ଗୀତା ମାହାତ୍ମ୍ୟ-୧୯: ଜ୍ଞାନ ବିଜ୍ଞାନ ଯୋଗ: ମୁଁ ସମସ୍ତ ଜଗତର ଉତ୍ପତି ଓ ପ୍ରଳୟର କାରଣ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବିଷାଦଗ୍ରସ୍ତ ହୋଇଥିବା ଅର୍ଜୁନଙ୍କ ସଂଶୟ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆତ୍ମସଂଯୋଗ ଯୋଗ ସମ୍ପର୍କରେ ବିସ୍ତୃତଭାବେ ବୁଝାଇଥିଲେ ବି ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ନହେବାରୁ ଜ୍ଞାନ ବିଜ୍ଞାନଯୋଗ ସମ୍ପର୍କରେ କହିଛନ୍ତି ।

ଜ୍ଞାନବିଜ୍ଞାନଯୋଗ ସମ୍ପର୍କରେ ଭଗବାନ କହିବାକୁ ଯାଇ କହିଥିଲେ ଯେ, “ହେ ପାର୍ଥ! ଆସକ୍ତିରହିତ ହୋଇ ତୁମେ ଅନନ୍ୟ ପ୍ରେମରେ ମୋ ଠାରେ ଲାଗି ରହି, ପାରାୟଣ ହୋଇ ଯୋଗରତ ହେଲେ ସକଳ ବିଭୁତି, ବଳ, ଐଶ୍ୱର୍ଯ୍ୟ ଗୁଣଯୁକ୍ତ ହେବା ସହ ସମସ୍ତଙ୍କ ଆତ୍ମରୂପେ ମୋତେ ସଂଶୟରହିତ ହୋଇ ଜାଣିପାରିବ । ମୁଁ ତୁମକୁ ଏବେ ବିଜ୍ଞାନ ସହିତ ଏପରି ତତ୍ୱଜ୍ଞାନ କହିବି ଯାହା ଜାଣିଲେ ସଂସାରରେ ଆଉ କିଛି ଜାଣିବା ବାକି ରହେ ନାହିଁ । ସଂସାରର ସହସ୍ର ସନୁଷ୍ୟଙ୍କ ମଧ୍ୟରୁ କ୍ୱଚିତ ବ୍ୟକ୍ତି ମୋର ପ୍ରାପ୍ତି ପାଇଁ ପ୍ରଯତ୍ନ ହୁଅନ୍ତି ଓ ତାଙ୍କ ମଧ୍ୟରୁ କ୍ୱଚିତ ଯୋଗୀ ମୋର ପାରାୟଣ ହୋଇ ମୋ ତତ୍ତ୍ୱ ଜାଣିପାରନ୍ତି । ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଓ ଅହଙ୍କାର ଆଦି ଆଠ ପ୍ରକାର ପ୍ରକୃତି ହିଁ ମୋର ଜଡ଼ ପ୍ରକୃତି। ଏହା ଛଡ଼ା ମୋର ଅନ୍ୟ ଯେଉଁ ପ୍ରକୃତି ରହିଛି ତାହା ସମଗ୍ର ସମଗ୍ର ଜଗତକୁ ଧରି ରଖିଛି । ଯାହାକୁ ଚେତନ ପ୍ରକୃତି ବୋଲି କୁହାଯାଏ ।”
ଏହାସହ ଆହୁରି ମଧ୍ୟ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଯେ,

ଏତଦ୍ଯୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।
ଅହଂ କୃତ୍ସ୍ନସ୍ୟ ଗଜତଃ ପ୍ରଭବଃ ପ୍ରଳୟୟସ୍ତଥା । ।

ଅର୍ଥାତ ହେ ଅର୍ଜୁନ! ତୁମେ ଜାଣ ଯେ, ସକଳ ଭୂତ ଏହି ଦୁଇ ପ୍ରକୃତିରୁ ହିଁ ଜାତ ହୋଇଛନ୍ତି ଏବଂ ମୁଁ ସମଗ୍ର ଜଗତର ଉତ୍ପତ୍ତି ତଥା ପ୍ରଳୟର କାରଣ ଅଟେ । ତେଣୁ ମୁଁ ହେଉଛି ସକଳ ଜଗତର ମୂଳକାରଣ ।”
ଅର୍ଜୁନଙ୍କ ସଂଶୟ ଦୂର ପାଇଁ ଭଗବାନ ଅହୁରି ମଧ୍ୟ କହିଛନ୍ତି ଯେ, “ ମୋଠାରୁ ଅନ୍ୟ କିଛି ବି ପରମକାରଣ ନାହିଁ । ସୂତାରେ ମଣିମାନେ ଗୁନ୍ଥା ହୋଇ ରହିଥିବା ପରି ସମସ୍ତ ଜଗତ ମୋଠାରେ ଗୁନ୍ଥା ହୋଇ ରହିଛି । ଅର୍ଥାତ ସମଗ୍ର ଜଗତ ସହିତ ମୁଁ ଓତପ୍ରୋତ ଭାବେ ଜଡ଼ିତ । ମୁଁ ହେଉଛି ଜଳର ରସ, ଚନ୍ଦ୍ର ଓ ସୂର୍ଯ୍ୟର ଆଲୋକ, ସକଳ ବେଦର ଓଁକାର, ଆକାଶର ଶବ୍ଦ ଓ ପୁରୁଷମାନଙ୍କର ପୁରୁଷତ୍ୱ, ପୃଥିବୀର ପବିତ୍ର ଗନ୍ଧ, ଅଗ୍ନିର ତେଜ, ସକଳ ଜୀବର ଜୀବନ, ତପସ୍ୱୀମାନଙ୍କର ତପ, ବୁଦ୍ଧିମାନଙ୍କର ବୁଦ୍ଧି ଓ ତେଜସ୍ୱୀଙ୍କର ତେଜ ।
ମୁଁ ବଳବାନଙ୍କର ଆସକ୍ତିରହିତ ଓ କାମନାରହିତ ବଳ ବା ସାମର୍ଥ୍ୟ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଧର୍ମ ବା ଶାସ୍ତ୍ରର ଅନୁକୂଳ କାମ । ସତ୍ତ୍ୱଗୁଣ, ତମୋଗୁଣ ଓ ରଜୋଗୁଣରୁ ଜାତ ହେଉଥିବା ଭାବ ଗୁଡ଼ିକ ମୋଠାରୁ ଉତ୍ପନ୍ନ ହେଉଥିଲେ ବି ସେସବୁରେ ମୁଁ ନାହିଁ କି ମୋ ଠାରେ ସେସବୁ ନାହିଁ ।
ସାତ୍ତ୍ୱିକ, ରାଜସ ଓ ତାମସ ଗୁଣରୁ ଉତ୍ପନ୍ନ ଭାବ ଦ୍ୱାରା ସମଗ୍ର ଜଗତ ମୋହିତ ହୋଇ ରହିଥିବାରୁ ମୋତେ ଅବିନାଶୀ ବୋଲି କେହି ଜାଣିପାରୁ ନାହିଁ । ମୋର ଏହି ମାୟା ଅଲୌକିକ ଅର୍ଥାତ ଅଦ୍ଭୁତ ଓ ତ୍ରିଗୁଣମୟୀ ହୋଇଥିବାରୁ ବଡ଼ ଦୁସ୍ତର। ହେଲେ ଯେଉଁ ଯୋଗୀମାନେ ମୋତେ ନିରନ୍ତର ଭଜନ କରନ୍ତି ସେମାନେ ଏହି ମାୟକୁ ଉଲଂଘନ କରିଯାଆନ୍ତି ଅର୍ଥାତ ସଂସାରରୁ ତରିଯାଆନ୍ତି । ଅନ୍ୟପକ୍ଷରେ ଯାହାଙ୍କର ଜ୍ଞାନ ମାୟାଦ୍ୱାରା ଅପହୃତ ହୋଇଯାଇଛି, ସେପରି ଅସୁର ସ୍ୱଭାବଧାରି ନୀଚ, ଦୂଷିତକର୍ମୀ ମୂଢ଼ମାନେ ମୋତେ ଭଜନ କରନ୍ତି ନାହିଁ କି ମୁକ୍ତି ପାଇପାରନ୍ତି ନାହିଁ ।

ଅଧିକ ଗୀତା ମାହାତ୍ମ୍ୟ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟ-୧୮: ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୁଏ

ଗୀତା ମାହାତ୍ମ୍ୟ-୧୭: ଆତ୍ମ ସଂଯୋଗ ଯୋଗ ସାଧନ ସମ୍ପର୍କରେ ଉପଦେଶ

Leave a Reply

Your email address will not be published.