କାରଣ ଅନୁସନ୍ଧାନ କରାଇବା ନିହାତି ଆବଶ୍ୟକ । ଉକ୍ତ ବ୍ୟକ୍ତିକୁ ପୂର୍ବରୁ ଲିଭର ବେମାରୀ ରହିଛି କିମ୍ବା ସେ ଇଷ୍ଟ୍ରୋଜେନ୍ ବା ଷ୍ଟେରାୟଡ୍ ସେବନ କରୁଛି ଇତ୍ୟାଦି ଜାଣିବାକୁ ପଡ଼ିଥାଏ । ଅନୁସନ୍ଧାନ କରାଯିବା ପରେ ତାକୁ ମେମୋଗ୍ରାମ୍ ବା ସ୍ତନର ଏକ୍ସରେ କରାଇବାକୁ ପରାମର୍ଶ ଦିଆଯାଏ । ଏହାଦ୍ୱାରା ସ୍ତନର ବିକାଶ ସାଙ୍ଗକୁ ସ୍ତନକର୍କଟ ସମ୍ବନ୍ଧରେ ମଧ୍ୟ ଜାଣିହୁଏ । ଏଭଳି ମାମଲାରେ ସ୍ତନ କ୍ୟାନ୍ସର ଆଶଙ୍କା ବହୁତ କମ୍ ଦେଖାଦେଇଥାଏ । ତଥାପି ଏହାର ପରୀକ୍ଷଣ ବହୁତ ଜରୁରୀ ଅଟେ । କାରଣ ଏହି ପରୀକ୍ଷାର ଆଧାର ଉପରେ ରୋଗୀର ଚିକିତ୍ସା କରାଯାଇଥାଏ । ଯଦି ରୋଗୀଠାରେ କୌଣସି ଗମ୍ଭୀର ରୋଗ ନ ଥାଇ କେବଳ ହର୍ମୋନ ଅସନ୍ତୁଳନ ବା କୌଣସି ସାମାନ୍ୟ ସମସ୍ୟା ରହିଥାଏ ତେବେ ତା’ର ସ୍ତନକୁ କସ୍ମେଟିକ ସର୍ଜରୀ ଦ୍ୱାରା ଠିକ୍ କରାଯାଇଥାଏ । ସ୍ତନରେ ଚର୍ବି ଓ ଗ୍ରନ୍ଥି କୋଶିକାମାନଙ୍କର ଅନୁସନ୍ଧାନ ମଧ୍ୟ କରାଯାଇଥାଏ । ଏହି ଆଧାର ଉପରେ ମଧ୍ୟ ସର୍ଜରୀର ପଦ୍ଧତି ଚୟନ କରାଯାଇଥାଏ । କିଛି ସର୍ଜରୀ ମାମଲାରେ ସଂକ୍ରମଣ, ରକ୍ତସ୍ରାବ ଓ ଆନାସ୍ଥେସିଆର ଦୁଷ୍ପ୍ରଭାବ ଆଶଙ୍କା ଦେଖାଦେଇଥାଏ । ଏହାଛଡ଼ା ସର୍ଜରୀର ଲକ୍ଷଣ, ସ୍ତନ ପିଗ୍ମେ ରେ ସ୍ଥାୟୀ ପରିବର୍ତ୍ତନ ଓ ୨ଟି ସ୍ତନ ବା ନିପଲରେ ସାମାନ୍ୟ ଅସମାନତା ମଧ୍ୟ ଦେଖା ଦେଇଥାଏ । ଏଭଳି କ୍ଷେତ୍ରରେ ପୁନଃ ଅପରେସନର ଆବଶ୍ୟକତା ପଡ଼ିଥାଏ । ସର୍ଜରୀର ୧ ବର୍ଷ ପର ପର୍ଯ୍ୟନ୍ତ ସ୍ତନରେ କିଛି ଅନୁଭୂତି ହୋଇ ନ ଥାଏ ଓ ଏଥିରେ ଶୂନ୍ୟତା ଆସିଥାଏ । ଯାହାକି ଆପଣାଛାଏଁ ଠିକ୍ ହୋଇଯାଏ । ଏହି ସର୍ଜରୀରେ ଆଠଘଣ୍ଟା ପୂର୍ବରୁ ରୋଗୀକୁ କିଛି ବି ଖାଇବା ପିଇବା କରିବାକୁ ମନା କରାଯାଇଥାଏ । ଯଦି ରୋଗୀ ପୂର୍ବରୁ କୌଣସି ଔଷଧ ଖାଉଥାଏ, ତାହାକୁ ବି ବନ୍ଦ କରିଦିଆଯାଏ, କାରଣ ଏହାଦ୍ୱାରା ସର୍ଜରୀ ଅବସ୍ଥାରେ ରକ୍ତସ୍ରାବ ହେବାର ସମ୍ଭାବନା ଦେଖାଦେଇଥାଏ । ଧୂମ୍ରପାନକାରୀ ବ୍ୟକ୍ତିଙ୍କୁ ସର୍ଜରୀର ୨ ସପ୍ତାହ ପୂର୍ବରୁ ଧୂମ୍ରପାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ କ୍ଷତ ପୂରଣ ପର୍ଯ୍ୟନ୍ତ ଧୂମ୍ରପାନ ନ କରିବାକୁ ପରାମର୍ଶ ଦିଆଯାଏ । କାରଣ ଧୂମ୍ରପାନ ଦ୍ୱାରା ରକ୍ତ ପରିବହନରେ ଅଭାବ ପରିଲକ୍ଷିତ ହୋଇଥାଏ ଓ କ୍ଷତ ଶୁଖିବାକୁ ବହୁତ ସମୟ ନିଏ । ସାଧାରଣତଃ ସର୍ଜରୀରେ ୧ରୁ ଦେଢଘଣ୍ଟା ସମୟ ଲାଗିଥାଏ ।

ସର୍ଜରୀ ପୂର୍ବରୁ ରୋଗୀର ସ୍ତନରେ ଗ୍ରନ୍ଥି କୋଷିକା ବା ଚର୍ବି କୋଷିକାର ଅଧିକ ବୃଦ୍ଧି ସମ୍ବନ୍ଧରେ ଅନୁସନ୍ଧାନ କରାଇବା ନିହାତି ଜରୁରୀ, କାରଣ ଏହି ଆଧାର ଉପରେ ରୋଗୀର ସ୍ତନ ସର୍ଜରୀ କରାହୋଇଥାଏ । ଯଦି ସ୍ତନ ବୃଦ୍ଧିର କାରଣ ଗ୍ରନ୍ଥିକୋଷିକା, ତେବେ କୋଷିକାଗୁଡ଼ିକୁ ସ୍କାଲପେଲ୍ରେ କାଟି ବାହାର କରିଦିଆଯାଇଥାଏ । କେବେକେବେ ଏହା ସହିତ ଲାଇପୋସସ୍କନ ପଦ୍ଧତି ମଧ୍ୟ ବ୍ୟବହାର କରାଯାଏ । ଏଥିପାଇଁ ସ୍ତନ ନିପଲର ଚତୁପାଶ୍ୱର୍ରେ ଥିବା କଳାଅଂଶର ଧାର ଉପରେ ଅଧଇଞ୍ଚରୁ କମ୍ ଲମ୍ବର ଏକ ଅପରେସନ କରାଯାଇଥାଏ ଓ ଏହାଛଡ଼ା ଗ୍ରନ୍ଥି ଅଥବା ଚର୍ବିକୋଷିକାର ବୃଦ୍ଧି ହୋଇଥିଲେ ଏହି ସର୍ଜରୀର ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଥାଏ । ଏଥିପାଇଁ ଲାଇପୋସସ୍କନ ପଦ୍ଧତି ବ୍ୟବହାର କରାଯାଇଥାଏ । ସ୍ତନର କଳା ଅଂଶର ଧାର ବା କାଖ ଅଂଶରେ ଅଧା ଇଞ୍ଚରୁ ବି କମ୍ ଲମ୍ବଯୁକ୍ତ ଅପରେସନ କରାଯାଇଥାଏ ଓ ଭାକ୍ୟୁମ ପମ୍ପ ଲାଗିଥିବା କୈନୁଲା ନାମକ ଏକ ପତଳା ଫମ୍ପା ନଳୀକୁ ଏଥିରେ ପ୍ରବେଶ କରାଯାଇଥାଏ । ଏହି କୈନୁଲାକୁ ତ୍ୱଚାର ତଳେ ଘୂର୍ଣ୍ଣନ କରାଯାଏ ଯାହାଦ୍ୱାରା କି ଚର୍ବି ଖଣ୍ଡ ଖଣ୍ଡ ହୋଇଯାଏ ଓ ପମ୍ପ ମାଧ୍ୟମରେ ବାହାରକୁ ବାହାରିଆସେ । ଏହି ପ୍ରକ୍ରିୟା କାଳରେ ରୋଗୀ କମ୍ପନର ଅନୁଭବ କରିଥାଏ । କିନ୍ତୁ ସାଧାରଣ ଭାବେ ଦେଖିବାକୁ ଗଲେ ରୋଗୀକୁ ଯନ୍ତ୍ରଣା ହୁଏ ନାହିଁ । କିଛି କ୍ଷେତ୍ରରେ ଯେତେବେଳେ ଅଧିକ ମାତ୍ରାରେ ଗ୍ରନ୍ଥି ବା ଚର୍ବି କୋଷିକାମାନଙ୍କୁ ବାହାର କରାଯାଏ ସେତେବେଳେ ନୂତନ ଛୋଟ ସ୍ତନ ଉପରେ ତ୍ୱଚା ଠିକ୍ ଭାବେ ଫିଟ୍ ହୋଇପାରେ ନାହିଁ । ଏହି ପରିସ୍ଥିତିରେ ସ୍ତନର କଳା ଅଂଶର ତ୍ୱଚାରେ ଏକ ଛୋଟ ଅପରେସନ କରାଇ ତ୍ୱଚାକୁ କାଟି ବାହାର କରିବାକୁ ହୋଇଥାଏ । ଆଉ କିଛି ମାମଲାରେ ଅଲଗା ଅପରେସନ କରାଇ ଏକ ଛୋଟ ନଳୀକୁ ସେଥିରେ ଭର୍ତ୍ତି କରାଯାଇଥାଏ ଓ ଏଥିରେ ଅତିରିକ୍ତ ଦ୍ରବ୍ୟକୁ ବାହାରକୁ ବାହାର କରାଯାଏ । ସର୍ଜରୀ ପରେ ଅପରେସନ କ୍ଷତ ଉପରେ କପଡ଼ା ବାନ୍ଧି ଦିଆଯାଏ । ସର୍ଜରୀ ପରେ କିଛିଦିନ ପର୍ଯ୍ୟନ୍ତ ରୋଗୀ ଅସ୍ୱାଭାବିକ ଅନୁଭବ କରିଥାଏ । ଯଦି ରୋଗୀ ହାଲ୍କା ଯନ୍ତ୍ରଣା ଅନୁଭବ କରୁଥାଏ, ତେବେ ତାକୁ ଔଷଧ ଦିଆଯାଏ । କିଛି ମାମଲାରେ ସର୍ଜରୀ ପରେ ଫୁଲା ବା ଗେଟାଳିଆ ଅନୁଭବ ହୁଏ । ଏହାକୁ ଠିକ୍ କରିବା ପାଇଁ ରୋଗୀକୁ ଏକ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାତିରେ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ଦିଆଯାଏ । ଏହାଦ୍ୱାରା କିଛି ସପ୍ତାହରେ ଫୁଲା ଠିକ୍ ହୋଇଯାଏ । ରୋଗୀକୁ ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ୩ରୁ ୬ ମାସ ସମୟ ଲାଗିଥାଏ । ଏହି ସର୍ଜରୀ କିଛିଘଣ୍ଟା ପରେ ରୋଗୀ ବୁଲାଚଲା କରିବାରେ ସକ୍ଷମ ହୋଇଥାଏ ଓ ଦ୍ୱିତୀୟ ଦିନରେ କାମକୁ ଯାଇଥାଏ । ଯଦି ରୋଗୀଠାରେ ସିଲାଇ ପଡ଼ିଥାଏ, ତେବେ ଏହା ଚାରି ପାଞ୍ଚ ଦିନରେ ମିଳେଇଯାଏ । ସର୍ଜରୀ ପରେ ରୋଗୀ କୌଣସି କଠିନ ବ୍ୟାୟାମ ନ କରିବା ପାଇଁ ପରାମର୍ଶ ଦିଆଯାଏ । ଏହି ମାସ ଭିତରେ ରୋଗୀ ପୂର୍ବପରି ସ୍ୱାଭାବିକ ସ୍ତରକୁ ଆସିଯାଏ । ତେବେ ସର୍ଜରୀ ଚିହ୍ନକୁ ରୋଗୀ ୬ ମାସ ଯାଏଁ ସୂର୍ଯ୍ୟକିରଣରୁ ବଞ୍ଚାଇ ରଖିବା ଆବଶ୍ୟକ, କାରଣ ଖରା ସମ୍ପର୍କରେ ଆସିଲେ ସର୍ଜରୀ ଚିହ୍ନ କଳା ପଡ଼ିଯାଏ । ଯଦି ଖରାରୁ ରକ୍ଷା ପାଇବା ସମ୍ଭବ ନୁହେଁ ତେବେ ଶକ୍ତିଶାଳୀ ସନବ୍ଲାକ୍ ବ୍ୟବହାର କରିବା ଉଚିତ । ଗାଇନିକୋମେଷ୍ଟିଆର ସର୍ଜରୀ ମନୁଷ୍ୟକୁ ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତ କରାଇବା ସହିତ ବ୍ୟକ୍ତିକୁ ସମସ୍ୟା ମୁକ୍ତ କରିଥାଏ ।