ଗୀତା ମାହାତ୍ମ୍ୟ-୩୨: ମୁଁ ସବୁ କିଛି, ତୁମେ ନିମିତ୍ତମାତ୍ର

0
869
advertisement

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶାଳକାୟ ରୂପକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡ଼ିଥିଲେ । ଭୟଙ୍କର ଦିଶୁଥିବା ଭଗବାନଙ୍କ ଦନ୍ତ,ପାଟି ଓ ପ୍ରଳୟକାଳର ଅଗ୍ନିସମାନ ପ୍ରଜ୍ୱଳିତ ହେଉଥିôବା ଭଗବାନଙ୍କ ମୁଖଗୁଡ଼ିକୁ ଦେଖି ଅର୍ଜୁନ ଅତି ଭୟଭୀତ ତଥା ବିବ୍ରତ ହୋଇପଡ଼ି ସୁଖ ପାଇ ପାରୁ ନଥିବା କହିବା ସହିତ ଭଗବାନ ପ୍ରସନ୍ନ ହେବା ପାଇଁ ଶ୍ରୀକୃଷ୍ଣଙ୍କୁ ନିବେଦନ କରିଥିଲେ ।

ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ସହିତ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଓ ପାଣ୍ଡବଙ୍କ ପକ୍ଷର ଯୋଦ୍ଧାମାନେ ଏବଂ ଅନ୍ୟ ରାଜା ମହାରାଜାମାନେ ମଧ୍ୟ ପ୍ରବଳ ବେଗରେ ଧାଇଁ ଭଗବାନଙ୍କ ବିକଟାଳ ମୁଖ ମଧ୍ୟରେ ପ୍ରବେଶ କରୁଥିବା ଅର୍ଜୁନ ଦେଖିପରୁଥିବା କହିଛନ୍ତି । ସେହିପରି ଭଗବାନଙ୍କ ଭୟଙ୍କର ମୁଖରେ ଅନେକ ଯୋଦ୍ଧା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ତାଙ୍କ ଦାନ୍ତସନ୍ଧିରେ ଲାଗିରହିଥିବା ଅର୍ଜୁନ ଦେଖିପାରୁଥିବା କହିଛନ୍ତି ।

ଏଥିସହ ଅର୍ଜୁନ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀମାନଙ୍କରେ ପ୍ରବାହିତ ଜଳରାଶିରେ ଭାସୁଥିବା ପ୍ରବାଳମାନେ ଧାବମାନ ହୋଇ ଯେପରି ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତି ଠିକ୍ ସେହିପରି ପୃଥିବୀର ବୀରମାନେ ଭଗବାନଙ୍କ ପ୍ରଜ୍ୱଳିତ ମୁଖରେ ପ୍ରବେଶ କରୁଥିବା ଓ ପତଙ୍ଗମାନେ ଯେପରି ମୋହବଶ ହୋଇ ନଷ୍ଟ ହେବା ପାଇଁ ଅତ୍ୟନ୍ତ ଦ୍ରୁତ ବେଗରେ ଆସି ପ୍ରଜ୍ୱଳିତ ଅଗ୍ନିରେ ପ୍ରବେଶ କରୁଥିବା ଭଳି ଲୋକମାନେ ନିଜର ବିନାଶ ପାଇଁ ଦ୍ରୁତ ଗତିରେ ଆସି ଭଗବାନଙ୍କ ମୁଖ ମଧ୍ୟରେ ପ୍ରବେଶ କରୁଥିବା ସେ ଦେଖିପାରୁଥିବା କହିଛନ୍ତି । ଭଗବାନଙ୍କ ରୂପରେ ଅର୍ଜୁନ ଏସବୁ ଦେଖି କହିଛନ୍ତି,

ଆଖ୍ୟାହି ମେ କୋ ଦ୍ଭାବାନୁଗ୍ରରୂପୋ ନମୋସ୍ତୁ ତେ ଦେବବର ପ୍ରସୀଦା ।
ବିଜ୍ଞାତୁମିଚ୍ଛାମି ଦ୍ଭବନ୍ତମାଦ୍ୟଂ ନ ହି ପ୍ରଜାନାମି ତବ ପ୍ରବୃତିମ୍ । ।

ଅର୍ଥାତ ହେ ଉଗ୍ରରୂପଧାରୀ ଆପଣ କିଏ, ମୋତେ କୁହନ୍ତୁ । ଆପଣଙ୍କୁ ନମସ୍କାର । ଆପଣ ପ୍ରସନ୍ନ ହୁଅନ୍ତୁ । ହେ ଆଦିପୁରୁଷ ମୁଁ ଆପଣଙ୍କୁ ବିଶେଷରୂପେ ଜାଣିବାକୁ ଚାହୁଁଛି; କାରଣ ମୁଁ ଆପଣଙ୍କ ପ୍ରବୃତି ଜାଣେ ନାହିଁ ।”
ଅର୍ଜୁନଙ୍କ ଏ କଥା ଶୁଣି ଭଗବାନ କହିଲେ, ‘ମୁଁ ହେଉଛି ଲୋକମାନଙ୍କର ବିନାଶକାରୀ ପ୍ରବୃଦ୍ଧ ମହାକାଳ । ଏହି ସମୟରେ ଲୋକମାନଙ୍କୁ ବିନାଶ କରିବା ପାଇଁ ମୁଁ ପ୍ରବୃତ ହୋଇଛି । ଏଣୁ ତୁମେ ଯୁଦ୍ଧ ନକଲେ ମଧ୍ୟ ତୁମ ଶତ୍ରୁପକ୍ଷର ସେନା ମଧ୍ୟରେ ଯେଉଁ ଯୋଦ୍ଧାମାନେ ଅଛନ୍ତି, ସେମାନେ କେହି ରହିବେ ନାହିଁ । ଅର୍ଥାତ ସେ ସମସ୍ତଙ୍କର ବିନାଶ ହୋଇଯିବ ।

ଅତଏବ ହେ ସବ୍ୟସାଚୀ (ଯେ ବାମ ହାତରେ ଧନୁର୍ବାଣ ଚଳାଇ ପାରନ୍ତି ତାଙ୍କୁ ସବ୍ୟସାଚୀ ବୋଲି କୁହାଯାଏ), ତୁମେ ଉଠ ଓ ଯୁଦ୍ଧ କର ଓ ଯୁଦ୍ଧରେ ବିଜୟ ଲାଭ କରି ଯଶ ଲାଭ କରିବା ସହିତ ଶତ୍ରୁମାନଙ୍କୁ ଜୟ କରି ଧନଧାନ୍ୟରେ ସମ୍ପନ୍ନ ରାଜ୍ୟ ଭୋଗ କର । ଏହି ଶୂରବୀରମାନେ ଆଗରୁ ମୋ ଦ୍ୱାରା ନିହତ ହୋଇସାରିଛନ୍ତି । ତୁମେ କେବଳ ନିମିତମାତ୍ର ହୋଇଯାଅ । ଏବେ ତୁମେ ଯୁଦ୍ଧ କରି ମୋ ଦ୍ୱାରା ନିହତ ହୋଇଥିôବା ଦ୍ରୋଣାଚାର୍ଯ୍ୟ, ଭୀଷ୍ମପିତାମହ, ଜୟଦ୍ରଥ ଓ କର୍ଣ୍ଣଙ୍କ ସମେତ ଅନ୍ୟ ଶୂରବୀରମାନଙ୍କୁ ମାର । ଭୟ କର ନାହିଁ । ଯୁଦ୍ଧରେ ତୁମେ ଜୟ ଲାଭ କରିବା ନିଃସନ୍ଦେହ ।”