ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

1
540
advertisement

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟପରାଜୟରେ ସମତା ରକ୍ଷା ପରାମର୍ଶ ଦେଇ ସୁଖ-ଦୁଃଖ, ଲାଭ-କ୍ଷତିର ପରିଣାମକୁ ସମାନ ଭାବେ ଦେଖିବା ସହ ଭୟ, ଲୋଭ, କ୍ରୋଧ, ମୋହ ଆଦିରୁ ବିରତ ରହିବା ଓ କାମନାମୁକ୍ତ ରହିବା ପାଇଁ କହିଛନ୍ତି । ଏହାସହ ସମବୁଦ୍ଧିଯୁକ୍ତ ହେବାକୁ ହେଲେ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବାକୁ ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ।
କଇଁଛ ଯେପରି ନିଜର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସଙ୍କୁଚିତ କରି ନିଜ ଖୋଳପା ଭିତରେ ଲୁଚାଇ ରଖିପାରେ ଠିକ ସେହିପରି ସମବୁଦ୍ଧିଯୁକ୍ତ ମନୁଷ୍ୟମାନେ ସକଳ ପ୍ରକାର ଇନ୍ଦ୍ରିୟଗ୍ରାହ୍ୟ ବିଷୟମାନଙ୍କଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଇନ୍ଦ୍ରିୟଗ୍ରାହ୍ୟ ବିଷୟଠାରୁ ଦୂରେଇ ରହିପାରିଲେ ଜୀବ ସ୍ଥିତପ୍ରଜ୍ଞ ହୋଇ ପରମାତ୍ମାଙ୍କ ସାକ୍ଷାତ ପାଇପାରିଥାନ୍ତି । ଅର୍ଥାତ ଯେଉଁ ବ୍ୟକ୍ତି ଭୋଗ ଲାଳସା ଆସକ୍ତିରୁ ମୁକ୍ତ ହୋଇ ପାରିଥାଏ ସେ ସ୍ଥିତପ୍ରଜ୍ଞ ହୋଇ ଇଶ୍ୱର ପ୍ରାପ୍ତି ହୋଇଥାଆନ୍ତି ବୋଲି ଭଗବାନ ଗୀତାରେ କହିଛନ୍ତି ।


ଆସକ୍ତିନାଶ ହୋଇନଥିଲେ ଇନ୍ଦ୍ରିୟଗ୍ରାହ୍ୟ ବିଷୟ ଦ୍ୱାରା ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ କବଳିତ ହୋଇଯାଆନ୍ତି ଓ ଇନ୍ଦ୍ରିୟମାନେ ତାଙ୍କ ବୁଦ୍ଧିକୁ ବଳପୂର୍ବକ ହରଣ କରିନିଅନ୍ତି । ତେଣୁ ସାଧକମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରି, ସମାହିତ ଚିତ୍ତ ହୋଇ, ଇଶ୍ୱରଙ୍କ ଶରଣାପନ୍ନ ହୋଇ ଧ୍ୟାନରେ ବସନ୍ତି ଓ ଏହି ବ୍ୟକ୍ତିମାନଙ୍କୁ ସ୍ଥିରବୁଦ୍ଧିଯୁକ୍ତ ବୋଲି ବୁଝିବାକୁ ପଡ଼ିବ ।
ଅନ୍ୟପକ୍ଷରେ ବିଷୟ ଚିନ୍ତନ କରୁଥିବା ବ୍ୟକ୍ତିମାନେ ବିଷୟ ଆଶକ୍ତିରେ ପଡ଼ିଯାଆନ୍ତି ଓ ବିଷୟ ଆସକ୍ତିରୁ କାମନା ଜାତ ହୋଇଥାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୁଏ । କ୍ରୋଧରୁ ମୂଢ଼ଭାବ ଜାତ ହୋଇ ସ୍ମୃତିଭ୍ରମ ହୁଏ ଓ ସ୍ମୃତିଭ୍ରମରୁ ବୁଦ୍ଧି ଅର୍ଥାତ ଜ୍ଞାନ ନାଶ ହୁଏ ଏବଂ ଜ୍ଞାନ ନାଶ ହେବାରୁ ପୁରୁଷ ନିଜ ସ୍ଥିତିରୁ ତଳକୁ ଖସିପଡ଼ିଥାଏ । କିନ୍ତୁ ଇନ୍ଦ୍ରିୟ ଜୟ କରିଥିବା ବ୍ୟକ୍ତିଙ୍କର ଅନ୍ତଃକରଣ ତାଙ୍କ ଅଧୀନରେ ଥିôବାରୁ ରାଗ, ଦ୍ୱେଷ ରହିତ ହୋଇ ପ୍ରସନ୍ନତା ଲାଭ କରନ୍ତି ।

ବ୍ୟକ୍ତିର ଅନ୍ତଃକରଣରେ ପ୍ରସନ୍ନତା ଆସିଲେ ସମସ୍ତ ଦୁଃଖ ବିନାଶ ହୋଇଯାଏ ଓ ପ୍ରସନ୍ନଚିତ ହୋଇ ପରମାତ୍ମାଙ୍କ ଠାରେ ଚିତ ସ୍ଥିର ହୋଇଯାଏ । ମନ ଓ ଇନ୍ଦ୍ରୟକୁ ଜୟ କରିନଥିôବା ବ୍ୟକ୍ତିଙ୍କର ବୁଦ୍ଧି ଉଦୟ ହୁଏ ନାହିଁ କି ସେମାନେ ଅନ୍ତଃକରଣରେ ଆସ୍ତିକଭାବ ଆସିପାରେ ନାହିଁ । ତେଣୁ ତାଙ୍କୁ ଶନ୍ତି ମିଳିପାରେ ନାହିଁ ଓ ଶାନ୍ତିରହିତ ମନୁଷ୍ୟକୁ ସୁଖ ମଧ୍ୟ ମିଳିପାରେ ନାହିଁ ବୋଲି ଗୀତରେ କୁହାଯାଇଛି । ଇନ୍ଦ୍ରିୟ କିପରି ମନକୁ ହରଣ କରି ନିଜ ନିୟନ୍ତ୍ରଣକୁ ନେଇ ଯାଇଥାଏ ସେ ସମ୍ପର୍କରେ ବୁଝିଇବାକୁ ଯାଇ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ, ଜଳରେ ଚାଲୁଥିବା ନୌକାକୁ ବାୟୁ ଯେପରି ହରଣ କରିନେଇଥାଏ ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟଟି ସହିତ ମନ ରହିଥାଏ ସେହି ଇନ୍ଦ୍ରିୟଟି ମନୁଷ୍ୟର ବୁଦ୍ଧି ହରଣ କରିନେଇଥାଏ । ତେଣୁ ଯେଉଁମାନେ ଇନ୍ଦ୍ରିୟଗ୍ରାହ୍ୟ ବିଷୟମାନଙ୍କ ଠାରୁ ନିଗୃହୀତ ହୋଇଯାଆନ୍ତି ତାଙ୍କ ବୁଦ୍ଧି ସ୍ଥିର ହୋଇଯାଏ । ସେହିପରି ନଦୀର ଜଳ ଯେପରି ସମୁଦ୍ରକୁ ବିଚଳିତ କରିନପାରି ନଦୀଜଳ ସମୁଦ୍ରରେ ଲୀନ ହୋଇଯାଏ ସେହିପରି ସ୍ଥିତପ୍ରଜ୍ଞ ପୁରୁଷଙ୍କ ମଧ୍ୟରେ ଭୋଗବାସନା ବିକାର ସୃଷ୍ଟି କରିନପାରି ତାଙ୍କ ମଧ୍ୟରେ ଲୀନ ହୋଇଯାଏ । ଏହାଦ୍ୱାରା ସ୍ଥିତପ୍ରଜ୍ଞ ବ୍ୟକ୍ତିମାନେ ପରମ ଶାନ୍ତି ଲାଭ କରନ୍ତି । କିନ୍ତୁ ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ । ଯେଉଁ ପୁରୁଷ ଇନ୍ଦ୍ରିୟମାନଙ୍କ କବଳରୁ ମୁକ୍ତ ହୋଇ କାମନା ତ୍ୟାଗ କରି ମମତାରହିତ, ଅହଙ୍କାରରହିତ ଓ ସ୍ପୃହାରହିତ ହୋଇପାରନ୍ତି ସେମାନେ ହିଁ ଶାନ୍ତି ଓ ବ୍ରହ୍ମପ୍ରାପ୍ତି ତଥା ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ।

ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ