ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ବିଶାଦଗ୍ରସ୍ତ ହୋଇ କୌରବମାନଙ୍କ ବିପକ୍ଷରେ ଯୁଦ୍ଧ କରିବା ତଥା ନିଜ ଆତ୍ମୀୟ ସ୍ୱଜନ ତଥା ଗୁରୁୁଜନମାନଙ୍କୁ ହତ୍ୟା କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ନିଜ ଗାଣ୍ଡିବ ଧନୁ ତ୍ୟାଗ କରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ନିଜ ମନର କଥା ବଖାଣିଛନ୍ତି । ଏହିକ୍ରମରେ ତାଙ୍କ ରଥର ସାରଥୀ ଭଗବାନ ଶ୍ରୀକୃଷ୍ଣ ଆତ୍ମାର ନିତ୍ୟତା ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି, ‘ଆତ୍ମା ନାଶରହିତ, ଅପ୍ରମେୟ, ଅବିନାଶୀ ଓ ନିତ୍ୟସ୍ୱରୂପ । ଜୀବର ଶରୀରରେ ଆତ୍ମା ରହିଥିବା ପର୍ଯ୍ୟନ୍ତ ଜୀବ ଜୀବିତ ରହିଥାଏ’ ।


ଜୀବର ଶରୀର ଛାଡ଼ି ଜୀବାତ୍ମା ଚାଲିଗଲା ପରେ ଜୀବର ମୃତ୍ୟୁ ହୁଏ ବୋଲି କୁହାଯାଏ । ପ୍ରକୃତରେ ଶରୀର ନାଶ ଯୋଗ୍ୟ ହୋଇଥିବାରୁ ଦିନେ ନା ଦିନେ ଆତ୍ମା ଶରୀର ତ୍ୟାଗ କରେ । କିନ୍ତୁ ଶରୀର ମଧ୍ୟରେ ଥିବା ଜୀବାତ୍ମାକୁ କେହି ହତ୍ୟା କରିପାରନ୍ତି ନାହିଁ କି ଜୀବାତ୍ମା କାହାରିକୁ ହତ୍ୟା କରିପାରେ ନାହିଁ । ତେଣୁ ‘ହେ ଅର୍ଜୁୁନ ଏହି ଯୁଦ୍ଧଭୂମିରେ ତୁମେ ଆଜି ଯେଉଁମାନଙ୍କୁ ଦେଖୁଛ ସେମାନେ ସମସ୍ତେ ଅତୀତରେ ଥିଲେ, ବର୍ତମାନ ଅଛନ୍ତି ଓ ଭବିଷ୍ୟତରେ ରହିଥିବେ । କୌଣସି କାଳରେ ଆତ୍ମା ଜନ୍ମ ହୁଏ ନାହିଁ କି ଆତ୍ମାର ମୃତ୍ୟୁ ନାହିଁ । ଆତ୍ମା ମଧ୍ୟ ଉତ୍ପନ୍ନ ହୁଏ ନାହିଁ । ଶରୀର ନଷ୍ଟ ହୋଇଯିବା ପରେ ମଧ୍ୟ ଆତ୍ମା ସେହିଭଳି ରହିଥାଏ । ଆତ୍ମା ଅଜନ୍ମା, ନିତ୍ୟ, ସନାତନ, ଅବ୍ୟୟ ହୋଇଥିବାରୁ ସେ କାହାରିକୁ ମରି ପାରିବ ନାହିଁ କି ନିଜେ ମରି ପାରିବ ନାହିଁ ।’


ମନୁଷ୍ୟ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କରିଥାଏ ସେହିପରି ଜୀବାତ୍ମା ପୁରାତନ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିଥାଏ । ଆତ୍ମାକୁ କୌଣସି ଅସ୍ତ୍ର କାଟି ପାରେ ନାହିଁ, ଅଗ୍ନି ଜଳାଇ ପାରେ ନାହିଁ ଓ ବାୟୁ ଉଡ଼ାଇ ପାରେ ନାହିଁ । ତେଣୁ ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଲେଦ୍ୟ, ଅଶୋଷ୍ୟ, ନିତ୍ୟ, ସ୍ଥିର, ଅଚଳ, ବିକାରରହିତ ଏବଂ ସନାତନ । ସମସ୍ତଙ୍କ ଶରୀର ମଧ୍ୟରେ ଥିବା ଆତ୍ମା ଅବିନାଶୀ ହୋଇଥିବାରୁ ଜୀବ ନିତ୍ୟ ଜନ୍ମ ନେଉଥିôବା ଓ ମୃତ୍ୟୁବରଣ କରୁଥିôବା କଥାକୁ ସ୍ୱିକାର କରାଗଲେ ମଧ୍ୟ କୌଣସି ବ୍ୟକ୍ତିର ମୃତ୍ୟୁରେ ଶୋକ କରିବା ଉଚିତ ନୁହେଁ । ଏହି ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ୟୁ ନିଶ୍ଚିତ ଓ ମୃତ ବ୍ୟକ୍ତିର ଜନ୍ମ ମଧ୍ୟ ନିଶ୍ଚିତ । ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାଏ ଓ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଏ । କେବଳ ଯେଉଁ ସମୟରେ ଶରୀର ମଧ୍ୟରେ ଆତ୍ମା ରହିଥାଏ ସେହି ସମୟରେ ଆତ୍ମର ପ୍ରକଟ ହୋଇଥାଏ । ତେଣୁ ଯୁଦ୍ଧରେ ତୁମେ କାହରିକୁ ହତ୍ୟା କଲେ ମଧ୍ୟ ପ୍ରକୃତ ପକ୍ଷେ ସେହି ବ୍ୟକ୍ତିର ମୃତ୍ୟୁ ହେବ ନାହିଁ । ଅର୍ଥତ ସେହି ବ୍ୟକ୍ତିକୁ ଜୀବିତ ରଖିଥିବା ଜୀବାତ୍ମାର ମୃତ୍ୟୁ ହେବ ନାହିଁ । ତେଣୁ ହେ ପୃଥାପୁତ୍ର ଅର୍ଜୁନ ତୁମେ ଶୋକ ତ୍ୟାଗ କରି କ୍ଷତ୍ରିୟ ଧର୍ମ ପାଳନ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଏ । ଯୁଦ୍ଧରେ ତୁମର ମୃତ୍ୟୁ ହେଲେ ତୁମେ ସ୍ୱର୍ଗରେ ସ୍ଥାନ ପାଇବ ବା ଯୁଦ୍ଧରେ ବିଜୟ ଲାଭ କଲେ ବୀର ଭାବେ ପରିଗଣିତ ହୋଇ ରାଜ୍ୟ ଭୋଗ କରିବ । ନତୁବା ସଂସାରରେ ତୁମେ ଭୀରୁର ଅପଖ୍ୟାତି ପାଇ କେବଳ ବଞ୍ଚିି ରହିବା ସାର ହେବ । ସେହିପରି କୌଣସି କ୍ଷତ୍ରିୟ ନିମନ୍ତେ ଧର୍ମଯୁଦ୍ଧ ଭଳି କଲ୍ୟାଣକର କର୍ତବ୍ୟ ଆଉ କିଛି ନାହିଁ ବୋଲି ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମୀରେ ଅର୍ଜୁନଙ୍କୁ ବୁଝାଇ ଧର୍ମଯୁଦ୍ଧ କରିବାକୁ ପ୍ରବର୍ତ୍ତାଇଛନ୍ତି ।

ଆଜିଠୁ ଆରମ୍ଭ ଗୀତା ମାହାତ୍ମ୍ୟ: ଜାଣିରଖନ୍ତୁ କାହିଁକି ପଢ଼ାଯାଏ ଗୀତା

Leave a Reply