ଗୀତା ମାହାତ୍ମ୍ୟ୦୧୬: ଆତ୍ମ ସଂଯୋଗ ଯୋଗ କ’ଣ, ଯୋଗୀ କିଏ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁୁନଙ୍କ ବିଷାଦ ଦୂର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମସନ୍ୟାସ ଯୋଗ ସମ୍ପର୍କରେ ବୁଝାଇବା ପରେ ବି ଅର୍ଜୁନଙ୍କ ବିଷାଦ ଦୂର ହୋଇନାହିଁ । ଏହାପରେ ଭଗବାନ ତାଙ୍କୁ ଆତ୍ମସଂଯମଯୋଗ ସମ୍ପର୍କରେ ବୁଝାଇବାକୁ ଚାହିଁଛନ୍ତି । କହିଛନ୍ତି, ‘ଯେଉଁ ପୁରୁଷ କର୍ମଫଳକୁ ଆଶ୍ରୟ ନକରି ନିର୍ଦ୍ଧାରିତ କର୍ମ କରନ୍ତି ସେ ସନ୍ୟାସୀ ଓ ଯୋଗୀ ଅଟନ୍ତି । କେବଳ ଅଗ୍ନି ତ୍ୟାଗ କରିଥିବା ବ୍ୟକ୍ତି ସନ୍ୟାସୀ ନୁହଁନ୍ତି କି କର୍ମ ତ୍ୟାଗ କରିଥିବା ବ୍ୟକ୍ତି ଯୋଗୀ ନୁୁହଁନ୍ତି ।

ସଂକଳ୍ପ ତ୍ୟାଗ କରିନଥିବା କୌଣସି ବି ପୁରୁଷ ଯୋଗୀ ହୋଇପାରେ ନାହିଁ । କିନ୍ତୁ ଯେଉଁମାନେ ନିଷ୍କାମ ଭାବରେ କର୍ମ କରି ଚାଲନ୍ତି ସେମାନେ ଯୋଗାରୁଢ଼ । ଆଉ କୌଣସି ବ୍ୟକ୍ତି ଯୋଗାରୂଢ ହୋଇଯିବା ପରେ ତାଙ୍କ ମନରେ ସର୍ବସଂକଳ୍ପ ଶୂନ୍ୟତା ଆସିଥାଏ ଏବଂ ତାହା ତାଙ୍କ ପାଇଁ କଲ୍ୟାଣକର ହୋଇଥାଏ । ଏହି ଯୋଗାରୂଢ ପୁରୁଷମାନେ ଇନ୍ଦ୍ରିୟଭୋଗ ଓ କର୍ମମାନଙ୍କରେ ଆସକ୍ତ ହୁଅନ୍ତି ନାହିଁ ।’
ଏହାସହ ଭଗବାନ ମଧ୍ୟ କହିଛନ୍ତି ଯେ, ‘ମନୁଷ୍ୟ ନିଜକୁ ନିଜେ ଅଧୋଗତିରେ ନପାକାଇ ସଂସାର ସାଗରରୁ ଉଦ୍ଧାର କରିବା ଉଚିତ । କାରଣ ସେ ନିଜେ ନିଜର ମିତ୍ର ଓ ନିଜେ ନିଜର ଶତ୍ରୁ ଅଟେ । ଯେଉଁ ଜୀବାତ୍ମା ମନ, ଇନ୍ଦ୍ରିୟ ସହିତ ଶରୀରକୁ ଜୟ କରିପାରିଛି ସେ ନିଜର ମିତ୍ର ଓ ଯେଉଁ ଜୀବାତ୍ମା ମନ, ଇନ୍ଦ୍ରିୟ ତଥା ଶରୀରକୁ ଜୟ କରିପାରି ନାହିଁ ସେ ନିଜର ଶତୃ ପରି ଆଚରଣ କରେ । ସେହିପରି ଶୀତ-ଉଷ୍ଣ, ସୁଖ-ଦୁଃଖ ଓ ମାନ-ଅପମାନରେ ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ଶାନ୍ତ ରହନ୍ତି ସେହି ସ୍ୱାଧୀନ-ଆତ୍ମବିଶିଷ୍ଟ ପୁରୁଷଙ୍କ ନିକଟରେ ପରମାତ୍ମା ଅବସ୍ଥାନ କରନ୍ତି ଏବଂ ତାଙ୍କ ଜ୍ଞାନରେ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ରହେନାହିଁ । ଯାହାଙ୍କ ଅନ୍ତଃକରଣ ଇଶ୍ୱରଙ୍କ ଜ୍ଞାନରେ ତୃପ୍ତ, ଯାହାଙ୍କ ସ୍ଥିତି ବିକାର ଶୂନ୍ୟ ଓ ଯାହାଙ୍କ ଇନ୍ଦ୍ରିୟମାନେ ସମ୍ପୂର୍ଣ୍ଣ ବଶୀଭୂତ ହୋଇଯାଇଛନ୍ତି ତାଙ୍କ ପାଇଁ ମାଟି, ପଥର, ସୁନା ସମାନ ହୋଇଥାଏ ତାଙ୍କର ଭଗବତପ୍ରାପ୍ତ ଯୋଗ ହୋଇଥାଏ । ସେହିପରି ସୁହୃଦ(ସ୍ୱାର୍ଥରହିତ ହୋଇ ସମସ୍ତଙ୍କ ହିତ କରୁଥିବା ବ୍ୟକ୍ତି), ମିତ୍ର, ଶତୃ, ଉଦାସୀନ(ପକ୍ଷପାତ ରହିତ ବ୍ୟକ୍ତି), ମଧ୍ୟସ୍ଥ (ଉଭୟ ପକ୍ଷର ମଙ୍ଗଳକାମୀ), ବନ୍ଧୁଗଣ, ଧମର୍କାତ୍ମା, ପାପୀଙ୍କ ଠାରେ ସମାନ ଭାବ ରଖିଥିବା ବ୍ୟକ୍ତି ସଂସାରରେ ଶ୍ରେଷ୍ଠ ବୋଲି ମଧ୍ୟ ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି ।’ ଯୋଗ କିପରି କରାଯାଏ ସେ ସମ୍ପର୍କରେ ବୁଝାଇବାକୁ ଯାଇ ଭଗବାନ କହିଛନ୍ତି ଯେ, ‘ମନ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ବଶ କରି ରଖିଥିବା, ଆଶାରହିତ ଓ ସଂଗ୍ରହ-ଇଚ୍ଛାଶୂନ୍ୟ ଯୋଗୀ ଏକାନ୍ତରେ ରହି ଆତ୍ମାକୁ ନିରନ୍ତର ଭାବରେ ପରମାତ୍ମା ପ୍ରାପ୍ତି ପାଇଁ ଲଗାଇବା ଉଚିତ । ଶୁଦ୍ଧଭୂମି ଉପରେ କ୍ରମଶଃ କୁଶଃ ପକାଇ, କୁଶଃ ଉପରେ ମୃଗଚର୍ମ ଓ ତା’ଉପରେ ବସ୍ତ୍ର ବିଛାଇ ଅତି ଉଚ୍ଚ ବା ନିଚା ନକରି ସେହି ଆସନ ଉପରେ ବସି, ଚିତ୍ତ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି, ମନକୁ ଏକାଗ୍ର କରି ଅନ୍ତଃକରଣ ଶୁଦ୍ଧି ପାଇଁ ଯୋଗାଭ୍ୟାସ କରିବା ଉଚିତ ।
ଯୋଗାଭ୍ୟାସ ସମୟରେ ଶରୀର, ଶୀର ଏବଂ ଗ୍ରୀବା ସଳଖ ଓ ଅଚଳ ରଖି ଏବଂ ସ୍ଥିର ହୋଇ, ନିଜ ନାସିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି ଅନ୍ୟଆଡ଼େ ନଚାହିଁ ବ୍ରହ୍ମଚର୍ଯ୍ୟବ୍ରତରେ ରହି, ଭୟରହିତ ହୋଇ ଶାନ୍ତ ଭାବରେ ମନ ସଂଯତ କରି ଇଶ୍ୱର(ମୋତେ)ଙ୍କ ଧ୍ୟାନ କରିଲେ ଇଶ୍ୱରପ୍ରାପ୍ତ ହୁଅନ୍ତି ।’

ଅଧିକ ଗୀତା ମାହାତ୍ମ୍ୟ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟ-୧୫: ବିଷୟ ସୁଖରେ ଅନାସକ୍ତ ହେଉଛି ଅକ୍ଷୟ ଆନନ୍ଦପ୍ରାପ୍ତ ର ମାର୍ଗ

ଗୀତା ମାହାତ୍ମ୍ୟ-୧୪: ସ୍ୱଭାବ ଅନୁଯାୟୀ କର୍ମ ଓ ଈଶ୍ୱରଙ୍କଠାରେ ମନ ସମସ୍ତ ବିଷାଦରୁ ମୁକ୍ତି ଦିଏ

Leave a Reply