ଗୀତା ମାହାତ୍ମ୍ୟ- ୩୭: ଆତ୍ମା ହେଉଛି କ୍ଷେତ୍ରଜ୍ଞ, ଶରୀରକୁ ଆଲୋକିତ କରିଥାଏ

0
153
advertisement

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ସଂଶୟ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କ୍ଷେତ୍ର ଓ କ୍ଷେତ୍ରଜ୍ଞ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବୁଝାଇବାକୁ ଯାଇ କହିଥିଲେ, ଜୀବର ଶରୀର ହେଉଛି କ୍ଷେତ୍ର ଓ ଶରୀର ମଧ୍ୟରେ ଥିବା ଜୀବାତ୍ମା ହେଉଛି କ୍ଷେତ୍ରଜ୍ଞ ।


ଜୀବାତ୍ମା ପରମାତ୍ମାଙ୍କ ଅଂଶବିଶେଷ ହୋଇଥିବାରୁ ଆତ୍ମା ସମସ୍ତ କ୍ଷେତ୍ର ବା ଶରୀରକୁ ଆଲୋକିତ କରିଥାଏ । ଯେଉଁ ପୁରୁଷ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବା ଶରୀର ଓ ଜୀବାତ୍ମା ମଧ୍ୟରେ ଥିବା ପ୍ରଭେଦ ତଥା କାର୍ଯ୍ୟ ସମେତ ପ୍ରକୃତିରୁ ମୁକ୍ତ ହେବା ପ୍ରଣାଳୀ ଜ୍ଞାନନେତ୍ର ଦ୍ୱାରା ତତ୍ୱତଃ ଜାଣିପାରନ୍ତି, ସେହି ମହାତ୍ମାମାନେ ପରମବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ଏହା ସତ୍ୱେ ଅର୍ଜୁନଙ୍କ ବିଶାଦ ଓ ସଂଶୟ ଦୂର ନହେବାରୁ ଯେଉଁ ଜ୍ଞାନ ଦ୍ୱାରା ଜୀବ ସଂସାରରୁ ମୁକ୍ତ ହୋଇ ପରମ ସିଦ୍ଧି ପ୍ରାପ୍ତ ହୁଅନ୍ତି ସେ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ । ଏହି ଜ୍ଞାନ ପ୍ରାପ୍ତ ହୋଇ ତାହାକୁ ଆଶ୍ରୟ କରି ବା ଧାରଣ କରିଥିବା ସାଧକମାନେ ଇଶ୍ୱରଙ୍କ ସ୍ୱରୂପ ପ୍ରାପ୍ତ ହୁଅନ୍ତି ଓ ସୃଷ୍ଟିର ପ୍ରାରମ୍ଭରେ ତାଙ୍କର ଉତ୍ପନ୍ନ ହୁଏ ନାହିଁ କି ପ୍ରଳୟ କାଳରେ ସେମାନେ ବ୍ୟଥିତ ହୁଅନ୍ତି ନାହିଁ ବୋଲି ଭଗବାନ ଅର୍ଜୁନଙ୍କୁ କହିଛନ୍ତି ।

ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଜଡ଼-ଚେତନର ସଂଯୋଗରୁ ସମସ୍ତ ଜୀବ ବା ଭୂତଗଣଙ୍କର ଉତ୍ପତ୍ତି ହୁଏ । ନାନାପ୍ରକାର ଯୋନିରେ ଯେତେସବୁ ଶରୀରଧାରୀ ପ୍ରାଣୀ ଉତ୍ପନ୍ନ ହୁଅନ୍ତି, ମୂଳ ହେଉଛି ସେହି ସମସ୍ତଙ୍କର ଗର୍ଭଧାରଣ କରୁଥିବା ମାତା ଓ ଇଶ୍ୱର ହେଉଛନ୍ତି ବୀଜ ସ୍ଥାପନ କରୁଥିବା ପିତା ।’ ଭଗବାନ ଆହୁରି ମଧ୍ୟ କହିଛନ୍ତି,

ସତ୍ତ୍ୱଂ ରଚସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭବାଃ ।
ନିବଧ୍ୱନ୍ତି ମହାବାହୋ ଦେହେ ଦେହିନମବ୍ୟୟମ୍ । ।

ଅର୍ଥାତ୍ ପ୍ରକୃତିରୁ ଉତ୍ପନ୍ନ ସତ୍ତ୍ୱ, ରଜ ଓ ତମ ତିନିଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖନ୍ତି । ଏହି ତିନିଗୁଣ ମଧ୍ୟରୁ ସତ୍ୱଗୁଣ ନିର୍ମଳ ହୋଇଥିବାରୁ ପ୍ରକାଶକ ଓ ବିକାରରହିତ । କିନ୍ତୁ ଏହି ସତ୍ୱଗୁଣ ସୁଖ ସମ୍ବନ୍ଧ ଦ୍ୱାରା ଓ ଜ୍ଞାନ ସମ୍ବନ୍ଧ ଦ୍ୱାରା ବା ଜ୍ଞାନର ଅଭିମାନ ଦ୍ୱାରା ଜୀବକୁ ବନ୍ଧନରେ ପକାଇଥାଏ ।

ସେହିପରି ରାଗରୂପୀ ରଜୋଗୁଣ କାମନା ଓ ଆସକ୍ତିରୁ ଉତ୍ପନ୍ନ ହୁଏ ଏବଂ ଜୀବାତ୍ମାକୁ କର୍ମ ଓ କର୍ମଫଳ ସହିତ ଥିବା ସମ୍ବନ୍ଧଦ୍ୱାରା ବନ୍ଧନ କରେ ।

ସେହିପରି ତମୋଗୁଣ ଅଜ୍ଞାନରୁ ଉତ୍ପନ୍ନ । ତମୋଗୁଣ ଜୀବାତ୍ମାକୁ ପ୍ରମାଦ(ଇନ୍ଦ୍ରିୟ ଓ ଚିତ୍ତ ସନ୍ତୁଷ୍ଟିର ବ୍ୟର୍ଥ ପ୍ରଚେଷ୍ଟାକୁ ପ୍ରମାଦ କୁହାଯାଏ), ଆଳସ୍ୟ (କର୍ତ୍ତବ୍ୟ କର୍ମରେ ଅପ୍ରବୃତିରୂପ ନିରୁଦ୍ୟମକୁ ଆଳସ୍ୟ କୁହାଯାଏ) ଓ ନିଦ୍ରା ଦ୍ୱାରା ଜୀବକୁ ବନ୍ଧନରେ ପକାଇଥାଏ ।’