Advertisements

ଗୀତା ମାହାତ୍ମ୍ୟ-୨୮: ସେ ହିଁ ଜନ୍ମ, ସେ ହିଁ ମୃତ୍ୟୁ; ସେହିଁ କିର୍ତ୍ତୀ, ସେ ହିଁ କ୍ଷମା

ଈଶ୍ୱରଙ୍କ ବିସ୍ତାରର ଅନ୍ତ ନାହିଁ । ଈଶ୍ୱର ସମସ୍ତଙ୍କ ହୃଦୟରେ ବାସ କରୁଥିବା ଆତ୍ମା, ଆଦି, ମଧ୍ୟ, ଅନ୍ତ- ସବୁକିଛି । ଈଶ୍ୱର ହେଉଛନ୍ତି ଅଦିତିଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରେ ବିଷ୍ଣୁ, ଜ୍ୟୋତିଙ୍କ ମଧ୍ୟରେ କିରଣ ପ୍ରଦାନକାରୀ ସୂର୍ଯ୍ୟ, ଅଣଚାଷ ବାୟୁ ଦେବତାଙ୍କ ତେଜ, ନକ୍ଷତ୍ରମାନଙ୍କ ଅଧିପତି ଚନ୍ଦ୍ରମା ଆଦି କହି ଈଶ୍ୱର ଶ୍ରେଷ୍ଠ ଓ ସବୁର ମୂଳାଧାର ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଅର୍ଜୁନ ନବୁଝିବାରୁ ନିଜର ଅନ୍ୟ ଦିବ୍ୟ ବିଭୁତିଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ କହିଲେ, ‘ମୁଁ ସକଳ ବୃକ୍ଷଙ୍କ ମଧ୍ୟରେ ଶ୍ରେଷ୍ଠ ଅଶ୍ୱତ୍ଥ ବୃକ୍ଷ, ଦେବର୍ଷିଙ୍କ ମଧ୍ୟରେ ଶ୍ରେଷ୍ଠ ନାରଦ ମୁନି, ଗନ୍ଧର୍ବଙ୍କ ମଧ୍ୟରେ ଚିତ୍ରରଥ, ସିଦ୍ଧଙ୍କ ମଧ୍ୟରେ କପିଳ ମୁନି, ଅଶ୍ୱମାନଙ୍କ ମଧ୍ୟରେ ମୁଁ ଶ୍ରେଷ୍ଠ ଉୁଚ୍ଚୈଃଶ୍ରବା, ହସ୍ତୀଙ୍କ ମଧ୍ୟରେ ଐରାବତ, ମନୁଷ୍ୟଙ୍କ ମଧ୍ୟରେ ରାଜା, ଶସ୍ତ୍ରମାନଙ୍କ ମଧ୍ୟରେ ବଜ୍ର, ଗାଈଙ୍କ ମଧ୍ୟରେ କାମଧେନୁ । [

ମୁଁ ସନ୍ତାନ ଉତ୍ପତିର ହେତୁ କାମଦେବ ଓ ସର୍ପମାନଙ୍କ ମଧ୍ୟରେ ସର୍ପରାଜ ବାସୁକି, ନାଗମାନଙ୍କ(ନାଗ ଓ ସର୍ପ ଦୁଇ ପ୍ରଜାତିର ସାପ ଅଛନ୍ତି) ମଧ୍ୟରେ ଶେଷନାଗ, ଜଳଚରଙ୍କ ମଧ୍ୟରେ ବରୁଣଦେବତା, ପିତୃମାନଙ୍କ ମଧ୍ୟରେ ଅର୍ଯ୍ୟମା ଓ ଶାସକଙ୍କ ମଧ୍ୟରେ ଯମରାଜ । ସେହିପରି ମୁଁ ଦୈତଙ୍କ ମଧ୍ୟରେ ପ୍ରହଲ୍ଲାଦ, ଗଣନାକାରୀଙ୍କ ମଧ୍ୟରେ କାଳ ବା ସମୟ, ପଶୁଙ୍କ ମଧ୍ୟରେ ସିଂହ, ପକ୍ଷୀଙ୍କ ମଧ୍ୟରେ ଗରୁଡ଼, ପବିତ୍ରକାରୀଙ୍କ ମଧ୍ୟରେ ବାୟୁ, ଶସ୍ତ୍ରଧାରୀଙ୍କ ମଧ୍ୟରେ ଶ୍ରୀରାମ, ମତ୍ସ୍ୟଙ୍କ ମଧ୍ୟରେ ମଗର ଓ ନଦୀଙ୍କ ମଧ୍ୟରେ ଗଙ୍ଗା ।
ମୁଁ ବିଦ୍ୟାଙ୍କ ମଧ୍ୟରେ ଆଧ୍ୟାତ୍ମବିଦ୍ୟା ବା ବ୍ରହ୍ମବିଦ୍ୟା, ଅକ୍ଷରଙ୍କ ମଧ୍ୟରେ ‘ଅ’କାର, ସମାସଙ୍କ ମଧ୍ୟରେ ଦ୍ୱନ୍ଦ ସମାସ, କାଳ ମଧ୍ୟରେ ମହାକାଳ, ତଥା ସକଳଦିଗରେ ମୁଖ୍ୟ ଥିବା ବିରାଟ ସ୍ୱରୂପ ଏବଂ ସମସ୍ତଙ୍କର ଧାରଣ ଓ ପୋଷଣକର୍ତ୍ତା ମୁଁ ହିଁ ଅଟେ ।’


ମୃତ୍ୟୁଃ ସର୍ବହରଶ୍ଚାହମୁଦ୍ଭବଶ୍ଚ ଭବିଷ୍ୟତାମ୍ ।
କିର୍ତ୍ତୀଃ ଶ୍ରୀର୍ବାକ୍ ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା । ।


ଅର୍ଥାତ୍ ମୁଁ ସମସ୍ତଙ୍କୁ ବିନାଶ କରୁଥିବା ମୃତ୍ୟୁ ଏବଂ ଉତ୍ପନ୍ନ ହେବାକୁ ଯାଉଥିବା ସମସ୍ତଙ୍କ ଉତ୍ପତିର କାରଣ ଓ ନାରୀମାନଙ୍କ ମଧ୍ୟରେ କିର୍ତ୍ତୀ, ଶ୍ରୀ, ବାକ୍, ସ୍ମୃତି, ମେଧା, ଦୃତି ଓ କ୍ଷମା ଅଟେ ।”

ଗୀତା ମାହାତ୍ମ୍ୟ- ୨୫: ବିଷ୍ଣୁ ଶରଣାଗତଙ୍କ ପୂନର୍ଜନ୍ମ ନଥାଏ

Advertisements

Leave a Reply