ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ ଅର୍ଜୁନଙ୍କ ବିଷାଦ ଦୂର ହୋଇ ପାରି ନଥିଲା । ସେ ଭଗବାନଙ୍କୁ ପ୍ରଶ୍ନ କରିଥିଲେ ‘ହେ ଜନାର୍ଦ୍ଦନ, କର୍ମ ଅପେକ୍ଷା ଯଦି ଜ୍ଞାନ ଶ୍ରେଷ୍ଠ ତେବେ ମୋତେ କାହିିଁକି ଭୟଙ୍କର କର୍ମରେ ନିୟୋଜିତ କରାଯାଉଛି? ଆପଣଙ୍କ କଥା ଗୋଳିଆପାଣି ପରି ଲାଗୁଛି ଏବଂ ମୋ ବୁଦ୍ଧିକୁ ମୋହିତ କରି ଦେଉଛି’ ।
ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ‘ହେ ନିଷ୍ପାପ ଅର୍ଜୁନ, ସାଧନାର ପରିପକ୍ୱ ଅବସ୍ଥାକୁ ନିଷ୍ଠା କୁହାଯାଏ, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ସମସ୍ତ କ୍ରିୟାରେ କର୍ତ୍ତାପଣ ତ୍ୟାଗ କରି କର୍ତ୍ତା ପରମାତ୍ମାଙ୍କ ଠାରେ ଏକକୀଭାବରେ ସ୍ଥିତ ହୋଇଯିବାକୁ ଜ୍ଞାନଯୋଗ ବା ସନ୍ନ୍ୟାସ ଯୋଗ ବା ସାଂଖ୍ୟଯୋଗ କୁହାଯାଏ । ସେହିପରି କର୍ମଫଳ ଓ ଆସକ୍ତି ତ୍ୟାଗ କରି ଇଶ୍ୱରଙ୍କ ଉଦ୍ଦେଶ୍ୟରେ କରାଯାଉଥିବା କର୍ମକୁ ନିଷ୍କାମ କର୍ମ କୁହାଯାଏ ।


ମନୁଷ୍ୟ କର୍ମ ନକରିଲେ ସିଦ୍ଧି ପାଇପାରେ ନାହିଁ । ଏପରି କି ମନୁଷ୍ୟ କର୍ମ ନକରି କ୍ଷଣେ ମାତ୍ର ରହିପାରେ ନାହିଁ । କାରଣ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କର ବଶ ହୋଇ ପ୍ରାଣୀ କର୍ମ କରିବାକୁ ବାଧ୍ୟ ହୋଇଥାଏ’ ବୋଲି କହିଛନ୍ତି ।
ଏହାସହ ଭଗବାନ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଏ କଥା ମଧ୍ୟ କହିଛନ୍ତି ଯେ ଯେଉଁ ମୂଢ଼ବୁଦ୍ଧି ବ୍ୟକ୍ତିମାନେ କର୍ମେନ୍ଦ୍ରିୟମାନଙ୍କୁ ବଳପୂର୍ବକ ଦମନ କରିଥାଆନ୍ତି କିନ୍ତୁ ନିଜ ମନ ମଧ୍ୟରେ ସେହି ଇନ୍ଦ୍ରିୟମାନଙ୍କ ବିଷୟରେ ଚିନ୍ତା କରୁଥାଆନ୍ତି ସେମାନେ ମିଥ୍ୟାଚାରୀ ବା ଦମ୍ଭୀ । ତେଣୁ ଇନ୍ଦ୍ରିୟମାନଙ୍କୁ ବଳପୂର୍ବକ ଦମନ ନକରି ସାଧନା ଓ ଅଭ୍ୟାସ ଦ୍ୱାରା ଇନ୍ଦ୍ରୟାଗ୍ରାହ୍ୟ ବିଷୟ ବାସନାରୁ ବ୍ୟକ୍ତି ମୁକ୍ତ ରହିବା ଆବଶ୍ୟକ ।
ଯେଉଁ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ବଶ କରି ଅନାସକ୍ତ ଭବେ କର୍ମଯୋଗ ଆଚରଣ କରନ୍ତି ସେ ଶ୍ରେଷ୍ଠ ବିବେଚିତ ହୁଅନ୍ତି । ଏହାସହ ଭଗବାନ ମଧ୍ୟ କହିଛନ୍ତି ବ୍ୟକ୍ତି ଶାସ୍ତ୍ରବିହିତ କର୍ମ କରିବା ଉଚିତ । କାରଣ କର୍ମ ନକରିଲେ ଶରୀର ନିର୍ବାହ ମଧ୍ୟ ସମ୍ଭବ ହୋଇପାରେ ନାହିଁ । ତେଣୁ ଜଗତ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କର୍ମ କରାଯିବା ଛଡ଼ା ଅନ୍ୟ କର୍ମରେ ଲାଗି ରହିଲେ ମନୁଷ୍ୟ କର୍ମବନ୍ଧନରେ ପଡ଼ିଥାଏ । ତେଣୁ ଆସକ୍ତିରହିତ ହୋଇ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଉଥିବା କର୍ମକୁ ଜଜ୍ଞକର୍ମ ବୋଲି କୁହାଯାଏ । ତେଣୁ ଅର୍ଜୁନ ଜଜ୍ଞ ପାଇଁ ନିଜ କର୍ତ୍ତବ୍ୟ ଭଲଭାବେ କରିବା ଦରକାର ବୋଲି ଭଗବାନ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରାମର୍ଶ ଦେଇଛନ୍ତି ।

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ 

ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ 

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ 

Leave a Reply