ଗୀତା ମାହାତ୍ମ୍ୟ-୯: ସ୍ୱଧର୍ମ କଲ୍ୟାଣକର, ଅନ୍ୟଧର୍ମ ଭୟାବହ

ଜୀବ ଅନାଶକ୍ତ ହୋଇ ଈଶ୍ୱରଙ୍କଠାରେ ସମସ୍ତ କର୍ମ ଅର୍ପଣ କରି କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ପ୍ରକୃତିର ନୀତି ନିୟମ ଅନୁସାରେ ନିଜ ଧର୍ମ ପାଳନ କରିବାକୁ ଉପଦେଶ ଦେଇଛନ୍ତି । ଯେଉଁ ମଣିଷ ଦୋଷଦୃଷ୍ଟି ରହିତ ହୋଇ ଶ୍ରଦ୍ଧାଯୁକ୍ତ ଓ ଅନାଶକ୍ତ ଭାବେ କର୍ମ କରେ ସେ କର୍ମବନ୍ଧନରୁ ମୁକ୍ତି ପାଇ ପାରିବ । କିନ୍ତୁ ଯେଉଁ ମନୁଷ୍ୟ ଈଶ୍ୱରଙ୍କ ଠାରେ ଦୋଷାରୋପ କରି ଅନାସକ୍ତ ଭାବେ କର୍ମ ନକରି କର୍ମଫଳକୁ ଆଖିରେ ରଖି କର୍ମକରନ୍ତି ସେ ବ୍ୟକ୍ତି ନଷ୍ଟ ହୋଇଯାଆନ୍ତି ବୋଲି ଭଗବାନ କହିଛନ୍ତି ।


ଆସକ୍ତିଯୁକ୍ତ ମନୁଷ୍ୟକୁ ମୁର୍ଖ ଓ ମୂଢ଼ ବୋଲି ମଧ୍ୟ ଭଗବାନ ମତ ଦେଇଛନ୍ତି । ସମସ୍ତ ବ୍ୟକ୍ତି ନିଜ ସ୍ୱଭାବର ବଶବର୍ତ୍ତୀ ହୋଇ କର୍ମ କରନ୍ତି । କିନ୍ତୁ ଜ୍ଞାନବାନ୍ ବ୍ୟକ୍ତିମାନେ ନିଜ ପ୍ରକୃତି ଅନୁସାରେ କର୍ମ କରନ୍ତି ।

ଇନ୍ଦ୍ରିୟ ମଧ୍ୟରେ ରାଗ ଓ ଦ୍ୱେଷ ଲୁଚି ରହିଥିବାରୁ ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହେବା ସହ ରାଗ ତଥା ଦ୍ୱେଷରୁ ମୁକ୍ତ ରହିବା ଆବଶ୍ୟକ । କାରଣ ରାଗ ଓ ଦ୍ୱେଷ ମନୁଷ୍ୟର କଲ୍ୟାଣମାର୍ଗରେ ବିଘ୍ନ ସୃଷ୍ଟିକରେ ଓ ଏହା ମଣିଷର ବିରାଟ ଶତ୍ରୁ ବୋଲି ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି । ଏହା ସହ କହିଛନ୍ତି:

ସ୍ୱଧର୍ମ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ

ଅର୍ଥାତ୍‍ ଅନ୍ୟର ଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ସ୍ୱଧର୍ମ ଅଧିକ ମଙ୍ଗଳକାରୀ । ସ୍ୱଧର୍ମ ପାଳନରେ ମୃତ୍ୟୁ ବି କଲ୍ୟାଣକର କିନ୍ତୁ ଅନ୍ୟଧର୍ମ ଭୟାବହ ବା ଭୟଙ୍କର କ୍ଷତିକାରକ ବୋଲି ଭଗବାନ ମତ ଦେଇଛନ୍ତି ।

ବ୍ୟାଖ୍ୟା କଲେ ଏହା ସ୍ପଷ୍ଟ ଯେ, ନିଜ କର୍ମ ସବୁସମୟରେ କଲ୍ୟାଣଜନକ ଓ ଅନ୍ୟର କର୍ମକୁ ଲୋଭ, ମୋହ ବଶତଃ ଅପଣେଇ ନେବା ଭୟାବହ ବା କ୍ଷତିକାରକ । ଭଗବାନଙ୍କର ଏପରି କଥା ଶୁଣି ଅର୍ଜୁନ ପ୍ରଶ୍ନ କଲେ, ମନୁଷ୍ୟ ସ୍ୱୟଂ ଇଚ୍ଛା ନକରି ବି କାହାଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ କରେ ?

ଭଗବାନ ଅୁର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ‘ରଜୋଗୁଣରୁ ଉତ୍ପନ୍ନ ହୁଏ କାମ ଓ କ୍ରୋଧ । ଯେତେ ଭୋଗ କଲେ ବି କାମ ବା କାମନାର ବିନାଶ ହୁଏନାହିଁ । ତେଣୁ ଏହି କାମ ବା କାମନା ହିଁ ମଣିଷର ଆଉ ଏକ ବଡ଼ ଶତ୍ରୁ ଅଟେ’ । ଏଥିସହ ଭଗବାନ ଅର୍ଜୁନଙ୍କୁ ପୁନର୍ବାର କହିଛନ୍ତି, ‘ଅଗ୍ନି ଯେପରି ଧୂଆଁ ଦ୍ୱାରା, ଦର୍ପଣ ଧୂଳି ଦ୍ୱାରା ଓ ଗର୍ଭ ଜରାୟୁ ଦ୍ୱାରା ଆବୃତ ହୋଇ ରହିଥାଏ ସେହିପରି ଜ୍ଞାନ, କାମ ବା କାମନା ଦ୍ୱାରା ଆବୃତ ହୋଇ ରହିଥାଏ’ ।

‘ଇନ୍ଦ୍ରିୟ, ମନ ଓ ବୁଦ୍ଧି କାମର ବାସସ୍ଥାନ ହୋଇଥିବାରୁ ମନ, ବୁଦ୍ଧି ଏବଂ ଇନ୍ଦ୍ରିୟ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରିଥାଏ । ଇନ୍ଦ୍ରିୟ ସ୍ଥୂଳ ଶରୀରଠାରୁ ଶ୍ରେଷ୍ଠ, ବଳବାନ ଓ ସୂକ୍ଷ୍ମ ହୋଇଥିବା ବେଳେ ଇନ୍ଦ୍ରିୟଙ୍କ ଠାରୁ ମନ ଶ୍ରେଷ୍ଠ, ମନ ଠାରୁ ବୁଦ୍ଧି ଶ୍ରେଷ୍ଠ ଏବଂ ବୁଦ୍ଧି ଠାରୁ ଆତ୍ମା ଶ୍ରେଷ୍ଠ ହୋଇଥିବାରୁ ବୁଦ୍ଧି ଦ୍ୱାରା ମନକୁ ବଶ କରି କାମ ବା କାମନା ରୂପକ ଦୁର୍ଜୟ ଶତ୍ରୁକୁ ମାରିଦେବା ଉଚିତ’ । ତେଣୁ ଇନ୍ଦ୍ରିୟ ଦ୍ୱାରା ବଶବର୍ତୀ ହୋଇ ରହିଥିବା କାମନା, ଆଶକ୍ତି, ମନକୁ ଜୟ କରି ନିରାସକ୍ତ ଭାବେ ନିଜ କର୍ତ୍ତବ୍ୟ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରସ୍ତୁତି: ପ୍ରଦୀପ କୁମାର ଜେନା, କେନ୍ଦ୍ରାପଡ଼ା

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

Leave a Reply