ଗୀତା ମାହାତ୍ମ୍ୟ-୧୫: ବିଷୟ ସୁଖରେ ଅନାସକ୍ତ ହେଉଛି ଅକ୍ଷୟ ଆନନ୍ଦପ୍ରାପ୍ତ ର ମାର୍ଗ

0
615
advertisement

ଈଶ୍ୱର କାହାରି କର୍ମ ନିର୍ଦ୍ଧାରଣ କରନ୍ତି ନାହିଁ ବା କର୍ମଫଳ ପ୍ରଦାନ କରନ୍ତି ନାହିଁ । ମନୁଷ୍ୟ ନିଜ ସ୍ୱଭାବ ଓ ପ୍ରକୃତି ଅନୁସାରେ କର୍ମ କରେ ଓ ନିଜ କର୍ମର ଫଳ ମଧ୍ୟ ଭୋଗ କରେ ବୋଲି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିସ୍ତାରିତ ଭାବେ ବୁଝାଇଛନ୍ତି । ଏହାପରେ ବି ଅର୍ଜୁନଙ୍କ ବିଷର୍ଣ୍ଣତା ଦୂର ନହେବାରୁ ଯେଉଁ ଜ୍ଞାନୀବ୍ୟକ୍ତିମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣଙ୍କ ଠାରୁ ଆରମ୍ଭ କରି ଗୋ, ହସ୍ତୀ, କୁକୁର ଓ ଚାଣ୍ଡାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ସମଦର୍ଶୀ ହୋଇଥାନ୍ତି ସେମାନେ ଈଶ୍ୱର ପ୍ରାପ୍ତ ହୁଅନ୍ତି ବୋଲି ଭଗବାନ କହିଛନ୍ତି । ଅର୍ଥାତ କୌଣସି ଜୀବକୁ ଛୋଟ ମନେ ନକରି ସମସ୍ତଙ୍କ ଠାରେ ଈଶ୍ୱରଙ୍କ ସତ୍ତା ବା ବ୍ରହ୍ମ ନିହିତ ଥିବା ଉପଲବ୍ଧି କରୁଥିବା ଜ୍ଞାନୀମାନେ ପରମଗତି ପ୍ରାପ୍ତ ହୁଅନ୍ତି ବା ଜୀବୀତ ଅବସ୍ଥାରେ ସଂସାରକୁ ଜୟ କରି ସଚ୍ଚିଦାନନ୍ଦ ପରମାତ୍ମାଙ୍କ ସହ ଅବସ୍ଥାନ କରନ୍ତି । ଏହାସହ ଭଗବାନ ଅର୍ଜୁନଙ୍କୁ ମଧ୍ୟ କହିଥିଲେ ‘ଯେଉଁ ପୁରୁଷ ଇପ୍ସିତ ପ୍ରିୟବସ୍ତୁ ପାଇଗଲେ ଖୁସି ହୁଅନ୍ତି ନାହିଁ ବା ଅପ୍ରିୟ ପରିସ୍ଥିତିରେ ବା ବିପଦ ସମୟରେ କାତର ବା ଉଦ୍‍ବିଗ୍ନ ହୁଅନ୍ତି ନାହିଁ ସେହି ଜ୍ଞାନୀ ବ୍ୟକ୍ତିମାନେ ପରମାତ୍ମାଙ୍କ ସହିତ ନିତ୍ୟ ଅବସ୍ଥାନ କରନ୍ତି ।
ବିଷୟ ସୁଖରେ ଅନାସକ୍ତ ପୁରୁଷମାନେ ଅନ୍ତରରେ ଅକ୍ଷୟ ଆନନ୍ଦପ୍ରାପ୍ତ ହୁଅନ୍ତି । କାରଣ ଇନ୍ଦ୍ରିୟ ଓ ବିଷୟମାନଙ୍କ ସଂଯୋଗରୁ ଯେଉଁ ଭୋଗ ଉତ୍ପନ୍ନ ହୁଏ ସେସବୁ ବିଷୟୀ ପୁରୁଷଙ୍କୁ ସୁଖ ପ୍ରତୀତ ହେଉଥିଲେ ବି ସେଗୁଡ଼ିକ ଦୁଃଖର କାରଣ ଓ ଅନିତ୍ୟ ଅଟେ । ତେଣୁ ବୁଦ୍ଧିମାନ, ଜ୍ଞାନୀ ଓ ବିବେକୀ ପୁରୁଷ ସେହିସବୁ ବିଷୟ ଭୋଗରେ ଲିପ୍ତ ହୁଅନ୍ତି ନାହିଁ ଓ ଏହି ସାଧକମାନେ ମୃତ୍ୟୁ ପୂର୍ବରୁ କାମ, କ୍ରୋଧରୁ ଉତ୍ପନ୍ନ ହେଉଥିବା ବେଗକୁ ସହିଯିବାକୁ ସମର୍ଥ ହେବା ସହିତ ସୁଖୀ ହୁଅନ୍ତି ।

ଯେଉଁମାନେ ସବୁ ପାପରୁ ମୁକ୍ତ ହୋଇ ଜ୍ଞାନ ଦ୍ୱାରା ସନ୍ଦେହମୁକ୍ତ ହେବା ସହିତ ସକଳ ପ୍ରାଣୀଙ୍କର ହିତ ଓ ମଙ୍ଗଳ କାମନା କରନ୍ତି ଏବଂ ଯେଉଁମାନଙ୍କ ମନ ସବୁ ସମୟରେ ନିଶ୍ଚଳଭାବେ ପରମାତ୍ମାଙ୍କ ଠାରେ ଅବସ୍ଥିତ ସେମାନେ ବ୍ରହ୍ମ ପ୍ରାପ୍ତ ହୁଅନ୍ତି।
କାମକ୍ରୋଧରହିତ ପରବ୍ରହ୍ମ ପରମାତ୍ମାଙ୍କ ସାକ୍ଷାତ ପାଇଥିବା ଜ୍ଞାନୀପୁରୁଷଙ୍କ ଠାରେ ପରମବ୍ରହ୍ମ ପରମାତ୍ମା ରହିଥାନ୍ତି । ଏଥିସହ ଯେଉଁ ଜ୍ଞାନୀମାନେ ବାହ୍ୟ ବିଷୟ ଭୋଗ ସମ୍ପର୍କରେ ତିଳେମାତ୍ର ଚିନ୍ତାନକରି ଭ୍ରୁଦ୍ୱୟର ମଧ୍ୟବର୍ତୀ ସ୍ଥାନରେ ଦୁଇ ଆଖିର ଦୃଷ୍ଟି ନିବଦ୍ଧ କରି ନାସିକାଦ୍ୱୟର ଅଭ୍ୟନ୍ତରରେ ବିଚରଣ କରୁଥିବା ପ୍ରାଣ ଓ ଆପନବାୟୁକୁ ସମଗତି କରାଇ କେବଳ ଈଶ୍ୱରଙ୍କୁ ଚିନ୍ତା କରିବା ସହିତ ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ଏବଂ ଇଚ୍ଛା, ଭୟ, କ୍ରୋଧରୁ ଦୂରରେ ରହି ସାଧନାରେ ଲିପ୍ତ ରହିଥାନ୍ତି ସେମାନେ ସର୍ବଦା ମୁକ୍ତ ହିଁ ଅଟନ୍ତି ।
ଏହାସହ ଭଗବାନ ଏହା ମଧ୍ୟ କହିଛନ୍ତି ଯେ ‘ମୋର ଯେଉଁ ଭକ୍ତମାନେ ମୋତେ ସକଳ ଯଜ୍ଞ, ତପର ଭୋକ୍ତା ଓ ସମସ୍ତ ଲୋକର ଈଶ୍ୱର ତଥା ସକଳ ପ୍ରାଣୀଙ୍କର ସୁହୃଦ ଅର୍ଥାତ ସ୍ୱାର୍ଥରହିତ ଦୟାଳୁ ବୋଲି ଜାଣିପାରିଛନ୍ତି ସେମାନେ ଶାନ୍ତିରେ ଜୀବନଯାପନ କରନ୍ତି ।’

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ