ପିଲାଙ୍କ ହୃଦ୍‍ରୋଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଶିବିର ଉଦ୍‍ଘାଟିତ, ରବିବାର ଶେଷ ହେବ

ଭୁବନେଶ୍ୱର, (ଓଟି): ପିଲାଙ୍କଠାରେ ହୃଦ୍‍ରୋଗ ଚିହ୍ନଟ ତଥା ସେମାନଙ୍କୁ ମାଗଣାରେ ଚିକିତ୍ସା ସହାୟତା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ଦୁଇଦିନିଆ ସ୍ୱତନ୍ତ୍ର ଶିବିର । ରାଜଧାନୀର ଖାରବେଳ ନଗରସ୍ଥିତ ସତ୍ୟସାଇ କମ୍ୟୁନିଟି ସେଣ୍ଟରଠାରେ ଥାୟୋଜିତ ଏହି ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‍ଘାଟନ କରିଛନ୍ତି ।

ରାଜ୍ୟ ସରକାର ଓ ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ସତ୍ୟସାଇ ହସ୍ପିଟାଲ ସହିତ ହୋଇଥିବା ରାଜିନାମା ଅନୁଯାୟୀ ହୃଦ୍‍ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସାସେବା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୩ଟି ପରୀକ୍ଷା କ୍ୟାମ୍ପ୍‍ରେ ୧୩୦୦ ଶିଶୁଙ୍କୁ ପରୀକ୍ଷା କରାଯାଇ ଚିକିତ୍ସା ଆବଶ୍ୟକ କରୁଥିବା ୫୦୦ ଶିଶୁଙ୍କର ଅପରେସନ କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ କ୍ୟାମ୍ପ୍‍ରେ ୫୦୦ରୁ ଅଧିକ ଶିଶୁଙ୍କୁ ପରୀକ୍ଷା କରାଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ହୃଦ୍‍ରୋଗ ଚିକିତ୍ସା ଆବଶ୍ୟକ ପଡିବ ସେମାନଙ୍କୁ ଅହମ୍ମଦାବାଦର ସତ୍ୟସାଇ ହସ୍ପିଟାଲକୁ ପଠାଯିବ । ରାଷ୍ଟ୍ରୀୟ ବାଲ୍‍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଶିଶୁମାନଙ୍କ ହୃଦ୍‍ରୋଗ ଚିହ୍ନଟ ସହିତ ସମ୍ପୂର୍ଣ୍ଣ ମାଗଣାରେ ଏହି ବ୍ୟବବହୁଳ ଚିକିତ୍ସା ଯୋଗାଇ ଦେଉଛନ୍ତି । ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଉକ୍ତ କ୍ୟାମ୍ପକୁ ଯାଇ ଶିଶୁ ଓ ସେମାନଙ୍କ ପରିଜନଙ୍କୁ ପିଲାଙ୍କ ସ୍ୱାସ୍ଥାବସ୍ଥା ଏବଂ ସୁବିଧା ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଥିଲେ । ସଂଗଠନର କର୍ମକର୍ତ୍ତା ଓ ଅହମ୍ମଦାଦର ସତ୍ୟସାଇ ହସ୍ପିଟାଲରୁ ଆସିଥିବା ଡାକ୍ତରମାନଙ୍କ ସହିତ ମଧ୍ୟ ଶ୍ରୀମତୀ ପଣ୍ଡିତ ଆଲୋଚନା କରିଥିଲେ ।

Leave a Reply

Your email address will not be published.