ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଆତ୍ମାର ନିତ୍ୟତା ସମ୍ପର୍କରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପରେ ଅର୍ଜୁନ ବିଷାଦ ତ୍ୟାଗ କରି ଯୁଦ୍ଧ କରିବାକୁ ପ୍ରସ୍ତୁତ ନହେବାରୁ ଯୁଦ୍ଧକ୍ଷେତ୍ରରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ଭାବେ ବିବେଚନା କରିବାକୁ ପରାମର୍ଶ ଦେଇଛନ୍ତି ।
କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ, ତୁମେ ଯଦି ଧର୍ମ ଯୁଦ୍ଧ ନକରିବ ତେବେ ସ୍ୱଧର୍ମ ଓ ସୁଯଶ ହରାଇ ପାପଭାଗୀ ହେବ ଏବଂ ତୁମର ଅପକିର୍ତ୍ତୀ ଦୀର୍ଘକାଳ ପର୍ଯ୍ୟନ୍ତ ଆଲୋଚିତ ହେବ ।

ଅପଯଶ ମର୍ଯ୍ୟାଦାବନ୍ତ ପୁରୁଷମାନଙ୍କ ପାଇଁ ମୃତ୍ୟୁଠୁ ବି ଦୁଃଖଦାୟକ । ଯୁଦ୍ଧରୁ ଦୂରେଇଗଲେ ତୁମେ ଯେଉଁମାନଙ୍କ ଦ୍ୱାରା ବିଶେଷ ଭାବେ ସମ୍ମାନୀତ ହୋଇ ସାରିଛ, ସେମାନଙ୍କ ଦୃଷ୍ଟିରେ ହୀନ ହୋଇଯିବ, ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଦୂରେଇଗଲ ବୋଲି ସେହି ମହାରଥୀମାନେ କହିବେ । ସେହିପରି ଯୁଦ୍ଧରେ ହାର୍‍-ଜିତ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ମନେ କରି ତୁମେ ଯୁଦ୍ଧ କଲେ କର୍ମବନ୍ଧନକୁ ତ୍ୟାଗ କରିଦେଇପାରିବ । ଏହାସହ ଜନ୍ମ-ମୃତ୍ୟୁର ବିରାଟ ଭୟରୁ ମଧ୍ୟ ମୁକ୍ତି ମିଳିପାରିବ ।


ଅସ୍ଥିର ବିଚାରଭୁକ୍ତ ବିବେକହୀନ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ବହୁପ୍ରକାର ଓ ଅସଂଖ୍ୟ । ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନଙ୍କ ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ୟ ବସ୍ତୁ ଏବଂ ସ୍ୱର୍ଗର୍ରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି ବିବେଚନା କରନ୍ତି, ସେମାନେ ଭୋଗ-ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ କର୍ମଫଳ ଦେଉଥିôବା କ୍ରିୟାବହୁଳ ଶୃତିମଧୁର ବାଣୀ କହନ୍ତି ଏବଂ ବାଣୀ ଦ୍ୱାରା ଯେଉଁମାନଙ୍କର ଚିତ୍ତ ହରଣ ହୋଇ ଯାଇଛି ଓ ପରମାତ୍ମାଙ୍କ ଠାରେ ତାଙ୍କ ଧ୍ୟାନ ରହେନାହିଁ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ।


ହେ ଅର୍ଜୁନ, ତୁମେ ଭୋଗ ଆସକ୍ତି ତ୍ୟାଗ କରିବା ସହ ହର୍ଷ-ଶୋକାଦି ଦ୍ୱନ୍ଦ୍ୱରୁ ମୁକ୍ତ ହୋଇ ଯୋଗକ୍ଷେମ (ଅପ୍ରାପ୍ତ ବସ୍ତୁର ପ୍ରାପ୍ତିକୁ ଯୋଗ ଓ ପ୍ରାପ୍ତ ବସ୍ତୁର ରକ୍ଷାକୁ କ୍ଷେମ କୁହାଯାଏ) ସ୍ୱାଧୀନ ଅନ୍ତଃକରଣଯୁକ୍ତ ହୋଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ।


ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧଠୁ ଆଉ ସମ୍ମାନଜନକ ବିକଳ୍ପ ନାହିଁ ବୋଲି କହିଛନ୍ତି । ଯୁଦ୍ଧ ଭୂମିକୁ ଆସି ଯୁଦ୍ଧ କରିବା ହେଉଛଇ ବୀରତାର ପରିଚୟ । ଏଠଶରେ ଧର୍ମ-ଅଧର୍ମ, ପରିବାର-ଆତ୍ମୀୟ ବା ଶତ୍ରୁଙ୍କର କୌଣସି ବିଚାର ନଥାଏ । ସେହିପରି ସାଧାରଣ ମନୁଷ୍ୟର ଏକ ପୂର୍ଣ୍ଣ ଜଳାଶୟରୁ ଯେତିକି ପାଣିର ପ୍ରୟୋଜନ ରହିଥାଏ ବ୍ରହ୍ମଜ୍ଞାନ ଲାଭ କରିଥିବା ବ୍ରାହ୍ମଣଙ୍କର ମଧ୍ୟ ସେତିକି ପ୍ରୟୋଜନ ରହିଥାଏ, ମନୁଷ୍ୟର କେବଳ କର୍ମ କରିବାରେ ଅଧିକାର ରହିଥିବା ବେଳେ କର୍ମଫଳର ଅଧିକାର ନଥିବା, କର୍ମ ନକରିବାରେ ଆସକ୍ତି ନରହିବା ଆଦି ସମ୍ପର୍କରେ ମଧ୍ୟ ଭଗବାନ ଅର୍ଜୁନଙ୍କୁ ଉପଦେଶ ଦେଇ ଅର୍ଜୁନ ଆସକ୍ତି ତ୍ୟାଗ କରି ସିଦ୍ଧି ଓ ଅସିଦ୍ଧିକୁ ସମାନ ଭାବେ ବିବେଚନା କରି କର୍ମ କରିବାକୁ ଭଗବାନ ପରାମର୍ଶ ଦେଇଥିବା ବିଷୟ ଗୀତାରେ ଉଲ୍ଲେଖ ରହିଛି ।

ଏ ବିଷୟରେ ଅଧିକ ବିଷୟ ପାଇଁ କ୍ଲିକ୍‌ କରନ୍ତୁ:

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

ଗୀତା ମାହାତ୍ମ୍ୟ-୨: ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ଭଗବାନ କୃଷ୍ଣଙ୍କ ଉପଦେଶ

ଜାଣିରଖନ୍ତୁ କାହିଁକି ପଢ଼ାଯାଏ ଗୀତା

ଜାଣିରଖନ୍ତୁ କାହିଁକି ପଢ଼ାଯାଏ ଗୀତା

Leave a Reply