ଆଜିଠୁ ଆରମ୍ଭ ଗୀତା ମାହାତ୍ମ୍ୟ: ଜାଣିରଖନ୍ତୁ କାହିଁକି ପଢ଼ାଯାଏ ଗୀତା

ଶ୍ରୀମଦଭଗବଦ୍ ଗୀତାକୁ ସ୍ୱୟଂ ଭଗବାନଙ୍କ ମୁଖ ନିସୃତ ଦିବ୍ୟବାଣୀ ବୋଲି ବିଚାର କରାଯାଏ । ଗୀତା ଶ୍ରବଣ ଓ ପଠନ ଦ୍ୱାରା ପ୍ରାଣୀ ନିଜ କର୍ମବନ୍ଧନ ଓ ଜନ୍ମଚକ୍ରରୁ ମୁକ୍ତି ଲାଭ କରି ଇଶ୍ୱରଙ୍କଠାରେ ଲୀନ ହୋଇଯିବା ସହ ଅନ୍ୟକୁ ମୁକ୍ତି ଦେବାରେ ସକ୍ଷମ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ପାରମ୍ପରିକ ଭାବେ ଆମ ଘରେ ଗୀତା ପଠନର ଏକ ଅଭ୍ୟାସ ଆଜିବି ଜାରି ରହିଛି । ଆମକୁ ଏକ ସରଳ ଏବଂ ସୁସ୍ଥ ଜୀବନଯାପନର ମାଧ୍ୟମ ଗୀତା ପ୍ରଦାନ କରିଥାଏ। ସେଇ ଆଗ୍ରହକୁ ଆହୁରି ଆଗକୁ ନେବା ପାଇଁ ଏଇ ସ୍ତମ୍ଭରେ ଆମେ ଆରମ୍ଭ କରିବାକୁ ଯାଉଛୁ ଗୀତା ମହାତ୍ମ୍ୟ । ଆପଣଙ୍କ ଆକାଂକ୍ଷାକୁ ଏହା କେତେ ପୂରଣ କରିବ ବା ନକରିବ ତାହା ଦୂରର କଥା କିନ୍ତୁ ଯଦି କିଛଇ ଲୋକଙ୍କ ମନକୁ ଏହି ଦିବ୍ୟ ଚେତନା ପ୍ରଭାବିତ କରିପାରିଲା ତାହା ହେଲେ ତାହା ଆମ ପାଇଁ ସବୁଠାରୁ ଆନନ୍ଦଦାୟକ ଅନୁଭୂତି ଦେବ ।


ପୃଷ୍ଠଭୂମି

ଆପଣମାନେ ‘ମହାଭାରତ’ର କାହାଣୀ ଶୁଣିଥିବେ । ଏହି କାହାଣୀକୁ ଆମମାନଙ୍କ ଘରେ ପଢ଼ାଯାଏ ନାହିଁ । କାରଣ ବିଶ୍ୱାସ ରହିଛି ଏହାଦ୍ୱାରା କଳି, ଝାମେଲା, ଅଶାନ୍ତି ବୃଦ୍ଧି ପାଏ । ଏଣୁ କିଏ ବା କାହିଁକି ଏହାକୁ ପଢ଼ିବ । କିନ୍ତୁ ଭାରତୀୟ ସଂସ୍କୃତିରେ ଏହାଠୁ ବଳି ବଡ଼ ସାହିତ୍ୟ ଦୁର୍ଲଭ । ଏହା କବିର କଳ୍ପନା ହୋଇପାରେ ବା ଇତିହାସର ବାସ୍ତବ କଥା କିନ୍ତୁ ଏହା ଯେ ଦୁନିଆ ଆଗରେ ଭାରତୀୟ ସାହିତ୍ୟକୁ ଭିନ୍ନ ପରିଚୟ ଦେଇଛି ତାହାକୁ କେହି ଏଡ଼ାଇ ପାରିବେ ନାହିଁ ।

କେମିତି ସୃଷ୍ଟି ହେଲା ଗୀତା

ମହାଭାରତ’ର ଯୁଦ୍ଧ ପାଇଁ ପଣ୍ଡବ ଓ କୌରବ ପ୍ରସ୍ତୁତ ଅଛନ୍ତି । ଏହା ଧର୍ମ ଯୁଦ୍ଧ ଭାବେ ନାମିତ ହୋଇଛି । କୁରୁକ୍ଷେତ୍ର ଏଥିଲାଗି ପ୍ରସ୍ତୁତ । ପରିବାର ଭିତରେ ଲାଗିଥିବା ଏହି ଯୁଦ୍ଧର ଅବ୍ୟବହିତ ପୂର୍ବରୁ ନିଜ ପ୍ରତିପକ୍ଷ ଅତିପ୍ରିୟ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୁଳଗୁରୁ କୃପାଚାର୍ଯ୍ୟ, ଗୁରୁପୁତ୍ର ଅଶ୍ୱଥମା ଆଦିଙ୍କୁ ଦେଖି ଅର୍ଜୁନ ବିଷର୍ଣ୍ଣ ଓ ବିବ୍ରତ ହୋଇ ଯୁଦ୍ଧ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଏହା ଦେଖି ରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ପ୍ରଦାନ କରି ଯୁଦ୍ଧକ୍ଷେତ୍ରରେ ନିଜ କର୍ମ ନିର୍ବାହ କରିବାକୁ ପ୍ରବର୍ତ୍ତାଇଥିଲେ । ଭଗବାନ କୃଷ୍ଣଙ୍କ ମୁଖ ନିସୃତ ବାଣୀ ଶୁଣିବା ସହ ତାଙ୍କ ବିଶ୍ୱରୂପ ଦର୍ଶନ କରିବା ପରେ ଅର୍ଜୁନ ବିଷାଦ ତ୍ୟାଗ କରି ଯୁଦ୍ଧ କରିବାକୁ ସିଦ୍ଧାନ୍ତ କରିଥିଲେ । ଯୁଦ୍ଧ କ୍ଷେତ୍ରରେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ବର୍ତ୍ତାଳାପ ଏବଂ ମହାଭାରତ ଯୁଦ୍ଧ ସମ୍ପର୍କରେ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ପ୍ରଦାନ କରୁଥିବା ବିବରଣୀ ସମୟରେ ଧୃତରାଷ୍ଟ୍ର ଓ ସଞ୍ଜୟଙ୍କ ମଧ୍ୟରେ ହୋଇଥିବା କଥପୋକଥନକୁ ବ୍ୟାସଦେବ ଶ୍ଳୋକ ଆକାରରେ ଲେଖିଥିଲେ ଏବଂ ତାହା ଶ୍ରୀମଦ୍ଭଗବଦଗୀତା ବା ଗୀତା ନାମରେ ପରିଚିତ ।

ବେଦ’ଠୁ ବି ଅଧିକ ମହତ୍ତ୍ୱ

ଗୀତାରେ ସ୍ଥାନ ପାଇଥିବା ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା କଥୋପକଥନ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ଏହି ସମୟରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଦେଇଥିବା ଉପଦେଶ ଗୁଡ଼ିକ ପ୍ରତ୍ୟକ ମନୁଷ୍ୟ ପାଇଁ ଉପଯୋଗୀ ହୋଇଥିବାରୁ ହଜାର ହଜାର ବର୍ଷ ଧରି ଗୀତାର ମାହାତ୍ମ୍ୟ ଅତୁଟ ରହି ଆସିଛି । ଏପରିକି ଗୀତା ବେଦ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ । ଭଗବାନ ବିଷ୍ଣୁଙ୍କ ନାଭିରୁ ଉତ୍ପତି ପଦ୍ମ ପୁଷ୍ପରୁ ବ୍ରହ୍ମାଙ୍କ ସୃଷ୍ଟି ଓ ବ୍ରହ୍ମାଙ୍କ ମୁଖ ନିସୃତ “ବେଦ” ହୋଇଥିବା ବେଳେ “ଗୀତା” ସ୍ୱୟଂ ଭଗବାନଙ୍କ ମୁଖ ନିସୃତ । ତେଣୁ ଗୀତା ବେଦ ଠାରୁ ମହତ୍ୱପୂର୍ଣ୍ଣ ଓ ଗୀତା ଶ୍ରବଣ, ପଠନ, ମନନ, କିର୍ତ୍ତନ କରୁଥିବା ବ୍ୟକ୍ତିର ଅନ୍ୟ ଶାସ୍ତ୍ର ପଠନର ଆବଶ୍ୟକତା ନାହିଁ ବୋଲି ସ୍ୱୟଂ ବ୍ୟାସଦେବ କହିବା ସହ ଗୀତା ଶ୍ରେଷ୍ଠତମ ଶାସ୍ତ୍ର ବୋଲି ଦର୍ଶାଇଛନ୍ତି ।

ଗଙ୍ଗାସ୍ନାନଠୁ ପୂଣ୍ୟ

ସେହିପରି ଗଙ୍ଗା ଭଗବାନଙ୍କ ପାଦରୁ ବାହାରିଥିବାବେଳେ ଗୀତା ଭଗବାନଙ୍କ ମୁଖରୁ ବାହାରିଥିବାରୁ ଗଙ୍ଗା ସ୍ନାନ ଠାରୁ ଗୀତା ସ୍ନାନରେ ଅଧିକ ପୂଣ୍ୟ ମିଳିଥାଏ ଓ ଗଙ୍ଗାରେ ସ୍ନାନ କରିଥିବା ବ୍ୟକ୍ତି ନିଜେ ମୁକ୍ତି ପଉଥିବା ବେଳେ ଗୀତା ସ୍ନାନ କରିଥିବା ବ୍ୟକ୍ତି ଅନ୍ୟକୁ ମୁକ୍ତି ଦେବାକୁ ସକ୍ଷମ ହୋଇଥାଏ ବୋଲି କୁହାଯାଏ । ସେହିପରି ଭଗବାନ ନିଜେ ଗୀତା ଆଶ୍ରୟରେ ରହି, ଗୀତାଜ୍ଞନର ଆଶ୍ରୟ ନେଇ ତିନିଲୋକକୁ ପାଳନ କରୁଥିବା ବରାହ ପୁରାଣରେ ଉଲ୍ଲେଖ ରହିଛି । ଗାୟତ୍ରୀ ଠାରୁ ଗୀତା ଶ୍ରେଷ୍ଠ ଓ ଗୀତା ପଠନ କରୁଥିବା ବ୍ୟକ୍ତି ଦ୍ୱାରା ସ୍ୱୟଂ ଭଗବାନ ଜ୍ଞାନଯଜ୍ଞରେ ପୂଜିତ ହୁଅନ୍ତି ବୋଲି ଗୀତାରେ ଋଷିଦେବ ବ୍ୟାସ ଉଲ୍ଲେଖ କରିଛନ୍ତି ।

ଗୀତା ୧୮ଟି ଅଧ୍ୟାୟରେ ବିଭକ୍ତ ହୋଇଥିବା ବେଳେ ଏଥିରେ ସାତ ଶହ ଶ୍ଲୋକ ରହିଛି । ଗୀତାର ଶ୍ଳୋକ ଗୁଡ଼ିକ ଏତେ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ତାହା ପଠନ କରିବା ଦ୍ୱାରା ଯେ କୌଣସି ବ୍ୟକ୍ତିର ଜ୍ଞନୋଦୟ ହେବା ସହ ନିଜର ସାଂସାରିକ, ସାମାଜିକ ଓ ଆଧ୍ୟାତ୍ମିକ କର୍ମ, ଧର୍ମକୁ ସଠିକ ଭାବେ ପାଳନ କରିବାକୁ ସକ୍ଷମ ହୋଇପାରିବ ଓ ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ ହେବ ବୋଲି ଶାସ୍ତ୍ରଜ୍ଞମାନେ ମତ ଦେଇଛନ୍ତି । ଯେଉଁଥିପାଇଁ ଗୀତା ଯୁଗଯୁଗ ଧରି ଲୋକଙ୍କୁ ମାର୍ଗ ଦର୍ଶନ କରିବା ସହ ଆଦୃତି ଲାଭ କରଆସିଛି ।ଆମେ ଏହି ସ୍ତମ୍ଭରେ ନିୟମିତ ଗୀତାର ନିହତ ଜୀବନଦର୍ଶନକୁ ଆପଣଙ୍କ ଆଗରେ ଆଣିବାକୁ ଚେଷ୍ଟା କରିବୁ । ଆପଣମାନେ ନିୟମିତ ପଢ଼ି ଆମକୁ ମତାମତ ଜଣାଇପାରିବେ ।


ପ୍ରସ୍ତୁତି: ପ୍ରଦୀପ କୁମାର ଜେନା, କେନ୍ଦ୍ରାପଡ଼ା

Leave a Reply

Your email address will not be published.