ଯାତ୍ରୀଙ୍କ ସୁରକ୍ଷା ପାଇଁ ଜାହାଜକୁ ବାରଣ

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହେଲାନାହିଁ। ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଗୋପାଳପୁର ବନ୍ଦରରେ ଏବେ ବଡ ଧରଣର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୧୦୦୦ରୁ ଅଧିକ ଶ୍ରମିକ ଦିନରାତି କାମରେ ଲାଗିଛନ୍ତି। ଉଭୟ ଜଳାଶୟ ଭିତରେ ଓ ବାହାରେ କାର୍ଯ୍ୟ ଜାରି ରହିଛି।

ସେହିଥିପାଇଁ ଗୋପାଳପୁର ବନ୍ଦର ପରିସରରେ ନିଜର ଯାତ୍ରୀବାହୀ ଜାହାଜକୁ ଲଗାଇବାପାଇଁ ଅନୁରୋଧ କରିଥିବା ଜେ.ଏମ‍୍‌.ବକ୍ସି ଟ୍ରାଭେଲ କମ୍ପାନୀକୁ ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ଅନୁମତି ପ୍ରଦାନ କରିନାହାନ୍ତି।

ଯଦିଓ ଟ୍ରାଭେଲ ସଂସ୍ଥା ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ତଥାପି ଉଭୟ ବନ୍ଦର ଓ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ନିର୍ମାଣକାର୍ଯ୍ୟ ପରିସର ମଧ୍ୟରେ ଯାତ୍ରୀବାହୀ ଜାହାଜ ଲଙ୍ଗର ପକାଇବାକୁ ଅନୁମତି ଦିଆଯାଇନାହିଁ। କାରଣ ବିଶାଳ ଯାତ୍ରୀବାହୀ ଜାହାଜକୁ ଏଠାରେ ଜଳାବତରଣ ପାଇଁ ଅନୁମତି ଦେବାର ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ କିମ୍ୱା ପଣ୍ୟ କାରବାର ପାଇଁ ଉଦ୍ଦିଷ୍ଟ ଏହି ବନ୍ଦରରେ ବର୍ତ୍ତମାନ ସେଭଳି କୌଣସି ବ୍ୟବସ୍ଥା ନାହିଁ।

ଏପରିକି କୌଣସି ଜାହାଜରୁ କର୍ମଚାରୀମାନେ ବନ୍ଦର ମଧ୍ୟକୁ ଆସିବାପାଇଁ ଆବଶ୍ୟକ ପଡୁଥିବା ସର୍ବନିମ୍ନ ଇମିଗ୍ରେସନ ବ୍ୟବସ୍ଥା ବି ଏଠାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ କୌଣସି ସ୍ଥିତିରେ ଯାତ୍ରୀବାହୀ ଜାହାଜ ଏଠାରେ ଲାଗିପାରିବନାହିଁ ବୋଲି ଜଣାଯାଇଛି। ଏ ସଂକ୍ରାନ୍ତରେ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଭାରତ ସରକାର ମଧ୍ୟ ଭଲଭାବେ ଅବଗତ ଅଛନ୍ତି।

ଉଲ୍ଲେଖନୀୟ ଯେ ଆର୍ନ୍ତଜାତୀୟ ପର୍ଯ୍ୟଟକବାହୀ ଜାହାଜଟି ଚେନ୍ନାଇରୁ ପାରାଦୀପ‍୍‌ ଅଭିମୁଖେ ତାହାର ଯାତ୍ରା ସମୟରେ ଗୋପାଳପୁର ବନ୍ଦରରେ ଅଟକିବାକୁ ଚାହିଁଥିଲା। ହେଲେ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟପାଇଁ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ଅନୁମତି ପ୍ରଦାନପାଇଁ ଉଚିତ୍ ମଣି ନାହାନ୍ତି।

Leave a Reply

Your email address will not be published.