ଗୀତା ମାହାତ୍ମ୍ୟ-୩୫: କେଉଁ ଗୁଣ ସମ୍ପନ୍ନ ହେଲେ କେଉଁ ଜନ୍ମମିଳେ

0
455
advertisement

ଈଶ୍ୱରଙ୍କ ସମ୍ପର୍କିତ ଜ୍ଞାନ ଓ ଅଜ୍ଞାନ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବୁଝାଇବା ପରେ ବି ଅର୍ଜୁନଙ୍କ ସଂଶୟ ଦୁର ନହେବାରୁ ଈଶ୍ୱରଙ୍କ ବିଷୟରେ ଅଧିକ ବୁଝାଇଥିଲେ । ଈଶ୍ୱର ହେଉଛନ୍ତି ଅନାଦି ପରମବ୍ରହ୍ମ । ତାଙ୍କୁ ସତ୍ ବୋଲି କୁହାଯାଇ ପାରିବ ନାହିଁ କି ଅସତ୍ ବୋଲି କୁହାଯାଇପାରିବ ନାହିଁ ବୋଲି ଭଗବାନ କହିଛନ୍ତି ।
ଭଗବାନ କହିଛନ୍ତି, ‘ଅନାଦି ପରମବ୍ରହ୍ମ ସମଗ୍ର ସଂସାରକୁ ବ୍ୟାପି ରହିଥିବାରୁ ତାଙ୍କର ସକଳ ଦିଗରେ ହସ୍ତ, ପଦ, ଶୀର, ନେତ୍ର, ମୁଖ, କର୍ଣ୍ଣ ରହିଛି । ପରମବ୍ରହ୍ମ ସକଳ ଇନ୍ଦ୍ରିୟଗ୍ରାହ୍ୟ ବିଷୟର ଜ୍ଞାତା ହୋଇଥିଲେ ବି ସମସ୍ତ ଇନ୍ଦ୍ରିୟରୁ ରହିତ ଓ ଆସକ୍ତି ରହିତ ହୋଇଥିଲେ ବି ସମସ୍ତଙ୍କ ଧାରଣ-ପୋଷଣ କରନ୍ତି ଏବଂ ନିର୍ଗୁଣ ହୋଇ ମଧ୍ୟ ଗୁଣମାନଙ୍କର ଭୋକ୍ତା ଅଟନ୍ତି। ସେହି ପରମାତ୍ମା ଚରାଚର ସକଳ ଭୂତଙ୍କ ବାହାରେ ଓ ଭିତରେ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି ଏବଂ ଚର ଅଚର ରୂପ ମଧ୍ୟ ଅଟନ୍ତି । ପରମାତ୍ମା ସୂକ୍ଷ୍ମ ହୋଇଥିବାରୁ ସେ ଅବିଜେ୍ଞୟ(ସୂର୍ଯ୍ୟ କିରଣରେ ଅବସ୍ଥିତ ଜଳରାଶିି ସୂକ୍ଷ୍ମ ହୋଇଥିôବାରୁ ସାଧାରଣ ମନୁଷ୍ୟ ତାହାକୁ ଜାଣିପାରନ୍ତି ନାହିଁ, ସେହିପରି ସର୍ବତ୍ର ବ୍ୟାପ୍ତ ପରମାତ୍ମା ସୂକ୍ଷ୍ମ ହୋଇଥିବାରୁ ସାଧାରଣ ମନୁଷ୍ୟର ଗୋଚର ହୁଅନ୍ତି ନାହିଁ) ।

ପରମାତ୍ମା ସମସ୍ତଙ୍କର ଅତି ନିକଟରେ ଓ ଦୂରରେ ସର୍ବଦା ରହିଛନ୍ତି । କେମିତି?

ପରମାତ୍ମା ସର୍ବତ୍ର ପରିପୂର୍ଣ୍ଣ ଓ ସମସ୍ତଙ୍କର ଆତ୍ମା ହୋଇଥିବାରୁ ସମସ୍ତଙ୍କ ନିକଟରେ ଅଛନ୍ତି । କିନ୍ତୁ ଅଜ୍ଞାନତା କାରଣରୁ ଇଶ୍ୱରଙ୍କ ପ୍ରତି ଶ୍ରଦ୍ଧା ନଥିବା ବ୍ୟକ୍ତିଙ୍କଠାରୁ ସେ ସର୍ବଦା ଅତି ଦୂରରେ ରହିଥାଆନ୍ତି । ସେହି ପରମାତ୍ମା ବିଷ୍ଣୁ ରୂପରେ ସମସ୍ତ ଜୀବଙ୍କର ଧାରଣ ଓ ପୋଷଣକର୍ତା, ରୁଦ୍ର ରୂପରେ ସଂହାରକର୍ତ୍ତା ଓ ବ୍ରହ୍ମା ରୂପରେ ସମସ୍ତଙ୍କର ସୃଷ୍ଟିକର୍ତ୍ତା । ପରମବ୍ରହ୍ମ ଜ୍ୟୋତିମାନଙ୍କର ଜ୍ୟୋତି, ମାୟାରୁ ଅତୀତ, ବୋଧ ସ୍ୱରୂପ, ଜାଣିବାର ଯୋଗ୍ୟ, ତତ୍ୱଜ୍ଞାନ ଦ୍ୱାରା ପ୍ରାପ୍ୟ ତଥା ସମସ୍ତଙ୍କ ହୃଦୟରେ ସେ ବିଶେଷଭାବେ ଅବସ୍ଥିତ ।

ପ୍ରକୃତିଂ ପୁରୁଷଂ ଚୈବ ବିଦ୍ଧ୍ୟନାଦୀ ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସଂଭବାନ୍ । ।
କାର୍ଯ୍ୟକରଣ କତୃତ୍ୱେ ହେତୁଃ ପ୍ରକୃତିରୁଚ୍ୟତେ ।
ପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ୱେ ହେତୁରୁଚ୍ୟତେ । ।

ଅର୍ଥାତ୍ ପ୍ରକୃତି(ମୂଳ ପ୍ରକୃତି) ଏବଂ ପୁରୁଷ(ଜୀବାତ୍ମା) ଉଭୟଙ୍କୁ ଅନାଦି ବୋଲି ଜାଣ ଓ ରାଗଦ୍ୱେଷାଦି ବିକାରଗୁଡ଼ିକ ତଥା ତ୍ରିଗୁଣାତ୍ମକ ସମସ୍ତ ପଦାର୍ଥ ବି ପ୍ରକୃତିରୁ ଉତ୍ପନ୍ନ । ଯାହା କାର୍ଯ୍ୟ ଓ କରଣ ଉତ୍ପନ୍ନ କରିଥାଏ ତାହାକୁ ପ୍ରକୃତି ଓ ଜୀବାତ୍ମାକୁ ସୁଖ-ଦୁଃଖର ଭୋକ୍ତାପଣରେ ବା ଭୋଗିବାରେ ହେତୁ ଜୀବାତ୍ମା ବୋଲି କୁହାଯାଏ । (ଆକାଶ, ବାୟୁ, ଜଳ, ପୃଥିବୀ, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦିକୁ କାର୍ଯ୍ୟ ବୋଲି କୁହାଯାଉଥିବା ବେଳେ ବୁଦ୍ଧି-ଅହଙ୍କାର-ମନ ଏବଂ ଚକ୍ଷୁ, କର୍ଣ୍ଣ, ଜିହ୍ୱା, ନାସିକା, ତ୍ୱକ, ବାକ୍, ପାଣି, ପାଦ, ଉପସ୍ଥ-ଗୁହ୍ୟଦ୍ୱାର ଆଦିକୁ କାରଣ କୁହାଯାଏ) ।

ପ୍ରକୃତିରେ ସ୍ଥିତ ପୁରୁଷ ହିଁ ପ୍ରକୃତିରୁ ଉତ୍ପନ୍ନ ତ୍ରିଗୁଣାତ୍ମକ ପଦାର୍ଥଗୁଡ଼ିକୁ ଭୋଗ କରେ ଏବଂ ଏହିସବୁ ଗୁଣମାନଙ୍କର ସଙ୍ଗ ହିଁ ଜୀବାତ୍ମାର ଭଲ-ମନ୍ଦ ଯୋନୀମାନଙ୍କରେ ଜନ୍ମ ଗ୍ରହଣ କରିବାର କାରଣ ହୋଇଥାଏ । ସତ୍ତ୍ୱଗୁଣ ସମ୍ପନ୍ନ ଜୀବମାନେ ଶରୀର ତ୍ୟାଗ କରିବା ପରେ ଦେବଯୋନୀରେ, ରଜୋଗୁଣ ଧାରଣ କରିଥିବା ଜୀବ ମନୁଷ୍ୟ ଯୋନୀରେ ଓ ତମୋଗୁଣ ଧାରଣ କରିଥିବା ଜୀବ ପଶୁପକ୍ଷୀ ଆଦି ନୀଚଯୋନୀରେ ପୁନର୍ବାର ଜନ୍ମଗ୍ରହଣ କରୁଥିବା ଭଗବାନ ଅର୍ଜୁନଙ୍କୁ କହିଛନ୍ତି ।