ଗୀତା ମାମହାତ୍ମ୍ୟ-୩୩: ଅନନ୍ୟ ଭକ୍ତିଯୁକ୍ତ ବ୍ୟକ୍ତିଙ୍କ ପ୍ରାପ୍ତ ହୁଅନ୍ତି ଭଗବାନ

ଅର୍ଜୁନ କେବଳ ନିମିତ୍ତମାତ୍ର ହୋଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପ୍ରତିପକ୍ଷ କୌରବଙ୍କ ସହ ଯୁଦ୍ଧ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଅର୍ଜୁନ କହିଥିଲେ, ‘ଭଗବାନଙ୍କ ନାମ, ଗୁଣ ଓ ପ୍ରଭାବର କୀର୍ତ୍ତନ ଦ୍ୱାରା ଜଗତ ଅତ୍ୟନ୍ତ ଆନନ୍ଦିତ ହୋଇଛି ଏବଂ ଅନୁରାଗପ୍ରାପ୍ତ ହୋଇଛି । ରାକ୍ଷସମାନେ ଭୟଭୀତ ହୋଇ ବିଭିନ୍ନ ଦିଗକୁ ପଳାଉଥିବା ଓ ସମସ୍ତ ସିଦ୍ଧଗଣ ଭଗବାନଙ୍କୁ ନମସ୍କାର କରୁଥିବା ସେ ଦେଖିପାରୁଛନ୍ତି । ଆପଣ ସ୍ୱୟଂ ବ୍ରହ୍ମାଙ୍କର ଆଦିକର୍ତ୍ତା, ସମସ୍ତଙ୍କ ଠାରୁ ଶ୍ରେଷ୍ଠ, ସତ୍, ଅସତ୍ଠାରୁ ଉଦ୍ଧ୍ୱର୍ସ୍ଥିତ ସଚ୍ଚିଦାନନ୍ଦ ବ୍ରହ୍ମ, ଆଦିଦେବ ଓ ସନାତନ ପୁରୁଷ ।

ଆପଣ ଜଗତର ପରମ ଆଶ୍ରୟ, ଜ୍ଞାତା, ଜେ୍ଞୟ, ପରମଧାମ ଓ ଆପଣଙ୍କ ଦ୍ୱାରା ସମସ୍ତ ଜଗତ ବ୍ୟାପ୍ତ ଓ ପରିପୂର୍ଣ୍ଣ ହୋଇଛି । ଆପଣ ବାୟୁ, ଯମ, ଅଗ୍ନି, ବରୁଣ, ଚନ୍ଦ୍ରମା, ପ୍ରଜାପତି ବ୍ରହ୍ମା ଓ ବ୍ରହ୍ମାଙ୍କର ପିତା ହୋଇଥିବାରୁ ଆପଣଙ୍କୁ ସହସ୍ରବାର ନମସ୍କାର ।
ଆପଣ ଅନନ୍ତ ପରାକ୍ରମଶାଳୀ । ଏହା ସମଗ୍ର ସଂସାରକୁ ବ୍ୟାପି ରହିଥିବାରୁ ଅପଣ ସର୍ବରୂପ । ତେଣୁ ମୁଁ ଆପଣଙ୍କୁ ସମ୍ମୁଖରୁ, ପଶ୍ଚାତ ଦେଶରୁ ଓ ସବୁ ଦିଗରୁ ନମସ୍କାର କରୁଛି । ଆପଣଙ୍କର ଏପରି ଅଚିନ୍ତ୍ୟ ପ୍ରଭାବ ମୁଁ ପୂର୍ବରୁ ଜାଣି ନଥିବାରୁ ଭୁଲବଶତଃ ଆପଣଙ୍କୁ ସଖା ଭାବି ପ୍ରେମ ବଶତଃ ଅଥବା ଭୁଲ ବଶତଃ ଯାଦବ, ସଖା ବୋଲି ସମ୍ବୋଧନ କରିବା ସହିତ ଆହାର, ବିହାର, ଶୟନ ଓ ଭୋଜନାଦିବେଳେ ଏକାକୀ ବା ସଖାମାନଙ୍କ ସମ୍ମୁଖରେ ଅପମାନସୂଚକ କଥା କହିଥିବାରୁ ଆପଣ ଅପମାନିତ ହୋଇଛନ୍ତି । ସେହି ଅପରାଧ ପାଇଁ ମୁଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଆପଣ ସମସ୍ତ ଜଗତର ପିତା, ସର୍ବଶ୍ରେଷ୍ଠ ଗୁରୁ, ପରମ ପୂଜନୀୟ ଓ ପରମ ପ୍ରଭାବଶାଳୀ ହୋଇଥିବାରୁ ଆପଣଙ୍କ ସମାନ ଅନ୍ୟକେହି ନାହିଁ । ତେଣୁ ମୁଁ ମୋ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ନିକଟରେ ସମର୍ପଣ କରି ସାଷ୍ଟାଙ୍ଗ ପ୍ରଣାମ କରି ପ୍ରସନ୍ନ ହେବା ପାଇଁ ପ୍ରାର୍ଥନା କରୁଛି ।
ଆପଣ ପ୍ରସନ୍ନତା ପୂର୍ବକ ପିତା ଯେପରି ପୁତ୍ରର, ସଖା ଯେପରି ସଖାର ଓ ପତି ଯେପରି ପତ୍ନୀର ଅପରାଧ ସହ୍ୟ କରନ୍ତି, ଆପଣ ସେହିପରି ମୋ ଅପରାଧ ସହ୍ୟ କରନ୍ତୁ । ଆପଣ ପ୍ରସନ୍ନ ହୋଇ ଆପଣଙ୍କର ଚତୁର୍ଭୁଜ ବିଷ୍ଣୁରୂପ ଦର୍ଶନ କରାନ୍ତୁ । ଆପଣ ମୁକୁଟଧାରୀ ଏବଂ ଗଦାଚକ୍ରଧାରୀ ରୂପରେ ଦେଖିବାକୁ ଚାହେଁ । ତେଣୁ ହେ ବିଶ୍ୱରୂପ ସହସ୍ରବାହୁ ଆପଣ ସେହି ଚତୁର୍ଭୁଜରୂପରେ ପ୍ରକଟ ହୁଅନ୍ତୁ ।’
ଅର୍ଜୁନଙ୍କର ଏପରି କଥା ଶୁଣି ଭଗବାନ କହିଥିଲେ, ‘ହେ ଅର୍ଜୁନ! ମୁଁ ନିଜର ଯୋଗଶକ୍ତି ପ୍ରଭାବରେ ମୋର ଏହି ପରମ ତେଜୋମୟ, ବିରାଟ ରୂପ ତୁମକୁ ଅନୁଗ୍ରହ କରି ଦେଖାଇଲି । ପୂର୍ବରୁ ମୋର ଏହି ରୂପକୁ କେହି କେବେ ଦେଖି ନଥିଲେ । ଯାଗଯଜ୍ଞ, ଅଧ୍ୟୟନ, ଅନୁଶୀଳନ, ଦାନ, କ୍ରିୟା କିମ୍ବା ଉୁଗ୍ରତପ ଦ୍ୱାରା ମୋର ଏହି ରୂପକୁ କେହି ଦେଖିପାରିବେ ନାହିଁ ଅର୍ଥାତ୍ ଅନ୍ୟ କାହାକୁ ଏହି ରୂପରେ ମୁଁ ଦୃଶ୍ୟ ହେବି ନାହିଁ । ମୋର ଏହି ବକରାଳ ରୂପ ଦେଖି ତୁମେ ବ୍ୟାକୁଳ ହୁଅ ନାହିଁ, ତୁମେ ନିର୍ଭୟ ଓ ପ୍ରସନ୍ନ ହୋଇ ମୋର ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ଚତୁର୍ଭୁଜରୂପ ଏବେ ଦର୍ଶନ କର ।’
ଅଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହା କହିବା ପରେ ଅର୍ଜୁନଙ୍କ ସମ୍ମୁଖରେ ନିଜର ଚତୁର୍ଭଜ ରୂପ ପ୍ରକଟ କରିଥିଲେ ଓ ଅର୍ଜୁନ ଭଗବାନଙ୍କ ଚତୁର୍ଭୁଜ ରୂପ ଦର୍ଶନ କରିବା ପରେ କହିଥିଲେ ଯେ, ‘ଆପଣଙ୍କର ଏହି ଅତି ଶାନ୍ତ ମନୁଷ୍ୟରୂପ ଦେଖି ମୁଁ ପ୍ରକ୍ୃତିସ୍ଥ ହେବା ସହ ନିଜ ସ୍ୱଭାବିକ ସ୍ଥିତି ଫେରିପାଇଲି ।’ ଅର୍ଜୁନଙ୍କର ଏ କଥା ଶୁଣି ଭଗବାନ ପୁନର୍ବାର କହିଲେ,
ସୁଦୁର୍ଦର୍ଶମିଦଂ ରୂପଂ ଦୃଷ୍ଟବାନାସି ଯନ୍ମମ ।
ଦେବା ଅପ୍ୟସ୍ୟ ରୂପସ୍ୟ ନିତ୍ୟ ଦର୍ଶନକାଙ୍କ୍ଷିଣଃ । ।
ଅର୍ଥାତ୍ ମୋର ଯେଉଁ ଚତୁର୍ଭଜରୂପ ତୁମେ ଦେଖିଲ, ତାହା ଦର୍ଶନ ପାଇବା କଡ଼ କଠିନ । ଦେବତାମାନେ ମଧ୍ୟ ମୋର ଏହି ରୂପ ଦେଖିବା ପାଇଁ ବ୍ୟାକୁଳ ହୋଇଥାଆନ୍ତି ।” ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋର ଏହି ଚୁତୁର୍ଭଜରୂପ ବେଦ, ତପ, ଦାନ ଯୋଗ ଯଜ୍ଞ ଦ୍ୱାରା ଦର୍ଶନ କରିବା ସମ୍ଭବ ନୁହେଁ । କେବଳ ଅନନ୍ୟ ଭକ୍ତି ଦ୍ୱାରା ମୋର ଏହି ରୂପ ଦର୍ଶନ କରିବା ସମ୍ଭବ । ଯେଉଁମାନେ ମେତେତ୍ତତତ୍ୱତଃ ଜାଣିପାନ୍ତି ସେମାନେ ହିଁ ମେତେ ପାଇପାରନ୍ତି । ଯେଉଁ ପୁରୁଷ କେବଳ ମୋ ପାଇଁ ସକଳ କର୍ମ କରିବା ସହିତ ମୋର ପାରାୟଣ ହୁଅନ୍ତି, ମୋର ଭକ୍ତ ହୁଅନ୍ତି, ଆସକ୍ତିରହିତ ହୋଇ ସକଳ ପ୍ରାଣୀଙ୍କ ଠାରେ ବୈରଭାବଶୂନ୍ୟ ହୁଅନ୍ତି ଓ ଅନନ୍ୟ ଭକ୍ତିଯୁକ୍ତ ବ୍ୟକ୍ତି ମୋତେ ପ୍ରାପ୍ତ ହୁଅନ୍ତି ।’

Leave a Reply

Your email address will not be published.