ଫ୍ରାଇଡେ ରିଲିଜରେ ଆସିଛି ୩ଟି ଫିଲ୍ମ – କିଏ ହେବ ହିଟ୍, କିଏ ଫ୍ଲପ୍

ଏଥର ଫ୍ରାଇଡେ ରିଲିଜ୍ରେ ଏକାସାଙ୍ଗରେ ୩ଟି ଫିଲ୍ମ ସିନେମାଘରକୁ ଆସିଛି । ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ‘ଜଙ୍ଗଲି’, ଡେବ୍ୟୁ କଳାକାର ପ୍ରନୂତନ ଓ ଜାହିର୍ ଇକବାଲ୍ଙ୍କ ଅଭିନୀତ ‘ନୋଟ୍ବୁକ୍’ ଓ ଶ୍ୱେତା ତ୍ରିପାଠୀଙ୍କ ଅଭିନୀତ ‘ଗନ୍ କେଶ୍’ । ଏହି ୩ଟି ଯାକ ଫିଲ୍ମରେ ଦେଖିବାକୁ ମିଳିଛି ଏକ ନିଆରା, ଭିନ୍ନ ସ୍ୱାଦ ଓ ଭିନ୍ନ ମାନସିକତାର କାହାଣୀ । ୩ଟି ଫିଲ୍ମର କାହାଣୀ, ସଂଳାପ ଓ ଅଭିନୟକୁ ତୁଳନା କରାଗଲେ କେହି କାହାଠାରୁ ଉଣା ନାହାନ୍ତି । ତେଣୁ ଏବେ ୩ଟି ଫିଲ୍ମ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ବକ୍ସ ଅଫିସ୍ରେ କେଉଁ ଫିଲ୍ମଟି ସର୍ବାଧିକ ବ୍ୟବସାୟ କରିବ, କେଉଁ ଫିଲ୍ମ ପଛରେ ରହିଯିବ, କେଉଁ ଫିଲ୍ମକୁ ଦର୍ଶକ ପସନ୍ଦ କରିବେ, ତାହାକୁ ନେଇ ଚାଲିଛି ଅନେକ କଳ୍ପନାଜଳ୍ପନା । ଗୋଟିଏ ଦିନରେ ୩ଟି ଫିଲ୍ମ ରିଲିଜ୍ ହୋଇଥିବାରୁ ସ୍ୱାଭାବିକ ଭାବେ ପ୍ରଥମ ଦିନ ଦର୍ଶକ ବାଣ୍ଟି ହୋଇଯାଇଛନ୍ତି, ଯାହାର ସିଧାସଳଖ ପ୍ରଭାବ ବକ୍ସ ଅଫିସ୍ ବ୍ୟବସାୟ ଉପରେ ପଡ଼ିଛି । ତେବେ ଆଗାମୀ ଦିନରେ ୩ଟି ଫିଲ୍ମର ଓପନିଙ୍ଗ୍ ଡେ ବିଜନେସ୍ ସମ୍ପର୍କରେ ଜାଣିହେବ । କିନ୍ତୁ ଅଭିନୟ କ୍ଷେତ୍ରରେ ୩ଟି ଯାକ ଫିଲ୍ମକୁ ଦର୍ଶକଙ୍କର ସକାରାତ୍ମକ ପ୍ରତିକ୍ରିୟା ମିଳିଛି ।

୩ଟି ଫିଲ୍ମର କାହାଣୀ ଓ ଅଭିନୟ ଜବରଦସ୍ତ ହୋଇଛି ବୋଲି ଦର୍ଶକ ମହଲରୁ ଶୁଣିବାକୁ ମିଳୁଛି । ଆସନ୍ତୁ ସଂକ୍ଷେପରେ ଜାଣିବା ୩ଟି ଫିଲ୍ମର କାହାଣୀ ସମ୍ପର୍କରେ –
୧- ଜଙ୍ଗଲି
ଆମେରିକାନ୍ ଫିଲ୍ମମେକର୍ ଚକ୍ ରୁସଲେଙ୍କ ନିର୍ଦ୍ଦେଶିତ ଏବଂ ଭିନିତ୍ ଜୈନ୍ଙ୍କ ପ୍ରଯୋଜିତ ‘ଜଙ୍ଗଲି’ରେ ବିଦ୍ୟୁତ୍ ଜାମୱାଲ୍ ମୁଖ୍ୟ ଭୂମିକାରେ ଅଛନ୍ତି । ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମରେ ବିଦ୍ୟୁତ୍ଙ୍କ ସହିତ ଅନ୍ୟାନ୍ୟ ଭୂମିକାରେ ଆସିଛନ୍ତି ମକରନ୍ଦ ଦେଶପାଣ୍ଡେ, ଅତୁଲ କୁଲକର୍ଣ୍ଣି, ଆଶା ଭଟ୍ଟ ଓ ପୂଜା ସାୱନ୍ତ । ‘ଜଙ୍ଗଲି ପିକଚର୍ସ’ ପ୍ରଡକସନ୍ ହାଉସ୍ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଫିଲ୍ମର କାହାଣୀ ହାତୀଦାନ୍ତ ତସ୍କରି ଓ ହାତିଙ୍କ ଚୋରାଚାଲାଣ ଉପରେ ଆଧାରିତ । କାହାଣୀର ନାୟକ ଭୋଲାଙ୍କ ଚରିତ୍ରରେ ବିଦ୍ୟୁତ୍ ଅଭିନୟ କରିଛନ୍ତି । ସେ ହାତୀମାନଙ୍କ ଚୋରାଚାଲାଣ ରୋକିବା ଦିଗରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ଏବଂ ଶେଷରେ ସେ ସଫଳ ହୋଇପାରୁଛନ୍ତି କି ନାହିଁ, ତାହାକୁ ନେଇ କାହାଣୀ ଗତିଶୀଳ ।
୨- ନୋଟବୁକ୍
ବଲିଉଡର ଦକ୍ଷ ଓ ସୁନ୍ଦରୀ ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ବେହେଲ୍ ଓ ଜାହିର୍ ଇକବାଲ୍ଙ୍କ ଭଳି ଦୁଇ ଜଣ ଡେବ୍ୟୁ କଳାକାରଙ୍କୁ ନେଇ ପରଦା ଉପରକୁ ଆସିଛି ଏକ ନିଆରା ପ୍ରେମ କାହାଣୀ ‘ନୋଟବୁକ୍’ । କାହାଣୀ ଅନୁଯାୟୀ ପ୍ରନୂତନ ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । କିଛିଦିନ ପରେ ତାଙ୍କର ବାହାଘର ଠିକ୍ ହେଇଯାଉଛି ଏବଂ ସେ ସେଠାରୁ ଚାଲିଆସୁଛନ୍ତି । ଏହାପରେ ତାଙ୍କ ସ୍ଥାନରେ ନୂଆ ଶିକ୍ଷକ ଭାବେ ଅଛନ୍ତି ଜାହିର୍ । ସେଠାରେ ଥିବା କିଛି ପୁରୁଣା ନୋଟବୁକ୍ ମାଧ୍ୟମରେ ଜାହିରଙ୍କୁ ତାଙ୍କ ପ୍ରକୃତ ପ୍ରେମର ସନ୍ଧାନ ମିଳିଛି ଏବଂ ସେ ପ୍ରନୂତନଙ୍କ ସନ୍ଧାନ କରିଛନ୍ତି । କାହାଣୀ ଆଗକୁ କେଉଁ ସବୁ ମୋଡ଼ ଦେଇ ଗତି କରିଛି, ତାହାକୁ ଦେଖିବାକୁ ମିଳିଛି ‘ନୋଟବୁକ୍’ରେ । ସଲମାନ୍ ଭାଇଜାନଙ୍କ ପ୍ରଡକସନ୍ ସଂସ୍ଥା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିତିନ୍ କକ୍କର
୩- ଗନ୍ କେଶ୍

ଶ୍ୱେତା ତ୍ରିପାଠୀଙ୍କ ଅଭିନୀତ ‘ଗନ୍ କେଶ୍’ ଏଭଳି ଏକ ଝିଅର କାହାଣୀକୁ ନେଇ ରଚନା କରାଯାଇଛି, ଯିଏକି ମାତ୍ର ୧୬ ବର୍ଷ ବୟସରେ ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି ଏବଂ ତାହାକୁ ପୁରଣ କରିବାକୁ ଚେଷ୍ଟା କରୁଛନ୍ତି । ସେ ଏକ ବଡ଼ ଡ୍ୟାନ୍ସ ପ୍ଲାଟଫର୍ମରେ ନିଜର କଳା ପ୍ରଦର୍ଶିତ କରିବାକୁ ଚାହାନ୍ତି । କିନ୍ତୁ ଦିନେ ତାଙ୍କୁ ନିଜ ବିଷୟରେ ଏମିତି ଏକ କଥା ଶୁଣିବାକୁ ପଡ଼େ, ଯାହାକି ତାଙ୍କୁ ସ୍ତବ୍ଧ କରିଦିଏ । ସେ ଜାଣିବାକୁ ପାଆନ୍ତି ଯେ ସେ ଏଲୋପସେିୟା ନାମକ ଏକ ରେୟାର୍ ରୋଗରେ ପୀଡ଼ିତ । ଏହି ରୋଗରେ ତାଙ୍କୁ ସମସ୍ତ କେଶ ହରାଇବାକୁ ହେବ । ଏଭଳି ସ୍ଥିତିରେ ସେ କିଭଳି ଭାବେ ମନକୁ ଦୃଢ କରନ୍ତି ଏବଂ ନିଜ ସ୍ୱପ୍ନ ପୁରଣରେ ସଫଳ ହୋଇପାରନ୍ତି କି ନାହିଁ, ତାହାକୁ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ । କାସିମ୍ ଖାଲୋଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଦର୍ଶକଙ୍କର ଖୁବ୍ ପସନ୍ଦ ହୋଇଛି ।

Leave a Reply

Your email address will not be published.