ପଡ଼ିଲା କି ଗେହଲଟ୍-ପାଇଲଟ୍ କଳିରେ ତାଳି !

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଡ଼ିଲା କି ରାଜସ୍ଥାନରେ କଂଗ୍ରେସ କଳିରେ ତାଳି ? କାମ ଦେଲା ରାହୁଲ ଗାନ୍ଧିଙ୍କ “ଆସେଟ୍” ଫର୍ମୂଲା, ଏବେଠୁ ଏକାଠି ହେଲେ କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ । କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ଏବଂ ୨୦୨୩ ବିଧାନସଭା ନିର୍ବାଚନରେ ଦଳକୁ ବିଜୟୀ କରିବା, ଗୁରୁତ୍ବପୂର୍ଣ୍ଣ ବୋଲି ଉଭୟ ହୃଦୟଙ୍ଗମ କରିଛନ୍ତି । ଜୟପୁରରେ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁଗୋପାଳଙ୍କ ଉପସ୍ଥିତିରେ ବସିଥିବା ବୈଠକରେ, ଗେହଲଟ୍-ପାଇଲଟ୍ କଳିର ହାପି ଏଣ୍ଡିଂ ହୋଇଛି । ମୁଣ୍ଡ ଉପରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ, ଏହାକୁ ସାମ୍ନା କରିବା ଗେହଲଟ୍ ଏବଂ ପାଇଲଟଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ।…

ଡିସେମ୍ବର ୪ରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ରାଜସ୍ଥାରେ ପହଞ୍ଚିବା ପୂର୍ବରୁ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟଙ୍କ କଳିରେ ତାଳି ପକାଇଛି କଂଗ୍ରେସ । ରାଜସ୍ଥାନ କଂଗ୍ରେସର ନମ୍ବର ୱାନ୍ ଏବଂ ନମ୍ବର ଟୁ ଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଛନ୍ତି ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ଜୟପୁରରେ ଆୟୋଜିତ ରାଜ୍ୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇଥିଲେ ମୁଖ୍ଯମନ୍ତ୍ରୀ ଗେହଲଟ୍, ସଚିନ ପାଇଲଟ୍, ପିସିସି ଅଧ୍ଯକ୍ଷ ଗୋବିନ୍ଦ ସିଂହ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ନେତା । ବୈଠକ ପରେ ଦୁଇ ନେତାଙ୍କୁ ଗଣମାଧ୍ଯମ ଆଗରେ ଏକାଠି କରି ରାଜସ୍ଥାନ କଂଗ୍ରେସରେ All is Well ବୋଲି ଦାବି କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବ । ବେଣୁଗୋପାଳ ଉଭୟ ଗେହଲଟ୍ ଏବଂ ପାଇଲଟଙ୍କ ହାତକୁ ଉପରକୁ ଉଠାଇ କହିଛନ୍ତି ଯେ, ଏ ହେଉଛି ରାଜସ୍ଥାନ କଂଗ୍ରେସ ।

୪୦ ମିନିଟରେ ଥଣ୍ଡା ପଡ଼ିଛି ୪ ବର୍ଷର ତାତି । କବାଟ କିଳା ବୈଠକ ପରେ ହସ ହସ ମୁହଁରେ ବାହାରକୁ ଆସି ଗଣମାଧ୍ଯମ ପ୍ରଶ୍ନର ସାମ୍ନା କରିଥିଲେ ଗେହଲଟ୍ ଏବଂ ପାଇଲଟ୍ । ବିଶେଷକରି ରାହୁଲ ଗାନ୍ଧିଙ୍କ “ଆସେଟ୍” ଟେକନିକ୍ ଉଭୟଙ୍କ ରାଗକୁ ପ୍ରଶମିତ କରିଛି । ସେପଟେ ଗେହଲଟ୍-ପାଇଲଟଙ୍କ ମଧ୍ଯରେ ପ୍ୟାଚ୍ ଅପ୍ କୁ “ୟୁନାଇଟେଡ୍ କଲର୍ସ ଅଫ୍ ରାଜସ୍ଥାନ” ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ସିଂହ । ତେବେ ସର୍ବସାଧାରଣରେ କୌଣସି ପ୍ରକାର ବୟାନବାଜିକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବେଣୁଗୋପାଳ । ଆଡଭାଇଜରି ଜାରି ପରେ ଯେଉଁମାନେ ଦଳକୁ କ୍ଷତି ପହଞ୍ଚାଇବା ନେଇ ମନ୍ତବ୍ୟ ଦେଉଛନ୍ତି, ସେନେଇ କଠୋର କାର୍ଯ୍ଯାନୁଷ୍ଠାନ ହେବ ବୋଲି ସେ ସଙ୍କେତ ଦେଇଛନ୍ତି ।

ରାହୁଲ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଛନ୍ତି ଗେହଲଟ୍ ଏବଂ ପାଇଲଟ୍ । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପହଞ୍ଚିବ । ରାଜସ୍ଥାନରେ ୧୫ ଦିନ ପଦଯାତ୍ରା କରିବେ ରାହୁଲ । ରାହୁଲଙ୍କ ଗସ୍ତ ପୂର୍ବରୁ, ଗେହଲଟ୍ ଏବଂ ପାଇଲଟଙ୍କ କଳିରେ ସାମୟିକ ବ୍ରେକ୍ ଲାଗିଛି । ଯାହା କି ଉଭୟ ନେତା ଏବଂ କଂଗ୍ରେସ ପାର୍ଟି ପାଇଁ ଶୁଭଙ୍କର ବୋଲି କୁହାଯାଉଛି ।

୨୦୧୮ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରଠାରୁ, ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟଙ୍କ ମଧ୍ଯରେ ଆରମ୍ଭ ହୋଇଯାଇଥିଲା ଶୀତଳ ଯୁଦ୍ଧ । ପ୍ରଥମେ ମୁଖ୍ଯମନ୍ତ୍ରୀ ପଦ ଏବଂ ପରେ ମନ୍ତ୍ରିମଣ୍ଡଳରେ ଭାଗଦାରୀକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ୨୦୨୦ରେ ଅଧିକ କୁହୁଳିଥିଲା ଅନ୍ତଃକନ୍ଦଳ । ଏପରିକି ରାଜସ୍ଥାନ କଂଗ୍ରେସ ଦୁଇ ଫାଳ ହେବା ଆଶଙ୍କା ମଧ୍ଯ ସୃଷ୍ଟି ହୋଇଥିଲା । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିବା ବେଳେ, ଗତ କିଛି ଦିନ ତଳେ ଗେହଲଟଙ୍କ ବିବାଦୀୟ ‘ବେଇମାନ’ ମନ୍ତବ୍ୟ, ନିଆଁରେ ଘିଅ ଢାଳିବା ଭଳି ହୋଇଥିଲା । ତେବେ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି ଏବଂ ବେଣୁଗୋପାଳଙ୍କ ମଧ୍ଯସ୍ଥତା ଗେହଲଟ ଏବଂ ପାଇଲଟଙ୍କୁ ଏକାଠି କରିପାରିଛି । ମାତ୍ର ଏହା ସାମୟିକ ନା ସ୍ଥାୟୀ ସମାଧାନ, ତାହା ଏବେ ବି ଅସ୍ପଷ୍ଟ । ପ୍ରଶ୍ନ ଉଠୁଛି, କାହା ନେତୃତ୍ବରେ ୨୦୨୩ ନିର୍ବାଚନ ଲଢ଼ିବ ରାଜସ୍ଥାନ କଂଗ୍ରେସ ? କିଏ ହେବେ ମୁଖ୍ଯମନ୍ତ୍ରୀ ଚେହେରା ? ଗେହଲଟ ନା ପାଇଲଟ ?

Leave a Reply

Your email address will not be published.