ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

କର୍ମ କ’ଣ, ତାହା କେମିତି ହେବା ଆବଶ୍ୟକ। କାହିଁକି ଗୋଟିଏ ପ୍ରାଣୀ କର୍ମ କରିବ? ଜୀବନତତ୍ତ୍ଵର ଏକ ମୌଳିକ ପ୍ରଶ୍ନଗୁଡ଼ିକୁ ଏହି ଅଧ୍ୟାୟରେ ସ୍ଥାନୀତ କରାଯାଇ ତାହାର ଉତ୍ତର ଦେବାକୁ ଚେଷ୍ଟା କରାଯାଇଛି।

ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତି ରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ପରାମର୍ଶ ଦେବା ସହ ଆସକ୍ତି ରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି କାହାଠାରୁ ହୋଇଛି, କେବେ ହୋଇଛି ଓ ଯଜ୍ଞକର୍ମର ଫଳ କ’ଣ? ଏ ସମ୍ପର୍କରେ କହିବାକୁ ଯାଇ ଭଗବାନ କହିଛନ୍ତି ଯେ, ସୃଷ୍ଟିର ପ୍ରାରମ୍ଭ ସମୟରେ ପ୍ରଜାପତି ବ୍ରହ୍ମା ଯଜ୍ଞ ସହିତ ଜୀବଜଗତର ସୃଷ୍ଟି କରିଥିଲେ । ଏହି ଜୀବଜଗତର ମଙ୍ଗଳ ପାଇଁ ତଥା ବାଞ୍ଛିତ ଫଳ ପାଇବା ପାଇଁ ଯଜ୍ଞକର୍ମ ଆବଶ୍ୟକ ବୋଲି କହିଲେ ।


ଜଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ପ୍ରୀତ ହୋଇ ଯଜ୍ଞକର୍ତ୍ତାକୁ ବାଞ୍ଛିତ ଫଳ ପ୍ରଦାନ କରନ୍ତି । ଦେବତାଙ୍କ ଦ୍ୱାରା ପ୍ରଦତ୍ତ ଯଜ୍ଞଫଳକୁ ବା ଭୋଗ ପଦାର୍ଥକୁ ଯେଉଁ ବ୍ୟକ୍ତି ଦେବତାଙ୍କୁ ଅର୍ପଣ ନକରି ନିଜେ ଭୋଗ କରେ ସେ ଚୋର ବୋଲି ଭଗବାନ କହିଛନ୍ତି । ସେହିପରି ଯଜ୍ଞରୁ ଉତ୍ପନ୍ନ ଫଳ ଦେବତାଙ୍କୁ ଅର୍ପଣ କରିବା ପରେ ଯାହା ବଳିପଡ଼େ ତାହାକୁ ଶ୍ରେଷ୍ଠ ବ୍ୟକ୍ତିମାନେ ଭୋଜନ କରି ମୁକ୍ତିି ପାଇଥାଆନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଭଗବାନ । କିନ୍ତୁ ଯେଉଁମାନେ କେବଳ ନିଜ ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି ସେମାନଙ୍କୁ ପାପି ବୋଲି କୁହାଯାଏ ।
ଅର୍ଥାତ ଯଜ୍ଞକର୍ମରୁ ଉତ୍ପନ ଫଳ ଲୋକ ତଥା ଜୀବଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଭଗବାନ କହିଛନ୍ତି । ଏଥିସହ ଭଗବାନ ପୁଣି କହିଛନ୍ତି ଯେ, ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି, ବୃଷ୍ଟିରୁ ଅନ୍ନ ବା ଶସ୍ୟ ଓ ଯଜ୍ଞରୁ ବୃଷ୍ଟି ଏବଂ ବିହିତ କର୍ମରୁ ଯଜ୍ଞ ଜାତ ହୁଏ ।
ସେହିପରି କର୍ମସମୁଦାୟରୁ ବେଦ ଓ ପରମାତ୍ମାଙ୍କ ଠାରୁ ବେଦର ସୃଷ୍ଟି ହୋଇଛି । ତେଣୁ ଈଶ୍ୱର ସର୍ବବ୍ୟାପୀ ଓ ସଦାସର୍ବଦା ଯଜ୍ଞରେ ନିବାସ କରିନ୍ତି । ଅତଏବ ଯେଉଁ ପୁରୁଷ ସୃଷ୍ଟିଚକ୍ରର ଅନୁକୁଳ ହୋଇ କର୍ମ ନକରି ଇନ୍ଦ୍ରିୟମାନଙ୍କ ଦ୍ୱାରା ପରିଚାଳିତ ହୋଇ ଭୋଗ ବିଳାସରେ ଜୀବନ ଅତିବାହିତ କରେ ସେ ପାପାତ୍ମା ଓ ବୃଥାରେ ଜୀବନ ଧାରଣ କରିଥିବା ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି ।
ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିମାନେ ଆତ୍ମାରେ ସନ୍ତୁଷ୍ଟ ହୋଇ ଅନାସକ୍ତକର୍ମ କରନ୍ତି ସେମାନେ ଜନକ ଋଷୀଙ୍କ ପରି ଈଶ୍ୱରପ୍ରାପ୍ତ ହୁଅନ୍ତି ବୋଲି ମଧ୍ୟ ଭଗବାନ କହିଛନ୍ତି । ଶ୍ରେଷ୍ଠ ପୁରୁଷମାନେ ଯେଉଁ କର୍ମ ଓ ଆଚରଣ କରନ୍ତି ସାଧାରଣ ଲୋକେ ତାହାକୁ ଅନୁସରଣ କରନ୍ତି । ସମଗ୍ର ବିଶ୍ୱରେ ଈଶ୍ୱରଙ୍କ ପାଇଁ କୌଣସି ବସ୍ତୁ ଅପ୍ରାପ୍ତ ନଥିଲେ ବି ସେ ନିଜ କର୍ତ୍ତବ୍ୟ କରିଚାଲନ୍ତି ବା ସୃଷ୍ଟିର ପରିଚାଳନା କରିଚାଲନ୍ତି । ଯଦି ଈଶ୍ୱର ନିଜ କର୍ମ ନକରିବେ ତେବେ ସୃଷ୍ଟି ସମେତ ମନୁଷ୍ୟ ଓ ଜୀବଜଗତ ନଷ୍ଟଭ୍ରଷ୍ଟ ହୋଇଯିବ । ତେଣୁ ଜ୍ଞାନୀ ବ୍ୟକ୍ତିମାନେ ଆସକ୍ତିଯୁକ୍ତ ହୋଇ ଅଜ୍ଞନୀଙ୍କ ବୁଦ୍ଧିରେ ଭ୍ରମରେ ପଡ଼ି କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ । ଜ୍ଞନୀମାନେ ଶାସ୍ତ୍ରବିହିତ କର୍ମ କରିବା ସହ ଅନ୍ୟମାନଙ୍କୁ ଶାସ୍ତ୍ର ବିହିତ କର୍ମକରିବା ଦିଗରେ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ଭଗବାନ ବୁଝାଇଛନ୍ତି ।
ସମସ୍ତ କର୍ମ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥିଲେ ବି ଅଜ୍ଞାନୀମାନେ ଅହଙ୍କାରର ବଶବର୍ତୀ ହୋଇ ସମସ୍ତ କର୍ମର ‘ମୁଁ କର୍ତ୍ତା’ ବୋଲି ମନେକରନ୍ତି । କିନ୍ତୁ ଜ୍ଞାନୀମାନେ ଅହଙ୍କାରର ବଶବର୍ତ୍ତୀ ନହୋଇ ପ୍ରକୃତିର ଗୁଣ ଓ ତତ୍ତ୍ୱ ଆଧରରେ ସେ କର୍ମ କରିଚାଲିଥିବା ଉପଲବ୍ଧି କରିବା ଆବଶ୍ୟକ । ସମସ୍ତ କର୍ମକୁ ଈଶ୍ୱର(ମୋ)ଠାରେ ଅର୍ପଣ କରି ଅନାସକ୍ତ ଭାବେ ସେମାନେ କର୍ମ କରିବା ଆବଶ୍ୟକ ବୋଲି ଅର୍ଜୁନଙ୍କୁ ଭଗବାନ କହିଛନ୍ତି । ଏହା ସହ ପୁଣିଥରେ କରୁକ୍ଷେତ୍ର ଯୁଦ୍ଧଭୂମିରେ ଯୁଦ୍ଧ କରିବାକୁ ତାଙ୍କୁ ପ୍ରବତର୍ତ୍ତାଇଛନ୍ତି, ଶ୍ରୀକୃଷ୍ଣ ।

ପ୍ରସ୍ତୁତି: ପ୍ରଦୀପ କୁମାର ଜେନା, କେନ୍ଦ୍ରାପଡ଼ା

ଅଧିକ ଗୀତା ମାହାତ୍ମ୍ୟ ପଢ଼ିବା ଲାଗି କ୍ଲିକ୍‌ କରନ୍ତୁ

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ

Leave a Reply