ଗୀତା ମାହାତ୍ମ୍ୟ-୨୦: ଅନ୍ତକାଳରେ ବା ମୃତ୍ୟୁ ସମୟରେ ଯେଉଁ ଭାବ ଉତ୍ପନ୍ନ ହୁଏ, ସେ ବ୍ୟକ୍ତି ତାହା ପ୍ରାପ୍ତ ହୁଅନ୍ତି

0
1134
advertisement

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ ବିଜ୍ଞାନ ଯୋଗ ସମ୍ପର୍କରେ ବିସ୍ତୃତ ଭାବେ କହିବା ପରେ ଅର୍ଜୁନଙ୍କ ସନ୍ଦେହ ଓ ବିଷାଦ ଦୂର ହୋଇ ନଥିଲା ଓ ସେ ଭଗବାନଙ୍କୁ ବ୍ରହ୍ମ, ଆଧ୍ୟାତ୍ମ ଆଦି ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରଶ୍ନ କଲେ ।


ମନୁଷ୍ୟର ଶେଷ କାଳରେ ଅର୍ଥାତ୍ ମୃତ୍ୟୁ ସମୟରେ ଯେଉଁ ବ୍ୟକ୍ତି ଈଶ୍ୱର(ଆପଣ)ଙ୍କୁ ସ୍ମରଣ କରେ ସେ କିପରି ଈଶ୍ୱରଙ୍କୁ ଜାଣିପାରେ?
ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ କହିଥିଲେ ଯେ,

ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଧ୍ୟାତ୍ମମୁଚ୍ୟତେ ।
ଭୂତଭାବେଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ । ।


ଅର୍ଥାତ ବ୍ରହ୍ମ ହେଉଛି ପରମ ଅକ୍ଷର । ନିଜର ସ୍ୱରୂପ ବା ଜୀବାତ୍ମାକୁ ସ୍ୱଭାବ ବୋଲି କୁହାଯାଏ ଓ ପ୍ରାଣୀମାନଙ୍କର ଭାବ ଉତ୍ପନ୍ନ କରୁଥିବା ତ୍ୟାଗକୁ କର୍ମ ବୋଲି କୁହାଯାଏ ।” ଏଥିସହ ଭଗବାନ ମଧ୍ୟ କହିଛନ୍ତି ‘ଉତ୍ପତ୍ତି ଓ ବିନାଶଶୀଳ ସମସ୍ତ ପଦାର୍ଥକୁ ଅଧିଭୂତ ଓ ହିରଣ୍ୟମୟ (ଯାହାଙ୍କୁ ଶାସ୍ତ୍ରରେ ସୂତ୍ରାତ୍ମା, ହିରଣ୍ୟଗର୍ଭ, ପ୍ରଜାପତି, ବ୍ରହ୍ମା ବୋଲି କୁହାଯାଇଛି) ପୁରୁଷ ହେଉଛନ୍ତି ଅଧିଦୈବ ଏବଂ ମୁଁ (ଈଶ୍ୱର) ଅନ୍ତଜର୍ଯ୍ୟାମୀରୂପରେ ଅଧିଯଜ୍ଞ ଅଟେ ।
ଯେଉଁ ବ୍ୟକ୍ତି ଅନ୍ତତଃ ଅନ୍ତକାଳରେ ବା ମୃତ୍ୟୁ ସମୟରେ ମୋତେ(ଇଶ୍ୱରଙ୍କୁ) ସ୍ମରଣ କରେ ସେ ମୋର ସ୍ୱରୂପ ପ୍ରାପ୍ତ ହୁଅନ୍ତି ।’
ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ଯେ,

ଯଂ ଯଂ ବାପି ସ୍ମରନ୍ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ।
ତଂ ତମେବୈତି କୌନ୍ତେୟ ସଦା ତଦ୍ଭାବଭାବିତଃ । ।

ଅର୍ଥାତ ହେ, କୁନ୍ତୀପୁତ୍ର ଅର୍ଜୁନ! ମନୁଷ୍ୟ ଅନ୍ତକାଳରେ ବା ମୃତ୍ୟୁ ସମୟରେ ଯେଉଁ ଭାବ ସ୍ମରଣ କରି ଶରୀର ତ୍ୟାଗ କରେ ସେ ତାହା ପ୍ରାପ୍ତ ହୁଏ । କାରଣ ସେ ଜୀବନ କାଳ ମଧ୍ୟରେ ସେହି ଭାବରେ ଭାବିତ ହୋଇ ରହିଥାଏ ।” ତେଣୁ ସବୁସମୟରେ ନିରନ୍ତର ଈଶ୍ୱ୍ୱରଙ୍କୁ(ମୋତେ) ସ୍ମରଣ କରି ଯୁଦ୍ଧ କରିବାକୁ ଭଗବାନ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ମନ ଓ ବୁଦ୍ଧିକୁ ଇଶ୍ୱରଙ୍କୁ ସମ୍ପୂର୍ଣ୍ଣ ଅର୍ପଣ କରି ଈଶ୍ୱରଙ୍କ ସହ ଯୁକ୍ତ ହେଲେ ନିଃସନ୍ଦେହରେ ଈଶ୍ୱରଙ୍କୁ(ମୋତେ) ପ୍ରାପ୍ତ ହେବ ବୋଲି କହିଛନ୍ତି ।
ଏହାସହ ଭଗବାନ ଆହୁରି ମଧ୍ୟ କହିଛନ୍ତି ଅଭ୍ୟାସ ଯୋଗରେ ଯୁକ୍ତ ହୋଇ ନିରନ୍ତର ପରମେଶ୍ୱରଙ୍କୁ ଚିନ୍ତା କରୁଥିôବା ବ୍ୟକ୍ତି ମଧ୍ୟ ପରମେଶ୍ୱରଙ୍କୁ ପ୍ରାପ୍ତ ହେଉଥିବା ବେଳେ ଯେଉଁ ପୁରୁଷ ସର୍ବଜ୍ଞ, ଅନାଦି, ସର୍ବନିୟନ୍ତା (ଅନ୍ତର୍ଯ୍ୟାମୀରୂପରେ ସମସ୍ତ ପ୍ରାଣୀଙ୍କୁ ସେମାନଙ୍କର ଶୁଭାଶୁଭ କର୍ମାନୁସାରେ ଶାସନକର୍ତ୍ତା) ସୂକ୍ଷ୍ମାତିସୂକ୍ଷ୍ମ, ସମସ୍ତଙ୍କ ଧାରଣାର ପୋଷଣକର୍ତ୍ତା, ଅଚିନ୍ତ୍ୟସ୍ୱରୂପ, ସୂର୍ଯ୍ୟ ସଦୃଶ ନିତ୍ୟ, ଚେତନ, ପ୍ରକାଶ ସ୍ୱରୂପ ଓ ଅବିଦ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ସଚ୍ଚିଦାନନ୍ଦ ଘନ ପରମେଶ୍ୱରଙ୍କୁ ନିରନ୍ତର ସ୍ମରଣ କରୁଥିବା ବ୍ୟକ୍ତିମାନେ ନିଜ ମୃତ୍ୟୁକାଳରେ ମଧ୍ୟ ଯୋଗବଳରେ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନରେ ଦୃଷ୍ଟି ବା ପ୍ରାଣକୁ ସ୍ଥାପନ କରି ସାଧନାରେ ଲିପ୍ତ ହୁଅନ୍ତି ସେମାନେ ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି ।

ଗୀତା ମାହାତ୍ମ୍ୟ-୧୯: ଜ୍ଞାନ ବିଜ୍ଞାନ ଯୋଗ: ମୁଁ ସମସ୍ତ ଜଗତର ଉତ୍ପତି ଓ ପ୍ରଳୟର କାରଣ