ଗୀତା ମାହାତ୍ମ୍ୟ-୩୬ : ସୂର୍ଯ୍ୟ ପରି ଆତ୍ମା ଶରୀରକୁ ଆଲୋକିତ କରେ

0
331
advertisement

ଯେଉଁ ପୁରୁଷ ସର୍ବତ୍ର ସମଭାବରେ ପରମେଶ୍ୱରଙ୍କୁ ସମାନରୂପେ ଦେଖନ୍ତି, ସେମାନେ ପରମଗତି ପ୍ରାପ୍ତ ହୁଅନ୍ତି ଓ ଯେଉଁ ବ୍ୟକ୍ତି ସକଳକର୍ମ ପ୍ରକୃତି ଦ୍ୱାରା କରାଯାଉଛି ବୋଲି ଦେଖିବା ସହ ଆତ୍ମାକୁ ଅକର୍ତ୍ତା ଭାବେ ବିଚାର କରନ୍ତି ସେମାନେ ଯଥାର୍ଥରେ ପରମେଶ୍ୱରଙ୍କୁ ପାଇପାରୁଥିବା ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି । ତଥାପି ଅର୍ଜୁନଙ୍କ ସଂଶୟ ଦୂର ନହେବାରୁ ଆତ୍ମା ଓ ପରମାତ୍ମାଙ୍କ ସମ୍ପର୍କରେ ଭଗବାନ ଆହୁରି ବିସ୍ତୃତ ଆଲୋଚନା କରିଥିଲେ । ଭଗବାନ କହିଥିଲେ ଯେ,
‘ଭୂତ ସମୁଦାୟର ପୃଥକ୍ ପୃଥକ୍ ଭାବ ପରମାତ୍ମାଙ୍କ ଠାରେ ଅବସ୍ଥିତ ଥିବା ଯେଉଁ ବ୍ୟକ୍ତି ଯେତେବେଳେ ଜାଣିପାରନ୍ତି ଏବଂ ପରମାତ୍ମାଙ୍କ ଠାରୁ ସମସ୍ତ ଭୂତଙ୍କର ବିସ୍ତାର ହୋଇଥିବା ଉପଲବ୍ଧ କରିପାରନ୍ତି, ସେହିକ୍ଷଣି ସେହି ବ୍ୟକ୍ତି ବ୍ରହ୍ମପ୍ରାପ୍ତ ହୋଇଯାଆନ୍ତି । ପରମବ୍ରହ୍ମ ଅନାଦି ଓ ନିର୍ଗୁଣ ହୋଇଥିବାରୁ ଅବିନାଶୀ ପରମାତ୍ମା ଶରୀରରେ ରହି ମଧ୍ୟ ବାସ୍ତବରେ କିଛି କରନ୍ତି ନାହିଁ, କି କୌଣସିଥିରେ ଲିପ୍ତ ହୁଅନ୍ତି ନାହିଁ । ଯେପରି ଆକାଶ ସର୍ବତ୍ର ବ୍ୟାପ୍ତ ହୋଇଥିଲେ ବି କାହାଦ୍ୱାରା ଲିପ୍ତ ହୁଏ ନାହିଁ, ଠିକ୍ ସେହିପରି ଆତ୍ମା ନିର୍ଗୁଣ ହୋଇଥିବାରୁ ଶରୀରରେ ରହି ମଧ୍ୟ ଶରୀରର ଗୁଣମାନଙ୍କ ଦ୍ୱାରା ଲିପ୍ତ ହୁଏ ନାହିଁ ।’

ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ ।
କ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ । ।

ଅର୍ଥାତ୍ ହେ ଅର୍ଜୁନ! ଯେପରି ଏକ ସୂର୍ଯ୍ୟ ସମସ୍ତ ବ୍ରହ୍ମାଣ୍ଡକୁ ଆଲୋକିତ କରିଥାଏ, ସେହିପରି ଆତ୍ମା ସମସ୍ତ କ୍ଷେତ୍ର ବା ଶରୀରକୁ ଆଲୋକିତ କରିଥାଏ” ।

ଏହାପରେ ଭଗବାନ ପୁନର୍ବାର କହିଛନ୍ତି, ‘ଯେଉଁ ପୁରୁଷମାନେ କ୍ଷେତ୍ର ଓ କ୍ଷେତ୍ରଜ୍ଞର ପ୍ରଭେଦ(କ୍ଷେତ୍ରକୁ ଜଡ଼, ବିକାରଶୀଳ, କ୍ଷଣିକ ଓ ବିନାଶଶୀଳ ଏବଂ କ୍ଷେତ୍ରଜ୍ଞକୁ ନିତ୍ୟ ଚେତନ, ଅବିକାରୀ ଓ ଅବିନାଶଶୀଳ ଜାଣିବାକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞ ମଧ୍ୟରେ ଥିବା ପ୍ରଭେଦ ଜାଣିବା) ତଥା କାର୍ଯ୍ୟ ସମେତ ପ୍ରକୃତିରୁ ମୁକ୍ତ ହେବା ପ୍ରଣାଳୀ ଜ୍ଞାନନେତ୍ର ଦ୍ୱାରା ତତ୍ୱତଃ ଜାଣିପାରନ୍ତି, ସେହି ମହାତ୍ମମାନେ ପରମବ୍ରହ୍ମ ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି ।’